ରାଞ୍ଚିରେ ବ୍ୟାଟରେ ମା’ ଭାରତୀଙ୍କୁ ବଞ୍ଚାଇଲେ ପୁଅ, କାର୍ଗିଲରେ ବନ୍ଧୁକ ଦେଖାଇ ମା’ ଭାରତୀଙ୍କୁ ବଞ୍ଚାଇଥିଲେ ବାପା

Published: Feb 26, 2024, 8:44 pm IST

ଭୁବନେଶ୍ଵର: ରାଞ୍ଚି ଟେଷ୍ଟରେ ଭାରତ ବିଜୟୀ ହୋଇଛି। ଏହି ଟେଷ୍ଟ ସହ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ମଧ୍ୟ ଟିମ୍ ଇଣ୍ଡିଆ ନାମରେ ନାମିତ ହୋଇଛି। ସିରିଜର ୪ଟି ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ ୩-୧ରେ ଅପରାଜେୟ ଅଗ୍ରଣୀ ହାସଲ କରିଛି।

ରାଞ୍ଚି ଟେଷ୍ଟରେ ଟିମ୍ ଇଣ୍ଡିଆର ବିଜୟର ନାୟକ ଥିଲେ ଧ୍ରୁବ ଜୁରେଲ। ଏହି ଟେଷ୍ଟକୁ ୫ ୱିକେଟରେ ଜିତିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ମ୍ୟାଚର ଉଭୟ ଇନିଂସରେ ସେ ବ୍ୟାଟିଂରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରନ୍ କରିଥିଲେ। ଏହି ଟେଷ୍ଟରେ ସେ ଟିମ୍ ଇଣ୍ଡିଆ ପକ୍ଷରୁ ସର୍ବାଧିକ ରନ ସ୍କୋରର ଥିଲେ।

ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ୧୭୭ ରନରେ ୭ ଓ୍ଵିକେଟ୍ ହରାଇଥିବା ବେଳେ ଜୁରେଲ ନିମ୍ନ କ୍ରମବ୍ୟାଟ୍ସମ୍ୟାନଙ୍କ ସହ ଛୋଟ ଓ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରି ଟିମ୍ ଇଣ୍ଡିଆକୁ ୩୦୦ ପାର କରାଇଥିଲେ। ଧ୍ରୁବ ଜୁରେଲଙ୍କ ଇନିଂସ ଯୋଗୁଁ ଭାରତୀୟ ଦଳ ଇଂଲଣ୍ଡକୁ ଚ୍ୟାଲେଞ୍ଜ କରିବା ସ୍ଥିତିରେ ଥିଲା। ଭାରତର ପ୍ରଥମ ଇନିଂସରେ ଜୁରେଲ ୧୪୯ ବଲରେ ୬ ଚୌକା ଓ ୪ ଛକା ସହ ୯୦ ରନ କରିଥିଲେ। ଏହାପରେ ଦ୍ୱିତୀୟ ଇନିଂସରେ ଯେତେବେଳେ ଭାରତୀୟ ଦଳ ମାତ୍ର ୧୨୦ ରନରେ ୫ ୱିକେଟ୍ ହରାଇ ବ୍ୟାକଫୁଟକୁ ଓହ୍ଲାଇଥିଲା, ସେତେବେଳେ ଜୁରେଲ ଶୁବମନ ଗିଲଙ୍କ ସହ ମିଶି ଭାରତକୁ ଜିତାଇଥିଲେ। ଜୁରେଲ ଦ୍ୱିତୀୟ ଇନିଂସରେ ଅପରାଜିତ ୩୯ ରନ କରିଥିଲେ।

ବାସ୍ତବରେ ୨୫ ବର୍ଷ ପୂର୍ବେ ୧୯୯୯ରେ ଭାରତ ଓ ପାକିସ୍ତାନ ମଧ୍ୟରେ କାର୍ଗିଲ ଯୁଦ୍ଧ ହୋଇଥିଲା। ଧ୍ରୁବ ଜୁରେଲଙ୍କ ପିତା ନେମ ସିଂହ ମଧ୍ୟ ଏହି ଯୁଦ୍ଧରେ ଭାଗ ନେଇଥିଲେ। ସେ ଭାରତୀୟ ସେନାରେ ଅଛନ୍ତି। ବର୍ତ୍ତମାନ ସେ ଅବସର ନେଇଥିଲେ ମଧ୍ୟ କାର୍ଗିଲ ଯୁଦ୍ଧ ସମୟରେ ସେ ଭାରତର ସୀମାର ସୁରକ୍ଷାରେ ଠିଆ ହୋଇଥିଲେ।

ପଛରେ ଥାଇ ମଧ୍ୟ ଟେଷ୍ଟ ଜିତିଲା ଭାରତ

ରାଞ୍ଚି ଟେଷ୍ଟରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ୩୫୩ ରନ କରିଥିଲା। ଟିମ୍ ଇଣ୍ଡିଆ ଏଠାରେ ୧୭୭ ରନରେ ୭ ଓ୍ଵିକେଟ୍ ହରାଇଥିଲା, କିନ୍ତୁ ଏହା ପରେ ଧ୍ରୁବ ଜୁରେଲଙ୍କ ବ୍ୟାଟିଂ ବଳରେ ଭାରତର ପ୍ରଥମ ଇନିଂସ୍ ୩୦୭ ରନରେ ଶେଷ ହୋଇଥିଲା। ଫଳରେ ଇଂଲଣ୍ଡ ଦଳ ପ୍ରଥମ ଇନିଂସ୍ ଆଧାରରେ ୪୬ ରନର ଅଗ୍ରଣୀ ହାସଲ କରିଥିଲା। ଏଠାରେ ତୃତୀୟ ଇନିଂସରେ ପିଚ୍ ଟିକେ ଖରାପ ଦେଖାଯାଉଥିଲା ଏବଂ ଇଂଲଣ୍ଡ ଦଳ ମାତ୍ର ୧୪୫ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଫଳରେ ଟିମ୍ ଇଣ୍ଡିଆକୁ ୧୯୨ ରନର ଟାର୍ଗେଟ ମିଳିଥିଲା, ଯାହାକୁ ସେମାନେ ୫ ୱିକେଟ୍ ବାକି ଥାଇ ହାସଲ କରିନେଇଥିଲେ।

Related posts