ରାଷ୍ଟ୍ରପତିଙ୍କୁ ଭେଟି ସମର୍ଥନ ପତ୍ର ପ୍ରଦାନ କଲେ ଏନଡିଏର ସହଯୋଗୀ ଦଳ

Published: Jun 8, 2024, 6:58 am IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଏକ ପ୍ରତିନିଧି ଦଳ ଶୁକ୍ରବାର ଅପରାହ୍ନ ୨ଟା ୩୦ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟି ଏକ ପତ୍ର ପ୍ରଦାନ କରିଛନ୍ତି। ଏହି ପତ୍ରରେ ନରେନ୍ଦ୍ର ମୋଦୀ ବିଜେପି ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ଉଲ୍ଲେଖ କରାଯାଇଛି। ଏନଡିଏର ସହଯୋଗୀ ଦଳଗୁଡ଼ିକର ସମର୍ଥନ ପତ୍ର ମଧ୍ୟ ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ପ୍ରତିନିଧି ଦଳରେ ବିଜେପିର ରାଜନାଥ ସିଂହ, ଅମିତ ଶାହା, ଅଶ୍ୱିନୀ ବୈଷ୍ଣବ ଏବଂ ଡକ୍ଟର ସିଏନ୍ ମଞ୍ଜୁନାଥ ସାମିଲ ଥିଲେ; ତେଲୁଗୁ ଦେଶମ ପାର୍ଟିର ଚନ୍ଦ୍ରବାବୁ ନାଇଡୁ; ଜନତା ଦଳ (ୟୁନାଇଟେଡ)ର ନୀତୀଶ କୁମାର, ରାଜୀବ ରଞ୍ଜନ ସିଂହ (ଲଲନ ସିଂହ) ଓ ସଞ୍ଜୟ ଝା; ଶିବସେନାର ଏକନାଥ ସିନ୍ଧେ; ଜନତା ଦଳ (ସେକ୍ୟୁଲାର)ର ଏଚ୍ ଡି କୁମାରସ୍ୱାମୀ; ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ଚିରାଗ ପାସୱାନ; ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ସେକ୍ୟୁଲାର)ର ଜିତନ ରାମ ମାଞ୍ଝି; ଜନସେନାର ପୱନ କଲ୍ୟାଣ; ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରୁ ଅଜିତ ପାୱାର; ଅପନା ଦଳ (ସୋନେଲାଲ)ର ଅନୁପ୍ରିୟା ପଟେଲ; ରାଷ୍ଟ୍ରୀୟ ଲୋକଦଳର ଜୟନ୍ତ ଚୌଧୁରୀ; ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲର ଜୟନ୍ତ ବାସୁମତାରୀ; ଆସାମ ଗଣ ପରିଷଦର ଅତୁଲ ବୋରା; ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ପକ୍ଷରୁ ଇନ୍ଦ୍ର ହାଙ୍ଗ ସୁବା; ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିୟନର ସୁଦେଶ ମହତୋ ଓ ଚନ୍ଦ୍ର ପ୍ରକାଶ ଚୌଧୁରୀ; ଏବଂ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଏ)ର ରାମଦାସ ଅଠାୱଲେ ପ୍ରମୁଖ ସାମିଲ ରହିଥିଲେ।

ପ୍ରାପ୍ତ ହୋଇଥିବା ବିଭିନ୍ନ ସମର୍ଥନ ପତ୍ର ଆଧାରରେ ସନ୍ତୋଷ ବ୍ୟକ୍ତ କରି ରାଷ୍ଟ୍ରପତି କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ନିର୍ବାଚନ ପୂର୍ବବର୍ତ୍ତୀ ସର୍ବବୃହତ ମେଣ୍ଟ ହୋଇଥିବା ବେଳେ ଏହା ନବଗଠିତ ୧୮ତମ ଲୋକସଭାର ସଂଖ୍ୟାଗରିଷ୍ଠତା ହାସଲ କରିବା ଏବଂ ଏକ ସ୍ଥିର ସରକାର ଗଠନ କରିବା ସ୍ଥିତିରେ ଅଛି। ତେଣୁ ସେ ଭାରତୀୟ ସମ୍ବିଧାନର ଧାରା ୭୫(୧) ଅନୁଯାୟୀ ପ୍ରାପ୍ତ କ୍ଷମତାର ବ୍ୟବହାର କରି ନରେନ୍ଦ୍ର ମୋଦୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରୁଛନ୍ତି।

ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହର ତାରିଖ ଏବଂ ସମୟ ଦର୍ଶାଇବାକୁ ରାଷ୍ଟ୍ରପତି ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିଲେ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଭାବରେ ନିଯୁକ୍ତ ହେବାକୁ ଥିବା ଅନ୍ୟ ବ୍ୟକ୍ତିମାନଙ୍କ ନାମ ବିଷୟରେ ମଧ୍ୟ ପରାମର୍ଶ ଦେଇଥିଲେ।

Related posts