ଲୋକସଭାରେ ବିରୋଧୀ ଦଳର ନେତା ହେବେ ରାହୁଲ ଗାନ୍ଧୀ: କଂଗ୍ରେସ ବୈଠକରେ ଲାଗିଲା ମୋହର

Published: Jun 26, 2024, 7:14 am IST

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ପରେ ନୂଆ ସରକାର ଗଠନ କରାଯାଇଛି। ଏହା ପରେ ଗୃହରେ ବିରୋଧୀ ଦଳର ନେତା କିଏ ହେବେ ସେନେଇ ନିରନ୍ତର ଆଲୋଚନା ହୋଇଛି। ବର୍ତ୍ତମାନ ଏହି ଆଲୋଚନା ମଧ୍ୟ ଶେଷ ହୋଇଛି ଏବଂ ଉତ୍ତରପ୍ରଦେଶର ରାୟବରେଲି ଲୋକସଭା ଆସନରୁ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳର ନେତା ହେବେ। କଂଗ୍ରେସ ପାର୍ଟି ଏହା ଘୋଷଣା କରିଛି।

କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳର ନେତା ହେବେ। କଂଗ୍ରେସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ କାର୍ଯ୍ୟକାରୀ ବାଚସ୍ପତିଙ୍କୁ ଏକ ଚିଠି ଲେଖି ସୂଚନା ଦେଇଛନ୍ତି।

ଭେନୁଗୋପାଲ କହିଛନ୍ତି ଯେ, ଅସ୍ଥାୟୀ ବାଚସ୍ପତି ଭର୍ତ୍ତୁହରି ମହତାବଙ୍କୁ ଏକ ଚିଠି ଲେଖି ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ଭାବରେ ନିଯୁକ୍ତ କରିବାର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟ ପଦାଧିକାରୀଙ୍କ ନିଷ୍ପତ୍ତି ପରେ ନିଆଯିବ।

ଏହାପୂର୍ବରୁ ଜୁନ୍ ୯ ତାରିଖରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀଦଳର ନେତା ଭାବରେ ନିଯୁକ୍ତ କରିବାକୁ ଏକ ପ୍ରସ୍ତାବ ପାରିତ କରିଥିଲା। CWC ବୈଠକ ପରେ ରାହୁଲ ଗାନ୍ଧୀ କହିଥିଲେ ଯେ, ଏହା ବିଷୟରେ ଚିନ୍ତା କରିବା ପାଇଁ ତାଙ୍କୁ କିଛି ସମୟ ଦରକାର।

୧୮ ତମ ଲୋକସଭାର ବାଚସ୍ପତି ପଦ ପାଇଁ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ସମୟରେ ଏହି ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ କେ ସୁରେଶଙ୍କୁ ବାଚସ୍ପତି ପ୍ରାର୍ଥୀ କରିଥିବାବେଳେ ବିଜେପି ଏହି ପଦ ପାଇଁ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ୫୨ ଟି ଆସନ ଥିବା ବେଳେ ୨୦୨୪ ଲୋକସଭା ନିର୍ବାଚନରେ ତାହା ବୃଦ୍ଧି ହୋଇ ୯୯ ଟି ଆସନରେ ପହଞ୍ଚିଛି। ୨୦୧୪ ନିର୍ବାଚନରେ ​​ଦଳ କେବଳ ୪୪ ଟି ସିଟ୍ ଜିତିବାରେ ସଫଳ ହୋଇଥିଲା।

Related posts