ନୂତନ ଅପରାଧିକ ଆଇନକୁ ନେଇ ଜନସାଧାରଣଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରାଯାଉଛି: ଅମିତ ଶାହ

Published: Jul 1, 2024, 11:43 pm IST

ନୂଆଦିଲ୍ଲୀ: ଆଜିଠାରୁ ସାରା ଦେଶରେ ଲାଗୁ ହୋଇଥିବା ୩ ଟି ନୂଆ ଅପରାଧିକ ଆଇନକୁ ଦଣ୍ଡ ପରିବର୍ତ୍ତେ ନ୍ୟାୟଭିତ୍ତିକ ଏବଂ ପୀଡ଼ିତା କେନ୍ଦ୍ରୀତ ଦୃଷ୍ଟିକୋଣ ନେଇ ପ୍ରସ୍ତୁତ କରାଯାଇଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ କହିଛନ୍ତି। ନୂଆ ଆଇନରେ ଦଣ୍ଡ ବଦଳରେ ନ୍ୟାୟକୁ ପ୍ରାଥମିକତା ଦିଆଯିବ, ବିଳମ୍ବ ପରିବର୍ତ୍ତେ ଶୀଘ୍ର ବିଚାର ଓ ତ୍ୱରିତ ନ୍ୟାୟ ପ୍ରଦାନ କରାଯିବା ସହ ପୀଡ଼ିତାଙ୍କ ଅଧିକାରର ସୁରକ୍ଷା ସୁନିଶ୍ଚିତ କରାଯିବ। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହ କହିଛନ୍ତି ଯେ, ନୂତନ ଅପରାଧିକ ଆଇନକୁ ନେଇ ବିଭିନ୍ନ ମିଥ୍ୟା ଅପପ୍ରଚାର କରାଯାଉଛି, ଯାହାର ଉଦ୍ଦେଶ୍ୟ ହେଉଛି ଏହି ଆଇନଗୁଡ଼ିକ ବିଷୟରେ ଜନସାଧାରଣଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା। ସେ କହିଛନ୍ତି ଯେ, ନୂଆ ଆଇନର ପ୍ରତ୍ୟେକ ଦିଗ ଉପରେ ୪ ବର୍ଷ ଧରି ବିଭିନ୍ନ ଅଂଶୀଦାରଙ୍କ ସହ ବ୍ୟାପକ ଆଲୋଚନା ହୋଇଛି ଏବଂ ସ୍ୱାଧୀନ ଭାରତର କୌଣସି ଆଇନ ଉପରେ ଏତେ ବିସ୍ତୃତ ଆଲୋଚନା ହୋଇନାହିଁ।

ସ୍ୱାଧୀନତାର ୭୭ ବର୍ଷ ପରେ ଭାରତର ଅପରାଧିକ ନ୍ୟାୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ୱଦେଶୀ ହେବାରେ ଲାଗିଛି ଏବଂ ଆଜିଠାରୁ ଦେଶର ପ୍ରତ୍ୟେକ ଥାନାରେ ଏହି ତିନୋଟି ନୂଆ ଆଇନ କାର୍ଯ୍ୟକାରୀ ହୋଇଛି ବୋଲି ଗୃହମନ୍ତ୍ରୀ କହିଛନ୍ତି। ଅମିତ ଶାହ କହିଛନ୍ତି ଯେ ଏହି ଆଇନଗୁଡ଼ିକରେ ଦଣ୍ଡ ବଦଳରେ ନ୍ୟାୟ, ବିଳମ୍ବ ପରିବର୍ତ୍ତେ ଶୀଘ୍ର ବିଚାର ଓ ତ୍ୱରିତ ନ୍ୟାୟ ପାଇଁ ବ୍ୟବସ୍ଥା କରାଯାଇଛି। ଏହାସହିତ ପୂର୍ବ ଆଇନ କେବଳ ପୋଲିସର ଅଧିକାରକୁ ସୁରକ୍ଷିତ ରଖିଥିଲା କିନ୍ତୁ ଏବେ ଏହି ନୂଆ ଆଇନରେ ପୀଡ଼ିତା ଏବଂ ଅଭିଯୋଗକାରୀଙ୍କ ଅଧିକାରକୁ ମଧ୍ୟ ସୁରକ୍ଷିତ ରଖିବାର ବ୍ୟବସ୍ଥା ରହିଛି।

ଅମିତ ଶାହ କହିଛନ୍ତି ଯେ ଏହି ତିନୋଟି ନୂତନ ଆଇନ ଆମ ଦେଶର ସମଗ୍ର ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଭାରତୀୟ ଭାବନାକୁ ପ୍ରତିଫଳିତ କରୁଛି। ସେ କହିଛନ୍ତି ଯେ ଏହି ଆଇନରେ ଅନେକ ବ୍ୟବସ୍ଥା ରହିଛି ଯାହା ଦେଶର ନାଗରିକଙ୍କ ପାଇଁ ଲାଭଦାୟକ ହେବ। ସେ କହିଛନ୍ତି ଯେ ଏହି ଆଇନଗୁଡ଼ିକରେ ବ୍ରିଟିଶ ସମୟରୁ ଜାରି ରହିଥିବା ଓ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଅନେକ ବିବାଦୀୟ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି ଏବଂ ନୂତନ ଧାରା ଯୋଡ଼ାଯାଇଛି ଯାହାର ବର୍ତ୍ତମାନ ସମୟରେ ପ୍ରାସଙ୍ଗିକତା ରହିଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ଏହି ଆଇନଗୁଡ଼ିକରେ ଭାରତୀୟ ସମ୍ବିଧାନର ଭାବନା ଅନୁଯାୟୀ ଧାରା ଏବଂ ଅଧ୍ୟାୟଗୁଡ଼ିକର ପ୍ରାଥମିକତା ନିର୍ଦ୍ଧାରଣ କରାଯାଇଛି। ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି ବୋଲି ସେ କହିଛନ୍ତି। ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ଉପରେ ଏକ ନୂଆ ଅଧ୍ୟାୟ ଯୋଡ଼ାଯାଇଛି, ଯେଉଁଥିରେ ୩୫ଟି ଧାରା ଓ ୧୩ଟି ବ୍ୟବସ୍ଥା ରହିଛି, ନୂଆ ଆଇନକୁ ଅଧିକ ସମ୍ବେଦନଶୀଳ କରାଯାଇଛି। ସେହିପରି ମବ୍ ଲିଞ୍ଚିଂ ବା ଭିଡ଼ ଦ୍ୱାରା ଆକ୍ରମଣ ଅପରାଧ ପାଇଁ ପୂର୍ବ ଆଇନରେ କୌଣସି ବ୍ୟବସ୍ଥା ନଥିଲା; କିନ୍ତୁ ଏହି ନୂଆ ଆଇନରେ ପ୍ରଥମ ଥର ପାଇଁ ଭିଡ଼ ଦ୍ୱାରା ଆକ୍ରମଣକୁ ପରିଭାଷିତ କରାଯାଇଛି ଏବଂ ଏଥିପାଇଁ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି। ଶ୍ରୀ ଶାହ କହିଛନ୍ତି ଯେ, ନୂଆ ଆଇନରେ ଇଂରେଜମାନଙ୍କ ଦ୍ୱାରା ପ୍ରସ୍ତୁତ ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରାଯାଇଛି। ସେ କହିଛନ୍ତି ଯେ ନୂଆ ଆଇନରେ ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ଏକ ନୂତନ ଧାରା ଯୋଡାଯାଇଛି ଯାହା ଅଧୀନରେ ଭାରତର ଏକତା ଓ ଅଖଣ୍ଡତାକୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତିଙ୍କ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି।

ଅମିତ ଶାହ କହିଛନ୍ତି ଯେ ତିନୋଟି ନୂତନ ଆଇନ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବା ପରେ ସବୁଠାରୁ ଆଧୁନିକ ନ୍ୟାୟିକ ବ୍ୟବସ୍ଥା ସୃଷ୍ଟି କରିବ। କେବଳ ତିନୋଟି ନୂଆ ଆଇନରେ ବୈଷୟିକ ଜ୍ଞାନକୌଶଳକୁ ଗ୍ରହଣ କରାଯାଇନାହିଁ ବରଂ ଆଗାମୀ ୫୦ ବର୍ଷ ମଧ୍ୟରେ ଆସୁଥିବା ସମସ୍ତ ଜ୍ଞାନକୌଶଳକୁ ଏଥିରେ ଅନ୍ତର୍ଭୁକ୍ତ କରିବାର ବ୍ୟବସ୍ଥା କରାଯାଇଛି। ଦେଶର ୯୯.୯ ପ୍ରତିଶତ ଥାନାକୁ କମ୍ପ୍ୟୁଟରୀକରଣ କରାଯାଇଛି ଏବଂ ୨୦୧୯ରେ ଇ-ରେକର୍ଡ ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନୂଆ ଆଇନରେ ଜିରୋ-ଏଫଆଇଆର, ଇ-ଏଫଆଇଆର ଏବଂ ଚାର୍ଜସିଟ୍ ସବୁ ଡିଜିଟାଲ ହେବ ବୋଲି ସେ କହିଛନ୍ତି। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ନୂତନ ଆଇନଗୁଡ଼ିକ ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଏକ ସମୟ ସୀମା ଧାର୍ଯ୍ୟ କରିଛନ୍ତି ଏବଂ ଆଇନଗୁଡ଼ିକର ସମ୍ପୂର୍ଣ୍ଣ ରୂପାୟନ ନ୍ୟାୟ ପାଇଁ ସୀମାହୀନ ପ୍ରତୀକ୍ଷାର ଅନ୍ତ ଘଟିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଫଆଇଆର ଦାଖଲ କରିବାର ୩ ବର୍ଷ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ନ୍ୟାୟ ମିଳିପାରିବ।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ନୂତନ ଆଇନରେ ୭ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡନୀୟ ଅପରାଧରେ ଫରେନସିକ୍ ତଦନ୍ତ ବାଧ୍ୟତାମୂଳକ କରାଯାଇଛି, ଯାହା ନ୍ୟାୟକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ଏବଂ ଦୋଷୀ ସାବ୍ୟସ୍ତ ହାର ୯୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଶ୍ରୀ ଶାହ କହିଛନ୍ତି ଯେ, ନୂଆ ଆଇନରେ ଫରେନସିକ୍ ପରିଦର୍ଶନକୁ ବାଧ୍ୟତାମୂଳକ କରିବା ପାଇଁ ସରକାର ୨୦୨୦ରେ ଏକ ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ନେଇଥିଲେ ଏବଂ ଜାତୀୟ ଫରେନସିକ୍ ସାଇନ୍ସ ଲାବୋରେଟୋରି ପ୍ରତିଷ୍ଠା କରିଥିଲେ। ଏଥିପାଇଁ ପ୍ରଶିକ୍ଷିତ ମାନବସମ୍ବଳର ଆବଶ୍ୟକତା ପଡ଼ିବ ଏବଂ ଦେଶରେ ୩ ବର୍ଷ ପରେ ୪୦ ହଜାରରୁ ଅଧିକ ପ୍ରଶିକ୍ଷିତ ମାନବସମ୍ବଳ ରହିଥିବେ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ୍ ନିକଟରେ ଫରେନସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ପ୍ରତିଷ୍ଠା ଏବଂ ଆହୁରି ୯ଟି ରାଜ୍ୟରେ ୬ଟି କେନ୍ଦ୍ରୀୟ ଫରେନ୍ସିକ୍ ଲାବୋରେଟୋରି ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି।

ଅମିତ ଶାହ କହିଥିଲେ ଯେ ଭାରତୀୟ ସାକ୍ଷ ଅଧିନିୟମ ୨୦୨୩ ମଧ୍ୟ ପ୍ରମାଣ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିଛି। ସେ କହିଛନ୍ତି ଯେ ଇଲେକ୍ଟ୍ରୋନିକ୍ ପ୍ରମାଣର ବିଶ୍ୱସନୀୟତା ବୃଦ୍ଧି ପାଇଁ ଅନେକ ବ୍ୟବସ୍ଥା କରାଯାଇଛି। ଏବେ ସର୍ଭର୍ ଲଗ୍, ଅବସ୍ଥାନ ପ୍ରମାଣ ବା ଲୋକେସନ୍‌ ଏଭିଡେନ୍ସ ଏବଂ ଭଏସ୍ ମେସେଜ୍ କୁ ପ୍ରମାଣ ଭାବରେ ବ୍ୟାଖ୍ୟା କରାଯାଇଛି। ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଉଲ୍ଲେଖ କରାଯାଇଥିବା ସମସ୍ତ ଭାଷାରେ ଏହି ତିନୋଟି ଆଇନ ଉପଲବ୍ଧ ହେବ ଏବଂ ସେହି ଭାଷାଗୁଡ଼ିକରେ ଅଦାଲତଙ୍କ ପ୍ରକ୍ରିୟା ମଧ୍ୟ ହେବ ବୋଲି ଶ୍ରୀ ଶାହ କହିଛନ୍ତି।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ପ୍ରତ୍ୟେକ ରାଜ୍ୟର ଗୃହ ବିଭାଗ ଏବଂ ନ୍ୟାୟ ମନ୍ତ୍ରଣାଳୟ ଏହି ଆଇନଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟାପକ ପ୍ରୟାସ କରିଛନ୍ତି। ସେ କହିଛନ୍ତି ଯେ, ନୂଆ ଆଇନରେ ବର୍ତ୍ତମାନ ସମୟର ପ୍ରାସଙ୍ଗିକତା ଅନୁଯାୟୀ ଧାରା ଯୋଡାଯାଇଛି ଏବଂ ବିବାଦୀୟ ଥିବା ଅନେକ ଧାରାକୁ ହଟାଇ ଦିଆଯାଇଛି, କାରଣ ଏସବୁ ଧାରା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିଲେ। ଶ୍ରୀ ଶାହ କହିଛନ୍ତି ଯେ, ନୂତନ ଆଇନ ଉପରେ ପ୍ରାୟ ୨୨.୫ ଲକ୍ଷ ପୋଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ୧୨୦୦୦ ମାଷ୍ଟର ଟ୍ରେନରଙ୍କୁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୩ ହଜାରରୁ ଅଧିକ ମାଷ୍ଟର ଟ୍ରେନରଙ୍କୁ ମାନ୍ୟତାପ୍ରାପ୍ତ ଅନୁଷ୍ଠାନ ସାହାଯ୍ୟରେ ତାଲିମ ଦିଆଯାଇଛି। ନ୍ୟାୟପାଳିକାରେ ୨୧ ହଜାର ଅଧସ୍ତନ ନ୍ୟାୟପାଳିକା ଅଧିକାରୀଙ୍କୁ ତାଲିମ ଦିଆଯାଇଥିବା ବେଳେ ୨୦ ହଜାର ସରକାରୀ ଓକିଲଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଲୋକସଭାରେ ମୋଟ ୯ ଘଣ୍ଟା ୨୯ ମିନିଟ୍ ଧରି ଏହି ଆଇନ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା ଯେଉଁଥିରେ ୩୪ ଜଣ ସଦସ୍ୟ ଅଂଶଗ୍ରହଣ କରି ନିଜର ମତାମତ ଦେଇଥିଲେ ଏବଂ ରାଜ୍ୟସଭାରେ ଏହା ଉପରେ ୬ ଘଣ୍ଟା ୧୭ ମିନିଟ୍ ଆଲୋଚନା ହୋଇଥିଲା ଯେଉଁଥିରେ ୪୦ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ। ସେ କହିଛନ୍ତି ଯେ ସଂସଦ ସଦସ୍ୟଙ୍କ ବହିଷ୍କାର ପରେ ଏହି ଆଇନ ପାରିତ ହୋଇଛି ବୋଲି ମିଥ୍ୟା ଅପପ୍ରଚାର କରାଯାଉଛି। ସେ କହିଛନ୍ତି ଯେ ବହିଷ୍କୃତ ସଦସ୍ୟମାନଙ୍କ ପାଖରେ ଗୃହକୁ ଆସି ଆଲୋଚନାରେ ଅଂଶଗ୍ରହଣ କରି ନିଜର ମତ ରଖିବାର ବିକଳ୍ପ ଥିଲା, କିନ୍ତୁ ଜଣେ ବି ସଦସ୍ୟ ତାହା କରିନଥିଲେ।

Related posts