ରାୟଗଢ ଲୋକସଭା ଆସନରୁ ପରାଜୟ ପରେ କୋର୍ଟରେ ପହଞ୍ଚିଲେ ଦିଗବିଜୟ ସିଂ: କଲେ ବଡ ଦାବି

Published: Jul 17, 2024, 7:59 am IST

ନୂଆଦିଲ୍ଲୀ: ରାୟଗଢ ଲୋକସଭା ନିର୍ବାଚନମଣ୍ଡଳୀରେ ପରାଜୟ ପରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ କୋର୍ଟରେ ପହଞ୍ଚିଛନ୍ତି। ବିଜେପି ନେତା ରୋଡମଲ ନାଗରଙ୍କ ବିଜୟର ଫଳାଫଳକୁ ଚ୍ୟାଲେଞ୍ଜ କରି କଂଗ୍ରେସ ନେତା ଦିଗବିଜୟ ସିଂ ଜୁଲାଇ ୧୬ ତାରିଖରେ ମଧ୍ୟପ୍ରଦେଶ ହାଇକୋର୍ଟରେ ଆବେଦନ କରିଛନ୍ତି। ଦିଗବିଜୟ ସିଂ ଦାବି କରିଛନ୍ତି ଯେ, ଇଭିଏମ୍ ଟାମ୍ପରିଂ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପିର ରୋଡମଲ ନାଗର ଦିଗବିଜୟ ସିଂଙ୍କୁ ୧.୪୫ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ବର୍ତ୍ତମାନ ଦିଗବିଜୟ ସିଂଙ୍କ ଓକିଲ ସଞ୍ଜୟ ଅଗ୍ରୱାରଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ଅଭିଯୋଗ ହୋଇଛି ଯେ, ଭାରତର ସମ୍ବିଧାନ ଏବଂ ‘ଲୋକ ପ୍ରତିନିଧିତ୍ୱ’ ଅଧିନିୟମ ଉଲ୍ଲଂଘନ କରାଯାଇଛି। ଏଭଳି ପରିସ୍ଥିତିରେ ନାଗର ନିର୍ବାଚନ ବାତିଲ କରାଯାଉ ବୋଲି ଦିଗବିଜୟ ସିଂ ଦାବି କରିଛନ୍ତି।

ଏହା ମଧ୍ୟ କଂଗ୍ରେସ ନେତାଙ୍କ ତରଫରୁ କୁହାଯାଇଛି ଯେ, ନିର୍ବାଚନ ଆୟୋଗ ଇଭିଏମ୍ ଯାଞ୍ଚ କରିବାରେ ବିଫଳ ହୋଇଛନ୍ତି। ଏଭଳି ପରିସ୍ଥିତିରେ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅନୁସରଣ କରିନାହାଁନ୍ତି।

ଦିଗବିଜୟ ସିଂ କହିଛନ୍ତି ଯେ, ଅନେକ ଥର ଇଭିଏମ୍ ପ୍ରତି ଅବିଶ୍ୱାସ ପଞ୍ଜିକୃତ ହୋଇଛି, କିନ୍ତୁ ଭାରତ ନିର୍ବାଚନ ଆୟୋଗ ଏବଂ ସରକାର ଏ ସମ୍ପର୍କରେ କୌଣସି ଉତ୍ତର ଦେଉ ନାହାଁନ୍ତି। ଏଥି ସହିତ ନିର୍ବାଚନ ଆୟୋଗ ମଧ୍ୟ ଏପ୍ରିଲ ୨୬ ତାରିଖର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରୁନାହାଁନ୍ତି। ଦିଗବିଜୟ ସିଂ ଏହି ପିଟିସନରେ ଲେଖିଛନ୍ତି ଯେ, ଆହୁରି ଅନେକ ସମସ୍ୟା ରହିଛି ଯେଉଁଥିରେ ସେ ବୈଷୟିକକ ଭିତ୍ତିରେ ଆବେଦନ କରୁଛନ୍ତି।

Related posts