ଭୁବନେଶ୍ବର: ଗତକାଲି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡି ନେତ୍ରୀ ମମତା ମହନ୍ତ। ବର୍ତ୍ତମାନ ବିଜେଡି ସଙ୍କଟ ସମୟରେ ସେ ଏପରି ଇସ୍ତଫା ଦେବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଓଡିଆ ଅସ୍ମିତା କହି ବିଜେଡିରେ ବିପର୍ଯ୍ୟୟ ସୃଷ୍ଟି କରି ବିଜେପି କ୍ଷମତା ଦଖଲ କରିଛି। ଏପରିକି ଓଡିଶାର ସମସ୍ତ ଲୋକସଭା ଆସନ ବିଜେଡିଠାରୁ ଛଡାଇ ନେଇଛି।
ଏପରି ସମୟରେ ବିଜେଡିର ଜାତୀୟ ସ୍ତରରେ ଶକ୍ତି ଦେଖାଇବା ପାଇଁ ଏକ ମାତ୍ର ଅସ୍ତ୍ର ରହିଛି ରାଜ୍ୟସଭା ସାଂସଦ। ମୋଟ 10ଟି ଆସନ ମଧ୍ୟରୁ ବିଜେଡିର ନଅ ଟି ଥିବା ବେଳେ ବିଜେପି ହାତରେ ରହିଛି ଏକମାତ୍ର ଆସନ। ତାହା ପୁଣି ସେହି ବିଜେଡିର ଆର୍ଶିବାଦରେ ଅଶ୍ହନୀ ବୈଷ୍ଣବ ରାଜ୍ୟସଭାକୁ ଯାଇଛନ୍ତି। ତଥାପି ବିଜେଡି ହାତରେ ନଅ ଜଣ ସଦସ୍ୟ ରହିଥିବାରୁ ରାଜ୍ୟସଭାରେ ଦବଦବ ରହିଛି। ହେଲେ ମମତା ମହନ୍ତଙ୍କ ଇସ୍ତଫା ପରେ ତାହା ଆଠକୁ ଖସିଆସିଛି। ଏହି ଆସନ ପାଇଁ ନିର୍ବାଚନ ହେଲେ ତାହା ନିଶ୍ଚିତ ଭାବେ ବିଜେପି ହାତକୁ ଯିବ।
ତେବେ ମମତାଙ୍କ ଇସ୍ତଫାକୁ ନେଇ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ବୟାନ ରାଜନୀତି ଗଣିତକୁ ଏକ ନୂଆ ମୋଡ ଦେଇଛି। ପ୍ରମିଳା କହିଛନ୍ତି ଯେ, ବିଜେପିର ଜଣେ ନେତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ଏହି ତାଙ୍କର ଚକ୍ରାନ୍ତ। ପ୍ରମିଳା ବିଜେପି ନା ନ ନେଇଥିଲେ ମଧ୍ୟ ସେ କହିଛନ୍ତି ଯେ ଗୋଟିଏ ଜାତୀୟ ଦଳ ଏହି ଚକ୍ରାନ୍ତ କରିଛି। ତେବେ ପ୍ରଶ୍ନ ଉଠିଛି ଯେ, କାହା ପାଇଁ ବିଜେପି ଏତେ ବଡ ଚକ୍ରାନ୍ତ କରିବାକୁ ଚାହିଁଲା ? ଏହାପରେ ବିଜେପି ପୁଣି ଥରେ ଶିକାର କରିବାର ସମ୍ଭାବନା ରହିଛି କି ?