Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାମପନ୍ଥୀ ଉଗ୍ରବାଦ ଉପରେ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହମନ୍ତ୍ରୀ
ଜାତୀୟ ଖବର

ବାମପନ୍ଥୀ ଉଗ୍ରବାଦ ଉପରେ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହମନ୍ତ୍ରୀ

October 7, 2024No Comments7 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, ବିହାରର ଉପମୁଖ୍ୟମନ୍ତ୍ରୀ ଏବଂ ଆନ୍ଧ୍ରପ୍ରଦେଶର ଗୃହମନ୍ତ୍ରୀ ଯୋଗ ଦେଇଥିଲେ। ଏହି ବୈଠକରେ ବିଭିନ୍ନ ମନ୍ତ୍ରଣାଳୟର କେନ୍ଦ୍ର ମନ୍ତ୍ରୀମାନେ, ଯେଉଁମାନେ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟମାନଙ୍କୁ ସହଯୋଗ କରୁଛନ୍ତି, ସେମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ, ଉପଜାତୀୟ ସୁରକ୍ଷା ପରାମର୍ଶଦାତା, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍) ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ, ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ ଏଲଡବ୍ଲ୍ୟୁଇ ପ୍ରଭାବିତ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

​କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, କାନ୍ଧରେ କାନ୍ଧ ମିଳାଇ କାର୍ଯ୍ୟ କରୁଥିବା ସମସ୍ତ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ପ୍ରତିଶ୍ରୁତିବଦ୍ଧ। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଏବଂ ଏଥିରେ ଆମର ୮ କୋଟି ଆଦିବାସୀ ଭାଇ ଭଉଣୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।

ଶ୍ରୀ ଶାହା ଆହୁରି କହିଛନ୍ତି ଯେ, ବିକଶିତ ଭାରତର ପ୍ରକୃତ ଅର୍ଥ ହେଉଛି ଆମର ୮ କୋଟି ଆଦିବାସୀ ଭାଇ ଭଉଣୀଙ୍କ ସମେତ ଦେଶର ୧୪୦ କୋଟି ଲୋକଙ୍କ ପାଖରେ ବିକାଶ ପହଞ୍ଚିଥାଏ। ଦୁର୍ଗମ ଅଞ୍ଚଳ ଓ ଆଦିବାସୀ ସମ୍ପ୍ରଦାୟରେ ଆଜି ବିକାଶ ଆଣିବାରେ ସବୁଠାରୁ ବଡ ବାଧକ ହେଉଛି ନକ୍ସଲବାଦ। ସେ କହିଛନ୍ତି ଯେ ନକ୍ସଲବାଦ ଶିକ୍ଷା, ସ୍ୱାସ୍ଥ୍ୟସେବା, ଯୋଗାଯୋଗ, ବ୍ୟାଙ୍କିଙ୍ଗ୍ ଏବଂ ଡାକ ସେବାକୁ ଗାଁ ଗାଁରେ ପହଞ୍ଚିବାରୁ ରୋକିଥାଏ। ସମାଜର ଶେଷ ବ୍ୟକ୍ତିଙ୍କ ପାଖରେ ଯେପରି ବିକାଶ ପହଞ୍ଚିବ ସେଥିପାଇଁ ଆମକୁ ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ପଡିବ ବୋଲି ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ।

୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ନକ୍ସଲ ବିରୋଧୀ ଲଢ଼େଇରେ ବଡ଼ ସଫଳତା ମିଳିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ସୃଷ୍ଟି ହୋଇଥିବା ଅନ୍ଧକାରକୁ ସାମ୍ବିଧାନିକ ଅଧିକାରରେ ବଦଳାଇ ବାମପନ୍ଥୀଙ୍କ ହିଂସାତ୍ମକ ବିଚାରଧାରା ପରିବର୍ତ୍ତେ ବିକାଶ ଓ ବିଶ୍ୱାସର ଏକ ନୂତନ ଯୁଗ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ବାମପନ୍ଥୀ ଉଗ୍ରବାଦ ପ୍ରତି ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଏବଂ ସରକାରୀ ଯୋଜନାଗୁଡ଼ିକର ଶତପ୍ରତିଶତ କାର୍ଯ୍ୟକାରିତା ସହିତ ଆମେ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ବିକଶିତ କରିବାକୁ ଚାହୁଁଛୁ ବୋଲି ଶ୍ରୀ ଶାହା ଗୁରୁତ୍ୱାରୋପ କରିଥିଲେ।

ଅମିତ ଶାହ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦ ବିରୋଧରେ ଲଢ଼ିବା ପାଇଁ ସରକାର ଆଇନର ଦୁଇଟି ନିୟମ ଧାର୍ଯ୍ୟ କରିଛନ୍ତି। ପ୍ରଥମେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆଇନର ଶାସନ ପ୍ରତିଷ୍ଠା କରିବା ଏବଂ ବେଆଇନ ହିଂସାତ୍ମକ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ବନ୍ଦ କରିବା। ଦ୍ବିତୀୟତଃ, ଦୀର୍ଘ ନକ୍ସଲ ଆନ୍ଦୋଳନ ଯୋଗୁଁ ଯେଉଁ ସବୁ ଅଞ୍ଚଳ ବିକାଶରୁ ବଞ୍ଚିତ ହୋଇଥିଲା, ସେହି ଅଞ୍ଚଳର କ୍ଷୟକ୍ଷତିକୁ ଶୀଘ୍ର ଭରଣା କରିବା।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ୨୦୨୨ରେ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ଜନିତ ମୃତ୍ୟୁ ସଂଖ୍ୟା ୧୦୦ ତଳେ ଥିଲା, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ୨୦୧୪ରୁ ୨୦୨୪ ମଧ୍ୟରେ ନକ୍ସଲ ଜନିତ ଘଟଣାରେ ଯଥେଷ୍ଟ ହ୍ରାସ ଘଟିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ୧୪ ଜଣ ଶୀର୍ଷ ନକ୍ସଲ ନେତାଙ୍କୁ ନିପାତ କରାଯାଇଛି ଏବଂ ଧାଡ଼ିରେ ଥିବା ଶେଷ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ପାଇଁ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଭଲ ଭାବରେ କାର୍ଯ୍ୟକାରୀ କରାଯାଇଛି। ଶ୍ରୀ ଶାହା କହିଛନ୍ତି ଯେ ଏଲଡବ୍ଲୁଇ ବିରୋଧରେ ଲଢ଼େଇ ଶେଷ ପର୍ଯ୍ୟାୟରେ ଅଛି ଏବଂ ମାର୍ଚ୍ଚ ୨୦୨୬ ସୁଦ୍ଧା ସମସ୍ତଙ୍କ ସହଯୋଗରେ ଦେଶ ଏହି ଦଶନ୍ଧି ପୁରୁଣା ବିପଦରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଯିବ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବୁଦ୍ଧ ପାହାଡ଼ ଓ ଚକରବନ୍ଧ ଭଳି ଅଞ୍ଚଳ ନକ୍ସଲ କବଳରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛି। ଛତିଶଗଡରେ ଏଲଡବ୍ଲୁଇ କ୍ୟାଡର ସଂଖ୍ୟାର ୮୫ ପ୍ରତିଶତ ଉଚ୍ଛେଦ ହୋଇସାରିଛି ଏବଂ ଏବେ ନକ୍ସଲବାଦକୁ ଚୂଡ଼ାନ୍ତ ଝଟକା ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଅମିତ ଶାହ କହିଛନ୍ତି ଯେ ୨୦୧୯ ରୁ ମୋଦୀ ସରକାର ଏକ ବହୁମୁଖୀ ରଣନୀତି କାର୍ଯ୍ୟକାରୀ କରିଛନ୍ତି, ଯେଉଁଥିରେ ସିଏପିଏଫ ମୁତୟନ ପାଇଁ ଶୂନ୍ୟସ୍ଥାନ ଚିହ୍ନଟ କରାଯାଇଥିଲା। ଫଳରେ ମାତ୍ର ଗୋଟିଏ ବର୍ଷରେ ୧୯୪ରୁ ଅଧିକ ଶିବିର ପ୍ରତିଷ୍ଠା କରାଯାଇ ଉଲ୍ଲେଖନୀୟ ସଫଳତା ମିଳିଥିଲା। ୪୫ଟି ଥାନା ଜରିଆରେ ସୁରକ୍ଷା ବଳୟ ପୂରଣ, ରାଜ୍ୟ ଗୁଇନ୍ଦା ଶାଖାଗୁଡ଼ିକୁ ସୁଦୃଢ଼ କରିବା ଏବଂ ରାଜ୍ୟ ସ୍ବତନ୍ତ୍ର ବାହିନୀର ଉତ୍କୃଷ୍ଟ ପ୍ରଦର୍ଶନ ଏହି ରଣନୀତିକୁ ସଫଳ କରିବାରେ ସହାୟକ ହୋଇଛି ବୋଲି ଶ୍ରୀ ଶାହ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ହେଲିକପ୍ଟର ଯୋଗାଣ ଦ୍ୱାରା ଆମ ଯବାନଙ୍କ ମଧ୍ୟରେ ମୃତାହତଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି। ପୂର୍ବରୁ ଜବାନମାନଙ୍କ ସେବା ପାଇଁ ମାତ୍ର ୨ଟି ହେଲିକପ୍ଟର ନିୟୋଜିତ ହୋଇଥିବା ବେଳେ ଆଜି ବିଏସଏଫର ୬ଟି ଓ ବାୟୁସେନାର ୬ଟି ହେଲିକପ୍ଟର ସମେତ ୧୨ଟି ହେଲିକପ୍ଟର କାର୍ଯ୍ୟକ୍ଷମ ରହିଛି।

ନକ୍ସଲ ମୁକାବିଲାରେ ଛତିଶଗଡ଼ ସରକାରଙ୍କ ସଫଳତାକୁ କେନ୍ଦ୍ର ଗୃହମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ପ୍ରଶଂସା କରିଛନ୍ତି। ୨୦୨୪ ଜାନୁଆରିରୁ ଛତିଶଗଡ଼ରେ ମୋଟ ୨୩୭ ନକ୍ସଲ ନିହତ ହୋଇଥିବା ବେଳେ ୮୧୨ ଜଣ ଗିରଫ ହୋଇଥିବା ବେଳେ ୭୨୩ ଜଣ ଆତ୍ମସମର୍ପଣ କରିଛନ୍ତି। ନକ୍ସଲବାଦରେ ସଂପୃକ୍ତ ଯୁବକମାନଙ୍କୁ ହିଂସାର ମାର୍ଗ ଛାଡି ଦେଶର ବିକାଶରେ ଯୋଗଦାନ କରିବା ପାଇଁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଗୃହମନ୍ତ୍ରୀ ନିବେଦନ କରିଛନ୍ତି। ଉତ୍ତର-ପୂର୍ବ, କଶ୍ମୀର ଏବଂ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳର ୧୩,୦ରୁ ଅଧିକ ଲୋକ ହିଂସା ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଶ୍ରୀ ଶାହା ନକ୍ସଲବାଦରେ ନିୟୋଜିତ ଯୁବକମାନଙ୍କୁ କହିଥିଲେ ଯେ ସମସ୍ତ ରାଜ୍ୟ ସେମାନଙ୍କ ପାଇଁ ଲାଭଦାୟକ ଥଇଥାନ ଯୋଜନା ପ୍ରସ୍ତୁତ କରିଛନ୍ତି। ନକ୍ସଲବାଦରୁ କେହି ଲାଭବାନ ହୁଅନ୍ତି ନାହିଁ ବୋଲି ଏବେ ସମ୍ପୂର୍ଣ୍ଣ ପ୍ରମାଣିତ ହୋଇଛି।

ଅମିତ ଶାହ କହିଛନ୍ତି ଯେ ୨୦୦୪ରୁ ୨୦୧୪ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ ଯୋଜନାରେ ୧୧୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ଯାହାକୁ ମୋଦି ସରକାର ୨୦୧୪ରୁ ୨୦୨୪ ମଧ୍ୟରେ ପ୍ରାୟ ୩ ଗୁଣ ବୃଦ୍ଧି କରି ୩୦୦୬ କୋଟି ଟଙ୍କା କରିଛନ୍ତି। ସେ କହିଛନ୍ତି ଯେ ଏଲଡବ୍ଲୁଇ ପରିଚାଳନା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ସହାୟତା ଯୋଜନା ଅଧୀନରେ ୧୦୫୫ କୋଟି ଟଙ୍କା ଦିଆଯାଇଛି। ଶ୍ରୀ ଶାହ କହିଛନ୍ତି ଯେ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ଏକ ନୂତନ ଯୋଜନା ଯାହା ଅଧୀନରେ ମୋଦି ସରକାର ଗତ ୧୦ ବର୍ଷ ମଧ୍ୟରେ ୩୫୯୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୪,୩୬୭ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ସେଥିରୁ ୧୨,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ୨୦୦୪ରୁ ୨୦୧୪ ମଧ୍ୟରେ ୬୬ଟି ଫୋର୍ଟିଫାଏଡ୍ ଥାନା ନିର୍ମାଣ ହୋଇଥିବା ବେଳେ ୨୦୧୪ରୁ ୨୦୨୪ ମଧ୍ୟରେ ୫୪୪ଟି ଫୋର୍ଟିଫାଏଡ୍ ଥାନା ନିର୍ମାଣ କରାଯାଇଛି। ୨୦୧୪ ପୂର୍ବରୁ ୧୦ ବର୍ଷରେ ୨୯୦୦ କିଲୋମିଟର ସଡ଼କ ନେଟୱାର୍କ ନିର୍ମାଣ ହୋଇଥିବା ବେଳେ ଗତ ୧୦ ବର୍ଷମଧ୍ୟରେ ଏହା ୧୪,୪୦୦ କିଲୋମିଟରକୁ ବୃଦ୍ଧି ପାଇଛି। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଗତ ୧୦ ବର୍ଷ ମଧ୍ୟରେ ମୋବାଇଲ ସଂଯୋଗ ପାଇଁ କୌଣସି ପ୍ରୟାସ କରାଯାଇ ନଥିବା ବେଳେ ୨୦୧୪ରୁ ୨୦୨୪ ମଧ୍ୟରେ ୬୦୦୦ ଟାୱାର ସ୍ଥାପନ କରାଯାଇଛି ଏବଂ ୩୫୫୧ଟି ଟାୱାରକୁ ୪ଜିରେ ପରିଣତ କରିବା କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ୨୦୧୪ ପୂର୍ବରୁ ମାତ୍ର ୩୮ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମ୍ଆରଏସ୍‍) ଅନୁମୋଦନ ମିଳିଥିବା ବେଳେ ଏବେ ଗତ ୧୦ ବର୍ଷ ମଧ୍ୟରେ ୨୧୬ଟି ବିଦ୍ୟାଳୟକୁ ଅନୁମୋଦନ ମିଳିଥିବା ବେଳେ ସେଥିମଧ୍ୟରୁ ୧୬୫ଟି ଇଏମ୍ଆର୍ ସ୍କୁଲ ପ୍ରତିଷ୍ଠା ହୋଇଛି। ଗୃହମନ୍ତ୍ରୀ କହିଛନ୍ତି ଯେ ଏହି ସବୁ ପ୍ରୟାସ ଦର୍ଶାଉଛି ଯେ ଆମେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ କେତେ ତୀବ୍ରତାର ସହ କାମ କରିଛୁ।

ଅମିତ ଶାହ କହିଛନ୍ତି ଯେ ୨୦୦୪ରୁ ୨୦୧୪ ମଧ୍ୟରେ ୧୦ ବର୍ଷ ମଧ୍ୟରେ ୧୬,୪୬୩ ଟି ହିଂସାକାଣ୍ଡ ଘଟିଥିଲା ଯାହା ବର୍ତ୍ତମାନ ପ୍ରାୟ ୫୩% ହ୍ରାସ ପାଇ ୭୭୦୦କୁ ହ୍ରାସ ପାଇଛି। ସେହିପରି ସାଧାରଣ ନାଗରିକ ଓ ସୁରକ୍ଷା ବାହିନୀର ମୃତ୍ୟୁ ସଂଖ୍ୟା ୭୦ ପ୍ରତିଶତ ହ୍ରାସ ପାଇଥିବା ବେଳେ ୯୬ଟି ଜିଲ୍ଲାରେ ହିଂସା କାଣ୍ଡ ୫୭ ପ୍ରତିଶତ ହ୍ରାସ ପାଇ ୧୬ରେ ପହଞ୍ଚିଛି। ହିଂସାକାଣ୍ଡର ସମ୍ମୁଖୀନ ହୋଇଥିବା ଥାନା ମଧ୍ୟ ୪୬୫ରୁ ୧୭୧କୁ ଖସି ଆସିଛି, ଯେଉଁଥିରୁ ୫୦ଟି ନୂଆ ଥାନା ରହିଛି। ଏହି ସଫଳତା ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମର ଫଳ ବୋଲି ଶ୍ରୀ ଶାହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମକୁ ଏହାକୁ ଅଧିକ ସଂକଳ୍ପ ଏବଂ ଉତ୍ସାହ ସହିତ ଆଗକୁ ନେବାକୁ ପଡିବ।

ନକ୍ସଲବାଦ ବିରୋଧରେ ଛତିଶଗଡ଼ରେ ହାସଲ କରିଥିବା ସଫଳତା ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଛତିଶଗଡ଼ ସରକାର ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ସମସ୍ତ ଜିଲ୍ଲାରେ ବିକାଶର ଏକ ନୂତନ ଅଭିଯାନ ଆରମ୍ଭ କରିଛନ୍ତି। ବ୍ୟକ୍ତିଗତ ଓ ପାରିବାରିକ କଲ୍ୟାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରାୟ ୩୦୦ ଯୋଜନାର ଶତ ପ୍ରତିଶତ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସବୁ ଯୋଜନା, ଶସ୍ତାଦରରେ ଶସ୍ୟ ଓ ଔଷଧ ଯୋଗୁଁ ଏବେ ଗାଁ ଗାଁରେ ସ୍କୁଲ, ଜନସ୍ୱାସ୍ଥ୍ୟ କେନ୍ଦ୍ର ଆଦି ପହଞ୍ଚିଛି।

ଅମିତ ଶାହ କହିଥିଲେ ଯେ ୨୦୧୯ ମସିହାରୁ ସୁରକ୍ଷା ଜନିତ ଅଭାବ ପୂରଣ କରିବା ପାଇଁ ୨୮୦ଟି ନୂଆ ଶିବିର ପ୍ରତିଷ୍ଠା କରାଯାଇଛି, ୧୫ଟି ନୂତନ ଯୁଗ୍ମ ଟାସ୍କ ଫୋର୍ସ ଗଠନ କରାଯାଇଛି ଏବଂ ବିଭିନ୍ନ ରାଜ୍ୟରେ ରାଜ୍ୟ ପୋଲିସକୁ ସହାୟତା କରିବା ପାଇଁ ୬ଟି ସିଆରପିଏଫ ବାଟାଲିୟନ ମୁତୟନ କରାଯାଇଛି। ଏହା ସହ ନକ୍ସଲଙ୍କୁ ପାଣ୍ଠି ଯୋଗାଣ ରୋକିବା ପାଇଁ ଏନଆଇଏକୁ ସକ୍ରିୟ କରି ଆକ୍ରମଣାତ୍ମକ ରଣନୀତି ଗ୍ରହଣ କରାଯାଇଛି, ଯାହା ଫଳରେ ସେମାନଙ୍କ ପାଇଁ ଆର୍ଥିକ ସମ୍ବଳର ଅଭାବ ଦେଖାଦେଇଛି। ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ନକ୍ସଲମାନେ ଯେପରି ଘେରି ରହିବେ ସେଥିପାଇଁ ଏକାଧିକ ଦୀର୍ଘକାଳୀନ ଅପରେସନ୍ କରାଯାଇଥିଲା, ଯାହା ଫଳରେ ସେମାନଙ୍କୁ ଖସିଯିବାର କୌଣସି ସୁଯୋଗ ମିଳିନଥିଲା।

କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ ଫ୍ଲାଗସିପ୍ ଯୋଜନା ବ୍ୟତୀତ ମୋଦୀ ସରକାର ସଡ଼କ ଯୋଗାଯୋଗ, ଦୂରସଂଚାରରେ ଉନ୍ନତି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଦକ୍ଷତା ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୋଷଣ ଭଳି ପ୍ରମୁଖ ବିକାଶ କ୍ଷେତ୍ର ଉପରେ ଗୁରୁତ୍ୱ ଦେଇଛନ୍ତି, ଯାହାର ସକାରାତ୍ମକ ଫଳାଫଳ ମିଳିଛି। ସେ ଉଲ୍ଲେଖ କରିଛନ୍ତି ଯେ ଅକ୍ଟୋବର ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡ ମାଟିରୁ ‘ଧର୍ତି ଆବା ଜନଜାତିଆ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅଭିଯାନ ୧୫,୦୦୦ରୁ ଅଧିକ ଗ୍ରାମରେ ଗ୍ରାମାଞ୍ଚଳରେ ସମ୍ପୂର୍ଣ୍ଣ ସଂପୃକ୍ତି ହାସଲ କରିବା ପାଇଁ ବ୍ୟକ୍ତିଗତ ସୁବିଧା ଯୋଗାଇବାରେ ଏକ ମାଇଲଖୁଣ୍ଟ ହେବ ଏବଂ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳର ପାଖାପାଖି ୧.୫ କୋଟି ଲୋକ ଉପକୃତ ହେବେ। ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ ଯେ ମୋଦୀ ସରକାର ୩-ସି ଅର୍ଥାତ୍ ସଡ଼କ ସଂଯୋଗ, ମୋବାଇଲ ସଂଯୋଗ ଏବଂ ଆର୍ଥିକ ସଂଯୋଗକୁ ସୁଦୃଢ଼ କରୁଛନ୍ତି।

ନକ୍ସଲବାଦ କେବଳ ଆଦିବାସୀ ଅଂଚଳର ବିକାଶରେ ସବୁଠାରୁ ବଡ ବାଧକ ନୁହେଁ ବରଂ ମାନବିକତାର ଶତ୍ରୁ ଏବଂ ମାନବିକ ଅଧିକାରର ସବୁଠାରୁ ବଡ ଉଲ୍ଲଂଘନକାରୀ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ୮ କୋଟି ଲୋକଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରିବା ମାନବିକ ଅଧିକାରର ବଡ଼ ଉଲ୍ଲଂଘନ ବୋଲି ସେ ଉଲ୍ଲେଖ କରିଛନ୍ତି। ଶ୍ରୀ ଶାହ ଦର୍ଶାଇଥିଲେ ଯେ ନକ୍ସଲଙ୍କ ଦ୍ୱାରା ଲଗାଯାଇଥିବା ଲ୍ୟାଣ୍ଡମାଇନ୍ ଦ୍ୱାରା ହଜାର ହଜାର ନିରୀହ ଆଦିବାସୀ ଭାଇ ଭଉଣୀ ପ୍ରାଣ ହରାଉଛନ୍ତି ଏବଂ ନକ୍ସଲବାଦ ଯୋଗୁଁ ଏହି ଅଞ୍ଚଳରେ ବିକାଶ ଅଟକି ରହିଛି।

ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ହେଲେ ଏହି ବିପଦକୁ ସବୁଦିନ ପାଇଁ ନିପାତ କରିବା ପାଇଁ ଚୂଡ଼ାନ୍ତ ପଦକ୍ଷେପ ନେବା ଜରୁରୀ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ସେ ସମସ୍ତ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମାସକୁ ଅତି କମରେ ଥରେ ବିକାଶ ଏବଂ ନକ୍ସଲ ବିରୋଧୀ ଅଭିଯାନର ଅଗ୍ରଗତି ସମୀକ୍ଷା କରିବାକୁ ଅନୁରୋଧ କରିବା ସହ ପ୍ରତି ୧୫ ଦିନରେ ଅତି କମରେ ଥରେ ଏଭଳି ସମୀକ୍ଷା କରିବାକୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିଥିଲେ।

ଅମିତ ଶାହ କହିଛନ୍ତି ଯେ ନକ୍ସଲବାଦର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଦିଗରେ ଆମକୁ କାମ କରିବାକୁ ପଡ଼ିବ। ୨୦୨୬ ଏପ୍ରିଲ ସୁଦ୍ଧା ଲୋକଙ୍କ ସାମୂହିକ ଶକ୍ତି ବଳରେ ଆମେ ଘୋଷଣା କରିପାରିବା ଯେ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରି ନକ୍ସଲବାଦର ବିପଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିଛନ୍ତି। ଏହା ହାସଲ ହେଲେ ବିକାଶରେ କୌଣସି ବାଧା ସୃଷ୍ଟି ହେବ ନାହିଁ, ମାନବିକ ଅଧିକାର ଉଲ୍ଲଂଘନ ହେବ ନାହିଁ ଏବଂ ଆଦର୍ଶ ନାଁରେ ହିଂସା ହେବ ନାହିଁ ବୋଲି ସେ କହିଛନ୍ତି।

ଅମିତ ଶାହ କେନ୍ଦ୍ର ଗୃହମନ୍ତ୍ରୀ ନୂଆଦିଲ୍ଲୀ ବାମପନ୍ଥୀ ଉଗ୍ରବାଦ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ

August 4, 2025

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ: ୮୧ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ଵାସ

August 4, 2025

BSNL ଉପଭୋକ୍ତାଙ୍କ ପାଇଁ ବଡ଼ ଝଟକା!: ଏହି ପ୍ଲାନର ହ୍ରାସ ପାଇଲା ବୈଧତା, ଜାଣନ୍ତୁ କ’ଣ ହେଲା ପରିବର୍ତ୍ତନ

August 4, 2025

ଏବେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଲେ ଟ୍ରମ୍ପଙ୍କ ବିଶସ୍ତ!: ଆଣିଲେ ସାଂଘାତିକ ଅଭିଯୋଗ

August 4, 2025
Latest News

ଲୋକସଭାରେ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ

August 4, 2025

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ: ୮୧ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ଵାସ

August 4, 2025

BSNL ଉପଭୋକ୍ତାଙ୍କ ପାଇଁ ବଡ଼ ଝଟକା!: ଏହି ପ୍ଲାନର ହ୍ରାସ ପାଇଲା ବୈଧତା, ଜାଣନ୍ତୁ କ’ଣ ହେଲା ପରିବର୍ତ୍ତନ

August 4, 2025

ଆଜି ଶ୍ରାବଣ ଶେଷ ସୋମବାର, ବିଭିନ୍ନ ଶୈବ୍ୟ ପିଠରେ କାଉଡିଆଙ୍କ ପ୍ରବଳ ଭିଡ

August 4, 2025

ଏବେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଲେ ଟ୍ରମ୍ପଙ୍କ ବିଶସ୍ତ!: ଆଣିଲେ ସାଂଘାତିକ ଅଭିଯୋଗ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.