
ମୁମ୍ବାଇ: ଦେଶର ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟା ବୁଧବାର ରାତିରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ ଦେହାନ୍ତ କରିଛନ୍ତି। ତାଙ୍କୁ ଚେକଅପ୍ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ପାଇବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଶିଳ୍ପପତି ମୁକେଶ ଅମ୍ବାନୀ ବିଳମ୍ବିତ ରାତିରେ ଡାକ୍ତରଖାନାରେ ପହଞ୍ଚିଥିଲେ।
ରତନ ଟାଟାଙ୍କ ପାର୍ଥିବ ଶରୀରକୁ କୋଲାବାସ୍ଥିତ ତାଙ୍କ ଘରକୁ ନିଆଯାଇଥିଲା। ଏହା ପରେ ସକାଳ ୯.୪୫ ରେ ତାଙ୍କ ପାର୍ଥିବ ଶରୀର କୋଲାବା ଠାରୁ ନରିମନ ପଏଣ୍ଟରେ NCPA କୁ ନିଆଯିବ। ରତନ ଟାଟାଙ୍କ ପାର୍ଥିବ ଶରୀର ଏଠାରେ ଶେଷ ଦର୍ଶନ ପାଇଁ ସକାଳ ୧୦ ଟାରୁ ୪ ଟା ପର୍ଯ୍ୟନ୍ତ ରଖାଯିବ। ଏହା ପରେ ୱର୍ଲିରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଆଜି ମହାରାଷ୍ଟ୍ରର ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ ହୋଇଛି।
ମୁଖ୍ୟମନ୍ତ୍ରୀ କ’ଣ କହିଲେ?:
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, “ଭାରତର ରତ୍ନ ରତନ ଟାଟା ଆଉ ନାହାଁନ୍ତି, ଏହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଖବର। ବହୁ ସଂଖ୍ୟାରେ ଲୋକ ତାଙ୍କ ଦ୍ଵାରାରା ଅନୁପ୍ରାଣିତ ହୋଇଥିଲେ ଏବଂ ଉତ୍ସାହିତ ହୋଇଥିଲେ। ସେ ମହାରାଷ୍ଟ୍ରର ଗର୍ବ। ସେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିଲେ। ରତନ ଟାଟା ଆମ ଦେଶର କୋହିନୂର ଥିଲେ। ସେ ଦେଶ ପାଇଁ ବଡ ଯୋଗଦାନ ଦେଇଥିଲେ। ସେ ଜଣେ ଦେଶ ଭକ୍ତ ଏବଂ ଦେଶ ପ୍ରେମୀ ଥିଲେ।