Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ଦିବସ, ଯୋଗ ଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସହ କେନ୍ଦ୍ରମନ୍ତ୍ରୀ
ଜାତୀୟ ଖବର

ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ଦିବସ, ଯୋଗ ଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସହ କେନ୍ଦ୍ରମନ୍ତ୍ରୀ

October 19, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ଦିବସ, ଯୋଗ ଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସହ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଆଗାମୀ ୨୦୨୫ ମସିହା ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଓଡ଼ିଶାରେ ଅନୁଷ୍ଠିତ ହେବ ୧୮ ତମ ପ୍ରବାସୀ ଭାରତୀୟ ଦିବସ। ଏହି ସମାରୋହ ଆୟୋଜନ ପାଇଁ ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

ଏହି ସମାରୋହର ପ୍ରସ୍ତୁତି ସଂପର୍କରେ ଗତ ଗୁରୁବାର ଅପରାହ୍ଣରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସମୀକ୍ଷା କରିଛନ୍ତି।ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ପ୍ରବାସୀ ଭାରତୀୟ ଦିବସ ପାଳନ ଆୟୋଜନ,ଭାରତ ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ। ଭାରତର ବିକାଶରେ ପ୍ରବାସୀ ଭାରତୀୟମାନଙ୍କର ଅବଦାନକୁ ସ୍ୱୀକୃତି ଦେବା ଏହାର ଉଦ୍ଦେଶ୍ୟ। ୧୯୧୫ ମସିହା ଜାନୁଆରୀ ୯ ତାରିଖରେ  ଜାତିର ଜନକ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥିବା ସ୍ମୃତିରେ ପ୍ରବାସୀ ଭାରତୀୟ ଦିବସ ପ୍ରତି ବର୍ଷ ପାଳନ କରାଯାଇଥାଏ।

୨୦୦୩ରୁ ଏହା ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସିଥିବା ବେଳେ ୨୦୧୫ ପରଠାରୁ ଏହା ପ୍ରତି ୨ ବର୍ଷରେ ଥରେ ଅନୁଷ୍ଠିତ ହେଉଛି ଏବଂ ଅଦ୍ୟାବଧି ୧୭ ଥର ଏହା ବିଭିନ୍ନ ସ୍ଥାନରେ  ଅନୁଷ୍ଠିତ ହୋଇସାରିଛି। ୨୦୨୩ ରେ ଏହା ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଅନୁଷ୍ଠିତ ହୋଇଥିବା ବେଳେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି।

ଭାରତ ପ୍ରତି ପ୍ରବାସୀ ଭାରତୀୟଙ୍କ ଚିନ୍ତାଧାରା, ସେମାନଙ୍କର ଭାବନାକୁ ଦେଶବାସୀଙ୍କ ନିକଟରେ ପ୍ରକାଶ କରିବା ସହିତ ସକରାତ୍ମକ କଥାବାର୍ତ୍ତା ପାଇଁ ଏକ ମଞ୍ଚ ଯୋଗାଇବା, ନିଜ ନିଜ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଥିବା ପ୍ରବାସୀ ଭାରତୀୟମାନଙ୍କୁ ସମ୍ମାନିତ କରିବା, ସେମାନଙ୍କଠାରୁ ଦେଶବାସୀଙ୍କ ଆଶା ବିଷୟରେ ଜଣାଇବା, ଭାରତର ଯୁବପିଢୀକୁ ପ୍ରବାସୀ ଭାରତୀୟମାନଙ୍କ ସହିତ ସଂଯୋଗ କରିବା ଆଦି ପ୍ରସଙ୍ଗରେ ଏହି ସମ୍ମିଳନୀ ଗୁରୁତ୍ୱ ବହନ କରେ।

ଏହି ବୃହତ୍ କାର୍ଯ୍ୟକ୍ରମ ଆୟୋଜନ ହେବା ନେଇ ଆବଶ୍ୟକ ସମନ୍ଵୟ ଏବଂ ପ୍ରାରମ୍ଭିକ ପ୍ରସ୍ତୁତି ନିମନ୍ତେ ଆଲୋଚନା ପାଇଁ ଭାରତ ସରକାରଙ୍କ  ବିଦେଶ ମନ୍ତ୍ରାଳୟର ୫ ଜଣିଆ ଅଧିକାରୀ ପ୍ରତିନିଧି ଦଳ ଗତ ସେପ୍ଟେମ୍ବର ୨୫ ରୁ ୨୭ ତାରିଖ ଓଡ଼ିଶା ଆସି ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ସଂପୃକ୍ତ ବିଭାଗର ସଚିବମାନଙ୍କ ସହ ଆଲୋଚନା କରିବା ସହିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ କ୍ଷେତ୍ର ପରିଦର୍ଶନ କରିଥିଲେ।

ଏହି କାର୍ଯ୍ୟକ୍ରମ ଉଭୟ ଭାରତ ସରକାର ଓ ଓଡ଼ିଶା ରାଜ୍ୟ ସରକାରଙ୍କ ସହଯୋଗରେ ଅନୁଷ୍ଠିତ ହେବ। ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଏକ ବୃହତ୍ ସମ୍ମିଳନୀ ହେବ, ଯେଉଁଥ‌ିରେ ପାଖାପାଖ୍ ୫୦୦୦ ଅଂଶଗ୍ରହଣକାରୀ ଭାଗନେବେ। କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ରାଷ୍ଟ୍ରପତି,  ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀ, ସମେତ ଦେଶ ବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରବାସୀ ଭାରତୀୟ ଯୋଗଦାନର କରିବାର କାର୍ଯ୍ୟକ୍ରମ ରହିଛି।

ଏହି ସମ୍ମିଳନୀର ପ୍ରଥମ ଦିବସରେ ‘ଯୁବ ପ୍ରବାସୀ ଭାରତୀୟ ଦିବସ’, ୨ୟ ଦିବସରେ ୧୮ତମ ପ୍ରବାସୀ ଭାରତୀୟ ଦିବସର ମୁଖ୍ୟ  ସମାରୋହ ଓ ୩ୟ ଦିନରେ  ଉଦ୍ ଯାପନୀ ସମାରୋହ ଅନୁଷ୍ଠିତ ହେବ। ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ଯୋଗଦେଇ ପ୍ରବାସୀ ଭାରତୀୟ ତୀର୍ଥ ଏକ୍ସପ୍ରେସ୍ ର  ଡିଜିଟାଲ ଫ୍ଲାଗଅପ କରିବା କାର୍ଯ୍ୟକ୍ରମ ରହିଛି।

ସମସ୍ତ ଦିବସରେ ପୂର୍ଣ୍ଣ ଅଧିବେଶନ(ପ୍ଲିନାରି ସେସନ) ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ ଏବଂ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରବାସୀ  ଭାରତୀୟ, ଅତିଥି ଓ ଅନ୍ୟ ଅଧିକାରୀମାନଙ୍କୁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ, ଐତିହ୍ୟ ସ୍ଥଳ, ଦର୍ଶନୀୟ ସ୍ଥାନ ଓ ସଂଗ୍ରହାଳୟ ଆଦି ପରିଦର୍ଶନ ପାଇଁ ପ୍ରସ୍ତାବ ଦିଆଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ବୈଠକରେ ପ୍ରକାଶ କରିଥିଲେ।

ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟର ପରାମର୍ଶ ଅନୁସାରେ ଏହି ସମାରୋହକୁ ସୁଚାରୁ ରୂପେ ଅନୁଷ୍ଠିତ କରିବା ପାଇଁ ଏକ ପରିଚାଳନା କମିଟି (ଷ୍ଟିଅରିଂ କମିଟି)ଏବଂ ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଛି। ପରିଚାଳନା କମିଟିରେ ଭାରତ ସରକାରଙ୍କ ବାଣିଜ୍ୟିକ, ପାସପୋଟ ଏବଂ ଭିସା ଡିଭିଜନ ତଥା ଆନ୍ତର୍ଜାତିକ ବ୍ୟାପାର ସଚିବ ଅଧ୍ୟକ୍ଷ ଥାଇ ସଂପୃକ୍ତ ବିଭିନ୍ନ ମନ୍ତ୍ରାଳୟର ୭ ଜଣ ସଚିବଙ୍କ  ସମେତ ଓଡ଼ିଶାରୁ ମୁଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଦସ୍ୟ ରହିଛନ୍ତି।

କାର୍ଯ୍ୟନିର୍ବାହୀ କମିଟିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ ବିଭାଗ), ଓଡ଼ିଶା ଅଧ୍ୟକ୍ଷ ଥିବା ବେଳେ ଓଡ଼ିଶାରୁ ସଂପୃକ୍ତ  ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଏବଂ ବିଭିନ୍ନ କାର୍ଯ୍ୟ ପାଇଁ  ଏବଂ ଉପ କମିଟିମାନ ଗଠନ କରାଯାଇଛି। ସମସ୍ତ କମିଟିରେ ଓଡିଶା ସମେତ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିଛନ୍ତି।

ବିଭିନ୍ନ ଉପ କମିଟି ମଧ୍ୟରେ ପ୍ରବାସୀ ଭାରତୀୟ ଏବଂ ଅତିଥିମାନଙ୍କ ରହଣି, କାର୍ଯ୍ୟକ୍ରମ  ସ୍ଥଳର ପ୍ରସ୍ତୁତି ଓ ପରିଚାଳନା, ସହର ପରିଚ୍ଛନ୍ନତା ଓ ସୌନ୍ଦର୍ଯ୍ୟକରଣ,ପରିବହନ,ସାଂସ୍କୃତିକ କାର୍ଯ୍ୟକ୍ରମ, ଟ୍ରାଫିକ୍‌ ନିୟନ୍ତ୍ରଣ ଓ ନିରାପତ୍ତା, ଜରୁରୀକାଳୀନ ସହାୟତା କମିଟି, ଗଣମାଧ୍ୟମ ଓ ଲୋକସଂପର୍କ, ପ୍ରଦର୍ଶନୀ, ବିଭିନ୍ନ ଦେଶର ଷ୍ଟଲ, ଅର୍ଭ୍ୟର୍ଥନା, ଅର୍ଥ,ଇ-ଗଭର୍ଣ୍ଣାନ୍‌ ଓ ଆଇଟି,     ଖାଦ୍ୟ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଅତିଥିମାନଙ୍କ ଯାତାୟତ ପାଇଁ ସମନ୍ୱୟ ନିମନ୍ତେ ସଂପର୍କ ଅଧିକାରୀ କମିଟି ଆଦି ଉପ କମିଟିମାନ ଗଠନ କରାଯାଇଛି।

ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଥିବା ହେବା ଆମ ପାଇଁ ଗୌରବ ଓ ସମ୍ମାନର ବିଷୟ ହେବ। ସଂପୃକ୍ତ ସମସ୍ତ ବିଭାଗର ସମ୍ମିଳିତ ଉଦ୍ୟମରେ ଯେପରି ଏହି ଦିବସ ସଫଳତାର ସହ ଆୟୋଜନ ହେବ, ସେଥିପାଇଁ ମୁଖ୍ୟ ଶାସନ ସଚିବ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

ପ୍ରବାସୀ ଭାରତୀୟ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026
Latest News

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.