Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶାର ବିକାଶ ପାଇଁ ଆମେ ସବୁ କ୍ଷେତ୍ରରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ: ପ୍ରଧାନମନ୍ତ୍ରୀ ମୋଦୀ
ଜାତୀୟ ଖବର

ଓଡ଼ିଶାର ବିକାଶ ପାଇଁ ଆମେ ସବୁ କ୍ଷେତ୍ରରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ: ପ୍ରଧାନମନ୍ତ୍ରୀ ମୋଦୀ

November 25, 2024No Comments9 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ‘ଓଡ଼ିଶା ପର୍ବ ୨୦୨୪’ ସମାରୋହରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଓଡ଼ିଶାର ସମସ୍ତ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନ କରାଯିବା ସମ୍ପର୍କରେ ଉଲ୍ଲେଖ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ  ପ୍ରଧାନମନ୍ତ୍ରୀ ଭକ୍ତ ଦାସିଆ ବାଉରି, ଭକ୍ତ ସାଲବେଗ ଏବଂ ଓଡ଼ିଆ ଭାଗବତର ଲେଖକ ଶ୍ରୀଜଗନ୍ନାଥ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଓଡ଼ିଶା ସର୍ବଦା ସନ୍ଥ ଓ ପଣ୍ଡିତଙ୍କ ବାସସ୍ଥଳୀ ହୋଇ ରହିଆସିଛି ବୋଲି ଶ୍ରୀ ମୋଦୀ କହିଥିଲେ। ଶାରଳା ମହାଭାରତ, ଓଡ଼ିଆ ଭାଗବତ ଭଳି ମହାନ ସାହିତ୍ୟକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାରେ ସାଧୁ ସନ୍ଥ ଓ ପଣ୍ଡିତମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ସେ କହିଥିଲେ। ଓଡ଼ିଆ ଭାଷାରେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ବ୍ୟାପକ ସାହିତ୍ୟ କୃତି ରହିଛି ବୋଲି ସେ କହିଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ଏକ ଗାଥାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକଦା ମହାପ୍ରଭୁ ଜଗନ୍ନାଥ ଯୁଦ୍ଧର ନେତୃତ୍ୱ ନେଇଥିଲେ ଏବଂ ଯୁଦ୍ଧ କ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ ମାଣିକ ଗଉଡ଼ୁଣୀ ନାମ୍ନୀ ଜଣେ ଭକ୍ତଙ୍କ ହାତରୁ ଦହି ଖାଇଥିଲେ। ଏହା ମହାପ୍ରଭୁଙ୍କ ସରଳତାକୁ ପ୍ରଦର୍ଶିତ କରୁଛି ବୋଲି କହି ପ୍ରଧାନମନ୍ତ୍ରୀ ପ୍ରଭୁଙ୍କ ମହିମାକୁ ପ୍ରଶଂସା କରିଥିଲେ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ ଉପରୋକ୍ତ କାହାଣୀରୁ ଅନେକ ଶିକ୍ଷା ମିଳିଥାଏ। ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ହେଉଛି ଯଦି ଆମେ ଭଲ ଉଦ୍ଦେଶ୍ୟରେ କାମ କରୁ ତେବେ ଭଗବାନ ନିଜେ ସେହି କାମର ନେତୃତ୍ୱ ନିଅନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ଭଗବାନ ସର୍ବଦା ଆମ ସହିତ ଅଛନ୍ତି ଏବଂ ଆମେ କୌଣସି ବିପଜ୍ଜନକ ପରିସ୍ଥିତିରେ ଏକାକୀ ଅଛୁ ବୋଲି ଆମେ କେବେ ଅନୁଭବ କରିବା ଉଚିତ୍‌ ନୁହେଁ।

‘‘ଯେତେ କଷ୍ଟ ସହିବାକୁ ହେଲେ ବି ଜଗତକୁ ଉଦ୍ଧାର କରିବାକୁ ହେବ’’ ବୋଲି  ଓଡ଼ିଆ କବି ଭୀମ ଭୋଇଙ୍କ ପଦ୍ୟକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ହିଁ ଓଡ଼ିଶାର ସଂସ୍କୃତି। ଶ୍ରୀ ମୋଦୀ କହିଥିଲେ ଯେ, ପୁରୀ ଧାମ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାକୁ ଦୃଢ଼ କରିଛି। ଓଡ଼ିଶାର ବୀର ସନ୍ତାନମାନେ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇ ଦେଶକୁ ଦିଗଦର୍ଶନ ଦେଇଥିଲେ। ପାଇକ ବିଦ୍ରୋହର ସହିଦଙ୍କ ଋଣ ଆମେ କେବେ ବି ପରିଶୋଧ କରିପାରିବା ନାହିଁ ବୋଲି ସେ କହିଥିଲେ। ପାଇକ ବିଦ୍ରୋହ ଉପରେ ସ୍ମାରକୀ ଡାକଟିକଟ ଓ ମୁଦ୍ରା ଜାରି କରିବାର ସୁଯୋଗ ମିଳିବା ତାଙ୍କ ସରକାରଙ୍କ ସୌଭାଗ୍ୟ ବୋଲି ଶ୍ରୀ ମୋଦୀ କହିଥିଲେ।

ବର୍ତ୍ତମାନ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଅବଦାନକୁ ସମଗ୍ର ଦେଶ ସ୍ମରଣ କରୁଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ସେ କହିଥିଲେ, ସରକାର ତାଙ୍କର ୧୨୫ତମ ଜୟନ୍ତୀକୁ ବ୍ୟାପକ ଭାବେ ପାଳନ କରୁଛନ୍ତି। ଓଡ଼ିଶା ଅତୀତରୁ ଆଜି ପର୍ଯ୍ୟନ୍ତ ଦେଶକୁ ଯେଉଁ ଦକ୍ଷ ନେତୃତ୍ୱ ଦେଇଛି ସେଥିପ୍ରତି ମଧ୍ୟ ପ୍ରଧାନମନ୍ତ୍ରୀ ରେଖାପାତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଆଦିବାସୀ ସମ୍ପ୍ରଦାୟର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହୋଇପାରିଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ତାଙ୍କ ପ୍ରେରଣାରେ ଆଜି ଭାରତରେ ଆଦିବାସୀ କଲ୍ୟାଣ ପାଇଁ ହଜାର ହଜାର କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ ହୋଇଛି ଏବଂ ଏହି ଯୋଜନାଗୁଡ଼ିକ  କେବଳ ଓଡ଼ିଶାର ନୁହେଁ, ବରଂ ସମଗ୍ର ଭାରତର ଆଦିବାସୀ ସମାଜକୁ ଉପକୃତ କରୁଛି।

ଓଡ଼ିଶା ନାରୀ ଶକ୍ତିର ଭୂମି ଏବଂ ମାତା ସୁଭଦ୍ରାଙ୍କ ରୂପରେ ଏହାର ଶକ୍ତି ବିରାଜମାନ କରିଛି ବୋଲି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ମହିଳାମାନେ ପ୍ରଗତି କଲେ ହିଁ ଓଡ଼ିଶାର ପ୍ରଗତି ହେବ। କିଛିଦିନ ତଳେ ତାଙ୍କୁ ଓଡ଼ିଶାର ମା’ ଭଉଣୀମାନଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର ସୁଯୋଗ ମିଳିଥିଲା, ଯାହା ଓଡ଼ିଶାର ମହିଳାମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଥିଲେ।

ଭାରତର ସାମୁଦ୍ରିକ ଶକ୍ତିକୁ ଏକ ନୂତନ ଦିଗ ଦେବାରେ ଓଡ଼ିଶାର ଅବଦାନ ଉପରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସେ କହିଥିଲେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଶାର କଟକସ୍ଥିତ ମହାନଦୀ କୂଳରେ ଭବ୍ୟ ଢଙ୍ଗରେ ଆୟୋଜିତ ହୋଇଥିବା ବାଲିଯାତ୍ରା ଗତକାଲି ଶେଷ ହୋଇଛି। ବାଲିଯାତ୍ରା ଭାରତର ସାମୁଦ୍ରିକ ଶକ୍ତିର ପ୍ରତୀକ। ଅତୀତର ନାବିକମାନଙ୍କ ସାହସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଭଳି ଆଧୁନିକ ଜ୍ଞାନକୌଶଳର ଅଭାବ ସତ୍ତ୍ୱେ ସେମାନେ ସମୁଦ୍ରରେ ଯାତାୟାତ ଏବଂ ପାର ହେବା ପାଇଁ ଯଥେଷ୍ଟ ସାହସୀ ଥିଲେ। ଇଣ୍ଡୋନେସିଆର ବାଲି, ସୁମାତ୍ରା, ଜାଭା ଭଳି ସ୍ଥାନକୁ ବ୍ୟବସାୟୀମାନେ ଜାହାଜରେ ଯାତ୍ରା କରୁଥିଲେ, ଯାହା ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ସହ ବିଭିନ୍ନ ସ୍ଥାନରେ ସଂସ୍କୃତିର ପ୍ରଚାରପ୍ରସାର କରିବାରେ ସହାୟକ ହୋଇଥିଲା। ବିକଶିତ ଭାରତର ସଂକଳ୍ପ ହାସଲରେ ଆଜି ଓଡ଼ିଶାର ସାମୁଦ୍ରିକ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ।

ଓଡ଼ିଶାକୁ ନୂଆ ଉଚ୍ଚତାରେ ପହଞ୍ଚାଇବା ପାଇଁ ଦୀର୍ଘ ୧୦ ବର୍ଷ ଧରି ନିରନ୍ତର ପ୍ରୟାସ ପରେ ଆଜି ଓଡ଼ିଶାପାଇଁ ଏକ ନୂଆ ଭବିଷ୍ୟତର ଆଶା ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଓଡ଼ିଶାବାସୀଙ୍କ ଅଭୂତପୂର୍ବ ଆଶୀର୍ବାଦ ପାଇଁ ଧନ୍ୟବାଦ ଜଣାଇ ଶ୍ରୀ ମୋଦୀ କହିଥିଲେ ଯେ ଏହା ରାଜ୍ୟର ଆଶାକୁ ନୂଆ ସାହସ ଦେଇଛି। ସରକାର ବଡ଼ ସ୍ୱପ୍ନ ଦେଖିଥିଲେ ଏବଂ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ଯାହା ଆଜି ସାକାର ହେବାକୁ ଯାଉଛି ବୋଲି ସେ କହିଥିଲେ। ୨୦୩୬ ମସିହାରେ ଓଡ଼ିଶାକୁ ଭାଷାଭିତ୍ତିକ ରାଜ୍ୟ ମାନ୍ୟତାର ଶତବାର୍ଷିକୀ ପାଳନ କରାଯିବ ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ଓଡ଼ିଶାକୁ ଦେଶର ଅନ୍ୟତମ ଶକ୍ତିଶାଳୀ, ସମୃଦ୍ଧ ଓ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରୟାସ ରହିଛି।

ଶ୍ରୀ ମୋଦୀ କହିଥିଲେ, ଏକ ସମୟ ଥିଲା ଯେତେବେଳେ ଓଡ଼ିଶା ଭଳି ରାଜ୍ୟ ସମେତ ଭାରତର ପୂର୍ବ ଭାଗକୁ ପଛୁଆ ବୋଲି ବିବେଚନା କରାଯାଉଥିଲା। ସେ ଭାରତର ପୂର୍ବ ଭାଗକୁ ଦେଶର ବିକାଶର ଅଭିବୃଦ୍ଧି ଇଞ୍ଜିନ୍ ଭାବେ ବିବେଚନା କରିଥିଲେ। ତେଣୁ କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶକୁ ପ୍ରାଥମିକତା ଦେଇଛନ୍ତି ଏବଂ ଆଜି ସମଗ୍ର ପୂର୍ବ ଭାରତରେ ଯୋଗାଯୋଗ, ସ୍ୱାସ୍ଥ୍ୟ, ଶିକ୍ଷା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ବୋଲି ସେ କହିଥିଲେ। ୧୦ ବର୍ଷ ପୂର୍ବେ କେନ୍ଦ୍ର ସରକାର ଯେତିକି ବଜେଟ୍ ଦେଉଥିଲେ, ଆଜି ଓଡ଼ିଶାକୁ ୩ ଗୁଣ ଅଧିକ ବଜେଟ୍ ମିଳୁଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଗତବର୍ଷ ତୁଳନାରେ ଚଳିତ ବର୍ଷ ଓଡ଼ିଶାର ବିକାଶ ପାଇଁ ୩୦ ପ୍ରତିଶତ ଅଧିକ ବଜେଟ୍ ଦିଆଯାଇଛି। ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସରକାର ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

‘‘ବନ୍ଦର ଭିତ୍ତିକ ଶିଳ୍ପ ବିକାଶ ପାଇଁ ଓଡ଼ିଶାରେ ପ୍ରଚୁର ସମ୍ଭାବନା ରହିଛି’’, ପ୍ରଧାନମନ୍ତ୍ରୀ କହିଥିଲେ। ଧାମରା, ଗୋପାଳପୁର, ଅସ୍ତରଙ୍ଗ, ପାଲୁର ଓ ସୁବର୍ଣ୍ଣରେଖାଠାରେ ବନ୍ଦରର ବିକାଶ କରି ବାଣିଜ୍ୟକୁ ପ୍ରୋତ୍ସାହିତ କରାଯିବ ବୋଲି ସେ କହିଥିଲେ। ଓଡ଼ିଶାକୁ ଭାରତର ଖଣି ଓ ଧାତବ ଶକ୍ତି କେନ୍ଦ୍ର ବୋଲି ଅଭିହିତ ଦେଇ ଶ୍ରୀ ମୋଦୀ କହିଥିଲେ ଯେ ଏହା ଇସ୍ପାତ, ଆଲୁମିନିୟମ୍ ଏବଂ ଶକ୍ତି କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିଛି। ଏହି ସବୁ କ୍ଷେତ୍ର ଉପରେ ଧ୍ୟାନ ଦେଲେ ଓଡ଼ିଶାରେ ସମୃଦ୍ଧିର ନୂଆ ବାଟ ଖୋଲାଯାଇପାରିବ ବୋଲି ସେ କହିଛନ୍ତି।

ଓଡ଼ିଶାରେ କାଜୁ, ଝୋଟ, କପା, ହଳଦୀ ଓ ତୈଳବୀଜ ଉତ୍ପାଦନ ପ୍ରଚୁର ପରିମାଣରେ ହେଉଥିବା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ଉତ୍ପାଦଗୁଡ଼ିକ ଯେପରି ବଡ଼ ବଜାରରେ  ପହଞ୍ଚିପାରିବ ଏବଂ ଏହା ଦ୍ୱାରା କୃଷକମାନେ ଲାଭବାନ ହେବେ ସେଥିପାଇଁ ସରକାରଙ୍କ ପ୍ରୟାସ ରହିଛି। ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ମଧ୍ୟ ବ୍ୟାପକ ସମ୍ପ୍ରସାରଣ ର ସୁଯୋଗ ରହିଛି ଏବଂ ବିଶ୍ୱ ବଜାରରେ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଏକ ବ୍ରାଣ୍ଡ୍ ରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିଛି ବୋଲି ସେ କହିଥିଲେ।

ଓଡ଼ିଶାକୁ ନିବେଶକଙ୍କ ପସନ୍ଦର ସ୍ଥାନରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ ବ୍ୟବସାୟକୁ ସୁଗମ କରିବା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଉତ୍କର୍ଷ ଉତ୍କଳ ମାଧ୍ୟମରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରାଯାଉଛି। ଓଡ଼ିଶାରେ ନୂଆ ସରକାର ଗଠନ ହେବା ମାତ୍ରେ ପ୍ରଥମ ୧୦୦ ଦିନ ମଧ୍ୟରେ ୪୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶକୁ ମଞ୍ଜୁରୀ ମିଳିଛି ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଆଜି ଓଡ଼ିଶାର ନିଜସ୍ୱ ଦୂରଦୃଷ୍ଟି ଏବଂ ଏକ ରୋଡମ୍ୟାପ୍ ରହିଛି, ଯାହା ନିବେଶକୁ ପ୍ରୋତ୍ସାହିତ କରିବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ପ୍ରୟାସ ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଓଡ଼ିଶାର ସାମର୍ଥ୍ୟକୁ ସଠିକ ଦିଗରେ ଉପଯୋଗ କରି ଏହାକୁ ବିକାଶର ନୂତନ ଉଚ୍ଚତାରେ ପହଞ୍ଚାଇ ହେବ ବୋଲି ଶ୍ରୀ ମୋଦୀ କହିଥିଲେ। ଓଡ଼ିଶା ଏହାର ରଣନୀତିକ ଅବସ୍ଥିତିରୁ ଉପକୃତ ହୋଇପାରିବ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଘରୋଇ ଓ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ ଓଡ଼ିଶାରୁ ଖୁବ୍‌ ସହଜ। ‘‘ଓଡ଼ିଶା ପୂର୍ବ ଓ ଦକ୍ଷିଣ-ପୂର୍ବ ଏସିଆ ପାଇଁ ବାଣିଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର’’ ବୋଲି ଅଭିହିତ କରି ଶ୍ରୀ ମୋଦୀ କହିଥିଲେ, ଆଗାମୀ ଦିନରେ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ଓଡ଼ିଶାର ଗୁରୁତ୍ୱ ଆହୁରି ବୃଦ୍ଧି ପାଇବ। ରାଜ୍ୟରୁ ରପ୍ତାନି ବୃଦ୍ଧି ଲକ୍ଷ୍ୟ ଉପରେ ମଧ୍ୟ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ।

ଓଡ଼ିଶାରେ ସହରୀକରଣକୁ ପ୍ରୋତ୍ସାହିତ କରିବାର ପ୍ରଚୁର ସମ୍ଭାବନା ରହିଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଏ ଦିଗରେ ଠୋସ୍ ପଦକ୍ଷେପ ନେଉଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ବହୁ ସଂଖ୍ୟକ ଗତିଶୀଳ ଏବଂ ଭଲ ଭାବରେ ସଂଯୁକ୍ତ ସହର ନିର୍ମାଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ବିଶେଷ କରି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ନୂଆ ଭିତ୍ତିଭୂମି ର ବିକାଶ ଦ୍ବାରା ନୂତନ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ।

ଉଚ୍ଚଶିକ୍ଷା କ୍ଷେତ୍ର ଉପରେ ଦୃଷ୍ଟିପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଓଡ଼ିଶା ସମଗ୍ର ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂତନ ଆଶା। ରାଜ୍ୟରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନ ରହିଛି, ଯାହା ରାଜ୍ୟକୁ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ହେବା ପାଇଁ ପ୍ରେରଣା ଦେଇଛି। ଏହି ପ୍ରୟାସ ରାଜ୍ୟରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରୁଛି ବୋଲି ସେ କହିଛନ୍ତି।

ସାଂସ୍କୃତିକ ସମୃଦ୍ଧି ହେତୁ ଓଡ଼ିଶା ସବୁବେଳେ ସ୍ୱତନ୍ତ୍ର ରହିଆସିଛି ବୋଲି ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଓଡ଼ିଶାର କଳା ସମସ୍ତଙ୍କୁ ଆକର୍ଷିତ କରିଥାଏ, ତାହା ଓଡ଼ିଶୀ ନୃତ୍ୟ ହେଉ କି ଓଡ଼ିଶାର ଚିତ୍ରକଳା ହେଉ କିମ୍ବା ପଟ୍ଟଚିତ୍ରରେ ଦେଖାଯାଉଥିବା ଜୀବନ୍ତ ସ୍ୱରୂପ ହେଉ କିମ୍ବା ଆଦିବାସୀ କଳାର ପ୍ରତୀକ ସଉରା ଚିତ୍ରକଳା। ଓଡ଼ିଶାର ସମ୍ବଲପୁରୀ, ବୋମକାଇ ଓ କୋଟପାଡ଼ ବୁଣାକାରଙ୍କ କାରିଗରୀ ଅତ୍ୟନ୍ତ ଚମତ୍କାର। କଳା ଓ କାରିଗରୀକୁ ଆମେ ଯେତେ ଅଧିକ ବିସ୍ତାର ଓ ସଂରକ୍ଷଣ କରିବୁ, ଓଡ଼ିଆ ଲୋକଙ୍କ ପ୍ରତି ସମ୍ମାନ ସେତେ ଅଧିକ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଓଡ଼ିଶାର ସ୍ଥାପତ୍ୟ ଓ ବିଜ୍ଞାନର ସମୃଦ୍ଧ ଐତିହ୍ୟକୁ ସ୍ପର୍ଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଣାର୍କର ସୂର୍ଯ୍ୟ ମନ୍ଦିର, ଲିଙ୍ଗରାଜ ଓ ମୁକ୍ତେଶ୍ୱର ଭଳି ପ୍ରାଚୀନ ମନ୍ଦିରର ବିଜ୍ଞାନ, ସ୍ଥାପତ୍ୟ ଓ ବିଶାଳତା ସମସ୍ତଙ୍କୁ ସେମାନଙ୍କ ଉତ୍କୃଷ୍ଟତା ଓ କାରିଗରୀ ଦ୍ୱାରା ଆଶ୍ଚର୍ଯ୍ୟ କରିଛି।

ପର୍ଯ୍ୟଟନ ଦୃଷ୍ଟିରୁ ଓଡ଼ିଶା ଏକ ବିପୁଳ ସମ୍ଭାବନାର ପ୍ରଦେଶ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ସମ୍ଭାବନାଗୁଡ଼ିକୁ ଉଜାଗର କରିବା ପାଇଁ ଏକାଧିକ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଆଜି ରାଜ୍ୟ ସହିତ ଦେଶରେ ମଧ୍ୟ ଓଡ଼ିଶାର ଐତିହ୍ୟ ଓ ଏହାର ପରିଚୟକୁ ସମ୍ମାନ ଦେଉଥିବା ସରକାର ରହିଛି। ଗତବର୍ଷ ଓଡ଼ିଶାରେ ଜି-୨୦ର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ଦର୍ଶାଇ ଶ୍ରୀ ମୋଦୀ କହିଥିଲେ ଯେ ସରକାର ସୂର୍ଯ୍ୟ ମନ୍ଦିରର ଭବ୍ୟ ଦୃଶ୍ୟକୁ ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଓ କୂଟନୀତିଜ୍ଞଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ସେହିପରି ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ସହିତ ମହାପ୍ରଭୁ ଜଗନ୍ନାଥ ମନ୍ଦିର ପରିସରର ଚାରିଟି ଯାକ ଦ୍ୱାର ଖୋଲାଯାଇଥିବାରୁ ସେ ଆନନ୍ଦିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଓଡ଼ିଶାର ପ୍ରତ୍ୟେକ ପରିଚୟ ବିଷୟରେ ବିଶ୍ୱକୁ ଜଣାଇବା ପାଇଁ ଅଧିକ ଅଭିନବ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ବାଲିଯାତ୍ରାକୁ ଅଧିକ ଲୋକପ୍ରିୟ କରିବା ଏବଂ ଅନ୍ତର୍ଜାତୀୟ ମଞ୍ଚରେ ଏହାର ପ୍ରଚାର ପ୍ରସାର ପାଇଁ ବାଲିଯାତ୍ରା ଦିବସ ଘୋଷଣା କରାଯାଇ ପାଳନ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ଏକ ପ୍ରସ୍ତାବ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶୀ ନୃତ୍ୟ ଭଳି କଳା ପାଇଁ ଓଡ଼ିଶୀ ଦିବସ ପାଳନ କରିବା ସହିତ ବିଭିନ୍ନ ଆଦିବାସୀ ଐତିହ୍ୟକୁ ପାଳନ କରିବାର ଦିଗରେ ମଧ୍ୟ ଅନୁସନ୍ଧାନ କରାଯାଇପାରିବ। ସ୍କୁଲ ଓ କଲେଜରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ, ଯାହା ପର୍ଯ୍ୟଟନ ଏବଂ କ୍ଷୁଦ୍ର ଶିଳ୍ପ ସହ ଜଡ଼ିତ ସୁଯୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ବୋଲି ଶ୍ରୀ ମୋଦୀ କହିଥିଲେ। ଆଗାମୀ ଦିନରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଭୁବନେଶ୍ୱରରେ ହେବାକୁ ଯାଉଛି ଏବଂ ଏହା ଓଡ଼ିଶା ପାଇଁ ଏକ ବଡ଼ ସୁଯୋଗ ବୋଲି ସେ କହିଥିଲେ।

ଶ୍ରୀ ମୋଦୀ କହିଥିଲେ, ସାରା ବିଶ୍ୱରେ ଲୋକମାନେ ନିଜ ମାତୃଭାଷା ଓ ସଂସ୍କୃତିକୁ ଭୁଲି ଯିବାର ଧାରା ବଢ଼ି ଚାଲିଛି । କିନ୍ତୁ ଓଡ଼ିଆ ସମ୍ପ୍ରଦାୟ ଯେଉଁଠି ବି ରହୁଛନ୍ତି, ନିଜ ସଂସ୍କୃତି, ଭାଷା ଓ ପର୍ବପର୍ବାଣୀକୁ ନେଇ ସବୁବେଳେ ବେଶ୍ ଉତ୍ସାହିତ ରହିବା ଖୁସିର ବିଷୟ ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ମାତୃଭାଷା ଏବଂ ସଂସ୍କୃତିର ଶକ୍ତି କିପରି ନିଜ ମାତୃଭୂମି ସହିତ ଯୋଡ଼ି ଲୋକଙ୍କୁ ଯୋଡ଼ି ରଖିଥାଏ ତାହା ତାଙ୍କର ସଦ୍ୟତମ ଗୁୟାନା ଗସ୍ତ ଦ୍ୱାରା ପୁନର୍ବାର ପ୍ରମାଣିତ ହୋଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରାୟ ଦୁଇ ଶହ ବର୍ଷ ପୂର୍ବେ ଶହ ଶହ ଶ୍ରମିକ ଭାରତ ଛାଡି ଯାଇଥିଲେ, କିନ୍ତୁ ସେମାନେ ରାମଚରିତ ମାନସକୁ ସାଙ୍ଗରେ ନେଇଥିଲେ ଏବଂ ଆଜି ମଧ୍ୟ ସେମାନେ ଭାରତ ମାଟି ସହ ଯୋଡ଼ି ହୋଇ ରହିଛନ୍ତି। ଆମ ଐତିହ୍ୟକୁ ସଂରକ୍ଷିତ କରି ରଖିଲେ ବିକାଶ ଓ ପରିବର୍ତ୍ତନ ହେଲେ ମଧ୍ୟ ଏହାର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚିପାରିବ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେହିପରି ଓଡ଼ିଶାକୁ ନୂଆ ଉଚ୍ଚତାରେ ପହଞ୍ଚାଇ ହେବ ବୋଲି ସେ କହିଛନ୍ତି।

ଆଜିର ଆଧୁନିକ ଯୁଗରେ ଆମର ମୂଳଦୁଆକୁ ସୁଦୃଢ଼ କରିବା ସହିତ ଆଧୁନିକ ପରିବର୍ତ୍ତନକୁ ସମାବେଶୀ କରିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶା ମହୋତ୍ସବ ଭଳି କାର୍ଯ୍ୟକ୍ରମ ଏଥିପାଇଁ ଏକ ମାଧ୍ୟମ ହୋଇପାରିବ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶା ପର୍ବ ଭଳି କାର୍ଯ୍ୟକ୍ରମକୁ ଆହୁରି ବିସ୍ତାର କରାଯିବା  ଉଚିତ ଏବଂ ଏହା କେବଳ ଦିଲ୍ଲୀରେ ସୀମିତ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏଥିରେ ଯେପରି ଅଧିକରୁ ଅଧିକ ଲୋକ ସାମିଲ ହେବେ ଏବଂ ସ୍କୁଲ ଓ କଲେଜର ଅଂଶଗ୍ରହଣ ମଧ୍ୟ ବୃଦ୍ଧି ପାଇବ ସେଥିପାଇଁ ପ୍ରୟାସ କରାଯିବା ଆବଶ୍ୟକ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଦିଲ୍ଲୀରେ ଥିବା ଅନ୍ୟ ରାଜ୍ୟର ଲୋକମାନେ ଅଂଶଗ୍ରହଣ କରି ଓଡ଼ିଶାକୁ ଅଧିକ ନିକଟରୁ ଜାଣିବାକୁ ସେ ଅନୁରୋଧ କରିଥିଲେ।

ଅଭିଭାଷଣ ଶେଷ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଆଗାମୀ ଦିନରେ ଏହି ପର୍ବର ରଙ୍ଗ ଓଡ଼ିଶା ତଥା ଭାରତର କୋଣ ଅନୁକୋଣରେ ପହଞ୍ଚିବ ଏବଂ ଜନଭାଗିଦାରୀ ପାଇଁ ଏକ ପ୍ରଭାବଶାଳୀ ମଞ୍ଚ ରେ ପରିଣତ ହେବ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଆ ସମାଜର ସଭାପତି ସିଦ୍ଧାର୍ଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଓଡ଼ିଶା ପର୍ବ ହେଉଛି ନୂଆଦିଲ୍ଲୀର ଏକ ଟ୍ରଷ୍ଟ, ଓଡ଼ିଆ ସମାଜ ଦ୍ୱାରା ପରିଚାଳିତ ଏକ ପ୍ରମୁଖ କାର୍ଯ୍ୟକ୍ରମ। ଏହା ମାଧ୍ୟମରେ ସେମାନେ ଓଡ଼ିଆ ଐତିହ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦିଗରେ ମୂଲ୍ୟବାନ ସମର୍ଥନ ପ୍ରଦାନ କରିବାରେ ନିୟୋଜିତ ହୋଇଛନ୍ତି। ଏହି ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ଓଡ଼ିଶା ପର୍ବ ନଭେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଏହା ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ରାଜ୍ୟର ଜୀବନ୍ତ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଜୀବନଶୈଳୀକୁ ପ୍ରଦର୍ଶିତ କରିଛି । ବିଭିନ୍ନ କ୍ଷେତ୍ରର ପ୍ରମୁଖ ବିଶେଷଜ୍ଞ ଏବଂ ବିଶିଷ୍ଟ ପେସାଦାରଙ୍କ ଦ୍ୱାରା ଏକ ଜାତୀୟ ସେମିନାର ବା ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇଯାଇଛି।

‘ଓଡ଼ିଶା ପର୍ବ ୨୦୨୪’ ସମାରୋହ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

August 5, 2025

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025
Latest News

ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

August 5, 2025

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.