Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ବାର ଉଦଘାଟିତ ହେଲା ୫ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ
ଜାତୀୟ ଖବର

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ବାର ଉଦଘାଟିତ ହେଲା ୫ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ

January 6, 2025No Comments5 Mins Read
Share Facebook Twitter LinkedIn Email WhatsApp Copy Link
ଉପମୁଖ୍ୟମନ୍ତ୍ରୀ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ବାର ଉଦଘାଟିତ ହେଲା ୫ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ

ଭୁବନେଶ୍ବର: ୫ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଆଜି ପୂର୍ବାହ୍ନରେ ଲୋକ ସେବା ଭବନର କନ୍ ଭେନସନ ସେଣ୍ଟରରେ ଉଦଘାଟିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଚିଲିକାର ସ୍ଵତନ୍ତ୍ର ସ୍ଥାନ ରହିଥିବା ବେଳେ, ନିଜର ଭୌଗୋଳିକ ଅବସ୍ଥିତି ତଥା ଅନୁକୂଳ ପରିବେଶ ନିମିତ୍ତ କେଉଁ ଅନାଦି କାଳରୁ ଚିଲିକା ଏକ ପକ୍ଷୀ ତୀର୍ଥ ପାଲଟିଯାଇଛି।

ଦକ୍ଷିଣ ଆଫ୍ରିକାର ଭିକ୍ଟୋରିଆ ହ୍ରଦ ପରେ ଚିଲିକା ବିଶ୍ୱର ଦ୍ଵିତୀୟ ବୃହତ୍ତମ ପକ୍ଷୀ ହ୍ରଦ ଭାବରେ ସାରା ବିଶ୍ଵରେ ପରିଚିତ। ଶୀତଦିନର ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରି ବିଶ୍ଵର ବିଭିନ୍ନ ପ୍ରାନ୍ତରୁ ଉଡିଆସୁଥିବା ଲକ୍ଷାଧିକ ପକ୍ଷୀ ଚିଲିକାର ନୌସର୍ଗିକ ଶୋଭାକୁ ଆହୁରି ଋଦ୍ଧିମନ୍ତ କରିଥାନ୍ତି। ଏମାନଙ୍କ କଳରବ ଶୁଣିବା ଏବଂ ଚିଲିକାର ସୌନ୍ଦର୍ଯ୍ୟର ଆନନ୍ଦ ନେବା ପାଇଁ ମଧ୍ୟ ବହୁ ବିଦେଶୀ ପର୍ଯ୍ୟଟକ ଚିଲିକା ପ୍ରତି ଆକର୍ଷିତ ହୋଇଥାନ୍ତି।

ବିଭିନ୍ନ ପ୍ରଜାତିର ଲକ୍ଷଲକ୍ଷ ପକ୍ଷୀମାନଙ୍କର କଳରବରେ ଝଙ୍କୃତ ଚିଲିକାର ଦିଗଦିଗନ୍ତ ଆଗନ୍ତୁକ ପର୍ଯ୍ୟଟକମାନଙ୍କ ପାଇଁ ବିଶେଷ କରି ଶୀତଋତୁରେ ଶୋକପାସୋରା ଅପସରା ଭୁବନ ହୋଇଉଠେ। ସୁଦୂର ସାଇବେରିଆ, ଋଷିଆ, କାଜାଖସ୍ଥାନ, ମଧ୍ୟ ଓ ଦକ୍ଷିଣ ପୂର୍ବ ଏସିଆ, ମଙ୍ଗୋଲିଆ, ଆମେରିକା ଲାଦାଖ, ତିବତ ଓ କାସ୍ପିଆନ ସାଗର ପ୍ରଭୃତି ଅଞ୍ଚଳରୁ ଆସୁଥିବା ଏହି ପକ୍ଷୀମାନଙ୍କ ଯୋଗୁଁ  ଚିଲିକାର ପ୍ରକୃତି  ସୌନ୍ଦର୍ଯ୍ୟ ମହିମାମଣ୍ଡିତ ହୋଇଯାଏ। ଚିଲିକାର ନାତିଶୀତୋଷ୍ଣ ପରିବେଶ କମନୀୟ ଜଳବାୟୁ, ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଚିଲିକା ମଧ୍ୟସ୍ଥ “ନଳବଣ”  ଏକ ସର୍ବୋତ୍କୃଷ୍ଟ ଆଶ୍ରୟସ୍ଥଳୀ। ସେହିଭଳି ଚିଲିକାର ମଙ୍ଗଳଯୋଡି ସ୍ଥାନୀୟ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ପରିବେଶ ସଂରକ୍ଷଣର ଏକ ଅନନ୍ୟ ପ୍ରୟାସ।

ଏହି ସମାହାରକୁ ବିଶ୍ଵସ୍ତରରେ ପହଞ୍ଚାଇବା ପାଇଁ ଓ ଚିଲିକା ସହ ସାତକୋଶିଆ, ଭିତରକନିକା ଏବଂ ହୀରାକୁଦ ଭଳି ପକ୍ଷୀ ତୀର୍ଥ ପର୍ଯ୍ୟଟନସ୍ଥଳୀର ବିକାଶ ଓ ପ୍ରୋତ୍ସାହନ କରିବା ନିମନ୍ତେ ଏହି ଉତ୍ସବର ଆୟୋଜନ। ଏହି ଉତ୍ସବର ଭାଗ ନେଉଥିବା ସମସ୍ତ ଅଂଶଗ୍ରହଣକାରୀ ଆମ ପାଇଁ ଜଣେ ଜଣେ ବ୍ରାଣ୍ଡ ଆମ୍ବାସାଡାର।  ଜବରଦଖଲ ହଟାଇବା ଭଳି ସୁରକ୍ଷାମୂଳକ କାର୍ଯ୍ୟଠାରୁ ଆରମ୍ଭ କରି ୫ମ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ଭଳି ପ୍ରଚାର ଅଭିଯାନ ପର୍ଯ୍ୟନ୍ତ – ଆମେ ମିଳିତ ଭାବରେ ଓଡ଼ିଶା – ଚିଲିକା ସହିତ ସାତକୋଶିଆ, ଭିତରକନିକା ଏବଂ ହୀରାକୁଦ ଭଳି ଅନ୍ୟାନ୍ୟ ସ୍ୱତନ୍ତ୍ର ସ୍ଥାନଗୁଡ଼ିକୁ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସବୁଠାରୁ ଆକର୍ଷଣୀୟ ପକ୍ଷୀ କେନ୍ଦ୍ର କରିବାକୁ ପ୍ରୟାସ କରୁଛୁ।

ଆମେ ଏହି ମହୋତ୍ସବରେ ସ୍ଥାନୀୟ ନାବିକ ସମ୍ପ୍ରଦାୟକୁ ନିୟୋଜିତ କରିଛୁ ଯାହାଦ୍ୱାରା ସ୍ଥାୟୀ ପର୍ଯ୍ୟଟନ ଅଭ୍ୟାସ ପ୍ରତି ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରି ସଂରକ୍ଷଣ ପ୍ରୟାସରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ ହୋଇପାରିବ। ସାରା ଦେଶରେ ପକ୍ଷୀପ୍ରେମୀଙ୍କ ପ୍ରତିନିଧିତ୍ୱ ହିଁ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବକୁ ସଫଳ କରିଥାଏ। ଗତ ଜାନୁୟାରୀ ୨୦୨୪ ପକ୍ଷୀ ଗଣନା ଅନୁଯାୟୀ ଚିଲିକାକୁ ପ୍ରାୟ ୧୮୭ ପକ୍ଷୀ ପ୍ରଜାତିର ୧୧.୩୭ଲକ୍ଷ ପକ୍ଷୀ ଆସିଥିଲେ। ଅଧିକରୁ ଅଧିକ  ପକ୍ଷୀପ୍ରେମୀ ଏହି ପକ୍ଷୀ ସ୍ୱର୍ଗ ପରିଦର୍ଶନ କରିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆହ୍ବାନ ଦେଇଥିଲେ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା  ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ପ୍ରାକୃତିକ ଐତିହ୍ୟ, ଜୈବବିବିଧତାର ସଂରକ୍ଷଣ ନିମନ୍ତେ ଓଡ଼ିଶା ପ୍ରତିବଦ୍ଧ। ଏହି ୫ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଚିଲିକା ହ୍ରଦର ସୌନ୍ଦର୍ଯ୍ୟ, ଜୈବବିବିଧତା, ସୁରକ୍ଷା ଏବଂ ଗୋଷ୍ଠୀ ପରିଚାଳିତ ସଂରକ୍ଷଣର ଗରିମାମୟ ଐତିହ୍ୟକୁ ଅଧିକ ଋଦ୍ଧିମନ୍ତ କରିବା ନିମନ୍ତେ ଏକ ପ୍ରଚେଷ୍ଟା।

ଏସିଆର ସର୍ବବୃହତ ଲୁଣିଆ ଜଳ ହ୍ରଦ ଚିଲିକା ଜୈବ ବିବିଧତାରେ ପରିପୂର୍ଣ୍ଣ ଓ ସମୃଦ୍ଧ। ୧୯୮୧ ମସିହାରେ ଦେଶର ପ୍ରଥମ ରାମ୍‌ସାରସ୍ଥଳୀ ଭାବେ ଏହା ସ୍ୱୀକୃତି ପାଇଥିଲା। କେବଳ ଆମ ରାଜ୍ୟ କାହିଁକି, ସାରା ବିଶ୍ୱର ଆର୍ଦ୍ରଭୂମିଗୁଡ଼ିକ ମଧ୍ୟରେ ଚିଲିକାର ସ୍ଥାନ ସ୍ୱତନ୍ତ୍ର। ଚିଲିକା ହ୍ରଦ ଓଡ଼ିଶା ପର୍ଯ୍ୟଟନର ଆତ୍ମା କହିଲେ ଅତ୍ୟୁକ୍ତି ହେବ ନାହିଁ। ପରିବ୍ରାଜକ ପକ୍ଷୀଙ୍କ ବୃହତ୍ତମ ଆଶ୍ରୟସ୍ଥଳ ଭାବେ ଏସିଆ ଉପ ମହାଦେଶରେ ଚିଲିକା ହ୍ରଦ ସୁଖ୍ୟାତି ବହନ କରିଛି। ଶୀତଋତୁରେ ୧୧ ଲକ୍ଷରୁ ଉର୍ଦ୍ଧ୍ବ ପକ୍ଷୀଙ୍କ ସମାଗମ ଏହି ବୃହତ୍‌ ହ୍ରଦର ପରିବେଶ ଓ ବାତାବରଣକୁ ଅତ୍ୟନ୍ତ ମନଲୋଭା କରିଥାଏ।

ଏହି ହ୍ରଦର ଉତ୍ତର-ପୂର୍ବ ପାର୍ଶ୍ବରେ ଥିବା ମଙ୍ଗଳାଯୋଡ଼ି ଏସିଆର ପକ୍ଷୀ ଭୂସ୍ୱର୍ଗ। ପ୍ରତିବର୍ଷ ଶୀତ ଦିନରେ ସୁଦୂର ସାଇବେରିଆଠାରୁ ଆରମ୍ଭ କରି ସାରା ପୃଥିବୀର କୋଣ ଅନୁକୋଣରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ପ୍ରାୟ ୨୦୦ ପ୍ରଜାତିର ୧୦ ଲକ୍ଷ ପକ୍ଷୀ ମଙ୍ଗଳାଯୋଡ଼ିକୁ ଆସିଥାନ୍ତି।

ପକ୍ଷୀ ପର୍ଯ୍ୟଟନ କ୍ଷେତ୍ରରେ ମଙ୍ଗଳାଯୋଡ଼ି ସାରା ଦେଶରେ ପ୍ରସିଦ୍ଧ। ପକ୍ଷୀପ୍ରେମୀ ପର୍ଯ୍ୟଟକମାନଙ୍କ ପାଇଁ ମଙ୍ଗଳାଯୋଡ଼ି ଓ ଚିଲିକାର ନଳବଣ ଦ୍ୱୀପ ଅନନ୍ୟ ଆକର୍ଷଣ ରୂପେ ସାବ୍ୟସ୍ତ ହୋଇଛି। ଖୁବ୍‌ ନିକଟରୁ ବିରଳ ଓ ଅତ୍ୟନ୍ତ ଆକର୍ଷଣୀୟ ପକ୍ଷୀମାନଙ୍କୁ ଦେଖି ସାରା ପୃଥିବୀର ଖ୍ୟାତନାମା ଫଟୋଗ୍ରାଫରମାନେ ସେମାନଙ୍କ ଫଟୋ ଉତ୍ତୋଳନ କରିଥାନ୍ତି ଓ ସୁନାମ ପାଇଥାନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ଜାନୁଆରୀ ମାସରେ ‘ଜାତୀୟ ଚିଲିକା ପକ୍ଷୀ ଉତ୍ସବ’ ପାଳିତ ହୋଇ ଆସୁଛି।

ପ୍ରତ୍ୟେକ ବର୍ଷ ଚିଲିକାକୁ ଆସୁଥିବା ପକ୍ଷୀମାନଙ୍କ ସଂଖ୍ୟାରେ ବୃଦ୍ଧି ପକ୍ଷୀ ସୁରକ୍ଷା ଓ ସଂରକ୍ଷଣ ପଦକ୍ଷେପର ସଫଳତାର ପ୍ରମାଣ ପ୍ରତ୍ୟେକ ବର୍ଷ ଚିଲିକାକୁ ଆସୁଥିବା ପକ୍ଷୀମାନଙ୍କ ସଂଖ୍ୟାରେ ବୃଦ୍ଧି ପକ୍ଷୀ ସୁରକ୍ଷା ଓ ସଂରକ୍ଷଣ ପଦକ୍ଷେପର ସଫଳତାର ପ୍ରମାଣ। ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏହି ଜାତୀୟ ଚିଲିକା ପକ୍ଷୀ ଉତ୍ସବରେ ସାମିଲ ହେବା ପାଇଁ ନାମ ପଞ୍ଜୀକରଣ କରି ମଙ୍ଗଳାଯୋଡ଼ି, ନଳବଣ ପ୍ରଭୃତି ପକ୍ଷୀ ଭୂସ୍ୱର୍ଗକୁ ଦେଖିବାର ମଜା ଉଠାନ୍ତୁ ଓ ଲକ୍ଷାଧିକ ପକ୍ଷୀଙ୍କ ସମାଗମକୁ ମନଭରି ଉପଭୋଗ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ ପ୍ରକାଶ କରିଥିଲେ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଉତ୍ସବରେ ଅତିଥି ଭାବେ ଯୋଗଦେଇ କହିଲେ ଯେ ଚିଲିକାର ଗୁରୁତ୍ୱ, ମହତ୍ତ୍ୱ ଓ ସୌନ୍ଦର୍ଯ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଜାତୀୟ ଚିଲିକା ବିହଙ୍ଗ ଉତ୍ସବର ଲକ୍ଷ୍ୟ। ସ୍ଥାନୀୟ ଲୋକମାନେ ଚିଲିକା ହ୍ରଦ ଓ ଚିଲିକାକୁ  ଆସୁଥିବା ପକ୍ଷୀମାନଙ୍କ ସୁରକ୍ଷା ଦାୟିତ୍ୱ ନେବା  ଜରୁରୀ। ସେମାନଙ୍କର ବିକଳ୍ପ ଜୀବନଜୀବିକା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଚିଲିକା ହ୍ରଦ ମଧ୍ୟରେ ସୌରଶକ୍ତି ଚାଳିତ ଡଙ୍ଗା ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ଚିଲିକା ହ୍ରଦକୁ ଓଡ଼ିଶାର ଅନୁପମ ପ୍ରାକୃତିକ ବିଭବ ତଥା ସୌନ୍ଦର୍ଯ୍ୟର ଗନ୍ତାଘର ବୋଲି ଅଭିହିତ କରି ବିହଙ୍ଗ ଉତ୍ସବ ପକ୍ଷୀ ପର୍ଯ୍ୟଟନକୁ ଅଧିକ ଆକର୍ଷଣୀୟ କରି ଗଢ଼ିତୋଳିବ ବୋଲି କହିଥିଲେ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ପ୍ରେମ୍‌ କୁମାର ଝା ସ୍ୱାଗତ ଭାଷଣ ଦେଇଥିଲେ । ପୂର୍ବରୁ ଅତିଥିମାନେ ଫଟୋ, ପୋଷ୍ଟର ଓ ପେଣ୍ଟିଂ ପ୍ରତର୍ଶନୀକୁ ଉଦ୍‌ଘାଟନ କରିଥିଲେ। ବି.କେ ଆର୍ଟ କଲେଜ, କଳିଙ୍ଗ, ଧଉଳି ଓ ଖଲ୍ଲିକୋଟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ରକଳା ପୋଷ୍ଟର ଓ ଫଟୋ ପ୍ରଦର୍ଶନୀ ଅତିଥିମାନଙ୍କୁ ଚମତ୍କୃତ କରିଥିଲା। ନନ୍ଦନକାନନ ମୁଖ୍ୟ ବନ ସଂରକ୍ଷକ ତଥା ନିର୍ଦ୍ଦେଶକ ଶ୍ରୀ ମନୋଜ ଭି ନାୟାର ଧନ୍ୟବାଦ ଦେଇଥିଲେ। ପ୍ରଚାରଧର୍ମୀ ବୃତ୍ତଚିତ୍ର ମୁଖ୍ୟ ଅତିଥି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କା ଦ୍ୱାରା ଲୋକାର୍ପିତ ହୋଇଥିଲା।

ବିଭାଗ ଦ୍ୱାରା ପ୍ରସ୍ତୁତ ‘ବାର୍ଡ ଅଫ୍‌ ଚିଲିକା ଲେକ୍‌’ ପକେଟ୍‌ ଡାଏରୀକୁ ଉନ୍ମୋଚନ କରାଯାଇଥିଲା ଚିତ୍ରାଙ୍କନ, ପୋଷ୍ଟର, କୁଇଜ୍‌ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପକ୍ଷୀ ବିଶାରଦ ଡ. ଅସାଦ ରହମାନୀ ଓ ଡ. ସୁରେଶ କୁମାରଙ୍କ ସହ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବନ୍ୟପ୍ରାଣୀ ଫଟୋଗ୍ରାଫର ଧ୍ରୀତିମାନ ମୁଖାର୍ଜୀଙ୍କୁ ଉପମୁଖ୍ୟମନ୍ତ୍ରୀ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ। ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ ଉପସ୍ଥିତ ଥିଲେ। ବିଭାଗର ବହୁ ପଦାଧିକାରୀ, ପରିବେଶବିତ୍‌, ପକ୍ଷୀପ୍ରେମୀ ଓ ଫଟୋଗ୍ରାଫରମାନେ ମଧ୍ୟ ଉପସ୍ଥିତ ଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପକ୍ଷୀ ବିଶାରଦ ଡ. ଅସାଦ ରହମାନୀ ଓ ଡ. ସୁରେଶ କୁମାରଙ୍କ ସହ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବନ୍ୟପ୍ରାଣୀ ଫଟୋଗ୍ରାଫର ଧ୍ରୀତିମାନ ମୁଖାର୍ଜୀ ନିଜ ନିଜ ଜୀବନର ଅଭିଜ୍ଞତା ବର୍ଣ୍ଣନା ଓ ଭାବ ବିନିମୟ ଉପସ୍ଥିତ ସମସ୍ତଙ୍କ ମନକୁ ବେଶ୍‌ ଛୁଇଁଥିଲା।

ଉପମୁଖ୍ୟମନ୍ତ୍ରୀ ଚିଲିକା ଚିଲିକା ବିହଙ୍ଗ ଉତ୍ସବ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.