ଭୁବନେଶ୍ବର: ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସମେତ ରାଜ୍ୟ ତଥା କେନ୍ଦ୍ରମନ୍ତ୍ରୀମାନେ ସେଠାରେ ଉପସ୍ଥିତ ଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ସାକ୍ଷାତ ବେଳେ ଏକ ଫଟୋକୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି।
ଏହି ଫଟୋଟି ହେଉଛି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିବା ପରେ ତାଙ୍କୁ ସେ ଏକ ଫୁଲ ତୋଡା ଦେଉଛନ୍ତି। ଏହି ଫୁଲ ତୋଡାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ହସିହସି ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ କିନ୍ତୁ ବଡ ଗମ୍ଭୀର ଭାବେ ତାହାକୁ ଗ୍ରହଣ କରୁଛନ୍ତି। ସେହି ଫଟୋଟି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ସମସ୍ତ ଗଣମାଧ୍ୟମକୁ ଦିଆଯାଇଛି। ଯାହାକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ ଆଲୋଚନା ହେଉଛି।
କେତେକ ଏହା ଉପରେ ଭିନ୍ନ ଭିନ୍ନ ଟିପ୍ପଣୀ ଦେଇଛନ୍ତି। କଂଗ୍ରେସ ନେତା ଅମୀୟ ପାଣ୍ଡବ ତାଙ୍କ ସାମାଜିକ ଗଣମାଧ୍ୟମରେ ଏହି ଫଟୋଟି ପୋଷ୍ଟ କରି ନିଜର ମତ ଦେଇଛନ୍ତି। ସେ ଲେଖିଛନ୍ତି, “ବାବୁ ମୋହନ ,ଦେଖ ତୁମ ମୁନିବଙ୍କ ବଦନ ! ତୁମ ଉପରେ ଅସୁଖି କି? ଶୁଖି ଯାଇଛି ମନ !” ସେହିପରି ବହୁ ବ୍ୟକ୍ତି ସେମାନଙ୍କର ମତ ଦେଇଛନ୍ତି। କିଏ ଲେଖିଛି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ରାଗି ଯାଇଛନ୍ତି କି ? ତାଙ୍କୁ କଣ ବାହାର କରିଦେବେ କି?
ବିଭିନ୍ନ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ହଟିବେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କେତେକ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ଏହିପରି ସମୟରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଏହି ଫଟୋଟି ସେହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି।