Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତୀୟ ଆଧ୍ୟାତ୍ମିକ ଚେତନା, ସାଂସ୍କୃତିକ, ପରମ୍ପରାର ଅପୂର୍ବ ସମ୍ମେଳନ: ପ୍ରୟାଗରାଜ ମହାକୁମ୍ଭ  
ଜାତୀୟ ଖବର

ଭାରତୀୟ ଆଧ୍ୟାତ୍ମିକ ଚେତନା, ସାଂସ୍କୃତିକ, ପରମ୍ପରାର ଅପୂର୍ବ ସମ୍ମେଳନ: ପ୍ରୟାଗରାଜ ମହାକୁମ୍ଭ  

January 25, 2025No Comments6 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରୟାଗରାଜ: ଭାରତର ମହାନ ଓ ସମୃଦ୍ଧ ଆଧ୍ୟାତ୍ମିକ ଚେତନାର ପ୍ରତୀକ ହେଉଛି ପ୍ରୟାଗରାଜ ମହାକୁମ୍ଭ। ଚଳିତ ବର୍ଷ ଜାନୁଆରୀ ୨୩ ସୁଦ୍ଧା ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ଏହି ପୁଣ୍ୟଭୂମି ପ୍ରୟାଗରାଜକୁ ଆସି ତ୍ରିବେଣୀ ସଂଗମରେ ସ୍ନାନ କରିବାର ସୌଭାଗ୍ୟପ୍ରାପ୍ତ ହୋଇଛନ୍ତି। ମକର ସଂକ୍ରାନ୍ତିରେ (୧୪ ଜାନୁଆରୀ ୨୦୨୫), କେବଳ ଗୋଟିଏ ଦିନରେ ସାଢ଼େ ୩ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଂଗମରେ ବୁଡ଼ ପକାଇ ରାଜସ୍ନାନ କରିଛନ୍ତି। ଆଶା କରାଯାଉଛି ଚଳିତ ବର୍ଷ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭରେ ଯୋଗ ଦେବେ। ଏଇ ଜାନୁଆରୀ ୧୬ ତାରିଖରେ ୧୦ଟି ଦେଶରୁ ଆସିଥିବା ୨୫ ଜଣିଆ ବିଦେଶୀ ପ୍ରତିନିଧି ଦଳ ମଧ୍ୟ ପବିତ୍ର ତ୍ରିବେଣୀ ସଂଗମରେ ବୁଡ଼ ପକାଇଛନ୍ତି। ଏହି ପ୍ରତିନିଧି ଦଳରେ ଥିଲେ ଫିଜି, ଫିନଲାଣ୍ଡ, ଗୁଏନା, ମାଲେସିଆ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକ, ଶ୍ରୀଲଙ୍କା, ତ୍ରିନିଦାଦ ଓ ଟବାଗୋ ଏବଂ ୟୁଏଇର ନାଗରିକ। ମହାକୁମ୍ଭର ଆଧ୍ୟାତ୍ମିକ ମହତ୍ୱ ଓ ଐତିହ୍ୟ ଦେଖି ସେମାନେ ହୋଇଥିଲେ ବିମୋହିତ। ଏହି ବିଦେଶୀ ଅତିଥିଙ୍କ ରହିବାର ସରକାରଙ୍କ ପକ୍ଷରୁ ଅରାଇଲ୍ ର ଟେଣ୍ଟ ସିଟିରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିଲା।

ଦେଶର କୋଣ ଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁ ଏପରିକି ବିଦେଶରୁ ଆସିଥିବା ଅତିଥିଙ୍କ ରହଣିକୁ ସ୍ମରଣୀୟ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ଟିକିନିଖି ଭାବେ ସବୁ ସୁବ୍ୟବସ୍ଥିତ କରାଯାଇଛି। ଅତ୍ୟାଧୁନିକ ଟେକ୍ନୋଲଜି, ଭିତ୍ତିଭୂମିର ବିକାଶ ଓ ନିରନ୍ତର ଯୋଜନାକୁ ଦେଖିଲେ କୌଣସି ସମାବେଶ ଆୟୋଜନ ଓ ସାଂସ୍କୃତିକ ବିନିମୟରେ ଏକ ବେଞ୍ଚମାର୍କ ସ୍ଥାପନ କରିଛି ମହାକୁମ୍ଭର ଏହି ସଂସ୍କରଣ। ରାଜସ୍ନାନଠୁ ଆରମ୍ଭ କରି ଆକର୍ଷଣୀୟ ଆଖଡ଼ା ଶୋଭାଯାତ୍ରା, ଡିଜିଟାଲ ସୃଜନଠାରୁ ଆରମ୍ଭ କରି ନିରନ୍ତର ପ୍ରଗତିର ବଡ଼ ବଡ଼ ପ୍ରକଳ୍ପ ପର୍ଯ୍ୟନ୍ତ ଏଇ ମହାକୁମ୍ଭ ୨୦୨୫  ହେଉଛି ଅତୀତ ଓ ଭବିଷ୍ୟତର ଅପୂର୍ବ ସଂଗମ।

ମହାକୁମ୍ଭର ପ୍ରମୁଖ ଆକର୍ଷଣ

ଆସ୍ଥା, ସଂସ୍କୃତି ଓ ଅନୁସୃଜନର ଏକ ସମୃଦ୍ଧ ପଟ୍ଟଚିତ୍ର ହେଉଛି ପ୍ରୟାଗରାଜର ମହାକୁମ୍ଭ ମେଳା ୨୦୨୫। ଏହାର ମଧ୍ୟ ଭାଗରେ ଶୋଭା ପାଉଛି ତେଜସ୍ ପେଣ୍ଡାଲ। ୮୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ବିରାଟ ତେଜସ୍ ପେଣ୍ଡାଲ ହେଉଛି ହାଲ୍ ର ତେଜସ୍ ଯୁଦ୍ଧ ବିମାନର ଏକ ମଡେଲ। ପ୍ରୟାଗରାଜ ମହାକୁମ୍ଭ ମେଳାର ଆଉ ଏକ ପ୍ରମୁଖ ପରିଚୟ ହେଉଛି ଆଖଡ଼ା । ଉଭୟ ଆଧ୍ୟାତ୍ମିକ ଓ ସାମରିକ କୌଶଳ ପରମ୍ପରାର ତତ୍ତ୍ୱାବଧାରକ ହେଉଛନ୍ତି ଏହି ଆଖଡ଼ା।

ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିବା କାରିଗରଙ୍କୁ ନିଜ ହାତର ଯାଦୁ ଦେଖାଇବାର ଅପୂର୍ବ ସୁଯୋଗ ଆଣି ଦେଇଛି “ଏକ ଜିଲ୍ଲା ଏକ ଉତ୍ପାଦ” ପ୍ରଦର୍ଶନୀ। ସେହିପରି ଭାରତୀୟ ହସ୍ତଶିଳ୍ପ, ଖାଦ୍ୟ ପାନୀୟ ଓ ସଂସ୍କୃତିର ଏକ ଜୀବନ୍ତ ସଂଗ୍ରହାଳୟ ହେଉଛି କଳାଗ୍ରାମ।

ଦର୍ଶକଙ୍କ ମନ ମୋହୁଛି ପ୍ରୟାଗ ମାହ୍ୟତ୍ମମ୍ ଓ ସମୁଦ୍ର ମନ୍ଥନ ଉପରେ ଆଧାରିତ ଡ୍ରୋନ ସୋ। ଏହା ସହିତ ପ୍ରତିଦିନ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ ସଂଗୀତ ପରିବେଷଣ କରୁଛନ୍ତି ଶଙ୍କର ମହାଦେବନ, ମୋହିତ ଚୌହାନ, କୈଳାସ ଖେରଙ୍କ ପରି ବହୁ ନାମୀ ଦାମୀ କଳାକାର। ସେମାନଙ୍କର ଭକ୍ତିଭାବ ପୂର୍ଣ୍ଣ ସଂଗୀତ ମହାକୁମ୍ଭରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି। ଏପରି କାର୍ଯ୍ୟକ୍ରମ ୨୦୨୫ ଫେବ୍ରୁଆରି ୨୪ ଯାଏ ଚାଲିବ।

ପ୍ରମୁଖ ସ୍ନାନର ତିଥି ଓ ସେଗୁଡ଼ିକର ମହତ୍ତ୍ୱ

ମହାକୁମ୍ଭର ପ୍ରାଣ ହେଉଛି ଏହାର ପବିତ୍ର ସ୍ନାନ ରୀତିନୀତି ( ରାଜସ୍ନାନ)

ମହାକୁମ୍ଭ ୨୦୨୫ର ପ୍ରମୁଖ ରାଜସ୍ନାନଗୁଡ଼ିକ ହେଲା

୨୦୨୫ ଜାନୁଆରି ୨୯ ତାରିଖ: ମୌନି ଅମାବାସ୍ୟାରେ ହେବ ଦ୍ୱିତୀୟ ରାଜସ୍ନାନ

ବିଶ୍ୱାସ କରାଯାଏ, ମୌନି ଅମାବାସ୍ୟାର ଏହି ମାହେନ୍ଦ୍ର ବେଳାରେ ଗଙ୍ଗା ପରି ପବିତ୍ର ନଦୀରେ ବୁଡ଼ ପକାଇବା ଦ୍ୱାରା ସୌଭାଗ୍ୟପ୍ରାପ୍ତି ହୋଇଥାଏ। ପୌରାଣିକ କଥା ଅନୁସାରେ, ଏହି ଦିନ ମହାମୁନି ରିଷଭ ଦେବ ମୌନବ୍ରତ ଭାଙ୍ଗି ସଂଗମର ଏହି ପବିତ୍ର ଜଳରେ ସ୍ନାନ କରିଥିଲେ। ଏହି କାରଣରୁ କୁମ୍ଭମେଳାର ମୌନି ଅମାବାସ୍ୟା ତିଥିରେ ସବୁଠୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏଥିପାଇଁ ମୌନି ଅମାବାସ୍ୟା ହେଉଛି ଆଧ୍ୟାତ୍ମିକ, ଭକ୍ତି ଓ ଆତ୍ମା ଶୁଦ୍ଧିକରଣର ଏକ ଅପୂର୍ବ ଦିନ।

୩ ଫେବ୍ରୁଆରି ୨୦୨୫ ବସନ୍ତ ପଞ୍ଚମୀରେ ତୃତୀୟ ରାଜସ୍ନାନ

ହିନ୍ଦୁ ପୌରାଣିକ ଆଖ୍ୟାନ ଅନୁସାରେ ବସନ୍ତ ପଞ୍ଚମୀରେ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ଆବାହନ କରାଯାଇଥାଏ। ଋତୁ ପରିବର୍ତ୍ତନର ପ୍ରତୀକ ମଧ୍ୟ ହେଉଛି ଏହି ବସନ୍ତ ପଞ୍ଚମୀ।

୧୨ ଫେବ୍ରୁଆରି ୨୦୨୫ ମାଘ ପୂର୍ଣ୍ଣିମା ସ୍ନାନ

ମାଘ ପୂର୍ଣ୍ଣିମାରେ ଗୁରୁ ବୃହସ୍ପତିଙ୍କ ଉପାସନା କରାଯାଇଥାଏ। ଏହା ସହିତ ବିଶ୍ୱାସ କରାଯାଏ ଯେ, ଗନ୍ଧର୍ବ ଏହି ଦିନ ସ୍ୱର୍ଗରୁ ପବିତ୍ର ସଂଗମକୁ ଅବତରଣ କରିଥିଲେ

୧୨ ଫେବ୍ରୁଆରୀ ୨୦୨୫ ମହା ଶିବରାତ୍ରି

ମହାଶିବରାତ୍ରିରେ ସ୍ନାନ ହେଉଛି କଳ୍ପବାସୀଙ୍କ ଅନ୍ତିମ ପବିତ୍ର ସ୍ନାନ। ଶିବରାତ୍ରୀ ହେଉଛି ଭଗବାନ ଶିବଙ୍କ ପର୍ବ।

ମହାକୁମ୍ଭ ୨୦୨୫ ପାଇଁ ଭିତ୍ତିଭୂମି ଓ ଆୟୋଜନ

କୋଟି କୋଟି ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିବାକୁ ଓ ସେମାନେ ଯେମିତି ସୁରୁଖୁରୁରେ ପ୍ରୟାଗରାଜର ସଂଗମରେ ବୁଡ଼ ପକାଇବେ ଓ ସେମାନଙ୍କ ରହିବା ଖାଇବା ପିଇବା ବ୍ୟବସ୍ଥା ପାଇଁ ସରକାରଙ୍କ ତରଫରୁ ବିଶ୍ୱସ୍ତରୀୟ ସୁବିଧା କରାଯାଇଛି।

ସୁରକ୍ଷା ଓ ଭିଡ଼ ପରିଚାଳନା: ଅତ୍ୟାଧୁନିକ ସର୍ଭେଲାନସ ବ୍ୟବସ୍ଥା, ଡ୍ରୋନ ସହାୟତାରେ ମନିଟରିଂ ଓ ପରସ୍ପର ସହିତ ସୁସମନ୍ୱୟ ରଖିଥିବା ସୁରକ୍ଷା ସଂସ୍ଥା ଦିନ ରାତି କାମ କରୁଛନ୍ତି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଅର୍ଦ୍ଧ ସାମରିକ ବାହିନୀ ସହିତ ୫୦ ହଜାରରୁ ଅଧିକ ପୋଲିସ କର୍ମଚାରୀ, ୧୪ ହଜାର ହୋମଗାର୍ଡ ମୁତୟନ ହୋଇଛନ୍ତି। ଏହା ସହିତ ୨୭୫୦ ଏଆଇ ଆଧାରିତ ସିସିଟିଭି ଲଗାଯାଇଛି। ଅଧିକ ସୁରକ୍ଷା ଓ କୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଅତ୍ୟାଧୁନିକ ବହୁମୁଖୀ ଗାଡ଼ି ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି।

ସାର୍ବଜନୀନ ଭିତ୍ତିଭୂମି : ପ୍ରୟାଗରାଜର ଏହି ମହାକୁମ୍ଭମେଳାକୁ ଦୃଷ୍ଟିରେ ରଖି ୧୪ଟି ନୂଆ ଫ୍ଲାଏ ଓଭର, ୯ଟି ସ୍ଥାୟୀ ଘାଟ, ୭ଟି ନୂଆ ବସଷ୍ଟାଣ୍ଡ, ୧୨ କିଲୋମିଟର ଧରି ଅସ୍ଥାୟୀ ଘାଟ ନିର୍ମାଣ କରାଯାଇଛି। ଏହା ସହିତ ୨୦୦ରୁ ଅଧିକ ରାସ୍ତା ନୂଆ ଭାବେ ନିର୍ମାଣ କରାଯାଇଛି ବା ମରାମତି କରାଯାଇଛି ।

ଗମନାଗମନ : ରାସ୍ତାଘାଟ ସଂପର୍କରେ ଲୋକଙ୍କୁ ସୂଚନା ପ୍ରଦାନ କରିବା ପାଇଁ ୮୦୦ଟି ବହୁଭାଷୀୟ ସାଇନ୍ ବୋର୍ଡ ଲଗାଯାଇଛି। କେଉଁଠି କେତେ ଲୋକ ଅଛନ୍ତି, ଜରୁରୀକାଳୀନ ଆଲର୍ଟ, ଦିଗ ପ୍ରଦର୍ଶନ ଓ ହୋଟେଲ ସଂପର୍କରେ ସେହି ମୁହୂର୍ତ୍ତରେ ସୂଚନା ପ୍ରଦାନ କରୁଛି ଏକ ସ୍ୱତନ୍ତ୍ର ଆପ୍।

ସ୍ୱାସ୍ଥ୍ୟ ଓ ପରିମଳ : ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ୬ ହଜାର ଶଯ୍ୟା, ୪୩ଟି ହସପିଟାଲର ବ୍ୟବସ୍ଥା କରାଯାଇଛି। ଏହା ସହିତ ମହାକୁମ୍ଭରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ୧୦, ୨୦୦ ସଫେଇ କର୍ମଚାରୀ, ୧୮୦୦ ଗଙ୍ଗା ସେବାଦୂତ ନିୟୋଜିତ ହୋଇଛନ୍ତି।

ଆବାସ: ମହାକୁମ୍ଭ ନଗରକୁ ଏକ ଅସ୍ଥାୟୀ ସହରରେ ପରିଣତ କରାଯାଇଛି। ଭକ୍ତଙ୍କ ରହିବା ପାଇଁ ଏଠାରେ ତିଆରି କରାଯାଇଛି ଟେଣ୍ଟ, ଆଶ୍ରୟସ୍ଥଳୀ ଓ ସୁପର୍ ଡିଲକ୍ସ ଆବାସ।

ଆକାଶବାଣୀର କୁମ୍ଭବାଣୀ : ମହାକୁମ୍ଭ ନଗରରେ ସମସ୍ତ ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀଙ୍କୁ ସମସ୍ତ ଜରୁରୀ ସୂଚନା ପ୍ରଦାନ କରିବା ପାଇଁ ଆକାଶବାଣୀର କୁମ୍ଭବାଣୀରେ ଲାଇଭ୍ ଖବର ପ୍ରସାରଣ କରାଯାଉଛି।

ନୂଆ ଇଲେକଟ୍ରିକ ବସ୍: ମହାକୁମ୍ଭ ଆରମ୍ଭ ହେବା ଆଗରୁ ୧୦-୧୫ଟି ଇଲେକଟ୍ରିକ ବସ୍ ଚାଲୁଥିଲା। ଜାନୁଆରି ୨୯ ମୌନି ଅମାବାସ୍ୟା ପୂର୍ବରୁ ଆହୁରି ୩୦ଟି ଇଲେକଟ୍ରିକ ବସ୍ ଚଳାଯାଇଛି। ପ୍ରତ୍ୟେକ ବସ୍ ର ଲମ୍ୱ ହେଉଛି ୧୨ ମିଟର। ଥରେ ଚାର୍ଜ କରାଗଲେ, ଏହା ୨୦୦ କିଲୋମିଟର ପର୍ଯ୍ୟନ୍ତ ଚାଲି ଥାଏ।

ଡବଲ୍ ଡେକର୍ ବସ୍ : ଦ୍ୱିତୀୟ ପର୍ଯ୍ୟାୟରେ ୧୨୦ଟି ବସ୍ ଆସିବାର ଅଛି। ସେଥି ମଧ୍ୟରୁ ୨୦ଟି ହେଉଛି ଡବଲ୍ ଡେକର୍ ବସ୍। ୯ ମିଟର ଓ ୧୨ ମିଟରର ୧୦୦ଟି ବସ୍ ଆସିବାର ଅଛି।

ସଂପ୍ରସାରିତ ରେଳ ସେବା : କୁମ୍ଭ ମେଳା ପାଇଁ ୧୫ ଦିନ ଆଗରୁ ଟିକଟ ବୁକିଂ କରିବାର ବ୍ୟବସ୍ଥା କରିଛି ରେଳ ବିଭାଗ। ଟୋଲ୍ ଫ୍ରି ହେଲପ ଲାଇନ, ଓ୍ୱେବସାଇଟ୍ ଓ ମହାକୁମ୍ଭ ମେଳା ଆପ୍ ରୁ ରେଳ ଚଳାଚଳ ସଂପର୍କରେ ସୂଚନା ମିଳି ପାରିବ।

ମହାକୁମ୍ଭ ୨୦୨୫ରେ ଖାଦ୍ୟ ଓ ସୁରକ୍ଷା ବ୍ୟବସ୍ଥା

ମହାକୁମ୍ଭ ମେଳାରେ ପ୍ରତିଦିନ ପ୍ରାୟ ୨୦ ହଜାର ଲୋକଙ୍କୁ ମାଗଣାରେ ଭୋଜନ ଦିଆଯାଉଛି। ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତର ପ୍ରଦେଶ ସରକାର ୨୫ ହଜାର ନୂଆ ରାସନ କାର୍ଡ ପ୍ରଦାନ କରିଛନ୍ତି। ମହାକୁମ୍ଭର ଶ୍ରଦ୍ଧାଳୁଙ୍କ ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୩୫ ହଜାରରୁ ଅଧିକ ଗ୍ୟାସ ସିଲିଣ୍ଡର ରିଫିଲ୍ କରାଯାଇଥିବା ବେଳେ ୩୫୦୦ ନୂଆ କନେକସନ ପ୍ରଦାନ କରାଯାଇଛି। କୁମ୍ଭ ମେଳାରେ ପ୍ରତିଦିନ ୫୦୦୦ ଗ୍ୟାସ ସିଲିଣ୍ଡର ରିଫିଲ୍ କରାଯାଉଛି। ମହାକୁମ୍ଭରେ ମୁଖ୍ୟତଃ ଆଖଡ଼ାର ଅନ୍ତେବାସୀ ଓ କଳ୍ପବାସୀଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି।

ଉତ୍ତର ପ୍ରଦେଶ ସରକାର ଖାଦ୍ୟ ପାନୀୟର ଗୁଣବତ୍ତା ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି। ସେଥିପାଇଁ ମହାକୁମ୍ଭ ଅଞ୍ଚଳକୁ ୫ଟି ଜୋନ୍ ଓ ୨୫ଟି ସେକ୍ଟରରେ ବିଭକ୍ତ କରାଯାଇଛି। ହୋଟେଲ, ଢାବା, ଷ୍ଟଲରେ ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ଫୁଡ୍ ସେଫଟି ଅଧିକାରୀ। ଅପମିଶ୍ରଣକୁ ରୋକିବା ପାଇଁ ସେହି ସ୍ଥାନରେ ହିଁ ଫୁଡ୍ ସେଫଟି ଅନ୍ ହ୍ୱିଲ୍ ଲାବରୋଟୋରି ଦ୍ୱାରା ଯାଞ୍ଚ କରାଯାଉଛି। ଯେଉଁ ଖାଦ୍ୟ ବଣ୍ଟନ କରାଯାଉଛି, ତାହା ଯେମିତି ସଫାସୁତୁରା ଓ ସ୍ୱାସ୍ଥ୍ୟକର ହୋଇଥିବ, ତାହା ଯାଞ୍ଚ କରୁଛନ୍ତି ୧୦ଟି ମୋବାଇଲ୍ ଫୁଡ୍ ଲାବ୍।

ଶେଷ କଥା

ଶ୍ରଦ୍ଧାଳୁଙ୍କ ସମାଗମ, ଭିତ୍ତିଭୂମି ଓ ବିଶ୍ୱର ଧ୍ୟାନ ଆକର୍ଷଣ କରିବାରେ ମହାକୁମ୍ଭ ୨୦୨୫ ନୂଆ ରେକର୍ଡ କରିଛି। ମହାକୁମ୍ଭରେ ଏପର୍ଯ୍ୟନ୍ତ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳଙ୍କୁ ସମାଗମ ହେବା କେବଳ ଏହାର ଆଧ୍ୟାତ୍ମିକ ଗୁରୁତ୍ୱ ଦର୍ଶାଉ ନାହିଁ ବରଂ ଏତେ ବଡ଼ କାର୍ଯ୍ୟକ୍ରମକୁ ଅସାଧାରଣ ଭାବେ ଯୋଜନା କରି ସୁରୁଖୁରୁରେ କାର୍ଯ୍ୟକାରୀ କରିବାରେ ଭାରତ ଯେ କେତେ ପାରଙ୍ଗମ, ତାହା ଏଥିରୁ ପ୍ରତିଫଳିତ ହେଉଛି। ପ୍ରୟାଗରାଜର ତ୍ରିବେଣୀ ସଂଗମରେ ବୁଡ଼ ପକାଇବାକୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଥିବା ବେଳେ ଆସ୍ଥା, ଏକତା ଓ ସାଂସ୍କୃତିକ ମହାମିଳନ ପାଲଟିଛି ମହାକୁମ୍ଭ।

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପରମ୍ପରା ପ୍ରୟାଗରାଜ ଭାରତୀୟ ଆଧ୍ୟାତ୍ମିକ ଚେତନା ମହାକୁମ୍ଭ ସାଂସ୍କୃତିକ
Share. Facebook Twitter LinkedIn Email WhatsApp Copy Link

Related Posts

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଗୋଆରୁ ଇନ୍ଦୋର ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ, ବିମାନରେ ଥିଲେ ୧୪୦ ଯାତ୍ରୀ

July 21, 2025
Latest News

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.