
ଭୁବନେଶ୍ବର: ଆଜି ରାଜ୍ୟ ଅତିଥି ଭବନ ଠାରେ ରାଜ୍ୟରେ ଅବକାରୀ ନୀତି ୨୦୨୫-୨୦୨୬ ପ୍ରଣୟନ ପାଇଁ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଚିଠା ପ୍ରସ୍ତାବ ଉପରେ ଅଂଶୀଦାର ମାନଙ୍କ ମତାମତକୁ ଆଧାର କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚ଼ନା କଲେ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଏହି ବୈଠକରେ ଅବକାରୀ ନୀତି ସଂପର୍କରେ ଉପସ୍ଥାପନା ହୋଇଥିଲା।
ଅବକାରୀ ନୀତି ରାଜ୍ୟରେ ନୂତନ ପୁଞ୍ଜିନିବେଶ, ଇଜ୍ ଅଫ୍ ଡୁଇଂ ବିଜିନେସ୍ ,ବ୍ୟବସ୍ଥାରେ ସ୍ୱଚ୍ଛତା, ମିଲେଟ୍ଭିତ୍ତିକ ପାନୀୟ ପ୍ରସ୍ତୁତ, ଉତ୍କର୍ଷ ଓଡ଼ିଶା ଅନୁପାଳନକୁ ପ୍ରୋତ୍ସାହନ ଦେବା ଆଦି ସଂପର୍କରେ ଆଲୋଚନା ହୋଇଥିଲା। ଏଥିରେ ମଦ ପ୍ରସ୍ତୁତକାରୀ କମ୍ପାନୀର ପ୍ରତିିନିଧି, ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘର କର୍ମକର୍ତ୍ତା, ମଦର ଖୁଚୁରା ବ୍ୟବସାୟୀ, ଶିଳ୍ପ, ଅର୍ଥ, ଜଙ୍ଗଲ ଓ ପଞ୍ଚାୟତିରାଜ ବିଭାଗର ଅଧିକାରୀମାନଙ୍କ ସହ ପର୍ଯ୍ୟାୟଭିତ୍ତିକ ଆଲୋଚନା କରାଯାଇ ସେମାନଙ୍କର ମତାମତ ଲୋଡ଼ା ଯାଇଥିଲା।
ରାଜ୍ୟରେ ମାଣ୍ଡିଆ, ଯଅ, ଓ ବାଜରାଭିତ୍ତିକ ମଦ ପ୍ରସ୍ତୁତି ସହ ବ୍ୟବସାୟିକ ପ୍ରୋତ୍ସାହନ, ମଦ ଅପମିଶ୍ରଣ ରୋକିବା, ବ୍ୟାପକ ସଚେତନତା ନେଇ ବୈଠକରେ ଆଲୋଚନା ହୋଇଥିଲା। ସେହିଭଳି ଜନଜାତି ବର୍ଗଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହୁଲ ଫୁଲର ସଂଗ୍ରହ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିପାଇଁ ସଂପୃକ୍ତ ବ୍ୟକ୍ତି ଆବଶ୍ୟକୀୟ ଅର୍ଥ ପାଇପାରିବ ଏ ନେଇ ବୈଠକରେ ବ୍ୟାପକ ଭାବେ ଆଲୋଚନା କରାଯିବା ସହ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କର ମତାମତ ପ୍ରଦାନ କରିଥିଲେ।
ଉକ୍ତ ବୈଠକରେ ଅବକାରୀ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ,ରାଜ୍ୟ ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅମ୍ବର କୁମାର କର ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।