
ଭୁବନେଶ୍ବର: ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରେ ଆରମ୍ଭ ହୋଇଛି ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂ ତୋମାର ପ୍ରମୁଖ ଯୋଗଦେଇଛନ୍ତି। ତେବେ ରାଜ୍ୟ କାର୍ଯ୍ୟାଳୟରେ ବୈଠକ ନ କରି କେଭିଙ୍କ ବାସଭବନରେ କରିବା ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି।
ତେବେ ଓଡିଶାର ଖାଲିପଡିଥିବା ବିଭିନ୍ନ ନିଗମ ପଦପଦବୀ ପାଇଁ ଏହି ବୈଠକ କରାଯାଇଥିବା ଚର୍ଚ୍ଚା ହେଉଛି। କାରଣ ଦୀର୍ଘ ଦିନ ଧରି ଏହି ନିଗମ ପଦ ଖାଲି ପଡିଥିଲେ ମଧ୍ୟ ତାହାକୁ ପୂରଣ କରାଯାଇପାରୁ ନାହିଁ। କାହାକୁ ଅଧକ୍ଷ କରାଯିବ କାହାକୁ ବାଦ ଦିଆଯିବ ସେ ନେଇ କୌଣସି ନିଷ୍ପତି ଗ୍ରହଣ ହୋଇପାରୁ ନାହିଁ। ଫଳରେ ଏହି ବୈଠକ କେଭି ସିଂହଦେଓଙ୍କ ବାସଭବନରେ କରାଯାଇଛି।
ତେବେ ଆସନ୍ତାକାଲି ବିଜେପି ସଭାପତି ଜେ ପି ନଡ୍ଡା ଓଡିଶା ଗସ୍ତରେ ଆସୁଥିବାରୁ ସେ ନେଇ ପ୍ରସ୍ତୁତି ବୈଠକ କରାଯାଇଛି ବୋଲି କୁହାଯାଉଛି। ତେବେ ବୈଠକ ବର୍ତ୍ତମାନ ସୁଦ୍ଧା ଚାଲିଥିବାରୁ ପ୍ରକୃତ କାରଣ କଣ ଜଣାପଡି ନାହିଁ।