Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ବିଜେପିର ପ୍ରମୁଖ ପଦାଧିକାରୀଙ୍କ ବୈଠକରେ ପ୍ରସ୍ତୁତ ହେଲା ଆସନ୍ତା ନିର୍ବାଚନ ପାଇଁ ରଣନୀତି

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ କଣ ରହିବ ରଣନୀତି ସେ ନେଇ ପ୍ରସ୍ତୁତି କରାଯାଇଛି।

ଏଥିରେ ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ଶ୍ରୀମତୀ ଲତା ଉସେଣ୍ଡି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତିଙ୍କ ଉପସ୍ଥିତିରେ ପୃଥକ ପୃଥକ ଭାବେ ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି ଏବଂ ମିଡିଆ ବିଭାଗ ସହ ବୈଠକ ଅନୁଷ୍ଠିତ ହୋଇଛି।

ଏ ନେଇ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ, ସାଧାରଣ ନିର୍ବାଚନ ପୂର୍ବରୁ ଆଜି ଅନୁଷ୍ଠିତ ହେଉଥିବା ଉକ୍ତ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୈଠକରେ ଦଳର ସାଙ୍ଗଠନିକ ପୁର୍ନବିନ୍ୟାସ ବିଷୟରେ ଆଲୋଚନା ହେବା ସହ ଅନେକ ସାମ୍ପ୍ରତିକ ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଏଥି ସହ ଦଳ ତରଫରୁ ରାଜ୍ୟରେ ସଫଳ ଭାବେ ଚାଲିଥିବା ବୁଥ୍ ଚାଲ, ଗାଁ ଚାଲ, ଶକ୍ତିବନ୍ଦନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରାଯାଇଛି । ସଂଗଠନ ଏବଂ ନିର୍ବାଚନ ପରିପ୍ରେକ୍ଷୀରେ ଓଡିଶା ଗସ୍ତ ପାଇଁ ଆସୁଥିବା ଅନେକ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରସଙ୍ଗରେ ଆଲୋଚନା କରାଯାଇଛି ।

ବୈଠକରେ ଧାର୍ଯ୍ୟ ହୋଇଥିବା ସମସ୍ତ ରଣନୀତି ଓ ରୋଡମ୍ୟାପକୁ ସଫଳତାର ସହ କାର୍ଯ୍ୟାନ୍ୱୟନ କରି ଓଡିଶାବାସୀଙ୍କ ଆଶୀର୍ବାଦ ପ୍ରାପ୍ତ କରି ଓଡିଶାରେ ସରକାର ଗଠନ କରିବୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖପ୍ପା ହେଲେ ବିଜେପି ପ୍ରଭାରୀ ସୁନୀଲ ବଂଶଲ, ପାଲଟା ଆକ୍ରମଣ କଲେ ଓଡିଶା ନେତା

ଭୁବନେଶ୍ବର: ନିର୍ବାଚନ ପାଖେଇଲାଣି, ହେଲେ ଓଡିଶା ବିଜେପି ଏ ପର୍ଯ୍ୟନ୍ତ ତାହାର ମଙ୍ଗ ସଳଖ କରିପାରି ନାହିଁ। ଯାହାକୁ ନେଇ କେବଳ ନେତା କାହିଁକି ତୃଣମୂଳ ସ୍ତରର କର୍ମିମାନେ ମଧ୍ୟ ଚିନ୍ତା ଗ୍ରସ୍ତ ହୋଇ ପଡିଲେଣି। ପାଗ ବାନ୍ଧୁବାନ୍ଧୁ ବେଳ ପଳାଇବା ପରି ପରିସ୍ଥିତି ସୃଷ୍ଟି ହେଲାଣି। ବିଜେଡି ଯେଉଁ ପ୍ରକାରର ପ୍ରଚାର ଆରମ୍ଭ କରିସାରିଲାଣି ସେଥିରେ ବିଜେପି ଯେ ପଛରେ ପଡିଛି ତାହା ନିଃସନ୍ଦେହ। କାରଣ ବିଜେଡିର ରଣନୀତିକୁ ସାମନା କରିପାରୁ ନାହିଁ ବିଜେପି।

ଏପରି ପରିସ୍ଥିତିରେ ନିକଟରେ ବିଜେପି ଓଡିଶା ପ୍ରଭାରୀ ସୁନୀଲ ବଂଶଲ ଭୁବନେଶ୍ବର ଆସି ରାଜ୍ୟ କାର୍ଯ୍ୟାଳୟରେ ଏକ ବୈଠକ କରିଛନ୍ତି। ଏହି ବୈଠକରେ କୁଆଡେ ବଂଶଲ ନେତାମାନଙ୍କ ଉପରେ ଗରଗର ହୋଇଛନ୍ତି। ମୁଖ୍ୟତଃ ମୋଦି ସରକାରଙ୍କ ନଅ ବର୍ଷର ସଫଳତାକୁ ଗାଁ ଗାଁ ପ୍ରଚାର କରିବା ପାଇଁ କୁହାଯାଇଥିଲା। ହେଲେ ତାହା କାହିଁକି ଧୂମଧାମରେ ହୋଇପାରିଲା ନାହିଁ ବୋଲି ପ୍ରଶ୍ନ କରିଥିଲେ ବଂଶଲ।

ସେତିକି ନୁହେଁ ବର୍ତ୍ତମାନ କେଉଁ କେଉଁ ଜିଲ୍ଲାରେ ଏହି ମହାସମାବେଶ ହୋଇଛି ତାହାର ହିସାବ ମଧ୍ୟ ମାଗିଥିଲେ। ହେଲେ ଓଡିଶା ବିଜେପି ନେତାମାନଙ୍କ ପାଟିରୁ କିଛି କଥା ବାହାରି ନ ଥିଲା। ବଂଶଲ ଯେପରି ରାଗ ତମତମ ହେଲେ ସେଥିରେ କେହି କିଛି କହିପାରିଲେ ନାହିଁ। ସେ କହିଥିଲେ ଯେ, କେବଳ ଜେ ପି ନଡ୍ଡା ଆସିଥିବା ବେଳେ ସମାବେଶ ହୋଇଥିଲା। ଏହାପରେ ସେମିତି କିଛି ସମାବେଶ କାହିଁକି ହେଲା ନାହିଁ ବୋଲି ଏହି ବୈଠକରେ ସେ ପ୍ରଶ୍ନ କରିଥିଲେ।

ବଂଶଲ ଟିକିଏ ଶାନ୍ତ ପଡିବା ପରେ ଓଡିଶା ନେତା ଦେଇଥିଲେ ପାଲଟା ଜବାବ। ସେମାନେ ପ୍ରଶ୍ନ ଉଠାଇଥିଲେ ଯେ, ଓଡିଶାକୁ ନଡ୍ଡାଙ୍କ ସହିତ ମୋଦି, ରାଜନାଥ ସିଂ, ଅମିତ ସାହା ଆସିବାର ଥିଲା, ସେମାନେ କାହିଁକି ଆସିଲେ ନାହିଁ। ଏପରି ପ୍ରଶ୍ନ ଶୁଣି ଅଡୁଆରେ ପଡିଯାଇଥିଲେ ବଂଶଲ। କଥାକୁ ବୁଲାଇବା ପାଇଁ ସେ କହିଥିଲେ ଯେ, ସେମାନେ ଆସିଲେ କେବଳ ସମାବେଶ ହେବ ନ ହେଲେ ହେବ ନାହିଁ ବୋଲି ପ୍ରଶ୍ନ କରିଥିଲେ। ସେମାନେ କଣ ସବୁବେଳେ ଓଡିଶା ଆସିପାରିବେ ବୋଲି ନେତାଙ୍କୁ ବୁଝାଇଥିଲେ ବଂଶଲ।

ଏ କଥା ଶୁଣି ଆଉ କିଛି ନେତା କହିଥିଲେ ଯେ, ଆମେ ଆମ ନିର୍ବାଚନ ମଣ୍ଡଳୀରେ ମହାସମାବେଶ କରିବାର କ୍ଷମତା ଆମ ପାଖରେ ଅଛି। ହେଲେ ତାହାର ଖର୍ଚ୍ଚ ଆମକୁ କିଏ ଦେବ ବୋଲି ସେମାନେ ପ୍ରଶ୍ନ କରିଥିଲେ। ବର୍ତ୍ତମାନ କେଉଁଠି କିଏ ଟିକେଟ ପାଇବ ତାହା ଜଣାପଡି ନାହିଁ। ଏପରି କ୍ଷେତ୍ରରେ ଜଣେ କାହିଁକି ତା ପକେଟରୁ ପଇସା ଖର୍ଚ୍ଚ କରିବ ବୋଲି ବଂଶଲକୁ ପ୍ରଶ୍ନ ପଚାରିଥିଲେ। ଯାହାର ସଠିକ ଉତ୍ତର ନ ଦେଇ ବଂଶଲ କଥାଟିକୁ ବୁଲେଇ ଦେଇଥିଲେ।

ତେବେ ବଂଶଲ ବିଧାନ ସଭା ଅପେକ୍ଷା ଲୋକସଭା ଉପରେ ଜୋର ଦେବା ପାଇଁ ନେତାଙ୍କୁ ପରାମର୍ଶ ଦେଇଥିଲେ। ଆସନ୍ତା ନିର୍ବାଚନରେ ଲୋକସଭା ଆସନ ଉପରେ ବିଶେଷ ଦୃଷ୍ଟି ରଖ ବୋଲି ସେ କହିଥିଲେ। ଏଥର ଯେପରି କୋଡିଏଟି ଆସନରେ ବିଜେପି ଜିତିବ ସେ ନେଇ କାର୍ଯ୍ୟ କରାଯିବ ବୋଲି ସେ କହିଥିଲେ। ହେଲେ ବିଧାନସଭା ଆସନ ଛାଡି ଦେଇ ଲୋକସଭା ଆସନ ଜିତିବା କିପରି ଚିନ୍ତା କରାଯିବ ବୋଲି ଓଡିଶା ନେତାମାନେ ପ୍ରଶ୍ନ କରିଥିଲେ। ତେବେ ସୁନୀଲ ବଂଶଲ ନେତାଙ୍କ ଏ କଥାରେ ବା ପ୍ରଶ୍ନରେ ଅସନ୍ତୁଷ୍ଠ ହୋଇ ଦିଲ୍ଲୀ ଚାଲିଯାଇଥିଲେ।

ଏହାପରେ ବର୍ତ୍ତମାନ ବିଜେପି ନେତାମାନଙ୍କର ଭାଳେଣି ପଡିଯାଇଛି। କାରଣ ସୁନୀଲ ବଂଶଲଙ୍କ କଥାବାର୍ତ୍ତାରୁ ସ୍ପଷ୍ଟ ହୋଇଛି ଯେ, କେନ୍ଦ୍ର ବିଜେପି କେବଳ ଲୋକସଭା ଆସନକୁ ଗୁରୁତ୍ବ ଦେଉଛି। ବିଧାନସଭା ଆସନ ତାଙ୍କ ପାଇଁ କୌଣସି ଗୁରୁତ୍ବ ବହନ କରୁ ନାହିଁ। ଫଳରେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶା ବାନ୍ଧିଥିବା ନେତାଙ୍କର ବର୍ତ୍ତମାନ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି।