
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଶ୍ରୀଲଙ୍କା ଗସ୍ତ କାଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଥିଲେ । ସେସବୁ ମଧ୍ୟରେ ଥିଲା ୧୨୮ କିଲୋମିଟର ମାହୋ-ଓମାନ୍ଥାଇ ରେଳଲାଇନର ଆଧୁନିକୀକରଣ। ଏହାସହିତ ମହୋ-ଅନୁରାଧାପୁରା ସେକ୍ସନରେ ଉନ୍ନତ ସିଗନାଲ ଓ ଟେଲିଯୋଗାଯୋଗ ବ୍ୟବସ୍ଥା ସ୍ଥାପନ ସହ ଜଡିତ ସିଗନାଲ ପ୍ରକଳ୍ପର ବି ସେ ଉଦଘାଟନ କରିଥିଲେ।
ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶର ବିଭିନ୍ନ ପଡ଼ୋଶୀ ଦେଶରେ ହୋଇଥିବା ଅନେକ ବିକାଶମୂଳକ ପ୍ରକଳ୍ପର ଏଗୁଡ଼ିକ ଗୋଟିଏ ଗୋଟିଏ ଉଦାହରଣ। ପଡ଼ୋଶୀ ଦେଶଗୁଡ଼ିକରେ ଏକ ନିର୍ଭରଯୋଗ୍ୟ ବିକାଶ ସହଯୋଗୀ ଭାବେ ଭାରତର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି।
ଶ୍ରୀଲଙ୍କା
ଇଣ୍ଡିଆନ ହାଉସିଂ ପ୍ରୋଜେକ୍ଟ (ତୃତୀୟ ପର୍ଯ୍ୟାୟ) ଅଧୀନରେ ଭାରତ କେନ୍ଦ୍ରୀୟ ଏବଂ ଉଭା ପ୍ରଦେଶରେ ପ୍ଲାଣ୍ଟେସନ ଶ୍ରମିକଙ୍କ ପାଇଁ ପ୍ରାୟ ୪,୦୦୦ ଘର ନିର୍ମାଣ କରିଛି । ଶ୍ରୀଲଙ୍କାର ଅର୍ଥନୈତିକ ସଙ୍କଟ ସମୟରେ ଭାରତ ଅତ୍ୟାବଶ୍ୟକ ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଆମଦାନୀକୁ ସମର୍ଥନ କରିବା ପାଇଁ ୧ ବିଲିୟନ ଡଲାରର କ୍ରେଡିଟ୍ ଲାଇନ୍ (ମାର୍ଚ୍ଚ ୨୦୨୨) ପ୍ରଦାନ କରିଥିଲା।
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୃଢ଼ ସାଂସ୍କୃତିକ ସମ୍ପର୍କ ରହିଛି। ୨୦୧୫ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାଫନାଗସ୍ତ ସମୟରେ ଜାଫନା ସାଂସ୍କୃତିକ କେନ୍ଦ୍ରର ଶିଳାନ୍ୟାସ କରିଥିଲେ । ପରବର୍ତ୍ତୀ ସମୟରେ ୨୦୨୨ ମାର୍ଚ୍ଚରେ ଏହି କେନ୍ଦ୍ର ଉଦଘାଟିତ ହୋଇଥିଲା ଏବଂ ଫେବୃଆରୀ ୨୦୨୩ରେ ଶ୍ରୀଲଙ୍କାର ଜନସାଧାରଣଙ୍କ ପାଇଁ ଖୋଲାଯାଇଥିଲା ।
ନେପାଳ
ପଡ଼ୋଶୀ ଦେଶ ନେପାଳରେ ବି ଭାରତ ଅନେକଗୁଡିଏ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିଛି । ଶକ୍ତି କ୍ଷେତ୍ରରେ ଭାରତ ଓ ନେପାଳ ସୀମାପାର ଶକ୍ତି ସହଯୋଗକୁ ସୁଦୃଢ଼ କରିଛନ୍ତି। ୨୦୧୯ରେ ଉଦଘାଟିତ ହୋଇଥିବା ମୋତିହାରୀ-ଅମଲେଖଗଞ୍ଜ ପେଟ୍ରୋଲିୟମ ପାଇପଲାଇନ (ଏମଏପିଏଲ) ଦକ୍ଷିଣ ଏସିଆର ପ୍ରଥମ ସୀମାପାର ପେଟ୍ରୋଲିୟମ ପାଇପଲାଇନରେ ପରିଣତ ହୋଇଥିଲା, ଯାହା ନେପାଳକୁ ଆର୍ଥିକ ଫାଇଦା ଦେଇଥିଲା।
ଜୁନ୍ ୨୦୨୩ରେ ସ୍ୱାକ୍ଷରିତ ବୁଝାମଣାପତ୍ରରେ ସିଲିଗୁଡ଼ି-ଝାପା ପାଇପଲାଇନ ଏବଂ ଚିତ୍ୱାନ ଏବଂ ଝାପାରେ ଦୁଇଟି ଗ୍ରୀନଫିଲ୍ଡ ଟର୍ମିନାଲ ସମେତ ନୂତନ ପେଟ୍ରୋଲିୟମ ଭିତ୍ତିଭୂମି ପାଇଁ ବାଟ ଖୋଲିଛି । ଭିତ୍ତିଭୂମି ବିକାଶରେ ନେପାଳର ପରିବହନ ନେଟୱର୍କକୁ ଆଧୁନିକୀକରଣ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ନେପାଳଗଞ୍ଜ, ବିରାଟନଗର ଏବଂ ବୀରଗଞ୍ଜରେ ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟ (ଆଇସିପି) ବିକଶିତ କରିଛି।
ଏପ୍ରିଲ ୨୦୧୫ର ଭୂମିକମ୍ପ ପରେ ଭାରତ ସରକାର ନେପାଳରେ ଭୂମିକମ୍ପ ପରବର୍ତ୍ତୀ ପୁନଃନିର୍ମାଣ ପ୍ରକଳ୍ପ ପାଇଁ ୧ ବିଲିୟନ ଆମେରିକୀୟ ଡଲାର ପ୍ରତିଶ୍ରୁତି ଦେଇଥିଲେ, ଯେଉଁଥିରେ ୨୫୦ ନିୟୁତ ଆମେରିକୀୟ ଡଲାର ଅନୁଦାନ ଏବଂ ୭୫୦ ନିୟୁତ ଆମେରିକୀୟ ଡଲାର ଏକ ଲାଇନ ଅଫ୍ କ୍ରେଡିଟ୍ ଅନ୍ତର୍ଭୁକ୍ତ ଥିଲା ।
ବାଂଲାଦେଶ
ଭାରତ ସର୍ବଦା ବାଂଲାଦେଶ ପାଇଁ ଏକ ବିଶ୍ୱସ୍ତ ବିକାଶ ସହଯୋଗୀ ରହିଆସିଛି । ୨୦୨୩ରେ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିଥିବା ଆଖାଉରା-ଅଗରତାଲା ରେଳ ସଂଯୋଗ ପ୍ରକଳ୍ପ (୨୭୦.୨ କୋଟି ଟଙ୍କା) ଆଞ୍ଚଳିକ ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଉଦଘାଟନ କରିଥିବା ମୈତ୍ରୀ ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ (ନଭେମ୍ବର ୨୦୨୩) ବାଂଲାଦେଶର ଅନ୍ୟତମ ବୃହତ୍ତମ ବିଦ୍ୟୁତ ପ୍ଲାଣ୍ଟ, ଯାହା ବିଦ୍ୟୁତ ଉତ୍ପାଦନକୁ ଯଥେଷ୍ଟ ବୃଦ୍ଧି କରିଥାଏ।
ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ, ଭାରତ-ବାଂଲାଦେଶ ବନ୍ଧୁତା ପାଇପଲାଇନ୍ (୨୮୫.୨୪ କୋଟି ଟଙ୍କା) ୨୦୨୩ରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ତତ୍କାଳୀନ ବାଂଲାଦେଶୀ ପ୍ରତିପକ୍ଷ ଉଦଘାଟନ କରିଥିଲେ। ଭାରତ ମଧ୍ୟ ବାଂଲାଦେଶକୁ ୧୦୯ଟି ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ଯୋଗାଇ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ ସହାୟତା ପ୍ରଦାନ କରିଛି ।
ଆଫଗାନିସ୍ତାନ
ଆଫଗାନିସ୍ତାନର ବିକାଶ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ରହିଆସିଛି। ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିଥିବା ଆଫଗାନିସ୍ତାନ-ଭାରତ ବନ୍ଧୁତା ଡ୍ୟାମ୍ (ସଲମା ଡ୍ୟାମ୍) (୨୦୧୬) ରେ ଗୁରୁତ୍ୱପୂର୍ଣ୍ଣ ଜଳସେଚନ ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ରହିଛି।ଭାରତ ଆଫଗାନିସ୍ତାନ ସଂସଦ ଭବନ ନିର୍ମାଣ କରିଥିଲା, ଯାହାକୁ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦୀ ଆଫଗାନିସ୍ତାନ ଗଣତନ୍ତ୍ରକୁ ସମର୍ଥନର ପ୍ରତୀକ ଭାବରେ ଉଦଘାଟନ କରିଥିଲେ । ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ସହାୟତା ପାଇଁ ଭାରତ ଜଟିଳ ସମୟରେ ୨.୪୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଯୋଗାଇଛି।
ମିଆଁମାର
ମିଆଁମାରରେ ଯୋଗାଯୋଗ ବ୍ୟବସ୍ଥାରେ ବୃଦ୍ଧି ଲାଗି ଭାରତର ପଦକ୍ଷେପ ସେଠାରେ ବ୍ୟବସାୟ ଓ ବାଣିଜ୍ୟକୁ ବୃଦ୍ଧି କରିଛି। କାଲାଦାନ ମଲ୍ଟି ମୋଡାଲ ଟ୍ରାନଜିଟ୍ ଟ୍ରାନ୍ସପୋର୍ଟ ପ୍ରୋଜେକ୍ଟ (୯୮୨.୯୯ କୋଟି ଟଙ୍କା) ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତ ୟାଙ୍ଗୁନସ୍ଥିତ ମିଆଁମାର ଇନଷ୍ଟିଚ୍ୟୁଟ୍ ଅଫ୍ ଇନ୍ଫର୍ମେସନ୍ ଟେକ୍ନୋଲୋଜି (ଏମଆଇଆଇଟି) ଏବଂ ନାପିଟୋ ସ୍ଥିତ ଆଡଭାନ୍ସ ସେଣ୍ଟର ଅଫ୍ ଏଗ୍ରିକଲ୍ଚର ରିସର୍ଚ୍ଚ ଆଣ୍ଡ ଏଜୁକେସନ (ଏସିଏଆର୍)କୁ ସହାୟତା କରି ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପୁଞ୍ଜିନିବେଶ କରିଛି।
ନିକଟରେ ମିଆଁମାରରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପ ପରେ ଭାରତ ପ୍ରଥମ ଦେଶଭାବେ ସେଠାରେ ପହଞ୍ଚିଥିଲା ଓ ଅପରେସନ ବ୍ରହ୍ମ ଅଧିନରେ ପ୍ରାୟ ୫୦ ଟନ ମାନବୀୟ ଓ ବିପର୍ଯ୍ୟୟ ସହାୟତା ପ୍ରଦାନ କରିଥିଲା ।
ଭୁଟାନ୍
ଭୁଟାନ ସହ ଭାରତର ଭାଗିଦାରୀ ମାଧ୍ୟମରେ ସ୍ୱାସ୍ଥ୍ୟସେବା ଏବଂ ଶକ୍ତି ଉପରେ ଗୁରୁତ୍ୱ ଦିଆଯାଇଛି । ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଗ୍ୟାଲଟସୁଏନ୍ ଜେଟସୁଏନ୍ ଜେଟାସୁନ୍ ପେମା ୱାଙ୍ଗଚୁକ୍ ମାତୃ ଏବଂ ଶିଶୁ ଡାକ୍ତରଖାନା (୧୪୧ କୋଟି ଟଙ୍କା) ସ୍ବତନ୍ତ୍ର ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛି। ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଉଦଘାଟିତ ମାଙ୍ଗଦେଛୁ ଜଳବିଦ୍ୟୁତ ପ୍ରକଳ୍ପ (୫,୦୩୩.୫୬ କୋଟି ଟଙ୍କା) ଏକ ଐତିହାସିକ ପଦକ୍ଷେପ ଯାହା ଭୁଟାନର ଅକ୍ଷୟ ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିଛି ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇଛି ।
ମାଳଦ୍ୱୀପ
ମାଳଦ୍ୱୀପର ଭିତ୍ତିଭୂମି, ପରିବେଶ ସୁରକ୍ଷା ଏବଂ ନିରାପତ୍ତାକୁ ସମର୍ଥନ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଅଗଷ୍ଟ ୨୦୨୪ରେ ଉଦଘାଟିତ ହୋଇଥିବା ଜଳ ଓ ପରିମଳ ପ୍ରକଳ୍ପ (୧୦୭.୩୪ କୋଟି ଟଙ୍କା) ୩୪ଟି ଦ୍ୱୀପରେ ଜଳ ଏବଂ ସ୍ୱେରେଜ୍ ସୁବିଧାରେ ଯଥେଷ୍ଟ ଉନ୍ନତି ଆଣିଛି। ଏହି ପ୍ରକଳ୍ପ ଦ୍ୱାରା ୨୮,୦୦୦ ମାଳଦ୍ୱୀପବାସୀ ସିଧାସଳଖ ଉପକୃତ ହେବେ ଏବଂ ଜନସ୍ୱାସ୍ଥ୍ୟ ଏବଂ ପରିବେଶ ସୁରକ୍ଷା ବୃଦ୍ଧି ପାଇବ ।
ଅଗଷ୍ଟ ୨୦୨୪ରେ ଉଦଘାଟିତ ହୋଇଥିବା ଆଡୁ ସିଟି ଡେଭଲପମେଣ୍ଟ ପ୍ରୋଜେକ୍ଟ (୧୬୦.୨୪ କୋଟି ଟଙ୍କା) ଜମି ପୁନରୁଦ୍ଧାର ଏବଂ ଉପକୂଳ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲା । ଭାରତ କମ୍ପୋଜିଟ୍ ଟ୍ରେନିଂ ସେଣ୍ଟର (ସିଟିସି) (୫୨.୪୨ କୋଟି ଟଙ୍କା) ନିର୍ମାଣ ମାଧ୍ୟମରେ ଦକ୍ଷତା ବୃଦ୍ଧି ଏବଂ ନିରାପତ୍ତା କ୍ଷେତ୍ରରେ ଯୋଗଦାନ ଦେଇଛି, ଯାହା ମାଳଦ୍ୱୀପର ସୁରକ୍ଷା ଏବଂ ପ୍ରଶିକ୍ଷଣ ଭିତ୍ତିଭୂମିକୁ ଉନ୍ନତ କରିଛି।
ପଡ଼ୋଶୀଙ୍କ ପାଇଁ ନିର୍ଭରଯୋଗ୍ୟ ସହଯୋଗୀ
୨୦୧୪ ପରଠାରୁ ଭାରତ ନିଜ ପଡ଼ୋଶୀ ଦେଶମାନଙ୍କ ଲାଗି ଏକ ଶକ୍ତିଶାଳୀ ଏବଂ ନିର୍ଭରଯୋଗ୍ୟ ବିକାଶ ସହଯୋଗୀ ଭାବେ ଉଭା ହୋଇଛି। ‘ନେବରହୁଡ୍ ଫର୍ଷ୍ଟ’ ଏବଂ ‘ବସୁଧୈବ କୁଟୁମ୍ବକମ୍’ର ନୀତିରେ ପରିଚାଳିତ ଭାରତ ଆଞ୍ଚଳିକ ଅଭିବୃଦ୍ଧି ଏବଂ ସ୍ଥିରତାର ପ୍ରମୁଖ ଚାଳକ ଭାବରେ ନିଜର ଭୂମିକାକୁ ସୁଦୃଢ଼ କରିଚାଲିଛି। ଏହି ପ୍ରକଳ୍ପଗୁଡ଼ିକ ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ ଅଧିକ ସଂଯୁକ୍ତ ଭବିଷ୍ୟତ ସୁନିଶ୍ଚିତ କରିବା ସହ ଏହି ଅଞ୍ଚଳରେ ସଦ୍ଭାବନା ଏବଂ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି ।