ଭୁବନେଶ୍ୱର: ଅନୁଗୋଳ ଜିଲ୍ଲାର ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ଏବଂ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରକାରୀ ମେଡିକାଲ କଲେଜରେ ୨୦୨୫-୨୬ ଶିକ୍ଷାବର୍ଷରୁ ୧୦୦ ଲେଖାଁଏ ଏମବିବିଏସ ସିଟ୍ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଭାରତ ସରକାର ଅନୁମତି ଦେଇଛନ୍ତି ।
ଏଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଓଡ଼ିଶାର ସ୍ୱାସ୍ଥ୍ୟସେବା ଏବଂ ମେଡିକାଲ ଶିକ୍ଷାର ବିକାଶ ପାଇଁ ନିରନ୍ତର ପ୍ରଚେଷ୍ଟା କରୁଥିବାରୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ ।
ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ଓଡ଼ିଶାରେ ସ୍ୱାସ୍ଥ୍ୟ ଅଭିବୃଦ୍ଧି ସହ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ଏହି ଯୁଗାନ୍ତକାରୀ ପଦକ୍ଷେପ ; ଅନୁଗୋଳ ଜିଲ୍ଲା ସମେତ କନ୍ଧମାଳ ଭଳି ଜନଜାତି ବହୁଳ ଅଞ୍ଚଳରେ ନାଗରିକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ପାଇଁ ଟ ୧୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି । ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଦ୍ୱାରା ତାଳଚେର ସମେତ ଅନୁଗୋଳ ଓ ଆଖପାଖ ଜିଲ୍ଲାର ଲୋକମାନେ ବିଶେଷ ଭାବରେ ଉପକୃତ ହେବେ । ଏହି ସୁବିଧା ସ୍ଥାନୀୟ ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ପରିବର୍ତ୍ତନ କରିବା ସହ ସମସ୍ତଙ୍କ ପାଇଁ ଗୁଣାତ୍ମକ ଚିକିତ୍ସା ସେବା ଉପଲବ୍ଧ କରାଇବ, ଯାହା ଡବଲ-ଇଞ୍ଜିନ୍ ସରକାରର ପ୍ରତିବଦ୍ଧତାର ଜ୍ୱଳନ୍ତ ପ୍ରତିଫଳନ ବୋଲି ସେ ମତପ୍ରକାଶ କରିଛନ୍ତି ।