Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମଣିପୁରରେ ୭,୩୦୦ କୋଟିର ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ମଣିପୁରରେ ୭,୩୦୦ କୋଟିର ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

September 13, 2025No Comments7 Mins Read
Share Facebook Twitter LinkedIn Email WhatsApp Copy Link
ମଣିପୁର
ମଣିପୁରରେ ୭,୩୦୦ କୋଟିର ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁରର ଚୁରାଚାନ୍ଦପୁରରେ ୭,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମଣିପୁର ମାଟି ହେଉଛି ସାହସ ଓ ଦୃଢ଼ତାର ଭୂମି ଏବଂ ମଣିପୁରର ପାହାଡ଼ଗୁଡ଼ିକ ପ୍ରକୃତିର ଏକ ଅମୂଲ୍ୟ ଉପହାର। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପାହାଡ଼ଗୁଡ଼ିକ ଲୋକଙ୍କ ନିରନ୍ତର କଠିନ ପରିଶ୍ରମକୁ ମଧ୍ୟ ପ୍ରତିନିଧିତ୍ୱ କରୁଛି। ମଣିପୁରର ଲୋକଙ୍କ ଅଦମ୍ୟ ମନୋବଳକୁ ସଲାମ ଜଣାଇ ଶ୍ରୀ ମୋଦୀ ଏତେ ବିପୁଳ ସଂଖ୍ୟାରେ ଆସିଥିବା ଲୋକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ସେମାନଙ୍କ ସ୍ନେହ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ଏହି ଅଞ୍ଚଳର ସଂସ୍କୃତି, ପରମ୍ପରା, ବିଭିନ୍ନତା ଏବଂ ପ୍ରାଣବନ୍ତ ଭାରତର ଏକ ପ୍ରମୁଖ ଶକ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, “ମଣିପୁର” ନାମରେ “ମଣି” ଶବ୍ଦ ରହିଛି, ଯାହା ଆଗାମୀ ସମୟରେ ସମଗ୍ର ଉତ୍ତର-ପୂର୍ବର ଉଜ୍ଜ୍ୱଳତାକୁ ଆହୁରି ବୃଦ୍ଧି କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ସରକାର ମଣିପୁରର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରିବା ପାଇଁ ନିରନ୍ତର ଭାବରେ କାର୍ଯ୍ୟ କରିଆସୁଛି। ସେ କହିଛନ୍ତି ଯେ, ଏହି ମନୋଭାବ ନେଇ ସେ ଆଜି ମଣିପୁରର ଲୋକଙ୍କ ମଧ୍ୟକୁ ଆସିଛନ୍ତି। ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ, ପ୍ରାୟ ୭,୦୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରାଯାଇଛି। ଯାହା ମଣିପୁରର, ବିଶେଷକରି ପାହାଡ଼ରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ଜୀବନ ଶୈଳୀକୁ ଉନ୍ନତ କରିବ। ସେ କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡ଼ିକ ସମ୍ପୃକ୍ତ ଅଞ୍ଚଳ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ନୂତନ ସୁବିଧା ସୃଷ୍ଟି କରିବ । ଏଥିସହିତ ଏହି ନୂତନ ପଦକ୍ଷେପ ପାଇଁ ମଣିପୁର ଓ ଚୁରାଚାନ୍ଦପୁରର ଲୋକଙ୍କୁ ପ୍ରଧାନମନ୍ତ୍ରୀ ତାଙ୍କର ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି।

ମଣିପୁର ଏକ ସୀମାନ୍ତ ରାଜ୍ୟ ଯେଉଁଠାରେ ସଂଯୋଗୀକରଣ ସର୍ବଦା ଏକ ପ୍ରମୁଖ ଚ୍ୟାଲେଞ୍ଜ ହୋଇଆସିଛି ବୋଲି ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ। ସୁଗମ ରାସ୍ତା ଅଭାବରୁ ଲୋକମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ସ୍ୱୀକାର କରି କହିଛନ୍ତି ଯେ, ସେ ସେମାନଙ୍କ ସମସ୍ୟାକୁ ବୁଝିପାରୁଛନ୍ତି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ୨୦୧୪ ମସିହାରୁ, ସେ ମଣିପୁରରେ ସଂଯୋଗୀକରଣ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ନିରନ୍ତର ଧ୍ୟାନ ଦେଇଆସୁଛନ୍ତି ଏବଂ ଭାରତ ସରକାର ଏହି ସମସ୍ୟାର ସମାଧାନ ପାଇଁ ଦୁଇଟି ସ୍ତରରେ କାର୍ଯ୍ୟ କରୁଛି। ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ପ୍ରଥମତଃ, ମଣିପୁରରେ ରେଳ ଏବଂ ସଡ଼କ ଭିତ୍ତିଭୂମି ପାଇଁ ବଜେଟ ବହୁ ଗୁଣ ବୃଦ୍ଧି କରାଯାଇଛି । ଦ୍ୱିତୀୟତଃ, କେବଳ ସହରଗୁଡ଼ିକୁ ନୁହେଁ ବରଂ ଗ୍ରାମଗୁଡ଼ିକୁ ମଧ୍ୟ ସଡ଼କ ସଂଯୋଗୀକରଣ ବିସ୍ତାର କରିବା ପାଇଁ ପ୍ରୟାସ କରାଯାଉଛି।

ଗତ କିଛି ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ଜାତୀୟ ରାଜପଥ ପାଇଁ ୩,୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି ବୋଲି ଉଲ୍ଲେଖ କରି, ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ, ୮,୭୦୦ କୋଟି ଟଙ୍କାର ନୂତନ ରାଜପଥ ପ୍ରକଳ୍ପଗୁଡ଼ିକ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ପୂର୍ବରୁ ଏହି ଅଞ୍ଚଳର ଗ୍ରାମଗୁଡ଼ିକରେ ପହଞ୍ଚିବା ଅତ୍ୟନ୍ତ କଷ୍ଟକର ଥିଲା – ଏହା ଲୋକମାନଙ୍କୁ ଭଲଭାବରେ ଜଣା। ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ, ଏବେ ଶହ ଶହ ଗ୍ରାମକୁ ସଡ଼କ ସଂଯୋଗୀକରଣ କରାଯାଇଛି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହାଦ୍ୱାରା ପାହାଡ଼ ଅଞ୍ଚଳର ଗ୍ରାମ ଓ ଜନଜାତୀୟ ସମୁଦାୟ ବିଶେଷ ଭାବରେ ଲାଭାନ୍ୱିତ ହେଉଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମ ସରକାରଙ୍କ ଅଧୀନରେ, ମଣିପୁରରେ ରେଳ ସଂଯୋଗୀକରଣ ବିସ୍ତାର କରାଯାଉଛି। ଜିରିବାମ୍-ଇମ୍ଫାଲ୍ ରେଳ ଲାଇନ ଖୁବ୍ ଶୀଘ୍ର ରାଜଧାନୀ ଇମ୍ଫାଲ୍‌କୁ ଜାତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରିବ”। ଏହି ପ୍ରକଳ୍ପରେ ସରକାର ୨୨,୦୦୦ କୋଟି ଟଙ୍କା ବିନିଯୋଗ କରିଥିବା ସେ ପ୍ରକାଶ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଇମ୍ଫାଲ୍ ବିମାନବନ୍ଦର ଏହି ଅଞ୍ଚଳରେ ବିମାନ ସଂଯୋଗୀକରଣକୁ ଉନ୍ନତ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବିମାନବନ୍ଦରରୁ ଦେଶର ଅନ୍ୟାନ୍ୟ ଅଂଶକୁ ହେଲିକପ୍ଟର ସେବା ମଧ୍ୟ ଆରମ୍ଭ କରାଯାଇଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି ବର୍ଦ୍ଧିତ ସଂଯୋଗୀକରଣ ମଣିପୁରର ଲୋକଙ୍କ ସୁବିଧାକୁ ଉନ୍ନତ କରୁଛି ଏବଂ ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି।

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି, “ଭାରତ ଦ୍ରୁତ ଗତିରେ ବିକାଶ କରୁଛି ଏବଂ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ। ବିକାଶର ଲାଭ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚିବା ସୁନିଶ୍ଚିତ କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରହିଛି’’ । ସେ ସ୍ମରଣ କରାଇଛନ୍ତି ଯେ, ଗୋଟିଏ ସମୟ ଥିଲା ଯେତେବେଳେ ଦିଲ୍ଲୀରେ କରାଯାଉଥିବା ଘୋଷଣାଗୁଡ଼ିକ ମଣିପୁର ଭଳି ଅଞ୍ଚଳଗୁଡ଼ିକରେ ପହଞ୍ଚିବାକୁ ଦଶନ୍ଧି ଲାଗିଯାଉଥିଲା। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆଜି ଚୁରାଚାନ୍ଦପୁର ଏବଂ ମଣିପୁର ଦେଶର ଅନ୍ୟାନ୍ୟ ଅଞ୍ଚଳ ସହିତ ତାଳଦେଇ ପ୍ରଗତି କ୍ଷେତ୍ରରେ ଆଗକୁ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ଏହା ଉପରେ ଆଲୋକପାତ କରିଛନ୍ତି ଯେ, ସରକାର ଗରିବଙ୍କ ନିମନ୍ତେ ପକ୍କା ଘର ନିର୍ମାଣ ପାଇଁ ଏକ ଦେଶବ୍ୟାପୀ ଯୋଜନା ଆରମ୍ଭ କରିଥିଲେ, ଏହି ଯୋଜନା ଦ୍ୱାରା ମଣିପୁରରେ ହଜାର ହଜାର ପରିବାର ଉପକୃତ ହୋଇଛନ୍ତି। ପ୍ରାୟ ୬୦,୦୦୦ ଘର ପୂର୍ବରୁ ନିର୍ମାଣ ହୋଇସାରିଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଏହି ଅଞ୍ଚଳ ପୂର୍ବରୁ ଘୋର ବିଦ୍ୟୁତ୍ ଅଭାବର ସମ୍ମୁଖୀନ ହେଉଥିଲା। ସେ କହିଛନ୍ତି ଯେ, ତାଙ୍କ ସରକାର ଲୋକମାନଙ୍କୁ ଏହି କଷ୍ଟରୁ ମୁକ୍ତ କରିବା ପାଇଁ ସଂକଳ୍ପ ନେଇଥିଲେ ଏବଂ ଫଳସ୍ୱରୂପ, ମଣିପୁରରେ ଏକ ଲକ୍ଷରୁ ଅଧିକ ପରିବାର ମାଗଣା ବିଦ୍ୟୁତ୍ ସଂଯୋଗ ପାଇଛନ୍ତି।

ମଣିପୁରରେ ମା’ ଏବଂ ଭଉଣୀମାନେ ଦୀର୍ଘ ଦିନ ଧରି ପାଣି ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସମସ୍ୟାର ସମାଧାନ ପାଇଁ ସରକାର ‘ହର ଘର ନଲ୍ ସେ ଜଳ’ ଯୋଜନା ଆରମ୍ଭ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ, ସାରା ଦେଶରେ ୧୫ କୋଟିରୁ ଅଧିକ ଲୋକ ପାଇପ୍‌ ପାଣି ସଂଯୋଗ ପାଇଛନ୍ତି। ଶ୍ରୀ ମୋଦୀ ଆହୁରି ମଧ୍ୟ ମନ୍ତବ୍ୟ ଦେଇଛନ୍ତି ଯେ, ୭-୮ ବର୍ଷ ପୂର୍ବେ, ମଣିପୁରରେ କେବଳ ୨୫,୦୦୦ ରୁ ୩୦,୦୦୦ ପରିବାର ପାଇପ୍ ପାଣି ପାଉଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ, ଆଜି, ରାଜ୍ୟର ୩.୫ ଲକ୍ଷରୁ ଅଧିକ ପରିବାର ଟ୍ୟାପ୍ ପାଣି ପାଇପାରୁଛନ୍ତି। ଖୁବ୍ ଶୀଘ୍ର, ମଣିପୁରର ପ୍ରତ୍ୟେକ ପରିବାରଙ୍କ ଘରକୁ ପାଇପ୍ ପାଣି ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଛନ୍ତି।

ସାମାଜିକ ଭିତ୍ତିଭୂମି ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସମୟରେ ପାହାଡ଼ ଏବଂ ଆଦିବାସୀ ଅଞ୍ଚଳରେ ଭଲ ସ୍କୁଲ, କଲେଜ ଏବଂ ହସ୍ପିଟାଲ କେବଳ ସ୍ୱପ୍ନ ଥିଲା। ସେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଯଦି କେହି ଅସୁସ୍ଥ ହୋଇପଡ଼ନ୍ତି, ତେବେ ହସ୍ପିଟାଲରେ ପହଞ୍ଚିବାକୁ ବହୁତ ସମୟ ଲାଗୁଥିଲା। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଭାରତ ସରକାରଙ୍କ ପ୍ରୟାସ ଯୋଗୁଁ ପରିସ୍ଥିତି ଏବେ ପରିବର୍ତ୍ତନ ହେଉଛି ଏବଂ ଚୁରାଚାନ୍ଦପୁରରେ ଏକ ମେଡିକାଲ କଲେଜ ପ୍ରତିଷ୍ଠିତ ହୋଇଛି। ସେ କହିଛନ୍ତି ଯେ, ବର୍ତ୍ତମାନ ସେଠାରେ ନୂତନ ଡାକ୍ତରମାନଙ୍କୁ ତାଲିମ ଦିଆଯାଉଛି ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ହେଉଛି। ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଏହି ସତ୍ୟତା ଉପରେ ଚିନ୍ତା କରିବାକୁ ଆହ୍ୱାନ ଦେଉଛନ୍ତି ଯେ, ସ୍ୱାଧୀନତା ପରେ ଅନେକ ଦଶନ୍ଧି ଧରି ମଣିପୁରର ପାର୍ବତ୍ୟ ଅଞ୍ଚଳରେ କୌଣସି ମେଡିକାଲ କଲେଜ ନଥିଲା। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ଏହି ସଫଳତା କେବଳ ବର୍ତ୍ତମାନର ସରକାରଙ୍କ ପ୍ରୟାସ ଯୋଗୁଁ ସମ୍ଭବ ହୋଇପାରିଛି। ସେ ଉଲ୍ଲେଖ କରି କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ-ଡିଭାଇନ୍’ ଯୋଜନା ଅଧୀନରେ ସରକାର ପାଞ୍ଚଟି ପାହାଡ଼ିଆ ଜିଲ୍ଲାରେ ଆଧୁନିକ ସ୍ୱାସ୍ଥ୍ୟ ସେବା ବିକଶିତ କରୁଛନ୍ତି। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ସରକାର ଗରିବ ପରିବାର ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦେଉଛନ୍ତି। ସେ ସୂଚନା ଦେଇ କହିଛନ୍ତି ଯେ, ମଣିପୁରରେ ପ୍ରାୟ ୨.୫ ଲକ୍ଷ ରୋଗୀ ଏହି ଯୋଜନା ଅଧୀନରେ ମାଗଣା ଚିକିତ୍ସା ପାଇଛନ୍ତି। ସେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଏହି ସୁବିଧା ନଥିଲେ, ରାଜ୍ୟର ଗରିବ ପରିବାରଗୁଡ଼ିକୁ ନିଜ ପକେଟରୁ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି ସମସ୍ତ ଖର୍ଚ୍ଚ ଭାରତ ସରକାର ବହନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ଗରିବ ନାଗରିକଙ୍କ ସମସ୍ୟାକୁ ସମାଧାନ କରିବା ହେଉଛି ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା।

“ମଣିପୁରର ମାଟି ଓ ଅଞ୍ଚଳ ହେଉଛି ଆଶା ଓ ଆକାଂକ୍ଷାର ଭୂମି”, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ, ଏହି ବିଶିଷ୍ଟ ଅଞ୍ଚଳ ହିଂସାର କବଳିତ ହୋଇଥିଲା। ସେ କହିଛନ୍ତି ଯେ, କିଛି ସମୟ ପୂର୍ବରୁ ସେ ଶିବିରରେ ରହୁଥିବା ପୀଡିତ ବ୍ୟକ୍ତିମାନଙ୍କୁ ଭେଟିଥିଲେ। ତାଙ୍କ ସହିତ ଆଲୋଚନା ପରେ, ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ, ମଣିପୁରରେ ଆଶା ଓ ଆସ୍ଥାର ନୂତନ ପ୍ରଭାତ ଆସୁଛି।

ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ, “ଯେକୌଣସି ଅଞ୍ଚଳରେ ବିକାଶ ପାଇଁ ଶାନ୍ତି ପ୍ରତିଷ୍ଠା ଅତ୍ୟାବଶ୍ୟକ ଏବଂ ଗତ ଏଗାର ବର୍ଷ ମଧ୍ୟରେ, ଉତ୍ତର-ପୂର୍ବରେ ଅନେକ ଦୀର୍ଘକାଳୀନ ଦ୍ୱନ୍ଦ୍ୱ ଓ ବିବାଦର ସମାଧାନ ହୋଇଛି”। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଲୋକମାନେ ଶାନ୍ତିର ପଥ ବାଛିଛନ୍ତି ଏବଂ ବିକାଶକୁ ପ୍ରାଥମିକତା ଦେଇଛନ୍ତି। ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ସମ୍ପ୍ରତି, ପାହାଡ଼ ଏବଂ ଉପତ୍ୟକା ଅଞ୍ଚଳର ବିଭିନ୍ନ ଗୋଷ୍ଠୀ ସହିତ ଆଲୋଚନା ହୋଇଛି। ସେ କହିଛନ୍ତି ଯେ, ଏହି ପ୍ରୟାସଗୁଡ଼ିକ ଭାରତ ସରକାରଙ୍କ ଆଭିମୁଖ୍ୟର ଏକ ଅଂଶ, ଯାହା ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା, ସମ୍ମାନ ଏବଂ ପାରସ୍ପରିକ ବୁଝାମଣା କ୍ଷେତ୍ରରେ ଗୁରୁତ୍ୱ ପ୍ରଦାନ କରେ। ପ୍ରଧାନମନ୍ତ୍ରୀ ସମସ୍ତ ସଂଗଠନକୁ ଶାନ୍ତି ପଥରେ ଆଗକୁ ବଢ଼ିବା ଏବଂ ସେମାନଙ୍କର ଆକାଂକ୍ଷା ପୂରଣ କରିବାକୁ ଆହ୍ୱାନ କରିଛନ୍ତି। ସେ ତାଙ୍କର ସମର୍ଥନ ନିଶ୍ଚିତ କରି କହିଛନ୍ତି ଯେ, ସେ ଲୋକଙ୍କ ସହିତ ଠିଆ ହୋଇଛନ୍ତି ଏବଂ ଭାରତ ସରକାର ମଣିପୁର ସହିତ ରହିଛି।

ମଣିପୁରରେ ଜୀବନକୁ ପୁନର୍ବାର ସୁଗଠିତ କରିବା ପାଇଁ ଭାରତ ସରକାର ଯଥାସମ୍ଭବ ପ୍ରୟାସ କରୁଛନ୍ତି ବୋଲି ଦୃଢୋକ୍ତି କରି ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ, ବିସ୍ଥାପିତ ପରିବାର ପାଇଁ ସରକାର ୭,୦୦୦ ନୂତନ ଘର ନିର୍ମାଣ ପାଇଁ ସହାୟତା ଯୋଗାଇ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ପ୍ରାୟ ୩,୦୦୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ ସମ୍ପ୍ରତି ମଞ୍ଜୁର କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିସ୍ଥାପିତ ବ୍ୟକ୍ତିମାନଙ୍କୁ ସହାୟତା କରିବା ପାଇଁ ୫୦୦ କୋଟି ଟଙ୍କା ସ୍ୱତନ୍ତ୍ର ଭାବରେ ଆବଣ୍ଟନ କରାଯାଇଛି।

ମଣିପୁରର ଆଦିବାସୀ ଯୁବକମାନଙ୍କ ସ୍ୱପ୍ନ ଓ ସଂଘର୍ଷ ବିଷୟରେ ସେ ଭଲ ଭାବରେ ଅବଗତ ବୋଲି ସ୍ୱୀକାର କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ସେମାନଙ୍କ ସମସ୍ୟାକୁ ଦୂର କରିବା ପାଇଁ ବହୁବିଧ ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ସରକାର ସ୍ଥାନୀୟ ପ୍ରଶାସନ ସଂସ୍ଥାଗୁଡ଼ିକୁ ମଝବୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ସେମାନଙ୍କ ବିକାଶ ପାଇଁ ଉପଯୁକ୍ତ ପାଣ୍ଠି ବ୍ୟବସ୍ଥା କରାଯାଉଛି।

“ପ୍ରତ୍ୟେକ ଆଦିବାସୀ ସମ୍ପ୍ରଦାୟର ବିକାଶ ଏକ ଜାତୀୟ ପ୍ରାଥମିକତା”, ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ କହିଛନ୍ତି ଯେ, ପ୍ରଥମ ଥର ପାଇଁ, ଆଦିବାସୀ ଅଞ୍ଚଳର ବିକାଶ ପାଇଁ ‘ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ’ କାର୍ଯ୍ୟକାରୀ କରାଯାଉଛି। ଏହି ପଦକ୍ଷେପ ଅଧୀନରେ, ମଣିପୁରର ୫୦୦ ରୁ ଅଧିକ ଗାଁରେ ବିକାଶ କାର୍ଯ୍ୟ ଜାରି ରହିଛି। ସେ କହିଛନ୍ତି ଯେ, ଆଦିବାସୀ ଅଞ୍ଚଳରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି କରାଯାଉଛି। ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ, ମଣିପୁରରେ ୧୮ ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ନିର୍ମାଣ କରାଯାଉଛି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ସ୍କୁଲ ଏବଂ କଲେଜର ଆଧୁନିକୀକରଣ ଦ୍ୱାରା ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ଶିକ୍ଷାଗତ ସୁବିଧା ଯଥେଷ୍ଟ ବୃଦ୍ଧି ପାଇବ।

ମଣିପୁରର ସଂସ୍କୃତି ସର୍ବଦା ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରିଆସିଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ  କରିଛନ୍ତି ଯେ, ସରକାର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛି। ସେ ସୂଚନା ଦେଇଛନ୍ତି ଯେ, ମଣିପୁରର ମହିଳାମାନଙ୍କୁ ସମର୍ଥନ କରିବା ପାଇଁ ସରକାର କର୍ମଜୀବୀ ମହିଳା ଛାତ୍ରାବାସ ନିର୍ମାଣ କରୁଛନ୍ତି।

ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି, “ଆମେ ମଣିପୁରକୁ ଶାନ୍ତି, ସମୃଦ୍ଧି ଏବଂ ପ୍ରଗତିର ପ୍ରତୀକ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଛୁ”। ସେ ଲୋକମାନଙ୍କୁ ଆଶ୍ୱାସନା ଦେଇ ଶେଷରେ କହିଛନ୍ତି ଯେ, ମଣିପୁରର ବିକାଶ, ବିସ୍ଥାପିତ ପରିବାରର ପୁନର୍ବାସ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ, ଭାରତ ସରକାର ମଣିପୁର ସରକାରଙ୍କୁ ପ୍ରତ୍ୟେକ ସ୍ତରରେ ସମର୍ଥନ ଜାରି ରଖିବେ।

ଏହି କାର୍ଯ୍ୟକ୍ରମରେ ମଣିପୁର ରାଜ୍ୟପାଳ ଶ୍ରୀ ଅଜୟ କୁମାର ଭଲ୍ଲାଙ୍କ ସମେତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ପୃଷ୍ଠଭୂମି

 ମଣିପୁରରେ ଆରମ୍ଭ ହେବାକୁଥିବା ପ୍ରମୁଖ ପ୍ରକଳ୍ପମାନଙ୍କ ମଧ୍ୟରେ ୩,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସହରାଞ୍ଚଳ ରାସ୍ତା, ଡ୍ରେନେଜ୍ ଏବଂ ସମ୍ପତ୍ତି ପରିଚାଳନା ସୁଧାର ପ୍ରକଳ୍ପ; ୨,୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ୫ଟି ଜାତୀୟ ରାଜପଥ ପ୍ରକଳ୍ପ; ମଣିପୁର ଇନ୍‌ଫୋଟେକ୍ ଡେଭେଲପମେଣ୍ଟ (MIND) ପ୍ରକଳ୍ପ; ୯ଟି ସ୍ଥାନରେ ‘କର୍ମଜୀବୀ ମହିଳା ଛାତ୍ରାବାସ’ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଅନ୍ତର୍ଭୁକ୍ତ ହୋଇଛି।

ଚୁରାଚାନ୍ଦପୁର ନରେନ୍ଦ୍ର ମୋଦୀ ମଣିପୁର ଶିଳାନ୍ୟାସ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବ୍ୟାଣ୍ଡ ବଲଟି ଧରି ପଡିଆ ଉପରକୁ ହଠାତ୍ କାହିଁକି ଆସିଲେ, ସମସ୍ତେ ତାଜୁବ୍…

September 13, 2025

ଭିସୁଟ, ବୁର୍ଲାର ୧୬ତମ ସମାବର୍ତ୍ତନ ସମାରୋହରେ ରାଜ୍ୟପାଳ

September 13, 2025

ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ଓଡିଶାରେ ଲାଗିବ ୭୫ ଲକ୍ଷ ଗଛ, ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଲେ…

September 13, 2025

ଆଇଜଲରେ ୯,୦୦୦ କୋଟିରୁ ଅଧିକ ମୂଲ୍ୟର ବିକାଶ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

September 13, 2025
Latest News

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବ୍ୟାଣ୍ଡ ବଲଟି ଧରି ପଡିଆ ଉପରକୁ ହଠାତ୍ କାହିଁକି ଆସିଲେ, ସମସ୍ତେ ତାଜୁବ୍…

September 13, 2025

ଭିସୁଟ, ବୁର୍ଲାର ୧୬ତମ ସମାବର୍ତ୍ତନ ସମାରୋହରେ ରାଜ୍ୟପାଳ

September 13, 2025

ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ଓଡିଶାରେ ଲାଗିବ ୭୫ ଲକ୍ଷ ଗଛ, ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଲେ…

September 13, 2025

ମଣିପୁରରେ ୭,୩୦୦ କୋଟିର ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

September 13, 2025

ଆଇଜଲରେ ୯,୦୦୦ କୋଟିରୁ ଅଧିକ ମୂଲ୍ୟର ବିକାଶ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

September 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.