ଶରତ ପାଇକରାୟ
ନୂଆପଡା ଉପନିର୍ବାଚନକୁ ନେଇ ବର୍ତ୍ତମାନ ରାଜନୈଚିକ ପାଣିପାଗ ଧିରେଧିରେ ଉଷୁମ ହେବାରେ ଲାଗିଲାଣି। କାରଣ ଏହି ଉପନିର୍ବାଚନ ଆସନ୍ତା ନଭେମ୍ବର ଏଗାର ତାରିଖରେ ହେବ ବୋଲି ଘୋଷଣା ହୋଇସାରିଛି। ସେଥିପାଇଁ ସବୁ ଦଳ ତରଫରୁ ତତ୍ପରତା ପ୍ରକାଶ ପାଇବାରେ ଲାଗିଛି। ତେବେ ପ୍ରଦେଶ କଂଗ୍ରେସ ସମସ୍ତଙ୍କୁ ଚମକାଇ ତାହାର ପ୍ରାର୍ଥୀଙ୍କ ନାମ ପ୍ରଥମେ ଘୋଷଣା କରିଛି। ନୂଆପଡା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ ହେବେ କଂଗ୍ରେସ ପ୍ରାର୍ଥୀ। ଗତ ନିର୍ବାଚନରେ ସେ ରାଜେନ୍ଦ୍ର ଢୋଲକିଆଙ୍କୁ କଡା ଟକ୍କର ଦେଇଥିଲେ।
ପୂର୍ବରୁ ବିଭିନ୍ନ ଉପନିର୍ବାଚନରେ ଶେଷରେ ପ୍ରାର୍ଥୀ ଘୋଷଣା କରିଥାଏ କଂଗ୍ରେସ। କାରଣ ଦଳରୁ କିଏ ପ୍ରାର୍ଥୀ ହେବ ତାହା ଖୋଜୁଖୋଜୁ ତାଙ୍କୁ ସମୟ ଲାଗିଯାଏ। ହେଲେ ଏଥର ସେ ମୁଖ୍ୟ ଦୁଇ ଦଳକୁ ପଛରେ ପକାଇ ଆଗୁଆ ପ୍ରାର୍ଥୀ ଘୋଷଣା କରିଦେଇଛି। ସେତିକି ନୁହେଁ ବହୁ ପୂର୍ବରୁ କଂଗ୍ରେସ ସଭାପତି ଭକ୍ତ ଦାସ ମଧ୍ୟ ଘାସିରାମ ମାଝୀ ପ୍ରାର୍ଥୀ ହେବେ ବୋଲି ପରୋକ୍ଷରେ ସୂଚନା ଦେଇସାରିଥିଲେ। ଫଳରେ ତାଙ୍କର ପ୍ରାର୍ଥୀତ୍ବକୁ ନେଇ କୌଣସି ଦ୍ବନ୍ଦ ନ ଥିଲା।
କଂଗ୍ରେସ ପରି ବିଜେଡି ମଧ୍ୟ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ ବୋଲି ଜଣାପଡିଛି। କାରଣ ଏ ସୂଚନା ଖୋଦ ଜୟ ଢୋଲକିଆ ପୂର୍ବରୁ ଦେଇସାରିଛନ୍ତି। ସେ କହିଛନ୍ତି ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ପ୍ରାର୍ଥୀ କରିବେ ବୋଲି କହିଛନ୍ତି। ପୂର୍ବରୁ ବିଜେଡି ପରଲୋକାଗତ ବିଧାୟକଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାର ପରଂପରା ତିଆରି କରିଛି। ସେହିଅନୁସାରେ ଜୟ ଢୋଲକିଆ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି ପ୍ରାୟ ନିଶ୍ଚିତ ବୋଲି ଜଣାପଡିଛି।
ହେଲେ ବିଜେପିର କିଏ ପ୍ରାର୍ଥୀ ହେବ ସେ ନେଇ ବର୍ତ୍ତମାନ କଳ୍ପନା ଜଳ୍ପନା ଲାଗି ରହିଛି। କାରଣ ବିଜେପି ରାଜ୍ୟରେ ସରକାରକୁ ଆସିବା ପରେ ଏହା ହେଉଛି ତାଙ୍କ ପାଇଁ ପ୍ରଥମ ଉପନିର୍ବାଚନ। ତେଣୁ କଂଗ୍ରେସ ଓ ବିଜେଡିଠାରୁ ବିଜେପି ପାଇଁ ଏହି ନିର୍ବାଚନ ସବୁଠାରୁ ବଡ ସମ୍ମାନର ପ୍ରଶ୍ନ। ଯଦି କିଛି ଗଡବଡ ହୋଇଯିବ ତେବେ ସିଧା ମୋହନ ସରକାର ଉପରେ ବିପଦ ଘନେଇବାର ସମ୍ଭାବନା ନିଶ୍ଚିତ ରହିଛି। ସେଥିପାଇଁ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ ବହୁ ଗଣିତ କଷା ଚାଲିଛି।
ତେବେ ଏକ ବିଶେଷ ସୁତ୍ର ଅନୁସାରେ ବିଜେପି କୁଆଡେ ବିଜେଡି ପ୍ରାର୍ଥୀ କରୁଥିବା ଜୟ ଢୋଲକିଆଙ୍କ ଉପରେ ନଜର ରଖିଛି। ତାଙ୍କୁ ବିଜେପିକୁ ଆଣି ନୂଆପଡାରୁ ପ୍ରାର୍ଥୀ କରିବ ବୋଲି ଦଳ କୁଆଡେ ଜାଲ ବିଛାଇଛି। ତାଙ୍କ ପଛରେ କୁଆଡେ ତିନି ଜଣ ନେତାଙ୍କୁ ଲଗାଇ ଦିଆଯାଇଛି। ଜୟଙ୍କୁ ଅର୍ଥ ସହିତ ମନ୍ତ୍ରୀପଦ ମଧ୍ୟ ଦିଆଯିବ ବୋଲି କୁଆଡେ ପ୍ରତିଶୃତି ଦିଆ ସରିଲାଣି। ଏପରି ଲୋଭନୀୟ ପ୍ରସ୍ତାବକୁ ନେଇ ଜୟ ଢୋଲକିଆ ମଧ୍ୟ ଦ୍ବନ୍ଦରେ ରହିଛନ୍ତି ବୋଲି ନୂଆପଡା ସୁତ୍ରରୁ ଜଣାପଡିଛି। କାରଣ ପ୍ରଥମ ଥର ବିଧାୟକ ହୋଇ ଯଦି ମନ୍ତ୍ରୀ ପଦ ମିଳିଯାଏ ତେବେ ଅସୁବିଧା କେଉଁଠି ବୋଲି ସେ ଚିନ୍ତା କରୁଥିବାର ଜଣାପଡିଛି।
ଯଦି ବିଜେପିର ଏହି ଚାଲ ଫଳପ୍ରଦ ହୋଇଯାଏ ତେବେ କଥା ସରିଲା। କାରଣ ବିଜେପି ଯେନତେନ ପ୍ରକାରେଣ ଏହି ଉପନିର୍ବାଚନ ଜିତିବା ପାଇଁ ଚେଷ୍ଠା ଜାରୀ ରଖିଛି। ଖୋଦ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ସଭାପତି ମନମୋହନ ସାମଲ ଏଥିପାଇଁ ଜୋରଦାର ଉଦ୍ୟମ ମଧ୍ୟ କରିବାରେ ଲାଗିଛନ୍ତି। ସେମାନେ ଅନୁଭବ କରିସାରିଲେଣି ଯେ, ଜୟ ଢୋଲକିଆଙ୍କ ସମକକ୍ଷ ପ୍ରାର୍ଥୀ ବର୍ତ୍ତମାନ ବିଜେପିର ସେମିତି କେହି ନାହାଁନ୍ତି। ସେଥିପାଇଁ ଜୟଙ୍କୁ ଆଣିବା ପାଇଁ ପୁରା ଦମରେ ବିଜେପି ଚେଷ୍ଠା ଜାରୀ ରଖିଛି।
ଗତ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କୁ ପୁଅ ଅଭିନନ୍ଦନ ପଣ୍ଡାଙ୍କ ସ୍ଥିତି ବର୍ତ୍ତମାନ ଭଲ ନାହିଁ। ସେ ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ଥିଲେ। ଗତ ନିର୍ବାଚନରେ ବିଜେପି ଚାରିଆଡେ ବିଜୟର ଧ୍ବଜା ଉଡାଉଥିବା ବେଳେ ନୂଆପଡାରେ ଅଭିନନ୍ଦନ ତୃତୀୟ ସ୍ଥାନରେ ରହିବା ଦଳକୁ ବେଶ ବାଧିଛି। ଫଳରେ ତାଙ୍କୁ ପୁଣି ଥରେ ପ୍ରାର୍ଥୀ କରିବା ସପକ୍ଷରେ ଦଳ ନାହିଁ ବୋଲି ଜଣାପଡିଛି। ତେଣୁ ବିଜେପି ଭାବି ନେଇଛି ଯେ, ବିଜେଡିର ଜୟ ଢୋଲକିଆଙ୍କୁ ଦଳକୁ ଆଣି ପ୍ରାର୍ଥୀ କରାଇବା ଛଡା ଅନ୍ୟ ବିକଳ୍ପ ରାସ୍ତା କିଛି ନାହିଁ। ସେଥିପାଇଁ ଫୁଲ ଦମରେ ଜୟଙ୍କ ପଛରେ ବିଜେପି ଲାଗିରହିଛି।
Odisha Advocate Murder Case: Bar Council Demands Judicial Probe, Statewide Strike