ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ; କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ; ଏବଂ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ଜିଏସଟି ବଚତ ଉତ୍ସବ ଉପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି।
ପ୍ରାରମ୍ଭିକ ବକ୍ତବ୍ୟରେ ସୀତାରମଣ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାର ପ୍ରାଚୀରରୁ ଦୀପାବଳି ପୂର୍ବରୁ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଲାଗୁ କରାଯିବ ବୋଲି ଘୋଷଣା କରିଥିଲେ। ସେହି ଅନୁଯାୟୀ, ଦର ହ୍ରାସ, ଟିକସ ପ୍ରକ୍ରିୟାକୁ ସରଳ କରିବା, ସ୍ଲାବ୍ ସଂଖ୍ୟାକୁ ଚାରିରୁ ଦୁଇକୁ ହ୍ରାସ କରିବା ଏବଂ ବର୍ଗୀକରଣ ସମ୍ବନ୍ଧୀୟ ସମସ୍ୟାର ସମାଧାନ ସମୟ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଛି। ପରବର୍ତ୍ତୀ-ପିଢ଼ିର ଜିଏସଟି ସଂସ୍କାର ନବରାତ୍ରିର ପ୍ରଥମ ଦିନରୁ କାର୍ଯ୍ୟକାରୀ ହେଲା ଏବଂ ଭାରତର ଲୋକମାନେ ଏହାକୁ ଭଲ ଭାବରେ ଗ୍ରହଣ କରିଥିବା ସେ କହିଛନ୍ତି।
କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ, ‘‘ଆମେ ଜିଏସଟି ପାଇଁ ମାର୍ଗ ନିର୍ଦ୍ଧାରଣ କରିଛୁ, ଏହାକୁ କାର୍ଯ୍ୟକାରୀ କରିଛୁ। ବିରୋଧୀମାନେ ଜିଏସଟି ଆଣିଲେ ନାହିଁ କିମ୍ବା ଏଥିପାଇଁ ଚେଷ୍ଟା କରିବାକୁ ସାହସ ମଧ୍ୟ କଲେ ନାହିଁ। ଆଜି ଆମେ ଯାହା କରୁଛୁ ତାହା କୌଣସି ସଂଶୋଧନ ନୁହେଁ, ବରଂ ଏକ ସଚେତନ ନିଷ୍ପତ୍ତି ଯାହା ଜନସାଧାରଣଙ୍କୁ ଅଧିକରୁ ଅଧିକ ଲାଭ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଏବଂ ଜିଏସଟି ପରିଷଦ ମଧ୍ୟରେ ସହଯୋଗର ପ୍ରତିଫଳନ। ଟିକସ ହାରରେ ହ୍ରାସ ଗ୍ରାହକଙ୍କ ଲାଭ ପାଇଁ ଉଦ୍ଦିଷ୍ଟ-ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଆମକୁ ଏହା କରିବା ଲାଗି ମାର୍ଗଦର୍ଶନ କରିଛନ୍ତି। 2017 ମସିହାରୁ ଆଜି ପର୍ଯ୍ୟନ୍ତ ଆମେ କ୍ରମାଗତ ଭାବେ ଏହା କରିଆସୁଛୁ,’’ ଶ୍ରୀମତୀ ସୀତାରମଣ କହିଛନ୍ତି।
କେନ୍ଦ୍ର ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସେପ୍ଟେମ୍ବର 22 ଠାରୁ ଆମେ ସମସ୍ତ ସାମଗ୍ରୀ ଉପରେ ଆଞ୍ଚଳିକ ସ୍ତରରୁ ସୂଚନା ପାଉଛୁ। ତଥାପି, ଆମେ 54ଟି ଉତ୍ପାଦର ମୂଲ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛୁ, ଯାହାଦ୍ୱାରା ସଂଶୋଧିତ ଟିକସ ବ୍ୟବସ୍ଥାର ଲାଭ ଶେଷ ଉପଭୋକ୍ତାଙ୍କ ନିକଟରେ ପହଞ୍ଚିଥିବା ଆମେ ସୂଚନା ପାଇପାରିଛୁ। ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଲାଭ ସମସ୍ତ 54ଟି ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯାଇଛି ବୋଲି ସେ କହିଛନ୍ତି । ଅର୍ଥ ମନ୍ତ୍ରଣାଳୟର ରାଜସ୍ୱ ବିଭାଗ, ପରବର୍ତ୍ତୀ-ପିଢ଼ିର ଜିଏସଟି ପରିବର୍ତ୍ତନ ଅବଧିରେ 54ଟି ଚୟନିତ ଉତ୍ପାଦ ଉପରେ ସକ୍ରିୟ ଭାବରେ ନଜର ରଖିଛି।
ପୀୟୁଷ ଗୋୟଲ ତାଙ୍କ ବକ୍ତବ୍ୟରେ ସେପ୍ଟେମ୍ବର 22 ତାରିଖରେ ପରବର୍ତ୍ତୀ ପିଢ଼ିର ଜିଏସଟି ଲାଗୁ କରି ଚଳିତ ବର୍ଷର ନବରାତ୍ରିକୁ ସ୍ୱତନ୍ତ୍ର କରିବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ସେ କହିଥିଲେ, ଏହି ସଂସ୍କାର ସାରା ଦେଶରେ, ବିଶେଷ କରି ସାଧାରଣ ଲୋକଙ୍କ ମଧ୍ୟରେ, ଶିଳ୍ପ ଓ ବାଣିଜ୍ୟିକ କ୍ଷେତ୍ର ଏବଂ ସାଧାରଣ ପରିବାର ମଧ୍ୟରେ ଏକ ନୂତନ ଉତ୍ସାହ ଓ ଶକ୍ତି ଆଣିଛି। ସ୍ୱାଧୀନତା ପରଠାରୁ ଏହାକୁ ସବୁଠାରୁ ବଡ଼ ସଂସ୍କାର ବୋଲି ଅଭିହିତ କରି ମନ୍ତ୍ରୀ କହିଛନ୍ତି ଯେ ପରୋକ୍ଷ ଟିକସ ବ୍ୟବସ୍ଥା 140 କୋଟି ଭାରତୀୟଙ୍କୁ ପ୍ରଭାବିତ କରିଥାଏ। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ ପଦକ୍ଷେପ ମାଧ୍ୟମରେ 2.5 ଲକ୍ଷ କୋଟି ଟଙ୍କାର ଆଶ୍ୱସ୍ତି ପ୍ରଦାନ କରିବାର ନିଷ୍ପତ୍ତି ଅଭୂତପୂର୍ବ ଏବଂ କଳ୍ପନାତୀତ ।
ଶ୍ରୀ ଗୋୟଲ ଆଲୋକପାତ କରିଥିଲେ, ଚଳିତ ବର୍ଷ ଫେବୃଆରୀ 1 ତାରିଖରେ ଆୟକରରେ ଘୋଷଣା କରାଯାଇଥିବା ପ୍ରମୁଖ ରିହାତି ସଞ୍ଚୟକୁ ଉତ୍ସାହିତ କରିବା ଏବଂ ଲୋକଙ୍କ ପାଇଁ ଆୟ ବୃଦ୍ଧି କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ଥିଲା। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଅର୍ଥମନ୍ତ୍ରୀ ଗତ ଦେଢ଼ ବର୍ଷ ଧରି ବ୍ୟାପକ ଟିକସ ସଂସ୍କାର ଉପରେ କାର୍ଯ୍ୟ କରୁଛନ୍ତି, ଯାହା 3 ସେପ୍ଟେମ୍ବର 2025ରେ ଜିଏସଟି ଘୋଷଣାରେ ଶେଷ ହୋଇଥିବା ସେ କହିଥିଲେ।
ଶ୍ରୀ ଗୋୟଲ ଆହୁରି କହିଥିଲେ, ଏହି ସଂସ୍କାରଗୁଡ଼ିକର ଗୁଣାତ୍ମକ ପ୍ରଭାବ ପୂର୍ବରୁ ନିବେଶ, ବ୍ୟବସାୟ ଏବଂ ଶିଳ୍ପରେ ଦୃଶ୍ୟମାନ ହେଉଛି, ଯାହା ଭାରତୀୟ ଅର୍ଥବ୍ୟବସ୍ଥାରେ ଏକ ଅଭିବୃଦ୍ଧି ସୃଷ୍ଟି କରିଛି ଏବଂ ଗ୍ରାହକ ଖର୍ଚ୍ଚକୁ ବୃଦ୍ଧି କରିଛି। ଶ୍ରୀ ଗୋୟଲ କହିଛନ୍ତି, ଭିତ୍ତିଭୂମି ବିକାଶ ଏବଂ ଦୈନନ୍ଦିନ ଅତ୍ୟାବଶ୍ୟକ ଜିନିଷଗୁଡ଼ିକ ଅଧିକ ସୁଲଭ ହେଲେ ଯୋଗାଣ ଏବଂ ଚାହିଦା ଉଭୟ ବଢ଼ିଥାଏ ଏବଂ ଏହା ଆର୍ଥିକ ଅଭିବୃଦ୍ଧିକୁ ଗତିଶୀଳ କରେ। ଏସବୁ ପ୍ରୟାସ ଭାରତକୁ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥବ୍ୟବସ୍ଥାରେ ପରିଣତ କରିଥିବା ସେ କହିଥିଲେ।
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ବକ୍ତବ୍ୟରେ ଭାରତର ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମରେ ଉଲ୍ଲେଖନୀୟ ଅଭିବୃଦ୍ଧି ଓ ଉପଯୋଗ, ନିବେଶ ଓ ଉତ୍ପାଦନ ଉପରେ ଜିଏସଟି ସଂସ୍କାରର ସକାରାତ୍ମକ ପ୍ରଭାବ ଉପରେ ଆଲୋକପାତ କରିଥିଲେ। କେନ୍ଦ୍ର ମନ୍ତ୍ରୀ କହିଥିଲେ, ଭାରତୀୟ ଅର୍ଥବ୍ୟବସ୍ଥା ରେକର୍ଡ ଉପଭୋକ୍ତା ଚାହିଦା, ନୀତିଗତ ସ୍ଥିରତା ଏବଂ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଉତ୍ପାଦନ ଆଧାର ଦ୍ୱାରା ପରିଚାଳିତ ଦୃଢ଼ ପ୍ରଦର୍ଶନ ଜାରି ରଖିଛି।
ଶ୍ରୀ ବୈଷ୍ଣବ କହିଥିଲେ, ଚଳିତ ବର୍ଷର ନବରାତ୍ରି ସମୟରେ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ରେକର୍ଡ ବିକ୍ରୟ ହୋଇଛି, ଯାହା ଗତ ବର୍ଷ ତୁଳନାରେ 20-25% ବୃଦ୍ଧି ପାଇଛି। ସମସ୍ତ ପ୍ରମୁଖ ଖୁଚୁରା ଶୃଙ୍ଖଳା ଉତ୍ପାଦ ବର୍ଗରେ – ଟେଲିଭିଜନ ଏବଂ ୱାସିଂ ମେସିନ୍ ଠାରୁ ସ୍ମାର୍ଟଫୋନ୍ ଏବଂ ଏୟାର କଣ୍ଡିସନର ପର୍ଯ୍ୟନ୍ତ ସବୁ ସାମଗ୍ରୀ ପାଇଁ ଅଭୂତପୂର୍ବ ଚାହିଦା ଦେଖିବାକୁ ମିଳିଛି । 85-ଇଞ୍ଚ ଟେଲିଭିଜନ ସମ୍ପୂର୍ଣ୍ଣ ଭାବରେ ବିକ୍ରି ହୋଇଛି । ଅନେକ ପରିବାର ସେମାନଙ୍କର ଗୃହ ଉପକରଣଗୁଡ଼ିକୁ ନୂତନ ମଡେଲକୁ ଅପଗ୍ରେଡ୍ କରିଛନ୍ତି, ଯାହା ବର୍ଦ୍ଧିତ ଗ୍ରାହକ ବିଶ୍ୱାସ ଏବଂ କ୍ରୟ ଶକ୍ତିକୁ ପ୍ରତିଫଳିତ କରିଥାଏ।
ଶ୍ରୀ ବୈଷ୍ଣବ ଉଲ୍ଲେଖ କରିଛନ୍ତି, ଜିଏସଟି ସଂସ୍କାର ଅର୍ଥବ୍ୟବସ୍ଥାରେ ଢାଞ୍ଚାଗତ ସ୍ଥିରତା ଆଣିଛି, ବିଶେଷକରି ଖାଦ୍ୟ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରି ମଧ୍ୟବିତ୍ତ ପରିବାରକୁ ଲାଭ ଦେଇଛି। ବିଗତ ଚାରି ମାସ ମଧ୍ୟରେ, କ୍ରମାଗତ ଭାବେ ଖାଦ୍ୟ ମୂଲ୍ୟରେ ପ୍ରାୟ 2% ମୁଦ୍ରାସ୍ଫୀତି ଧାରା ଦେଖାଇଛି। ଏହା ପରିବାରର କ୍ରୟ ଶକ୍ତି ବଜାୟ ରଖିବା ଏବଂ ନିରନ୍ତର ଗ୍ରାହକ ଚାହିଦାକୁ ସମର୍ଥନ କରିବାରେ ସାହାଯ୍ୟ କରୁଛି।
ଶ୍ରୀ ବୈଷ୍ଣବ ଆହୁରି ମଧ୍ୟ କହିଥିଲେ, ଚାହିଦା ବୃଦ୍ଧି ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ସିଧାସଳଖ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧିରେ ରୂପାନ୍ତରିତ ହୋଇଛି। ଏହା ସାରା ଦେଶରେ 25 ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିଛି। ବିଶ୍ୱର ସର୍ବବୃହତ୍ ଉପଭୋକ୍ତା ବଜାର ମଧ୍ୟରୁ ଅନ୍ୟତମ ଯୁକ୍ତରାଷ୍ଟ୍ର ଆମେରିକାକୁ ସ୍ମାର୍ଟଫୋନ୍ ରପ୍ତାନୀ କରିବାରେ ଭାରତ ମଧ୍ୟ ଏହାର ପଡ଼ୋଶୀ ଦେଶକୁ ଅତିକ୍ରମ କରିଛି। ଏକ ପ୍ରମୁଖ ବିଶ୍ୱସ୍ତରୀୟ କମ୍ପାନୀ ବର୍ତ୍ତମାନ ଏହାର ମୋଟ ଉତ୍ପାଦନର 20 ପ୍ରତିଶତ ଭାରତରେ ଉତ୍ପାଦନ କରୁଛି, ଯାହା ଏକ ପସନ୍ଦଯୋଗ୍ୟ ବିଶ୍ୱ ଉତ୍ପାଦନ ଗନ୍ତବ୍ୟସ୍ଥଳ ଭାବେ ଦେଶର ଉତ୍ଥାନକୁ ପ୍ରତିଫଳିତ କରୁଛି। ଚାହିଦା ବୃଦ୍ଧି ସହିତ, ନିବେଶ ବୃଦ୍ଧି ପାଇଥାଏ, ଫଳସ୍ୱରୂପ, ଚାହିଦା ଆହୁରି ବୃଦ୍ଧି ପାଇଥାଏ-ଯାହା ଆର୍ଥିକ ଅଭିବୃଦ୍ଧିର ଏକ ଉତ୍ତମ ଚକ୍ର ସୃଷ୍ଟି କରିଥାଏ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
ଭାରତର ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଦୁଇଟି ସେମିକଣ୍ଡକ୍ଟର ଉତ୍ପାଦନ ସୁବିଧା – ସିଜି ସେମି ଏବଂ କେନ୍ସ – ରେ ଉତ୍ପାଦନ ଆରମ୍ଭ ହୋଇଛି। ଏହା ଭାରତର ସେମିକଣ୍ଡକ୍ଟର ଆତ୍ମନିର୍ଭରଶୀଳତା ଆଡ଼କୁ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ଲାଣ୍ଟଗୁଡ଼ିକ ସକ୍ରିୟ ହେବା ସହିତ ଭାରତ ଏହାର ସେମିକଣ୍ଡକ୍ଟର ଇକୋସିଷ୍ଟମରେ ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି। ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ସଶକ୍ତ ଏବଂ ଆତ୍ମନିର୍ଭରଶୀଳ ଭାରତ ଦୃଷ୍ଟିକୋଣକୁ ସାକାର କରିବାରେ ଏହା ସହାୟକ ହୋଇପାରିବ ବୋଲି ସେ କହିଛନ୍ତି।
ସାମଗ୍ରିକ ଆର୍ଥିକ ତଥ୍ୟ ବିଷୟରେ ଉଲ୍ଲେଖ କରି ଶ୍ରୀ ବୈଷ୍ଣବ କହିଥିଲେ ଯେ ଗତ ବର୍ଷ ଭାରତର 335 ଲକ୍ଷ କୋଟି ଟଙ୍କାର ଜିଡିପି ମଧ୍ୟରୁ 202 ଲକ୍ଷ କୋଟି ଟଙ୍କା ଉପଭୋକ୍ତାଙ୍କ କ୍ରୟଜନିତ ବ୍ୟୟରୁ ଏବଂ 98 ଲକ୍ଷ କୋଟି ଟଙ୍କା ନିବେଶରୁ ଆସିଥିଲା। ଜିଏସଟି ସଂସ୍କାରର ପ୍ରଭାବ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି, କାରଣ ଚଳିତ ବର୍ଷ ଉପଭୋକ୍ତା ବ୍ୟୟ ପ୍ରାୟ 10 ପ୍ରତିଶତ ବୃଦ୍ଧି ପାଇଛି। ଉପଭୋକ୍ତା ବ୍ୟୟରେ ଅତିରିକ୍ତ 20 ଲକ୍ଷ କୋଟି ଟଙ୍କା ବୃଦ୍ଧି ହୋଇଛି। ଏହି ବୃଦ୍ଧି ନିବେଶରେ ଅନୁରୂପ ବୃଦ୍ଧି କରିବ ବୋଲି ଆଶା କରାଯାଉଛି, ଯାହା ଅଭିବୃଦ୍ଧିର ଗତିକୁ ସୁଦୃଢ଼ କରିବ। ଜିଏସଟି ସଂସ୍କାର ଅର୍ଥବ୍ୟବସ୍ଥାରେ ଉପଭୋକ୍ତାଙ୍କ କ୍ରୟଜନିତ ବ୍ୟୟ ଏବଂ ନିବେଶ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଉଛି ବୋଲି ସେ କହିଛନ୍ତି।