ଭୁବନେଶ୍ୱର: ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ହୋଇଛି ‘ବ୍ରେନ୍ ଷ୍ଟ୍ରୋକ୍’ ବା ‘ମସ୍ତିଷ୍କାଘାତ’। ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ୍ ସର୍ବାଧିକ ମୃତ୍ୟୁର କାରଣ ପାଲଟିଛି। ତା’ଛଡ଼ା ଏହା ଯୋଗୁଁ ସୃଷ୍ଟି ହେଉଥିବା ଗୁରୁତର ଶାରୀରିକ ଓ ମାନସିକ ଅକ୍ଷମତା ଅନେକ ରୋଗୀଙ୍କ ଜୀବନକୁ ଜଟିଳ କରିଦେଉଛି। ତେଣୁ, ଏ କ୍ଷେତ୍ରରେ ବ୍ୟାପକ ସଚେତନତା ସୃଷ୍ଟି ଲାଗି ଅକ୍ଟୋବର ୨୯ ତାରିଖକୁ ବିଶ୍ୱ ଷ୍ଟ୍ରୋକ୍ ଦିବସ ଭାବେ ପାଳନ କରାଯାଉଛି।
‘ୱାର୍ଲ୍ଡ ଷ୍ଟ୍ରୋକ୍ ଅର୍ଗାନାଇଜେସନ’ର ସୂଚନା ଅନୁଯାୟୀ ପ୍ରତିବର୍ଷ ପୃଥିବୀରେ ୭୦ ଲକ୍ଷରୁ ଅଧିକ ଲୋକ ବ୍ରେନ ଷ୍ଟ୍ରୋକରେ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ସେହିପରି ଲକ୍ଷ ଲକ୍ଷ ରୋଗୀ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ଜଟିଳତାର ଶିକାର ହେବା ଫଳରେ ପାରିବାରିକ ସ୍ତରରେ ଆର୍ଥିକ ସମସ୍ୟା ସହିତ ଜାତୀୟ ଅର୍ଥନୀତି ମଧ୍ୟ ପ୍ରଭାବିତ ହେଉଛି। ବ୍ରେନ୍ ଷ୍ଟ୍ରୋକ୍ କେବଳ ବୃଦ୍ଧା ଅବସ୍ଥାର ରୋଗ ନହୋଇ ଆଜି କମ୍ ବୟସର ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରାନ୍ତ କରୁଛି।
ଏହାର ମୁକାବିଲା ପାଇଁ ଆଇଏଫଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ‘ଷ୍ଟ୍ରୋକ୍-ମୁକ୍ତ ଜୀବନ’ ଶୀର୍ଷକରେ ଏକ ବିଶେଷ ସଚେତନତା ଅଭିଯାନ କରାଯାଉଛି। ଚଳିତବର୍ଷ ଅକ୍ଟୋବର ୨୭ରୁ ୩୧ ତାରିଖ ଯାଏଁ ଏହି ଅଭିଯାନ ଚାଲିବ।
ଏଥିରେ ଷ୍ଟ୍ରୋକର କାରଣ, ଲକ୍ଷଣ ଏବଂ ନିରାକରଣ ବିଷୟରେ ବିଭିନ୍ନ ସୂଚନାଧର୍ମୀ ଭିଡିଓ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ମିଡିଆ ଚ୍ୟାନେଲରେ ପ୍ରସାରଣ କରାଯାଉଛି। ଦେଶର ବିଶିଷ୍ଟ ଡାକ୍ତରମାନଙ୍କ ସାକ୍ଷାତକାରକୁ ଆଧାରକରି ଏହି ଭିଡିଓ ପ୍ରସ୍ତୁତ କରାଯାଉଛି।
ଉଚ୍ଚ ରକ୍ତଚାପ, ମଧୁମେହ, ମୋଟାପଣ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଆଦି କାରଣରୁ ଆମ ଦେଶରେ ବ୍ରେନ୍ ଷ୍ଟ୍ରୋକ୍ ଘଟଣା ବଢ଼ିବାରେ ଲାଗିଛି। ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ମଧ୍ୟ ବ୍ରେନ୍ ଷ୍ଟ୍ରୋକ୍ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ହୋଇଛି।
‘‘ଆଇଏଫଆଇ ଫାଉଣ୍ଡେସନ ‘ୱାର୍ଲ୍ଡ ଷ୍ଟ୍ରୋକ୍ ଅର୍ଗାନାଇଜେସନ’ର ସଦସ୍ୟ ରହିଛି। ଫାଉଣ୍ଡେସନ ପକ୍ଷରୁ ଗତ ତିନିବର୍ଷ ଧରି ଏହି ଷ୍ଟ୍ରୋକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଚଳିତବର୍ଷ ଓଡ଼ିଆ ସହିତ ହିନ୍ଦୀ, ବଙ୍ଗଳା ଏବଂ ମରାଠୀ ଆଦି ଭାଷାରେ ଏହି ଅଭିଯାନ କରାଯିବା ଫଳରେ ଆମେ ଦେଶର ବିଭିନ୍ନ ଅଞ୍ଚଳର ଲୋକଙ୍କ ପାଖରେ ଷ୍ଟ୍ରୋକ୍ ସଚେତନତାର ବାର୍ତ୍ତା ପହଞ୍ଚାଇବାରେ ସକ୍ଷମ ହୋଇପାରିଛୁ,’’ ବିଶ୍ୱ ଷ୍ଟ୍ରୋକ୍ ଦିବସ ଅବସରରେ କହିଛନ୍ତି ‘ଷ୍ଟ୍ରୋକ୍-ମୁକ୍ତ ଜୀବନ ଅଭିଯାନ’ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ।
ଏହି ଅଭିଯାନ ସମୟରେ ଡିଜିଟାଲ ମିଡିଆ ସହିତ ଲୋକଙ୍କ ସୂଚନା ପାଇଁ ଇ-ନ୍ୟୁଜଲେଟର ପ୍ରକାଶ କରାଯାଉଛି। ସେହିପରି ବିଶ୍ୱବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କୁ ବ୍ରେନ୍ ଷ୍ଟ୍ରୋକର ବିଭିନ୍ନ ଲକ୍ଷଣ ସମ୍ପର୍କରେ ସଚେତନ କରିବା ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ କରାଯିବ ବୋଲି ଆଇଏଫଆଇ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ଏହି ଅଭିଯାନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଉତ୍କଳ ଚାମ୍ବର ଅଫ୍ କମର୍ସ ଏବଂ ଟାଇ ଭୁବନେଶ୍ୱର ଆଇଏଫଆଇ ସହିତ ଯୋଡ଼ି ହୋଇଛନ୍ତି।
ବିଭିନ୍ନ ବିକଶିତ ଦେଶ ଆଜି ବ୍ରେନ୍ ଷ୍ଟ୍ରୋକ୍ ସମ୍ପର୍କରେ ଉଚିତ ପଦକ୍ଷେପ ନେବା ଫଳରେ ସେଠାରେ ଷ୍ଟ୍ରୋକ୍ ଆକ୍ରାନ୍ତଙ୍କ ସଂଖ୍ୟା କମିବା ସହିତ ଚିକିତ୍ସା କ୍ଷେତ୍ରରେ ବିଶେଷ ଉନ୍ନତି ଦେଖିବାକୁ ମିଳୁଛି। ତେଣୁ, ଭାରତ ଭଳି ଦେଶରେ ଅଣସଂକ୍ରାମକ ରୋଗର ପରିଚାଳନା ବେଳେ ବ୍ରେନ୍ ଷ୍ଟ୍ରୋକର ମୁକାବିଲା ପାଇଁ ବିଶେଷ ପଦକ୍ଷେପ ନିଆଯିବା ଆବଶ୍ୟକ। ସେହିପରି ଷ୍ଟ୍ରୋକର ପ୍ରତିଷେଧକ ଓ ଆଶୁ ଚିହ୍ନଟ ଲାଗି ବ୍ୟାପକ ସଚେତନତା ସହିତ ଏହାର ଉଚିତ ଚିକିତ୍ସା ଏବଂ ଷ୍ଟ୍ରୋକ୍ ପରବର୍ତ୍ତି ସେବା ତଥା ଥଇଥାନ ଦିଗରେ ଗୁରୁତ୍ୱ ଦେବାର ସମୟ ଆସିଛି।



