Reliance Jio: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ଏବଂ ଗୁଗୁଲ୍ ଆଜି ଏକ ପ୍ରମୁଖ ରଣନୈତିକ ସହଭାଗୀତା ଘୋଷଣା କରିଛନ୍ତି, ଯାହା ଅଧୀନରେ ଉଭୟ କମ୍ପାନୀ ଭାରତରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାରକୁ ଦ୍ରୁତ ଭାବରେ ବିସ୍ତାର କରିବା ପାଇଁ ଏକାଠି କାମ କରିବେ। ଏହି ସହଭାଗୀତାର ସ୍ୱତନ୍ତ୍ରତା ହେଉଛି ଜିଓ ବ୍ୟବହାରକାରୀମାନେ ୧୮ ମାସ ପାଇଁ ଗୁଗୁଲ ଏଆଇ ପ୍ରୋ ପ୍ଲାନ ର ମାଗଣା ପ୍ରବେଶ ବା ଆକ୍ସେସ ପାଇବେ।
ଏହି ପ୍ଲାନର ମୂଲ୍ୟ ପ୍ରତି ଉପଯୋଗକର୍ତ୍ତାଙ୍କ ପାଇଁ ପ୍ରାୟ ୩୫,୧୦୦ ଟଙ୍କା ରହିଥିବା ବେଳେ, ଏହି ସହଭାଗିତା ଅଧୀନରେ ଏହା ମାଗଣାରେ ଉପଲବ୍ଧ ହେବ। ଗୁଗୁଲ୍ ଜେମିନି ୨.୫ ପ୍ରୋ, ନୂତନତମ ନାନୋ ବନାନା, ଏବଂ ଭିଓ ୩.୧ ମଡେଲ୍ ସହିତ ଚମତ୍କାର ଚିତ୍ର ଏବଂ ଭିଡିଓ ତିଆରି କରିବା ପାଇଁ ଉପଭୋକ୍ତାମାନେ ବିସ୍ତାରିତ ଲିମିଟ ପାଇବେ। ଅଧ୍ୟୟନ ଏବଂ ଗବେଷଣା ପାଇଁ ନୋଟବୁକ୍ ଏଲଏମର ବର୍ଦ୍ଧିତ ଆକ୍ସେସ ଏବଂ ୨ ଟିବି କ୍ଲାଉଡ୍ ଷ୍ଟୋରେଜ୍ ଭଳି ପ୍ରିମିୟମ୍ ସେବା ମଧ୍ୟ ଏହି ଅଫରରେ ଅନ୍ତର୍ଭୁକ୍ତ ରହିଛି।
ପ୍ରାରମ୍ଭରେ, ଏହି ସୁବିଧା ୧୮ ରୁ ୨୫ ବର୍ଷ ବୟସର ଜିଓ ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ ହେବ, କିନ୍ତୁ ପରବର୍ତ୍ତୀ ସମୟରେ ସମସ୍ତ ଜିଓ ଉପଭୋକ୍ତାଙ୍କୁ ଏହାର ପ୍ରବେଶ ବା ଆକ୍ସେସ ମିଳିବ। ଏହି ଏଆଇ ସୁବିଧା କମ୍ପାନୀ କେବଳ ୫ଜି ଅନଲିମିଟେଡ଼ ପ୍ଲାନ ରହିଥିବା ଜିଓ ଗ୍ରାହକମାନଙ୍କୁ ପ୍ରଦାନ କରିବ। ରିଲାଏନ୍ସର ସହାୟକ କମ୍ପାନୀ ରିଲାଏନ୍ସ ଇଣ୍ଟେଲିଜେନ୍ସ ଲିମିଟେଡ୍ ଏବଂ ଗୁଗୁଲ୍ ମିଳିତ ଭାବରେ ଜିଓ ଗ୍ରାହକମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ଏଆଇ ସୁବିଧା ଆଣିଛନ୍ତି। ଏହାର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଭାରତୀୟ ଉପଭୋକ୍ତା, ସଂସ୍ଥା ଏବଂ ଡେଭଲପରଙ୍କୁ ଏଆଇ ସହିତ ଯୋଡିବା।
ଏହି ସହଭାଗୀତା ରିଲାଏନ୍ସର “ସମସ୍ତଙ୍କ ପାଇଁ ଏଆଇ” ଦୃଷ୍ଟିକୋଣ ଅନୁରୂପ ହୋଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଡି. ଅମ୍ବାନୀ କହିଛନ୍ତି, “ଆମର ଲକ୍ଷ୍ୟ ହେଉଛି ୧୪୫ କୋଟି ଭାରତୀୟଙ୍କ ପାଖରେ ଏଆଇ ସେବାଗୁଡ଼ିକୁ ଉପଲବ୍ଧ କରାଇବା। ଗୁଗୁଲ୍ ଭଳି ଦୀର୍ଘକାଳୀନ ଅଂଶୀଦାରଙ୍କ ସହିତ, ଆମେ ଭାରତକୁ କେବଳ ଏଆଇ-ସକ୍ଷମ ନୁହେଁ, ବରଂ ଏଆଇ-ସମର୍ଥ କରିବାକୁ ଚାହୁଁଛୁ, ଯେଉଁଠାରେ ପ୍ରତ୍ୟେକ ନାଗରିକ ଏବଂ ସଂସ୍ଥା ଏଆଇ ଉପଯୋଗ କରି ଆଗକୁ ବଢ଼ିପାରିବେ।”
ଗୁଗୁଲ୍ ଏବଂ ଆଲଫାବେଟର ସିଇଓ ସୁନ୍ଦର ପିଚାଇ କହିଛନ୍ତି, “ଭାରତର ଡିଜିଟାଲ୍ ଭବିଷ୍ୟତକୁ ସାକାର କରିବା ଦିଗରେ ରିଲାଏନ୍ସ ଆମ ପାଇଁ ଏକ ପ୍ରମୁଖ ଅଂଶୀଦାର ରହିଛି। ଏବେ, ଆମେ ଏହି ସହଯୋଗକୁ ଏଆଇ ଯୁଗକୁ ନେଇଯାଉଛୁ। ଏହି ପଦକ୍ଷେପ ଭାରତୀୟ ଉପଭୋକ୍ତା, ବ୍ୟବସାୟ ଏବଂ ଡେଭଲପରମାନଙ୍କ ପାଖରେ ଗୁଗୁଲ୍ ର ଅତ୍ୟାଧୁନିକ ଏଆଇ ଟୁଲସ ପହଞ୍ଚାଇବ।”
ବିଶ୍ୱସ୍ତରରେ ଭାରତକୁ ଏକ ଏଆଇ ହବ୍ ହେବାରେ ସାହାଯ୍ୟ କରିବା ପାଇଁ, ରିଲାଏନ୍ସ ଏବଂ ଗୁଗୁଲ୍ ଭାରତର କମ୍ପାନୀଗୁଡ଼ିକ ପାଖରେ ଉନ୍ନତ ଏଆଇ ହାର୍ଡୱେର୍, ଯଥା ଟେନ୍ସର ପ୍ରସେସିଙ୍ଗ ୟୁନିଟ ((TPUs) ଯାଏଁ ଉପଲବ୍ଧତା ବଢ଼ାଇବେ। ଏହାଦ୍ୱାରା ଭାରତୀୟ ଉଦ୍ୟୋଗଗୁଡ଼ିକୁ ବଡ଼ ଏବଂ ଜଟିଳ ଏଆଇ ମଡେଲ୍ ବିକଶିତ କରିବାରେ ସହାୟତା ମିଳିବ। ପ୍ରେସ୍ ବିଜ୍ଞପ୍ତିରେ ରିଲାଏନ୍ସ ଇଣ୍ଟେଲିଜେନ୍ସକୁ ଗୁଗୁଲ୍ କ୍ଲାଉଡ଼ ର ଏକ ରଣନୈତିକ ଅଂଶୀଦାର ଭାବରେ ଉଲ୍ଲେଖ କରାଯାଇଛି, ଯାହା ଭାରତୀୟ ବ୍ୟବସାୟଗୁଡିକ ମଧ୍ୟରେ ଜେମିନି ଏଣ୍ଟରପ୍ରାଇଜ ର ବ୍ୟବହାରକୁ ପ୍ରୋତ୍ସାହିତ କରିବ। ଏହା ଏକ ଆଧୁନିକ ଏଆଇ ପ୍ଲାଟଫର୍ମ ଯାହା କର୍ମଚାରୀମାନଙ୍କୁ ବିଭିନ୍ନ କାମରେ ଏଆଇ ଏଜେଣ୍ଟ ସୃଷ୍ଟି କରିବା ଏବଂ ବ୍ୟବହାର କରିବାର ସୁବିଧା ଦେଇଥାଏ।
Big News for Jio Users: 18 Month Free Google AI Pro Access Worth ₹35,100 ( Click Here to Read in English)



