ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମିଳିଛି ନୂଆଦିଲ୍ଲୀର ମୁଖ୍ୟ ସ୍ଥାନରେ ଏକ ଚକାଚକ ବଙ୍ଗଳା। ଏହା ଦିଲ୍ଲୀର ତିନ ମୂର୍ତ୍ତି ଲେନସ୍ଥିତ ବଙ୍ଗଳା ନଂ -2 ଆବଣ୍ଟନ କରାଯାଇଛି। ଏହି ବଙ୍ଗଳାକୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିବାକୁ ଓଡିଶା ପୋଲିସ ତରଫରୁ ନିଷ୍ପତି କରାଯାଇଛି। ଏହାକୁ ନେଇ ବିଜେଡି ଖପ୍ପା ହୋଇଛି। ମୁଖ୍ୟମନ୍ତ୍ରୀ କଣ ଭୁବନେଶ୍ବର ଛାଡି ଦିଲ୍ଲୀରେ ରହିବେ କି ବୋଲି ଦଳ ପ୍ରଶ୍ନ କରିଛି। ତାଙ୍କୁ କଣ ଓଡିଶା ଦାୟିତ୍ବରୁ ହଟାଇ ଦିଆଯାଉଛି କି ବୋଲି ବିଜେଡି ପ୍ରଶ୍ନ କରିଛି।
ବିଜେଡି ତରଫରୁ ଏହାକୁ ତୀବ୍ର ବିରୋଧ କରାଯାଇଛି। ଓଡିଶା ରାଜକୋଷରୁ କଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଉଛି ତାହା ଜଣାପଡୁ ନାହିଁ। ମୁଖ୍ୟମନ୍ତ୍ରୀ ଯେତେବେଳେ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ସେତେବେଳେ ସେ ରହିବା ପାଇଁ ଓଡିଶା ଭବନ ରହିଛି। ବର୍ତ୍ତମାନ ଏହା ମରାମତି କାମ ଚାଲିଥିବାରୁ ମୁଖ୍ୟମନ୍ତ୍ରୀ ରହିବା ପାଇଁ ଏକ ତାରକା ହୋଟେଲରେ ବ୍ୟବସ୍ଥା କରାଯାଇଛି। ଏହା ସତ୍ବେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏପରି ବ୍ୟବସ୍ଥା କଣ ବୋଲି ଦଳ ପ୍ରଶ୍ନ କରିଛି।


