ନୂଆଦିଲ୍ଲୀ: ବିବେକ ଦେବରାୟ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଏବଂ ଜଣେ ପ୍ରବୀଣ ଲେଖକ ଥିଲେ। ସେ ଭାରତକୁ ଯୋଜନା ଆଧାରିତ ଅର୍ଥବ୍ୟବସ୍ଥାରୁ ବଜାର ଆଧାରିତ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ବୋଲି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-2 ଶକ୍ତିକାନ୍ତ ଦାସ। ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନେସନାଲ ସେଣ୍ଟର ଠାରେ ବିବେକ ଦେବରାୟ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ଦାସ କହିଛନ୍ତି, ସ୍ବର୍ଗତ ଦେବରାୟ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ, ନୀତି ଆୟୋଗ ସଦସ୍ୟ ଭଳି ବହୁ ପ୍ରମୁଖ ପଦବୀରେ କାର୍ଯ୍ୟ କରିଥିଲେ। ତାଙ୍କର କାର୍ଯ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୀର୍ଘକାଳୀନ ଅଭିବୃଦ୍ଧି ରଣନୀତି ଓ ନୀତିଗତ ସଂସ୍କାରକୁ ପ୍ରଭାବିତ କରିଥିଲା। ସେ ଶିକ୍ଷାବିତ୍ ଏବଂ ନୀତି ନିର୍ଦ୍ଧାରଣକାରୀ ମଧ୍ୟରେ ସମନ୍ୱୟ ସ୍ଥାପନ କରିଥିଲେ ଏବଂ ଅର୍ଥନୀତି, ଆଇନ ଓ ସାହିତ୍ୟ ଉପରେ ବ୍ୟାପକ ଭାବେ ଲେଖିଥିଲେ ବୋଲି ଶ୍ରୀ ଦାସ କହିଛନ୍ତି।
ଶ୍ରୀ ଦାସ ଆହୁରି କହିଛନ୍ତି, କେବଳ ଅର୍ଥନୀତି ନୁହେଁ ବେଦ, ରାମାୟଣ, ମହାଭାରତ ଏବଂ ଭଗବଦ୍ ଗୀତା ଉପରେ ମଧ୍ୟ ବିବେକ ଦେବରାୟ ଅନେକ ପ୍ରଭାବୀ ରଚନା ଲେଖିଯାଇଛନ୍ତି। ସାହିତ୍ୟ, ଶିକ୍ଷା ଏବଂ ଜନନୀତି କ୍ଷେତ୍ରରେ ଯୋଗଦାନ ପାଇଁ ତାଙ୍କୁ 2025ରେ ମରଣୋତ୍ତର ଭାବେ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏସବୁ ଅସାଧାରଣ ଉପଲବ୍ଧି ସତ୍ତ୍ୱେ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ଏବଂ ସଚ୍ଚୋଟତା ପାଇଁ ସେ ପରିଚିତ ଥିଲେ।
ଏହି କାର୍ଯ୍ୟକ୍ରମରେ ‘‘ଭାରତୀୟ ଅର୍ଥବ୍ୟବସ୍ଥା; ବର୍ଦ୍ଧିତ ବିଶ୍ୱସନୀୟତାର ଏକ କାହାଣୀ ଶୀର୍ଷକ’’ ବିଷୟବସ୍ତୁ ଉପରେ ମତ ରଖି ଶକ୍ତିକାନ୍ତ ଦାସ କହିଛନ୍ତି, ବର୍ତ୍ତମାନ ଆମେ ଏପରି ଏକ ବିନ୍ଦୁରେ ଛିଡ଼ା ହୋଇଛୁ, ଯେଉଁଠି ପରିବର୍ତ୍ତିତ ଭୂରାଜନୈତିକ ଏବଂ ବାଣିଜ୍ୟ ନୀତି ବିଶ୍ୱ ଅର୍ଥବ୍ୟବସ୍ଥାକୁ ଏକ ନୂଆ ଆକାର ଦେଉଛି। ପାରମ୍ପରିକ ବହୁପକ୍ଷବାଦ ବର୍ତ୍ତମାନ ଚାପରେ ରହିଛି। ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା, ଆତ୍ମସୁରକ୍ଷା ଏବଂ ବିଭାଜନ କାରଣରୁ ବିଶ୍ୱବ୍ୟାପୀ ଅସ୍ଥିରତା ସୃଷ୍ଟି ହୋଇଛି। ପୂର୍ବରୁ ଜଗତିକରଣର ନିରପେକ୍ଷ ବାହକ ପାଲଟିଥିବା ବାଣିଜ୍ୟ ଓ ଯୋଗାଣ ଶୃଙ୍ଖଳ ଏବେ ବାଧା ଏବଂ ଆଧିପତ୍ୟର ଉପକରଣ ରୂପେ ବ୍ୟବହୃତ ହେଉଛି। ସେମିକଣ୍ଡକ୍ଟର, ବିରଳ ମୃତ୍ତିକା, ଶକ୍ତି ଏବଂ ଔଷଧ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ବର୍ତ୍ତମାନ ପ୍ରଭାବ ବିସ୍ତାର କରିବାର ଉପକରଣ ରୂପେ ବ୍ୟବହାର କରାଯାଉଛି । ଏହା ବିଶ୍ୱରେ ଅନିଶ୍ଚିତତା ସୃଷ୍ଟି କରିବା ସହିତ ବାଣିଜ୍ୟିକ ମାନ୍ଦାବସ୍ଥାକୁ ଡାକି ଆଣିଛି। ଯୋଗାଣ ଶୃଙ୍ଖଳ ନୂଆ ରୂପ ନେଇଥିବା ବେଳେ ବହୁପକ୍ଷୀୟ ବିଶ୍ୱ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବହୀନ ହୋଇପଡ଼ିଛି। ବହୁପାକ୍ଷିକ ସହଯୋଗ ହାସଲ କରିବା କଷ୍ଟକର ହୋଇପଡ଼ିଥିବା ବେଳେ ମୁକ୍ତ ବାଣିଜ୍ୟର ସିଦ୍ଧାନ୍ତ ଏବେ ସୁରକ୍ଷାବାଦ ଏବଂ ଆଞ୍ଚଳିକ ଗୋଷ୍ଠୀ ଦ୍ୱାରା ପ୍ରଭାବିତ ହୋଇଛି।
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-2 କହିଛନ୍ତି, ଭାରତ ଏହି ବାସ୍ତବତାକୁ ସ୍ୱୀକାର କରି ଏକ ସହଯୋଗୀ ତଥା ନିୟମ ଆଧାରିତ ବିଶ୍ୱ ବ୍ୟବସ୍ଥାକୁ ସମର୍ଥନ କରୁଛି। ନିଜ ଜାତୀୟ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହିତ ସହଭାଗିତା ଏବଂ ରଣନୀତି ପ୍ରସ୍ତୁତ କରୁଛି। ପରିବର୍ତ୍ତିତ ପରିସ୍ଥିତି ସହ ଖାପ ଖୁଆଇଲେ ସୁଦ୍ଧା ବହୁପାକ୍ଷିକ ବ୍ୟବସ୍ଥାକୁ ପୁନର୍ଜୀବିତ କରିବାକୁ ଭାରତ ସମର୍ଥନ କରୁଛି। ଶ୍ରୀ ଦାସ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଭାରତ ଆତ୍ମନିର୍ଭରଶୀଳତାର ଦୃଷ୍ଟିକୋଣକୁ ଗ୍ରହଣ କରିଛି। ଆତ୍ମନିର୍ଭରଶୀଳତାର ଅର୍ଥ ବିଚ୍ଛିନ୍ନତା ନୁହେଁ ବରଂ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଏବଂ ପ୍ରଯୁକ୍ତି ବିଦ୍ୟା ଉତ୍ପାଦନର କ୍ଷମତା ହାସଲ କରିବା। ଏହା ବିଦେଶୀ ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ କରିବ। ଭାରତ ଆତ୍ମନିର୍ଭରଶୀଳତାକୁ ଗ୍ରହଣ କରି ଏକ ରଣନୀତିକ ପଦକ୍ଷେପ ଗ୍ରହଣ କରିଛି। ଆତ୍ମନିର୍ଭରତାର ଦୁଇଟି ପରିପୂରକ ଦିଗ ଅଛି: ଆର୍ଥିକ ସ୍ୱାବଲମ୍ବନ ଏବଂ ଭୂରାଜନୈତିକ ସ୍ୱାୟତ୍ତତା।
ଶ୍ରୀ ଦାସ କହିଛନ୍ତି, ସ୍ଥୁଳ ଆର୍ଥିକ ସ୍ଥିରତା ହାସଲ କରିବା ପାଇଁ ଭାରତର ଆତ୍ମନିର୍ଭରଶୀଳତା ବିଚାରକୁ ଗ୍ରହଣ କରିଛି। ଏହା ସ୍ଥିରତା, ସଂସ୍କାର ଏବଂ ଯୋଜନାର ତ୍ରିମୁଖି ଆଧାର ଉପରେ ନିର୍ଭରଶୀଳ। କୋଭିଡ ମହାମାରୀ, ୟୁକ୍ରେନ ସଂଘର୍ଷ, ବିଶ୍ୱ ଦରବୃଦ୍ଧି, ନିମ୍ନ ଅଭିବୃଦ୍ଧି ଏବଂ ଅନ୍ୟାନ୍ୟ ଆର୍ଥିକ ଅସ୍ଥିରତା ସତ୍ତ୍ୱେ ଭାରତୀୟ ଅର୍ଥବ୍ୟବସ୍ଥା ସ୍ଥିର ରହିଛି ଏବଂ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ରୂପେ ଉଭା ହୋଇଛି। ସ୍ଥିର ଘରୋଇ ଉପଯୋଗ ଏବଂ ନିବେଶ ଦ୍ୱାରା ଭାରତୀୟ ଅର୍ଥବ୍ୟବସ୍ଥା 8.2 ପ୍ରତିଶତରୁ ଅଧିକ ବିକାଶ ହାର ହାସଲ କରିପାରିଛି। 2025-26 ରେ ବାସ୍ତବ ଜିଡିପି 7.4 ପ୍ରତିଶତ ବୃଦ୍ଧି ପାଇବାର ଆଶା କରାଯାଉଛି। ଏହା ବ୍ୟତୀତ, 2025-26 ରେ ବିଶ୍ୱ ଜିଡିପି ଅଭିବୃଦ୍ଧିରେ ଭାରତ ପ୍ରାୟ 18 ପ୍ରତିଶତ ଯୋଗଦାନ ଦେବ ବୋଲି ଆକଳନ କରାଯାଇଛି। ସେ ଆହୁରି କହିଛନ୍ତି, ଚତୁର ମୁଦ୍ରା ନୀତି ପରିଚାଳନା ଯୋଗୁ ମୁଦ୍ରାସ୍ଫିତୀ ନିୟନ୍ତ୍ରଣରେ ରହିଛି। ଅକ୍ଟୋବର 2025ରେ ସିପିଆଇ ମୁଦ୍ରାସ୍ଫିତୀ 0.25 ପ୍ରତିଶତର ସର୍ବନିମ୍ନ ରେକର୍ଡ ସ୍ତରରେ ପହଞ୍ଚିଥିଲା।
ଭାରତ ଖୁବ୍ ଦକ୍ଷତାପୂର୍ଣ୍ଣ ଭାବେ ଆର୍ଥିକ ପରିଚାଳନା ମଧ୍ୟ କରୁଛି ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି, ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ମୋଟ ଆର୍ଥିକ ନିଅଣ୍ଟ 2020-21 ରେ 9.2 ପ୍ରତିଶତରୁ ହ୍ରାସ ପାଇ 2024-25ରେ 4.8 ପ୍ରତିଶତକୁ ହ୍ରାସ ପାଇଛି। ସରକାରଙ୍କ ମୋଟ୍ ଋଣ ଜିଡିପି ଅନୁପାତ 2020-21ରେ 88.4 ପ୍ରତିଶତରୁ 2024-25ରେ 81.6 ପ୍ରତିଶତକୁ ଖସି ଆସିଛି। ଏହା 2030-31 ସୁଦ୍ଧା 76.9କୁ ହ୍ରାସ ପାଇବ ବୋଲି ଆଇଏମଏଫ ଆକଳନ କରିଛି। ସେ ଆହୁରି କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଆର୍ଥିକ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପୁନରୁଦ୍ଧାର ହୋଇଛି। ବ୍ୟାଙ୍କ, ଏନବିଏଫସି ଏବଂ ଅନ୍ୟାନ୍ୟ ଆର୍ଥିକ ସଂସ୍ଥାଗୁଡ଼ିକର ସ୍ୱାସ୍ଥ୍ୟ ଏବେ ହୁଏତ ସର୍ବୋତ୍ତମ ସ୍ଥିତିରେ ଅଛି। ବ୍ୟାଙ୍କଗୁଡ଼ିକର ମୋଟ ଅଚଳ ସମ୍ପତ୍ତି ଅବିଶ୍ୱସନୀୟ ସ୍ତରକୁ ଖସିଯାଇଛି। ବାହ୍ୟ କ୍ଷେତ୍ରରେ, ଭାରତର ଦେୟ ସନ୍ତୁଳନ ସ୍ଥିତି ସୁସ୍ଥ ଅଛି ଏବଂ ଚଳନ୍ତି ଖାତା ନିଅଣ୍ଟ ସ୍ଥିର ରହିଛି। ବର୍ତ୍ତମାନ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର 700 ବିଲିୟନ ଡଲାର ରହିଛି। ଦୃଢ଼ ନୀତି ନିର୍ଦ୍ଧାରଣ, ବିଚକ୍ଷଣ ନୀତି ଏବଂ ସ୍ଥିର ବଫରର ଫଳାଫଳ ବୋଲି ସେ କହିଥିଲେ।
ଶ୍ରୀ ଦାସ କହିଛନ୍ତି, ଢାଞ୍ଚାଗତ ସଂସ୍କାର କାରଣରୁ ଭାରତ ସ୍ଥିର ଅଭିବୃଦ୍ଧି ହାସଲ କରିଛି ଏବଂ ଏହାର ବିଶ୍ୱସନୀୟତା ମଧ୍ୟ ବୃଦ୍ଧି ପାଉଛି। ସରକାର ଟିକସ, ଆର୍ଥିକ ଢାଞ୍ଚା, ଶ୍ରମ ନିୟମ ଏବଂ ବ୍ୟବସାୟିକ ସୁଗମତା କ୍ଷେତ୍ରରେ ଅନେକ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି। ଜିଏସଟି ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି । ଗତ ସେପ୍ଟେମ୍ବରରେ ଲାଗୁ ହୋଇଥିବା ନୂଆ ଜିଏସଟି ସଂସ୍କାର ଟିକସ ଢାଞ୍ଚାକୁ ସରଳ ଏବଂ ଅଧିକ ଗ୍ରାହକ ଅନୁକୂଳ କରିଛି। 2016ରେ ଲାଗୁ ହୋଇଥିବା ଦେବାଳିଆ ଓ ଦେବାଳିଆପଣ ସଂହିତା ଭାରତର ଋଣ ସଂସ୍କୃତିରେ ମୌଳିକ ପରିବର୍ତ୍ତନ ଆଣିଛି। ଏହା ଏକ ଆଧୁନିକ ଏବଂ ସମୟବଦ୍ଧ ଦେବାଳିଆପଣ ସମାଧାନ ପ୍ରକ୍ରିୟା ଆରମ୍ଭ କରିବା ସହିତ ଋଣଦାତାଙ୍କୁ ଦ୍ରୁତ ଅସୁଲି ପାଇଁ କ୍ଷମତା ପ୍ରଦାନ କରିଛି। ଏହା ବ୍ୟାଙ୍କିଙ୍ଗ କ୍ଷେତ୍ରରେ ମଧ୍ୟ ସ୍ଥିରତା ଆଣିପାରିଛି। ସେହିପରି ରେରା ଆଇନ ରିଅଲ ଇଷ୍ଟଟ୍ କ୍ଷେତ୍ରରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଆଣିବା ସହିତ ଉପଭୋକ୍ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିଛି। 29ଟି ଶ୍ରମ ଆଇନକୁ ଚାରିଟି ଶ୍ରମ ସଂହିତାରେ ଏକୀକୃତ କରାଯାଇ ଶ୍ରମିକମାନଙ୍କୁ ଉପଯୁକ୍ତ ମଜୁରି, ମହିଳା ଶ୍ରମିକଙ୍କ ଅଂଶଗ୍ରହଣ, ସାମାଜିକ ସୁରକ୍ଷା, ଶିଳ୍ପ ସମ୍ପର୍କ ଏବଂ ବୃତ୍ତିଗତ ନିରାପତ୍ତା ସୁନିଶ୍ଚିତ କରାଯାଇଛି। 14ଟି ପ୍ରମୁଖ କ୍ଷେତ୍ରରେ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ଉତ୍ପାଦନ ବୃଦ୍ଧି କରିଛି। ଏହାବ୍ୟତୀତ ମେକ ଇନ୍ ଇଣ୍ଡିଆ, ଜାତୀୟ ଭିତ୍ତିଭୂମି ପାଇପଲାଇନ, ଗତିଶକ୍ତି, ଡିଜିଟାଲ ଇଣ୍ଡିଆ ମିଶନ, ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ, ଭାରତମାଳା, ସାଗରମାଳା, ଉଡ଼ାନ ଯୋଜନା ଆଦି ଦେଶର ସାମଗ୍ରିକ ପ୍ରଗତିକୁ ତ୍ୱରାନ୍ୱିତ କରିଥିବା ଶ୍ରୀ ଦାସ କହିଛନ୍ତି ।
ଶକ୍ତିକାନ୍ତ ଦାସ କହିଛନ୍ତି, ବ୍ୟବସାୟିକ ସୁଗମତା ଏବଂ ଜୀବନଧାରଣର ସହଜତାକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ଗତ କିଛି ବର୍ଷ ମଧ୍ୟରେ, 40,000 ରୁ ଅଧିକ ଅନାବଶ୍ୟକ ଅନୁପାଳନ ଏବଂ 1,500 ପୁରୁଣା ଆଇନକୁ ଉଚ୍ଛେଦ କିମ୍ବା ସଂଶୋଧନ କରାଯାଇଛି। ଜନ ବିଶ୍ୱାସ ଆଇନ ପ୍ରକ୍ରିୟାଗୁଡ଼ିକୁ ସୁଗମ କରିବା, ଡିଜିଟାଲ୍ ଅନୁପାଳନକୁ ସକ୍ଷମ କରିବା ଏବଂ ‘‘ପୁଲିସିଂ’’ ରୁ ‘‘ସୁବିଧାପ୍ରଦାନ’’ ଆଡ଼କୁ ଶାସନକୁ ପରିବର୍ତ୍ତିତ କରିଛି। ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନ, ଇଲେକ୍ଟ୍ରୋନିକ୍ ଉପକରଣ ଉତ୍ପାଦନ ଯୋଜନା, ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ସମର୍ଥନ ପ୍ୟାକେଜ୍, ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବା ଏବଂ ଭାରତରେ ରେୟାର ଆର୍ଥ ପରମାନେଣ୍ଟ ମ୍ୟାଗ୍ନେଟ୍ ନିର୍ମାଣ ପାଇଁ ସାମ୍ପ୍ରତିକ ଯୋଜନା ଭଳି ଅନେକ ପଦକ୍ଷେପ ଆତ୍ମନିର୍ଭର ଭାରତ ନିର୍ମାଣରେ ଯୋଗଦାନ ଦେଉଛି। ଆୟୁଷ୍ମାନ ଭାରତ ଯୋଜନା ସାଧାରଣ ନାଗରିକଙ୍କ ଚିକିତ୍ସା ଖର୍ଚ୍ଚ ହ୍ରାସ କରିଛି।
ଶ୍ରୀ ଦାସ ଆହୁରି କହିଛନ୍ତି, ଯୁବ ଜନସଂଖ୍ୟା, ବିଶ୍ୱରେ ଅଗ୍ରଣୀ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ପ୍ରଯୁକ୍ତି ଏବଂ ଏଆଇ ସମ୍ଭାବନା, ଗଭୀର ଆର୍ଥିକ ଅନ୍ତର୍ଭୂକ୍ତିକରଣ ଭଳି ସାମର୍ଥ୍ୟ ଭାରତର ଭବିଷ୍ୟତ ଅଭିବୃଦ୍ଧିକୁ ଆଗେଇ ନେବ। ଭାରତକୁ ଏଆଇ ବିକାଶର ଏକ ପ୍ରମୁଖ କେନ୍ଦ୍ର କରିବା ଲକ୍ଷ୍ୟରେ ସରକାର ଏଆଇ ମିଶନ ମଧ୍ୟ ସ୍ଥାପନ କରିଛନ୍ତି। ଘରୋଇ ଉଦ୍ୟୋଗୀଙ୍କ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ଫଳରେ ଭାରତରେ ଷ୍ଟାର୍ଟଅପଗୁଡ଼ିକ ଉପଗ୍ରହ ଏବଂ ଉତକ୍ଷେପଣ ଯାନ ନିର୍ମାଣ କରିବାରେ ସଫଳ ହୋଇଛି।
ଶେଷରେ ଶ୍ରୀ ଦାସ କହିଥିଲେ, ଭାରତ ବର୍ତ୍ତମାନ ଏକ ଐତିହାସିକ ଯାତ୍ରାର ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଛିଡ଼ା ହୋଇଛି। ବିଶ୍ୱ ସ୍ତରରେ ଆର୍ଥିକ ଅନିଶ୍ଚିତତା ଆସିବା ସତ୍ତ୍ୱେ ବର୍ତ୍ତମାନ ଦେଶ ଗ୍ରହଣ କରିଥିବା ନୀତିଗତ ପଦକ୍ଷେପ ଭାରତକୁ ନିଶ୍ଚିତ ଭାବେ ଏକ ବିକଶିତ ରାଷ୍ଟ୍ର ଦିଗରେ ନେଇଯିବ।


