Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026No Comments10 Mins Read
Share Facebook Twitter LinkedIn Email WhatsApp Copy Link
କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ରାଜକୋଟଠାରେ କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ, 2026 ବର୍ଷ ଆରମ୍ଭ ପରେ ଏହା ତାଙ୍କର ପ୍ରଥମ ଗୁଜରାଟ ଗସ୍ତ। ସେ ଏହା ଉପରେ ଆଲୋକପାତ କରି କହିଥିଲେ, ସକାଳେ ସେ ଭଗବାନ ସୋମନାଥଙ୍କ ଦିବ୍ୟ ଦର୍ଶନ କରିଥିଲେ ଏବଂ ବର୍ତ୍ତମାନ ରାଜକୋଟରେ ଏକ ମହାନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ‘ବିକାଶ ଭି, ବୀରାସତ ଭି’ (ଐତିହ୍ୟକୁ ନେଇ ବିକାଶ) ମନ୍ତ୍ର ସବୁଠି ଗୁଞ୍ଜରିତ ହେଉଛି। ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେବା ପାଇଁ ଦେଶ ଏବଂ ବିଶ୍ୱରୁ ଆସିଥିବା ସମସ୍ତ ସହକର୍ମୀଙ୍କୁ ସେ ସ୍ୱାଗତ କରିଥିଲେ ଏବଂ ଶୁଭେଚ୍ଛା ଜଣାଇଥିଲେ।

ଶ୍ରୀ ମୋଦୀ କହିଥିଲେ, ଯେତେବେଳେ ବି ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀର ମଞ୍ଚ ଆୟୋଜନ ହୁଏ, ସେ ଏହାକୁ କେବଳ ଏକ ଶିଖର ସମ୍ମିଳନୀ ଭାବରେ ଦେଖନ୍ତି ନାହିଁ ବରଂ ଏକବିଂଶ ଶତାବ୍ଦୀରେ ଆଧୁନିକ ଭାରତର ଯାତ୍ରା ଭାବରେ ଦେଖନ୍ତି । ଏହି ମଞ୍ଚ ଏକ ସ୍ୱପ୍ନ ସହିତ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଅଟଳ ବିଶ୍ୱାସରେ ପହଞ୍ଚିଛି। ଦୁଇ ଦଶନ୍ଧି ମଧ୍ୟରେ, ଭାଇବ୍ରାଣ୍ଟ ଗୁଜରାଟର ଯାତ୍ରା ଏକ ବିଶ୍ୱ ମାନଦଣ୍ଡ ପାଲଟିଛି। ଏପର୍ଯ୍ୟନ୍ତ ଦଶଟି ସଂସ୍କରଣ ଅନୁଷ୍ଠିତ ହୋଇଛି, ପ୍ରତ୍ୟେକ ଶିଖର ସମ୍ମିଳନୀର ପରିଚୟ ଏବଂ ଭୂମିକାକୁ ସୁଦୃଢ଼ ​​କରୁଛି।

ଶ୍ରୀ ମୋଦୀ କହିଥିଲେ, ସେ ପ୍ରଥମ ଦିନରୁ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀର ଦୃଷ୍ଟିକୋଣ ସହିତ ଜଡିତ ରହିଆସିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଲକ୍ଷ୍ୟ ଥିଲା ସାରା ବିଶ୍ୱକୁ ଗୁଜରାଟର ସମ୍ଭାବନା ବିଷୟରେ ଅବଗତ କରାଇବା, ଲୋକଙ୍କୁ  ନିବେଶ କରିବା ଲାଗି ଆକର୍ଷିତ କରିବା ଏବଂ ଏହାଦ୍ୱାରା ଭାରତ ଓ ବିଶ୍ୱ ନିବେଶକମାନଙ୍କୁ ଲାଭବାନ ହେବା ପାଇଁ ଆମନ୍ତ୍ରଣ କରିବା। ଆଜି ଏହି ସମ୍ମିଳନୀ ନିବେଶଠାରୁ ଆଗକୁ ବଢ଼ି ବିଶ୍ୱ ଅଭିବୃଦ୍ଧି, ଅନ୍ତର୍ଜାତୀୟ ସହଯୋଗ ଏବଂ ସହଭାଗୀତା ପାଇଁ ଏକ ମଞ୍ଚ ପାଲଟିଛି। ବର୍ଷ ବର୍ଷ ଧରି ବିଶ୍ୱ ସହଭାଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଇଛି ଏବଂ ଏହି ସମ୍ମିଳନୀ ଅନ୍ତର୍ଭୂକ୍ତିକରଣର ଏକ ପ୍ରମୁଖ ଉଦାହରଣ ପାଲଟିଛି। କର୍ପୋରେଟ୍ ଗୋଷ୍ଠୀ, ସମବାୟ, ଏମଏସଏମଇ, ଷ୍ଟାର୍ଟ-ଅପ୍, ବହୁପାକ୍ଷିକ ଏବଂ ଦ୍ୱିପାକ୍ଷିକ ସଂଗଠନ ଏବଂ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଆଲୋଚନା, ବିଚାରବିମର୍ଶ ଏବଂ ଗୁଜରାଟର ବିକାଶ ସହିତ କାନ୍ଧକୁ କାନ୍ଧ ମିଳାଇବା ପାଇଁ ଏଠାରେ ଏକାଠି ହେଉଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଗତ ଦୁଇ ଦଶନ୍ଧି ଧରି, ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀ ନିରନ୍ତର କିଛି ନୂତନ ଏବଂ ବିଶେଷ ପରିଚୟ ପ୍ରଦାନ କରିଛି । ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀ ଏହି ପରମ୍ପରାର ଆଉ ଏକ ଉଦାହରଣ ପାଲଟିଛି। ଏହି ଆଞ୍ଚଳିକ ସମ୍ମିଳନୀର ଗୁଜରାଟର ବିଭିନ୍ନ ଅଂଶର ଅବ୍ୟବହୃତ ସମ୍ଭାବନାକୁ କାର୍ଯ୍ୟଦକ୍ଷତାରେ ପରିଣତ କରିବା ପ୍ରତି ଧ୍ୟାନ ଦେଉଛି। ରାଜ୍ୟର କିଛି ଅଞ୍ଚଳରେ ଉପକୂଳ ଅଞ୍ଚଳର ଶକ୍ତି ଅଛି, ଅନ୍ୟ ଅଞ୍ଚଳରେ ଏକ ଲମ୍ବା ଆଦିବାସୀ କ୍ଷେତ୍ର ଅଛି, କିଛି ଅଞ୍ଚଳରେ ଶିଳ୍ପ କ୍ଲଷ୍ଟରର ଏକ ବିଶାଳ ଇକୋସିଷ୍ଟମ ଅଛି। ଅନ୍ୟ ଅଞ୍ଚଳରେ କୃଷି ଏବଂ ପଶୁପାଳନର ଏକ ସମୃଦ୍ଧ ପରମ୍ପରା ଅଛି। ଗୁଜରାଟର ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଶକ୍ତି ଅଛି, ଏବଂ ଏହି ଆଞ୍ଚଳିକ ସମ୍ଭାବନା ଉପରେ ଧ୍ୟାନ ଦେଇ ଆଞ୍ଚଳିକ ସମ୍ମିଳନୀ ଆଗକୁ ବଢ଼ୁଛି।

ପ୍ରଧାନମନ୍ତ୍ରୀ କହିଥିଲେ, ଏକବିଂଶ ଶତାବ୍ଦୀର ଏକ ଚତୁର୍ଥାଂଶ ସମୟ ବିତିଗଲାଣି। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭାରତ ଦ୍ରୁତ ପ୍ରଗତି ହାସଲ କରିଛି। ଏଥିରେ ଗୁଜରାଟ ଏବଂ ଏହାର ସମସ୍ତ ଜନସାଧାରଣ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ଆଡ଼କୁ ଅଗ୍ରସର ହେଉଛି, ଏବଂ ଭାରତଠାରୁ ବିଶ୍ୱର ଆଶା ନିରନ୍ତର ବୃଦ୍ଧି ପାଉଥିବାର ତଥ୍ୟ ଅନେକ ଥର ମିଳିଛି। ଭାରତ ହେଉଛି ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥବ୍ୟବସ୍ଥା। ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି। କୃଷି ଉତ୍ପାଦନ ନୂତନ ରେକର୍ଡ ହାସଲ କରୁଛି । ଭାରତ ଦୁଗ୍ଧ ଉତ୍ପାଦନରେ ଏକ ନମ୍ବର, ଜେନେରିକ ଔଷଧ ଉତ୍ପାଦନରେ ପ୍ରଥମ ଏବଂ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦକ ହୋଇପାରିଛି।

ଶ୍ରୀ ମୋଦୀ କହିଥିଲେ, ଭାରତର ଫ୍ୟାକ୍ଟଶିଟ୍‌ ଦର୍ଶାଉଛି ଯେ, ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣର ମନ୍ତ୍ର ସଫଳତାର କାହାଣୀ ପାଲଟିଛି। ଗତ 11 ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବବୃହତ ମୋବାଇଲ୍ ଡାଟା ଗ୍ରାହକ ହୋଇପାରିଛି। ୟୁପିଆଇ ବିଶ୍ୱ ସ୍ତରରେ ଏକ ନମ୍ବର ରିଅଲ୍-ଟାଇମ୍ ଡିଜିଟାଲ୍ ନେଣଦେଣ ପ୍ଲାଟଫର୍ମ ଭାବରେ ଉଭା ହୋଇଛି। ପୂର୍ବରୁ ଦଶଟି ମୋବାଇଲ୍ ଫୋନ୍ ମଧ୍ୟରୁ ନଅଟି ଆମଦାନି କରାଯାଉଥିଲା, କିନ୍ତୁ ଆଜି ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଫୋନ୍ ନିର୍ମାତା। ଭାରତରେ ଏବେ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ୍ ଅଛି । ସୌରଶକ୍ତି ଉତ୍ପାଦନରେ ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ଭାରତ ସ୍ଥାନ ପାଇଛି। ଏହା ବିଶ୍ୱର ତୃତୀୟ ବୃହତ୍ତମ ବିମାନ ବଜାର ଏବଂ ବିଶ୍ୱସ୍ତରରେ ଶ୍ରେଷ୍ଠ ତିନୋଟି ମେଟ୍ରୋ ନେଟୱାର୍କ ମଧ୍ୟରୁ ଅନ୍ୟତମ।

ଆଜି ପ୍ରତ୍ୟେକ ବିଶ୍ୱ ବିଶେଷଜ୍ଞ ଏବଂ ପ୍ରତିଷ୍ଠାନ ଭାରତ ପ୍ରତି ଉତ୍ସାହୀ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଇଏମଏଫ ଭାରତକୁ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ ବୋଲି କହୁଛି। ଏସଏଣ୍ଡପି ଅଠର ବର୍ଷ ପରେ ଭାରତର ମୂଲ୍ୟାଙ୍କନରେ ସୁଧାର ଆଣିଛି। ଫିଚ୍ ରେଟିଂ ଭାରତର ମାକ୍ରୋ ସ୍ଥିରତା ଏବଂ ଆର୍ଥିକ ବିଶ୍ୱସନୀୟତାକୁ ପ୍ରଶଂସା କରିଛି। ଭାରତ ପ୍ରତି ବିଶ୍ୱର ଏହି ବିଶ୍ୱାସ ରହିଛି କାରଣ, ଦୁନିଆରେ ନାନା ଅନିଶ୍ଚିତତା ମଧ୍ୟରେ, ଭାରତ ଏକ ଅଭୂତପୂର୍ବ ସ୍ଥିରତାର ସାକ୍ଷୀ ହେଉଛି। ଭାରତ ରାଜନୈତିକ ସ୍ଥିରତା, ନୀତିଗତ ସ୍ଥାୟିତ୍ୱ ଏବଂ ବର୍ଦ୍ଧିତ କ୍ରୟ ଶକ୍ତି ଥିବା ଏକ ବିସ୍ତାରିତ ନବ-ମଧ୍ୟବିର୍ତ୍ତ ବର୍ଗ ଭଳି ଫାଇଦା ରହିଛି। ଏହା ଭାରତକୁ ଅସୀମ ସମ୍ଭାବନାର ଏକ ରାଷ୍ଟ୍ର ରୂପେ ଛିଡ଼ା କରିଛି। ଲାଲକିଲ୍ଲାରୁ ତାଙ୍କ ବକ୍ତବ୍ୟକୁ ଦୋହରାଇ ଶ୍ରୀ ମୋଦୀ କହିଥିଲେ, “ଏହା ହିଁ ସମୟ, ସଠିକ୍ ସମୟ,” ଦେଶ ଏବଂ ବିଶ୍ୱର ପ୍ରତ୍ୟେକ ନିବେଶକଙ୍କ ପାଇଁ ଭାରତର ସମ୍ଭାବନାର ସୁଯୋଗ ନେବା ପାଇଁ ଏହା ପ୍ରକୃତରେ ସଠିକ୍ ସମୟ। ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀ ମଧ୍ୟ ସମସ୍ତ ନିବେଶକଙ୍କୁ ସମାନ ବାର୍ତ୍ତା ଦେଉଛି – ସୌରାଷ୍ଟ୍ର-କଚ୍ଛରେ ନିବେଶ ପାଇଁ, ଏହା ହିଁ ସମୟ, ସଠିକ୍ ସମୟ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ସୌରାଷ୍ଟ୍ର ଏବଂ କଚ୍ଛ ହେଉଛି ଗୁଜରାଟର ଏପରି ଅଞ୍ଚଳ ଯାହା ଆମକୁ ଶିକ୍ଷା ଦିଏ ଯେ ଯେତେ ବଡ଼ ଆହ୍ୱାନ ଆସୁ ନା କାହିଁକି, ଯଦି ଜଣେ ସଚ୍ଚୋଟତା ଏବଂ କଠିନ ପରିଶ୍ରମ ସହିତ ଅଟଳ ରହେ, ତେବେ ସଫଳତା ନିଶ୍ଚିତ। ଏହା ସେହି କଚ୍ଛ, ଯାହା ଚଳିତ ଶତାବ୍ଦୀର ଆରମ୍ଭରେ ଏକ ବିନାଶକାରୀ ଭୂମିକମ୍ପର ସମ୍ମୁଖୀନ ହୋଇଥିଲା। ସେହିପରି ସୌରାଷ୍ଟ୍ର ବର୍ଷ ବର୍ଷ ଧରି ମରୁଡ଼ିର ଶିକାର ହୋଇଥିଲା। ଏଠାରେ ମା’ ଏବଂ ଭଉଣୀମାନଙ୍କୁ ପାନୀୟ ଜଳ ପାଇଁ ଅନେକ କିଲୋମିଟର ଚାଲିବାକୁ ପଡୁଥିଲା, ବିଦ୍ୟୁତ ଅନିଶ୍ଚିତ ଥିଲା ଏବଂ ସବୁଠି ଅସୁବିଧା ଥିଲା। ଆଜିର 20-25 ବର୍ଷ ବୟସର ଯୁବକମାନେ କେବଳ ସେ ସମୟର କାହାଣୀ ଶୁଣିଛନ୍ତି, ଯେତେବେଳେ ଲୋକମାନେ କଚ୍ଛ କିମ୍ବା ସୌରାଷ୍ଟ୍ରରେ ଅଧିକ ସମୟ ରହିବାକୁ ମଧ୍ୟ ଅନିଚ୍ଛୁକ ଥିଲେ ।  ଏପରି ମନେ ହେଉଥିଲା ଯେପରି ଏ ପରିସ୍ଥିତି କେବେ ବଦଳିବ ନାହିଁ। କିନ୍ତୁ ଇତିହାସ ସାକ୍ଷୀ ରହିଛି, ସମୟ ବଦଳିଲେ, ପ୍ରକୃତରେ ସ୍ଥିତି ବଦଳିଥାଏ। ସୌରାଷ୍ଟ୍ର ଏବଂ କଚ୍ଛର ଲୋକମାନେ ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା ସେମାନଙ୍କର ଭାଗ୍ୟ ପରିବର୍ତ୍ତନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ।

ଶ୍ରୀ ମୋଦୀ କହିଥିଲେ, ଆଜି ସୌରାଷ୍ଟ୍ର ଏବଂ କଚ୍ଛ କେବଳ ସୁଯୋଗର କ୍ଷେତ୍ର ନୁହେଁ ବରଂ ଭାରତର ଅଭିବୃଦ୍ଧିର ପ୍ରମୁଖ କେନ୍ଦ୍ର ପାଲଟିଛି । ଏହି ଅଞ୍ଚଳଗୁଡ଼ିକ ଆତ୍ମନିର୍ଭର ଭାରତ ଅଭିଯାନକୁ ଚାଳିତ କରୁଥିବା ପ୍ରମୁଖ କେନ୍ଦ୍ର ପାଲଟିଛନ୍ତି ଏବଂ ଭାରତକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି, ଯାହା ଏକ ବଜାର-ଚାଳିତ ଭୂମିକା ଏବଂ ଏହିପରି ନିବେଶକଙ୍କ ବିଶ୍ୱାସକୁ ପ୍ରୋତ୍ସାହିତ କରୁଛି। କେବଳ ରାଜକୋଟରେ 2.5 ଲକ୍ଷରୁ ଅଧିକ ଏମଏସଏମଇ ଅଛି ଏବଂ ଏହାର ବିବିଧ ଶିଳ୍ପ କ୍ଲଷ୍ଟରରେ ସ୍କ୍ରୁଡ୍ରାଇଭରଠାରୁ ଆରମ୍ଭ କରି ଅଟୋ ପାର୍ଟସ, ମେସିନ୍ ଟୁଲ୍ସ, ଲଗଜରୀ କାର୍ ଲାଇନର, ବିମାନ, ଲଢ଼ୁଆ ବିମାନ ଏବଂ ରକେଟ୍ ଉପାଦାନ ପର୍ଯ୍ୟନ୍ତ ସବୁକିଛି ନିର୍ମିତ ହୁଏ। ଏହି ଅଞ୍ଚଳ କମ୍ ମୂଲ୍ୟର ଉତ୍ପାଦନ ଠାରୁ ଆରମ୍ଭ କରି ଉଚ୍ଚ-ସଠିକତା, ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଉତ୍ପାଦନ ପର୍ଯ୍ୟନ୍ତ ସମଗ୍ର ମୂଲ୍ୟ ଶୃଙ୍ଖଳକୁ ସମର୍ଥନ କରେ ଏବଂ ଏହାର ଅଳଙ୍କାର ଶିଳ୍ପ ବିଶ୍ୱ-ପ୍ରସିଦ୍ଧି, ବ୍ୟାପକତା, ଦକ୍ଷତା ଏବଂ ବିଶ୍ୱ ସମ୍ପର୍କର ଉଦାହରଣ।

ପ୍ରଧାନମନ୍ତ୍ରୀ କହିଥିଲେ, ଆଲାଙ୍ଗରେ ବିଶ୍ୱର ସର୍ବବୃହତ ଜାହାଜ ଭାଙ୍ଗିବା ୟାର୍ଡ ରହିଛି। ଏଠାରେ ବିଶ୍ୱର ଏକ ତୃତୀୟାଂଶ ଜାହାଜ ପୁନଃଚକ୍ରଣ ହୁଏ। ଏହା ଚକ୍ରାକାର ଅର୍ଥବ୍ୟବସ୍ଥାରେ ଭାରତର ନେତୃତ୍ୱର ପ୍ରମାଣ। ଭାରତ ସର୍ବାଧିକ ଟାଇଲ୍ସ ଉତ୍ପାଦକମାନଙ୍କ ମଧ୍ୟରେ ଅନ୍ୟତମ। ଏଥିରେ ମୋରବି ଜିଲ୍ଲା ଏକ ପ୍ରମୁଖ ଅବଦାନ ଦେଉଛି । ଏଠାରେ ନିର୍ମିତ ଉତ୍ପାଦର ମୂଲ୍ୟ ପ୍ରତିଦ୍ୱନ୍ଦ୍ୱିତାମୂଳକ ଏବଂ ବିଶ୍ୱସ୍ତରୀୟ ମାନଦଣ୍ଡ ହାସଲ କରିଛି । ଏପରି ଏକ ସମୟ ଦେଖିପାରିବେ ଯେତେବେଳେ ମୋରବି, ଜାମନଗର ଏବଂ ରାଜକୋଟ ଏକାଠି ଏକ ତ୍ରିଭୁଜ ଗଠନ କରିବେ ଯାହା ଏକ ‘‘ମିନି ଜାପାନ’’ ହେବ ବୋଲି ଏକଦା କହିଥିବା ଶ୍ରୀ ମୋଦୀ ସ୍ମରଣ କରାଇ ଦେଇଥିଲେ।  ସେହି ସମୟରେ ଅନେକ ତାଙ୍କ ବକ୍ତବ୍ୟକୁ ପରିହାସ କରିଥିଲେ, କିନ୍ତୁ ଆଜି ସେ ନିଜ ଆଖି ଆଗରେ ସେହି ଦୃଷ୍ଟିକୋଣକୁ ବାସ୍ତବତାରେ ପରିଣତ ହେଉଥିବାର ଦେଖୁଛନ୍ତି।

ଧୋଲେରା ସ୍ୱତନ୍ତ୍ର ନିବେଶ କ୍ଷେତ୍ର ଆଧୁନିକ ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ଭାବରେ ଉଭା ହେବାକୁ ନେଇ ସନ୍ତୋଷ ପ୍ରକାଶ କରି ଶ୍ରୀ ମୋଦୀ କହିଥିଲେ, ଭାରତର ପ୍ରଥମ ସେମିକଣ୍ଡକ୍ଟର ଫେବ୍ରିକେସନ୍ ସୁବିଧା ଧୋଲେରାରେ ପ୍ରତିଷ୍ଠା ହେଉଛି, ଯାହା ଏହି ଅଞ୍ଚଳକୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରାରମ୍ଭିକ ସୁବିଧା ପ୍ରଦାନ କରୁଛି। ଏହି ଅଞ୍ଚଳରେ ନିବେଶ ପାଇଁ କ୍ଷେତ୍ର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ ଅଛି । ଅନୁକୂଳ ନୀତି ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣ ସହିତ ଏହି କ୍ଷେତ୍ର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

ଶ୍ରୀ ମୋଦୀ କହିଥିଲେ, ସୌରାଷ୍ଟ୍ର ଏବଂ କଚ୍ଛ ଭାରତର ସବୁଜ ଅଭିବୃଦ୍ଧି, ସବୁଜ ପରିବହନ ଏବଂ ଶକ୍ତି ସୁରକ୍ଷାର ପ୍ରମୁଖ କେନ୍ଦ୍ର ଭାବରେ ଉଭା ହେଉଛନ୍ତି। କଚ୍ଛରେ ଏକ 30 ଗିଗାୱାଟ କ୍ଷମତାର ଅକ୍ଷୟ ଶକ୍ତି ପାର୍କ ବିକଶିତ ହେଉଛି, ଯାହା ପ୍ୟାରିସ ସହର ଅପେକ୍ଷା ପାଞ୍ଚ ଗୁଣ ବଡ଼ ବିଶ୍ୱର ସର୍ବବୃହତ ହାଇବ୍ରିଡ୍ ଶକ୍ତି ପାର୍କ ହେବ। ଏହି କ୍ଷେତ୍ରରେ ସ୍ୱଚ୍ଛ ଶକ୍ତି କେବଳ ଏକ ପ୍ରତିବଦ୍ଧତା ନୁହେଁ ବରଂ ଏକ ବାଣିଜ୍ୟିକ ସ୍ତରର ବାସ୍ତବତା। କଚ୍ଛ ଏବଂ ଜାମନଗର ସବୁଜ ହାଇଡ୍ରୋଜେନ ଉତ୍ପାଦନ ପାଇଁ ପ୍ରମୁଖ କେନ୍ଦ୍ର ହେବାକୁ ଯାଉଛନ୍ତି । ଅକ୍ଷୟ ଶକ୍ତି ସହିତ ଗ୍ରୀଡ୍ ସ୍ଥିରତା ଏବଂ ନିର୍ଭରଶୀଳତା ସୁନିଶ୍ଚିତ କରିବା ପାଇଁ କଚ୍ଛରେ ଏକ ବିଶାଳ ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ ମଧ୍ୟ ପ୍ରତିଷ୍ଠା କରାଯାଉଛି।

ସୌରାଷ୍ଟ୍ର ଏବଂ କଚ୍ଛର ଆଉ ଏକ ବଡ଼ ଶକ୍ତି ସେମାନଙ୍କର ବିଶ୍ୱସ୍ତରୀୟ ବନ୍ଦରଗୁଡ଼ିକରେ ରହିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ପିପାଭାଭ ଏବଂ ମୁନ୍ଦ୍ରା ବନ୍ଦର ଅଟୋମୋବାଇଲ ରପ୍ତାନି ପାଇଁ ପ୍ରମୁଖ କେନ୍ଦ୍ର ପାଲଟିଛି । ଗତ ବର୍ଷ ଗୁଜରାଟର ବନ୍ଦରଗୁଡ଼ିକରୁ ପ୍ରାୟ 1.75 ଲକ୍ଷ ଯାନବାହନ ରପ୍ତାନି ହୋଇଛି। ଲଜିଷ୍ଟିକ୍ସ ବ୍ୟତୀତ, ବନ୍ଦର-ନେତୃତ୍ୱାଧୀନ ବିକାଶର ପ୍ରତ୍ୟେକ ଦିଗରେ ଅସୀମ ନିବେଶ ସୁଯୋଗ ରହିଛି। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ, ଗୁଜରାଟ ସରକାର ବଡ଼ ଧରଣର ଭିତ୍ତିଭୂମି ବିକାଶ ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ନିବେଶକଙ୍କ ପାଇଁ ଏକ ଦୃଢ଼ ଇକୋସିଷ୍ଟମ ସହିତ ମତ୍ସ୍ୟପାଳନ କ୍ଷେତ୍ରକୁ ବିଶେଷ ପ୍ରାଥମିକତା ଦେଉଛନ୍ତି।

‘‘ଭିତ୍ତିଭୂମି ସହିତ, ଏକ ଶିଳ୍ପ-ପ୍ରସ୍ତୁତ ଶ୍ରମଶକ୍ତି ଆଜି ସବୁଠାରୁ ବଡ଼ ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ସେ କହିଥିଲେ, ଗୁଜରାଟ ଏହି କ୍ଷେତ୍ରରେ ନିବେଶକମାନଙ୍କୁ ସମ୍ପୂର୍ଣ୍ଣ ନିଶ୍ଚିତତା ପ୍ରଦାନ କରେ। ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ଗୁଜରାଟର ଏକ ଅନ୍ତର୍ଜାତୀୟ ଇକୋସିଷ୍ଟମ ଅଛି। କୌଶଲ୍ୟ ସ୍କିଲ୍ ୟୁନିଭର୍ସିଟି ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁରର ବିଭିନ୍ନ ବିଶ୍ୱବିଦ୍ୟାଳୟ ସହିତ ସହଯୋଗରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷତାରେ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରୁଛି। ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ହେଉଛି ଭାରତର ପ୍ରଥମ ଜାତୀୟ ସ୍ତରୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ। ଗତିଶକ୍ତି ବିଶ୍ୱବିଦ୍ୟାଳୟ ସଡ଼କ, ରେଳ, ଆକାଶମାର୍ଗ, ଜଳପଥ ଏବଂ ଲଜିଷ୍ଟିକ୍ସ କ୍ଷେତ୍ର ପାଇଁ ଦକ୍ଷ ମାନବଶକ୍ତି ପ୍ରସ୍ତୁତ କରୁଛି। ଗୁଜରାଟରେ ନିବେଶ ଏକ ନିଶ୍ଚିତ ପ୍ରତିଭା ପାଇପଲାଇନ ସହିତ ଆସିଥାଏ। ଅନେକ ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତରେ ସୁଯୋଗ ଦେଖୁଛନ୍ତି, ଗୁଜରାଟ ସେମାନଙ୍କର ପସନ୍ଦର ଗନ୍ତବ୍ୟସ୍ଥଳ ପାଲଟିଛି । ଦୁଇଟି ପ୍ରମୁଖ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ରାଜ୍ୟରେ କ୍ୟାମ୍ପସ ଆରମ୍ଭ କରିସାରିଛନ୍ତି, ଭବିଷ୍ୟତରେ ଅଧିକ ବିଦେଶୀ ଶିକ୍ଷାନୁଷ୍ଠାନ ଏଠାକୁ ଆସିବେ ବୋଲି ଆଶା କରାଯାଉଛି।

ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରକୃତି, ଦୁଃସାହସିକ କ୍ରୀଡ଼ା, ସଂସ୍କୃତି ଏବଂ ଐତିହ୍ୟ ଆଦି ପର୍ଯ୍ୟଟନ କ୍ଷେତ୍ରରେ ଗୁଜରାଟରେ ବ୍ୟାପକ ସୁଯୋଗ ରହିଛି । ଏସବୁ ଗୁଜରାଟକୁ ଏକ ସମ୍ପୂର୍ଣ୍ଣ ପର୍ଯ୍ୟଟନ ଅଭିଜ୍ଞତା ପ୍ରଦାନକାରୀ ରାଜ୍ୟ ରୂପେ ପରିଣତ କରିଥାଏ। ଭାରତର 4,500 ବର୍ଷ ପୁରୁଣା ସାମୁଦ୍ରିକ ଐତିହ୍ୟର ପ୍ରତୀକ ସ୍ୱରୂପ ଲୋଥାଲ ବିଶ୍ୱର ସର୍ବପ୍ରାଚୀନ ମାନବ ନିର୍ମିତ ଡକୟାର୍ଡର ସ୍ଥଳ ପାଲଟିଛି, ଯେଉଁଠାରେ ଜାତୀୟ ସାମୁଦ୍ରିକ ଐତିହ୍ୟ ସଂକଳନ ବିକଶିତ ହେଉଛି। ପ୍ରଧାନମନ୍ତ୍ରୀ କହିଥିଲେ, ରଣ ଉତ୍ସବ ବର୍ତ୍ତମାନ କଚ୍ଛରେ ପାଳିତ ହେଉଛି, ଏବଂ ତମ୍ବୁ ସହର ଏକ ଅନନ୍ୟ ଅଭିଜ୍ଞତା ପ୍ରଦାନ କରୁଛି। ବନ୍ୟପ୍ରାଣୀ ପ୍ରେମୀମାନେ ଏସୀୟ ସିଂହ ଦେଖିବାର ଅଦ୍ଭୁତ ଅଭିଜ୍ଞତା ପାଇଁ ଗିର୍ ଜଙ୍ଗଲ ପରିଦର୍ଶନ କରିପାରିବେ, ଯାହା ବାର୍ଷିକ ନଅ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଯେଉଁମାନେ ସମୁଦ୍ରକୁ ଭଲ ପାଆନ୍ତି ସେମାନେ ବ୍ଲୁ ଫ୍ଲାଗ୍‌ ମାନ୍ୟତା ଲାଭ କରିଥିଲା ଶିବରାଜପୁର ବେଳାଭୂମି, ମାଣ୍ଡଭି, ସୋମନାଥ ଏବଂ ଦ୍ୱାରକା ଆସିପାରିବେ। ଏସବୁ ସ୍ଥାନ ବେଳାଭୂମି ପର୍ଯ୍ୟଟନ ପାଇଁ ଅପାର ସମ୍ଭାବନା ପ୍ରଦାନ କରେ। ନିକଟସ୍ଥ ଡିଉ ବେଳାଭୂମି ଜଳକ୍ରୀଡା ଏବଂ ବେଳାଭୂମି କ୍ରୀଡ଼ା ପାଇଁ ଏକ ପ୍ରମୁଖ ସ୍ଥାନ ପାଲଟିଛି।

ସୌରାଷ୍ଟ୍ର ଏବଂ କଚ୍ଛ ଶକ୍ତି ଓ ସମ୍ଭାବନାରେ ପରିପୂର୍ଣ୍ଣ ଅଞ୍ଚଳ ବୋଲି ଶ୍ରୀ ମୋଦୀ କହିବା ସହିତ ନିବେଶକମାନଙ୍କୁ ଏହାର ପୂର୍ଣ୍ଣ ସୁଯୋଗ ନେବାକୁ ଆହ୍ୱାନ କରିଥିଲେ। ସୌରାଷ୍ଟ୍ର-କଚ୍ଛରେ ପ୍ରତ୍ୟେକ ନିବେଶ ଗୁଜରାଟର ବିକାଶ ଏବଂ ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବ।

ପ୍ରଧାନମନ୍ତ୍ରୀ କହିଥିଲେ, ଆଜିର ଭାରତ ଏକ ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟ ଦିଗରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି । ଏହି ଯାତ୍ରାରେ ‘ସଂସ୍କାର ଏକ୍ସପ୍ରେସ’ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ସଂସ୍କାର ଏକ୍ସପ୍ରେସ ପ୍ରତ୍ୟେକ କ୍ଷେତ୍ରରେ ପରବର୍ତ୍ତୀ ପିଢ଼ିର ସଂସ୍କାର ନିମନ୍ତେ ମାର୍ଗପ୍ରଶସ୍ତ କରୁଛି। ନିକଟରେ ଲାଗୁ ହୋଇଥିବା ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ସମସ୍ତ କ୍ଷେତ୍ରକୁ ସକାରାତ୍ମକ ଭାବରେ ପ୍ରଭାବିତ କରିଛି, ବିଶେଷକରି ଏମଏସଏମଇଗୁଡ଼ିକୁ ଲାଭବାନ କରିଛି। ଭାରତ 100 ପ୍ରତିଶତ ଏଫଡିଆଇ ଅନୁମତି ଦେଇ ବୀମା କ୍ଷେତ୍ରରେ ଏକ ପ୍ରମୁଖ ସଂସ୍କାର ଆଣିଛି ଯାହା ନାଗରିକମାନଙ୍କୁ ସାର୍ବଜନୀନ ବୀମା ସୁରକ୍ଷା ପ୍ରଦାନ ଅଭିଯାନକୁ ତ୍ୱରାନ୍ୱିତ କରିବ। ପ୍ରାୟ ଛଅ ଦଶନ୍ଧି ପରେ, ଆୟକର ଆଇନକୁ ଆଧୁନିକୀକରଣ କରାଯାଇଛି, ଯାହା ଲକ୍ଷ ଲକ୍ଷ କରଦାତାଙ୍କୁ ଲାଭ ଦେଇଛି। ଭାରତ ଐତିହାସିକ ଶ୍ରମ ସଂସ୍କାର ମଧ୍ୟ କାର୍ଯ୍ୟକାରୀ କରିଛି, ଯାହା ମଜୁରି, ସାମାଜିକ ସୁରକ୍ଷା ଏବଂ ଶିଳ୍ପ କ୍ଷେତ୍ରକୁ ଏକୀକୃତ ଢାଞ୍ଚା ପ୍ରଦାନ କରିଛି, ଏହାଦ୍ୱାରା ଶ୍ରମିକ ଏବଂ ଶିଳ୍ପ ଉଭୟ ଲାଭବାନ ହେଉଛନ୍ତି।

ଭାରତ ତଥ୍ୟ-ଚାଳିତ ନବସୃଜନ, ଏଆଇ ଗବେଷଣା ଏବଂ ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ହେବାକୁ ଯାଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଭାରତର ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ଦେଖିଲେ ସ୍ଥିର ଶକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଣବିକ ଶକ୍ତି ଏହାକୁ ହାସଲ କରିବା ପାଇଁ ଏକ ପ୍ରମୁଖ ମାଧ୍ୟମ। ଆଣବିକ ଶକ୍ତି କ୍ଷେତ୍ରରେ ପରବର୍ତ୍ତୀ ପିଢ଼ିର ସଂସ୍କାର ମଧ୍ୟ ପ୍ରଚଳନ କରାଯାଇଛି। ଶାନ୍ତି ଆଇନ ମାଧ୍ୟମରେ ବେସାମରିକ ଆଣବିକ ଶକ୍ତି ଘରୋଇ ଅଂଶଗ୍ରହଣ ପାଇଁ ଖୋଲାଯାଇଛି। ଏହା ନିବେଶକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି କରିଛି।

ପ୍ରଧାନମନ୍ତ୍ରୀ ଉପସ୍ଥିତ ସମସ୍ତ ନିବେଶକଙ୍କୁ ଆଶ୍ୱାସନା ଦେଇ କହିଥିଲେ, ଭାରତର ସଂସ୍କାର ଏକ୍ସପ୍ରେସ ବନ୍ଦ ହେବ ନାହିଁ, ଏବଂ ଦେଶର ସଂସ୍କାର ଯାତ୍ରା ଢାଞ୍ଚାଗତ ପରିବର୍ତ୍ତନ ଦିଗରେ ଆଗକୁ ବଢ଼ିଛି। ଅଂଶଗ୍ରହଣକାରୀମାନେ ଏଠାରେ କେବଳ ଏକ ବୁଝାମଣାପତ୍ର ସହିତ ଆସିନାହାନ୍ତି, ବରଂ ସୌରାଷ୍ଟ୍ର-କଚ୍ଛର ବିକାଶ ଓ ଐତିହ୍ୟ ସହିତ ଯୋଡ଼ି ହେବା ପାଇଁ ଆସିଛନ୍ତି। ଶେଷରେ ସେ କହିଥିଲେ, ଏଠାରେ ନିବେଶ ହୋଇଥିବା ପ୍ରତ୍ୟେକ ଟଙ୍କା ଉତ୍କୃଷ୍ଟ ଲାଭ ଦେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଧନ୍ୟବାଦ ଜଣାଇଥିଲେ।

ପୃଷ୍ଠଭୂମି

ଏହି କାର୍ଯ୍ୟକ୍ରମରେ, ପ୍ରଧାନମନ୍ତ୍ରୀ 14ଟି ଗ୍ରୀନଫିଲ୍ଡ ସ୍ମାର୍ଟ ଗୁଜରାଟ ଶିଳ୍ପ ବିକାଶ ନିଗମ ଲିମିଟେଡ୍ (ଜିଆଇଡିସି) ଇଷ୍ଟେଟ୍ ବିକାଶ ଘୋଷଣା କରିଥିଲେ ଏବଂ ରାଜକୋଟରେ ଜିଆଇଡିସି  ମେଡିକାଲ୍ ଡିଭାଇସ୍ ପାର୍କ ଉଦଘାଟନ କରିଥିଲେ।

କଚ୍ଛ ଏବଂ ସୌରାଷ୍ଟ୍ର ଅଞ୍ଚଳର 12ଟି ଜିଲ୍ଲାକୁ ନେଇ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀ 11-12 ଜାନୁଆରୀ 2026ରେ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି । ସ୍ଥାନୀୟ କ୍ଷେତ୍ରଗୁଡ଼ିକ ପାଇଁ ସ୍ୱତନ୍ତ୍ର ଭାବରେ ଉତ୍ସର୍ଗୀକୃତ, ଏହି ସମ୍ମିଳନୀ ପଶ୍ଚିମ ଗୁଜରାଟରେ ନିବେଶ ଏବଂ ଶିଳ୍ପ ଅଭିବୃଦ୍ଧି ପାଇଁ ନୂତନ ଗତି ଆଣିବାର ଲକ୍ଷ୍ୟ ରଖିଛି। ସମ୍ମିଳନୀର ମୁଖ୍ୟ କ୍ଷେତ୍ରଗୁଡ଼ିକ ମଧ୍ୟରେ ସେରାମିକ୍ସ, ଇଞ୍ଜିନିୟରିଂ, ବନ୍ଦର ଓ ଲଜିଷ୍ଟିକ୍ସ, ମତ୍ସ୍ୟପାଳନ, ପେଟ୍ରୋକେମିକାଲ୍ସ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ଖଣିଜ ପଦାର୍ଥ, ସବୁଜ ଶକ୍ତି ଇକୋସିଷ୍ଟମ, ଦକ୍ଷତା ବିକାଶ, ଷ୍ଟାର୍ଟଅପ୍, ଏମଏସଏମଇ, ପର୍ଯ୍ୟଟନ ଓ ସଂସ୍କୃତି ଅନ୍ତର୍ଭୁକ୍ତ। ଜାପାନ, ଦକ୍ଷିଣ କୋରିଆ, ରୱାଣ୍ଡା ଏବଂ ୟୁକ୍ରେନ ସମ୍ମିଳନୀର ଅଂଶୀଦାର ଦେଶ ଭାବେ ଯୋଗ ଦେଇଛନ୍ତି।

ଭାଇବ୍ରାଣ୍ଟ ଗୁଜରାଟ ଭଳି ସଫଳ ମଡେଲର ପ୍ରସାର ଏବଂ ପ୍ରଭାବକୁ ଆହୁରି ବିସ୍ତାର କରିବା ପାଇଁ, ସାରା ରାଜ୍ୟରେ ଚାରୋଟି ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଉତ୍ତର ଗୁଜରାଟ କ୍ଷେତ୍ର ପାଇଁ ଆଞ୍ଚଳିକ ସମ୍ମିଳନୀର ପ୍ରଥମ ସଂସ୍କରଣ 9-10 ଅକ୍ଟୋବର 2025ରେ ମେହସାଣାରେ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ସଂସ୍କରଣଟି କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଅନୁଷ୍ଠିତ ହେଉଛି। ଦକ୍ଷିଣ ଗୁଜରାଟ (9-10 ଏପ୍ରିଲ 2026) ଏବଂ ମଧ୍ୟ ଗୁଜରାଟ (10-11 ଜୁନ୍ 2026) ଅଞ୍ଚଳ ପାଇଁ ଆଞ୍ଚଳିକ ସମ୍ମିଳନୀଗୁଡ଼ିକ ପରବର୍ତ୍ତୀ ସମୟରେ ସୁରଟ ଏବଂ ଭଦୋଦରାରେ ଆୟୋଜିତ ହେବ।

ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ 2047ର ଦୃଷ୍ଟିକୋଣ ସହିତ ସମନ୍ୱିତ ଏବଂ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ଶିଖର ସମ୍ମିଳନୀର ସଫଳତା ଓ ଐତିହ୍ୟକୁ ଆଧାରି କରି ଏହି ଆଞ୍ଚଳିକ ସମ୍ମିଳନୀଗୁଡ଼ିକ କ୍ଷେତ୍ର-ନିର୍ଦ୍ଦିଷ୍ଟ ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରିବ। ଏହା ମଧ୍ୟ ବିଭିନ୍ନ କ୍ଷେତ୍ରରେ ନିବେଶ ଆକର୍ଷିତ କରିବା ଏବଂ ବିଶ୍ୱସ୍ତରୀୟ ସମ୍ପର୍କ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଭାଇବ୍ରାଣ୍ଟ ଗୁଜରାଟ ପ୍ଲାଟଫର୍ମକୁ କ୍ଷେତ୍ରଗୁଡ଼ିକର ନିକଟତର କରି ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀଙ୍କ ବିକେନ୍ଦ୍ରୀକୃତ ବିକାଶ, ବ୍ୟବସାୟିକ ସୁଗମତା, ନବସୃଜନ-ଚାଳିତ ଅଭିବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱକୁ ମଧ୍ୟ ପ୍ରତିଫଳିତ କରେ।

ଏହି ଆଞ୍ଚଳିକ ସମ୍ମିଳନୀ କେବଳ ଆଞ୍ଚଳିକ ସଫଳତା ପ୍ରଦର୍ଶନ ଏବଂ ନୂତନ ପଦକ୍ଷେପ ଘୋଷଣା କରିବା ପାଇଁ ଏକ ମଞ୍ଚ ଭାବରେ କାର୍ଯ୍ୟ କରିବ ନାହିଁ ବରଂ ଆଞ୍ଚଳିକ ଅର୍ଥବ୍ୟବସ୍ଥାକୁ ସଶକ୍ତ କରି, ନବସୃଜନକୁ ପ୍ରୋତ୍ସାହିତ କରି ଏବଂ ରାଜ୍ୟର ପ୍ରତ୍ୟେକ ଭାଗରେ ରଣନୀତିକ ନିବେଶକୁ ସହଜ କରି ଗୁଜରାଟର ଅଭିବୃଦ୍ଧି କାହାଣୀକୁ ଆଗେଇ ନେବାର ଏକ ଉପକରଣ ଭାବରେ କାର୍ଯ୍ୟ କରିବ। ଜାନୁଆରୀ 2027 ରେ ଅନୁଷ୍ଠିତ ହେବାକୁ ଥିବା ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ଶିଖର ସମ୍ମିଳନୀର ପରବର୍ତ୍ତୀ ସଂସ୍କରଣରେ ଏସବୁ ଆଞ୍ଚଳିକ ସମ୍ମିଳନୀର ସଫଳତା ପ୍ରଦର୍ଶିତ ହେବ।

ନରେନ୍ଦ୍ର ମୋଦୀ ଭାଇବ୍ରାଣ୍ଟ ଗୁଜରାଟ ରାଜକୋଟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026

କେବେ ବି ମୁଣ୍ଡ ବିନ୍ଧାକୁ ସାଧାରଣ ଭାବନ୍ତୁ ନାହିଁ, ହୋଇପାରେ ମାରାତ୍ମକ ରୋଗର ଲକ୍ଷଣ

January 11, 2026
Latest News

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.