ଭୁବନେଶ୍ୱର: ମତ୍ସ୍ୟ ଓ ପ୍ରାଣୀ ପାଳକ, ବୈଜ୍ଞାନିକ, ବିଭିନ୍ନ ଖାଦ୍ୟ ଉତ୍ପାଦନକାରୀ, ବୈଷୟିକ ଜ୍ଞାନ ପ୍ରଦାନକାରୀ ସମସ୍ତଙ୍କର ଏକ ମହାମିଳନ ହୋଇଛି। ମତ୍ସ୍ୟ-ପ୍ରାଣୀ ସମାବେଶ ଓଡିଶା-2026 ସମସ୍ତଙ୍କ ପାିଁ ନୂତ ଆଶା ସଂସ୍ଚାର କରିଛି। ଏହା ଆମ ଆର୍ଥିକ ବିକାଶରେ ପ୍ରମୁଖ ସହାୟକ ହେବ। ଏହି କଥା କହିଛନ୍ତି ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି। ଜନତା ମଇଦାନରେ ଗତ 21 ତାରିଖରୁ ଚାଲିଥିବା ମତ୍ସ୍ୟ-ପ୍ରାଣୀ ସମାବେଶ ଓଡିଶା-2026ର ଆଜି ଉଦଯାପନୀ ସମାରୋହରେ ମୁଖ୍ୟ. ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବୈଜ୍ଞାନିକ ପଦ୍ଧତିରେ ଡାଏରୀ ଫାର୍ମ, କୁକୁଡା ଫାର୍ମ ସହ ବିଭିନ୍ନ ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷ ଦ୍ୱାରା କେବଳ ବିକଶିତ ଓଡିଶା ନୁହେଁ, ବିକଶିତ ଭାରତ ଗଠନରେ ବେଶ ସହାୟକ ହୋଇପାରିବ।
ରାଜ୍ୟପାଳ ଶ୍ରୀ କମ୍ଭମପତି କହିଥିଲେ ଯେ ଓମ୍ଫେଡ୍ ର ଏ2 ଘିଅ ଏବଂ ଏ 2 ଦୁଗ୍ଧ ଅତ୍ୟନ୍ତ ଉଚ୍ଚକୋଟିର। ସଂପ୍ରତ୍ତି ଓମ୍ଫେଡ୍ ଉତ୍ତମ ଗୁଣମାନର ଏବଂ ମୂଲ୍ୟଯୁକ୍ତ ଉତ୍ପାଦ ଉତ୍ପାଦନ କରୁଛି। ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛି ଓମ୍ଫେଡ୍।
ପ୍ରାଣିସଂପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡିଶା-2026 ର ଆଜି ତୃତୀୟ ତଥା ଅନ୍ତିମ ଦିନର ଉଦଯାପନୀ ଉତ୍ସବରେ ରାଜ୍ୟପାଳଙ୍କ ସହ ମାନ୍ୟବର ଆଇନ, ପୁର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ, ପ୍ରାଣିସଂପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦେଶକ ତଥା ଓମ୍ଫେଡ୍ ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ ମଂଚାସୀନ ଥିଲେ।
ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପରେ ସ୍ୱାଗତ ଅଭିଭାଷଣ ଦେଇଥିଲେ ମତ୍ସ୍ୟ-ପ୍ରାଣୀ ନିର୍ଦେଶକ ସୁରେଶ କୁମାର ବଶିଷ୍ଠ। ପରେ ମାନ୍ୟବର ମତ୍ସ୍ୟ, ପ୍ରାଣିସଂପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ତାଙ୍କ ଅଭିଭାଷଣରେ ସମାବେଶର ଲକ୍ଷ୍ୟ ଓ ଉଦେଶ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଣିକି ଚାଷୀମାନେ ସିଧା ସଳଖ ମୋ ସହିତ କଥା ହେବାକୁ ସେ ପରାମର୍ଶ ଦେଇଛନ୍ତି। ଆଗାମୀ ଦିନରେ ରାଜ୍ୟର ପ୍ରତି ବ୍ଲକ ଓ ଜିଲ୍ଲାସ୍ତରରେ ଅଭିଯୋଗ ବକ୍ସ ରହିବ। ତାଥୀମାନେ ନିଜ ନିଜର ଅଭିଯୋଗ ସିଧାସଳକ ସେହି ବକ୍ସରେ ପକାଇବେ।
ଏହା ଫଳରେ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବା ସହ ରାଜ୍ୟ ଓ କେନ୍ଦ୍ରସରକାରଙ୍କର ଥିବା ସମୁଦାୟ 117 ପ୍ରକାର ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚି ପାରିବ ଏବଂ ବାସ୍ତବରେ କାର୍ଯ୍ୟକାରୀ ହୋଇପାରିବ, ସେଥିପାଇଁ ସମସ୍ତେ ଆଗେଇ ଆସିବା ଦରକାର। ଖାସ୍ କରି ଶିକ୍ଷିତ ଯୁବକ ଯୁବତୀମାନେ ମତ୍ସ୍ୟ ଓ ପ୍ରାଣୀ ପାଳନ ପାଇଁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି। ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡିଶା-2026 ର ଥିମ୍ ରହିଛି “ମତ୍ସ୍ୟ-ପ୍ରାଣୀ ଏବେ ନୂତନ ଦିଶା, ବିକଶିତ ହେବ ଆମ ଓଡିଶା। “ଏହି ରାଜ୍ୟସ୍ତରୀୟ ମହାକୁମ୍ଭରେ 8 ହଜାରରୁ ଅଧିକ ଚାଷୀ ଯୋଗଦେଇଥିବା ବେଳେ ବହୁ ବୈଜ୍ଞାନିକ, ଅଭିଜ୍ଞ ଚାଷୀ, ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ପ୍ରଦାନକାରୀ ବିଭିନ୍ନ କଂପାନୀ ଯୋଗଦେଇଛନ୍ତି। ଏହି ସମାବେଶ ଚାଷୀମାନଙ୍କ ପାଇଁ ନୂତନ ଜ୍ଞାନ କୌଶଳ ସହ ସରକାରଙ୍କର ଥିବା ବିଭିନ୍ନ ଯୋଜନା ସଂପର୍କରେ ଅବଗତ ହେବାର ଏକ ସୁଯୋଗ ସୃଷ୍ଟି କରିଛି। ସେ ସବୁର ଲାଭ ଉଠାଇବା ସହ ବିକଶିତ ଓଡିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ ପାଇଁ ଆହ୍ୱାନ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଶ୍ରୀ ମଲ୍ଲିକ।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆଇନ, ପୁର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡିଶା-2026 ଆଗାମୀ ଦିନରେ ନୂଆ ଦିଶା ସୃଷ୍ଟି କରିବ। ବିକଶିତ ଓଡିଶା ଗଠନରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ । ବିକାଶର ପୂର୍ବୋଦୟ ହେବ ବିକଶିତ ଓଡିଶା। ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ଚାଷୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ଆର୍ଥିକ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ସବସିଡ୍ ବ୍ୟବସ୍ଥା କରିଛନ୍ତି ବୋଲି ସେ କହିଥିଲେ।
ଏହି ଅବସରରେ ସଫଳ ମତ୍ସ୍ୟ ପୋଖରୀ ଚାଷ, ସଫଳ କୁକୁଡା ଚାଷୀ, ଶ୍ରେଷ୍ଠ ସମବାୟ ସମିତି, ଶ୍ରେଷ୍ଠ ଗୋପାଳକ, ଶ୍ରେଷ ଦୁଗ୍ଧ ଉତ୍ପାଦନକାରୀ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସମବାୟ ସମିତି ପ୍ରମୁଖଙ୍କୁ ରାଜ୍ୟପାଳ ପୁରସ୍କୃତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ଦେବା ସହ ମତ୍ସ୍ୟ ଓ ପ୍ରାଣୀ ପାଳକ, ବୈଜ୍ଞାନିକ, ସମାବେଶରେ ଯୋଜଦେଇଥିବା ବିଭିନ୍ନ କଂପାନୀର କର୍ମକର୍ତ୍ତା, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ଓ ଓମ୍ଫେଡ୍ ର ସମସ୍ତ ଅଧିକାରୀ ଓ କର୍ମଚାରୀ, ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିବା ସମସ୍ତ କଳାକାରଙ୍କୁ ଧନ୍ୟବାଦ ଦେଇଥିଲେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦେଶକ ତଥା ଓମ୍ଫେଡ୍ ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ। ଶେଷରେ ରାଜ୍ୟପାଳଙ୍କ ସହ ମଂଚାସୀନ ଅଥିମାନେ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ।
ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡିଶା-2026 ର ଆଜି ହେଉଛି ଶେଷ ଦିନ। ଅପରପକ୍ଷେ ଆଜି ସରସ୍ୱତୀ ପୂଜା ଏବଂ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଛୁଟି ଥିବାରୁ, ଲୋକମାନଙ୍କର ସୁଅ ଛୁଟିଥିଲା। ଜନତା ମଇଦାନ ଏକ ପ୍ରକାର ଜନ ସମୁଦ୍ରରେ ପରିଣତ ହୋଇଯାଇଥିଲା। 30 ହଜାରରୁ ଅଧିକ ଲୋକଙ୍କର ସମାଗମ ହୋଇଥିଲା। ମତ୍ସ୍ୟ-ପ୍ରାଣୀ ସମାବେଶ ଓଡିଶା 2026ର ପଡିଥିବା ସମୁଦାୟ 400ଟି ଷ୍ଟଲରେ ଭରପୁର ଲୋକ। ସବୁଠାରୁ ଅଧିକ ଭିଡ ଦେଖିବାକୁ ମିଳିଥିଲା ଫୁଡ୍ କୋର୍ଟରେ। ସମାବେଶ ଭିତରେ ପଡିଥିବା ଓମ୍ଫେଡ୍ ଷ୍ଟଲରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ହଜାର ହଜାର ଦେଖଣାହାରୀ ଓମ୍ଫେଡ୍ ମିଠାଦହି, ରାବିଡ, ଫ୍ଲେବର ମିଲ୍କ, ଲସି, ପେଡା, ଏ 2 ମିଲ୍କ ଆଦିର ମଜ୍ଜା ଉଠାଇବା ସହ ଓମ୍ଫେଡ୍ ଘିଅ ଓ ଅନ୍ୟାନ୍ୟ ଉତ୍ପାଦ କିଣି ନେଉଥିବା ଦେଖିବାକୁ ମିଳିଥିଲା। ସବୁଠାରୁ ଅଧିକ ଭିଡ ଜମିଥିଲା ଓମ୍ଫେଡ୍ ଆଇସକ୍ରିମ ଠେଲାଗାଡିଗୁଡି ନିକଟରେ।
ଶେଷରେ ସ୍ୱୟଂ ପାଠୀଙ୍କ ଗୀତରେ ତାଳେ ତାଳେ ଝୁମିଥିଲେ ଦର୍ଶକ। ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ସମବେତ ଜନତା।


