Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶା ମତ୍ସ୍ୟ-ପ୍ରାଣୀ ସମାବେଶ ଉଦ୍‌ଯାପିତ, କୃଷିରେ ଅଧିକ ମହିଳା ଉଦ୍ୟୋଗୀଙ୍କୁ ସାମିଲ ପାଇଁ ଉଦ୍ୟମ

ଭୁବନେଶ୍ୱର: ଓଡ଼ିଶାର ସୁଦୀର୍ଘ ୪୮୦ କିଲୋମିଟର ସମୁଦ୍ର ଉପକୂଳ, ଏସିଆ ମହାଦେଶର ବୃହତ୍ତମ ଲୁଣା ହ୍ରଦ ଚିଲିକା ଓ ରାଜ୍ୟର ପର୍ଯ୍ୟାପ୍ତ ଜଳରାଶିର ବିଭିନ୍ନ ସଂପଦକୁ କାର୍ଯ୍ୟରେ ଲଗାଇ ଅର୍ଥନୀତିରେ ଅଭିବୃଦ୍ଧି ଘଟାଇବା ସହିତ ଜୀବିକାନିର୍ବାହର ବିପୁଳ ସୁଯୋଗ ସୃଷ୍ଟି କରିହେବ ବୋଲି ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

ଆଜି ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪ର ତୃତୀୟ ତଥା ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନ ଓ ରାଜ୍ୟର ଚାଷୀଭାଇମାନଙ୍କ କଠିନ ପରିଶ୍ରମ ଯୋଗୁ ରାଜ୍ୟ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ହେବା ସହିତ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜାତୀୟ ସ୍ତରରେ ପାଞ୍ଚଥର କୃଷିକର୍ମଣ ପୁରସ୍କାର ଲାଭ କରିଛି। ଗୋପାଳନ ଓ ପ୍ରାଣିପାଳନ ଆୟବୃଦ୍ଧି ଓ ରୋଜଗାର ସୃଷ୍ଟିର ଏକ ବଳିଷ୍ଠ ମାଧ୍ୟମ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଧିକରୁ ଅଧିକ ମହିଳା ଉଦ୍ୟୋଗୀ ସୃଷ୍ଟି ହେବା ରାଜ୍ୟର ପ୍ରଗତିରେ ଏକ ସକାରାତ୍ମକ ଲକ୍ଷଣ। ରାଜ୍ୟରେ ମାଛଚାଷ, ଗୋପାଳନ ଓ ପ୍ରାଣିପାଳନର ପର୍ଯ୍ୟାପ୍ତ ସୁଯୋଗ ରହିଥିବାବେଳେ ପ୍ରଥମଥର ପାଇଁ ରାଜ୍ୟସ୍ତରରେ ଆୟୋଜିତ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪ ରାଜ୍ୟର ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଆଶାପୋଷଣ କରିଥିଲେ।

ଉତ୍ସବରେ ସଭାପତିତ୍ୱ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ ଯେ ମତ୍ସ୍ୟ ଓ ପ୍ରାଣିସଂପଦ ବିଭାଗର ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ପ୍ରଶାସନର ମୂଳମନ୍ତ୍ର ୫-‘ଟି’ ଉପକ୍ରମ ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି ଓ ଏହା ଦ୍ୱାରା ମାଛ, ମାଂସ, ଅଣ୍ଡା, ଦୁଗ୍ଧ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିବା ସହ ଚାଷୀମାନେ ଉପକୃତ ହୋଇପାରିଛନ୍ତି।

ରାଜ୍ୟର ୯୨ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମମାତ୍ର ହୋଇଥିବାବେଳେ ସେମାନଙ୍କର ଆୟବୃଦ୍ଧି ନିମନ୍ତେ କୃଷି ସହିତ ମାଛଚାଷ ଓ ପ୍ର୍ରାଣିପାଳନ ଏକ ସର୍ବୋତ୍କୃଷ୍ଟ ମାଧ୍ୟମ ବୋଲି ସେ କହିଥିଲେ। ଚାଷୀମାନଙ୍କୁ ଉନ୍ନତ ଜ୍ଞାନକୌଶଳର ବ୍ୟବହାର ସଂପର୍କରେ ଅବଗତ କରାଇବା ଓ ଦକ୍ଷ କରାଇବା ପାଇଁ ଅଧିକରୁ ଅଧିକ କୃଷକଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରାଯିବା ସହ ବାହାର ରାଜ୍ୟକୁ ଜ୍ଞାନ ଆହରଣ ପାଇଁ ପରିଭ୍ରମଣରେ ପଠାଯିବ।

ସମାବେଶରେ ପ୍ରଥମ ଥର ପାଇଁ ଆୟୋଜିତ ଆସ୍କ ଦି ମିନିଷ୍ଟର କାର୍ଯ୍ୟକ୍ରମରେ ଚାଷୀମାନେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ସିଧାସଳଖ ପ୍ରଶ୍ନ ପଚାରିଥିଲେ। ଚାଷୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଗୋ-ସୁଗମ ପୋର୍ଟାଲ ମାଧ୍ୟମରେ କୌଣସି ଯୋଜନାର ଆବେଦନ ନିମନ୍ତେ ଯଦି କୌଣସି ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ସେମାନେ ସ୍ଥାନୀୟ ଜନସେବା କେନ୍ଦ୍ର ବା ବ୍ଲକ୍‌ସ୍ତରୀୟ ପ୍ରାଣିଚିକିତ୍ସା/ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଆବଶ୍ୟକୀୟ କାଗଜପତ୍ର ପ୍ରଦାନ କଲେ ସେମାନଙ୍କୁ ଅନ୍‌ଲାଇନ୍‌ରେ ଗୋ-ସୁଗମରେ ଆବେଦନ ପାଇଁ ବ୍ୟବସ୍ଥା କରାଯାଉଛି।

ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଆବଶ୍ୟକୀୟ କାଗଜପତ୍ର ସଠିକ୍‌ ଭାବେ ପଇଠ କରିବା ଉପରେ ସବ୍‌ସିଡି ପ୍ରଦାନ ନିର୍ଭରକରେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସର୍ବାଧିକ ଅଢ଼େଇ ମାସ ମଧ୍ୟରେ ଅନୁଦାନ ରାଶି ଉଦ୍ୟୋଗୀଙ୍କ ବ୍ୟାଙ୍କଖାତାକୁ ଡିବିଟିି ମାଧ୍ୟମରେ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ଏଥି ସହିତ ବିଭାଗ ପକ୍ଷରୁ ପ୍ରଚଳିତ ଜୀବିକାନିର୍ବାହ ଯୋଜନାରେ ବିଭିନ୍ନ ପର୍ଯ୍ୟାୟରେ ସର୍ବାଧିକ ୧୫ ଦିନ ମଧ୍ୟରେ ହିତାଧିକାରୀଙ୍କ ବ୍ୟାଙ୍କଖାତାକୁ ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଶହେରୁ ଊଦ୍ଧ୍ୱର୍ ଚାଷୀ ଯୋଗଦେଇଥିଲେ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଲେ ଯେ ମତ୍ସ୍ୟ ଓ ପ୍ରାଣିସଂପଦ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଫଳରେ ରାଜ୍ୟର କୋଣଅନୁକୋଣରେ ମାଛଚାଷ ଓ ପ୍ରାଣିପାଳନ ପ୍ରତି ଲୋକଙ୍କର ଆଗ୍ରହ ବଢ଼ିଛି। ଏହା ଦ୍ୱାରା ଗାଁଗହଳିର ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ସହଜରେ ମିଳିପାରୁଛି।

ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ ସମାବେଶରେ ଯୁବରାଜ ବୁଲ୍‌, ଜୀବନ୍ତ ପ୍ରାଣି ପ୍ରଦର୍ଶନ, ଏଲ୍‌ଇଡି ଟନେଲ୍‌, ଏକ୍ସପେରିଏନ୍ସ ଜୋନ୍‌ ଏବଂ ଆସ୍କ ଦି ମିନିଷ୍ଟର ଆଦି ଅନେକ ଅଭିନବ କାର୍ଯ୍ୟକ୍ରମ ଚାଷୀମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଏବଂ ଏହା ଅତ୍ୟନ୍ତ ଶିକ୍ଷଣୀୟ ଥିଲା। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନକୃଷିର ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିମଳେନ୍ଦୁ ରାୟ ପ୍ରମୁଖ ମତ୍ସ୍ୟ ଓ ପ୍ରାଣିସଂପଦର ଅଭିବୃଦ୍ଧିର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ରାଜ୍ୟର ଚମ୍ପିଅନ୍‌ ଚାଷୀଙ୍କ ସମେତ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗର ଅଧିକାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ମତ୍ସ୍ୟ ଓ ପ୍ରାଣିପାଳନ ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା କରିଥିବା ଉଦ୍ୟୋଗୀମାନଙ୍କୁ ସବ୍‌ସିଡି ରାଶିର ଚେକ୍‌ ପ୍ରଦାନ କରାଯାଇଥିଲା।

ପ୍ରାରମ୍ଭରେ ସମ୍ବଲପୁରର ମହିଳା ଚାଷୀ ଶ୍ରୀମତୀ ଅନିତା ଓରାମ୍‌ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପୁରୀର ମହିଳା ଚାଷୀ ତନ୍ମୟୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଦର୍ଶନରେ ସର୍ବୋତ୍କୃଷ୍ଟ ଷ୍ଟଲ ନିମନ୍ତେ ସରକାରୀ ବିଭାଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ବେସରକାରୀ ବିଭାଗରେ ପଶୁପତି ଆଗ୍ରୋଭେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଷ୍ଟାର୍ଟଅପ୍‌ ବିଭାଗରେ ଗୌମୟ ଆଗ୍ରୋ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ସ୍ୱତନ୍ତ୍ର ପୁରସ୍କାର ବର୍ଗରେ ଥିଙ୍କ୍‌ ର ଇନୋଭେଟିଭ୍‌ ସଲୁ୍ୟସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ହରିୟାଣାର ଯୁବରାଜ ମୁରା ବଫାଲୋକୁ ପ୍ରଦାନ କରାଯାଇଥିଲା।

ସମାବେଶ ଅବସରରେ ପୂର୍ବାହ୍ନରେ ଏକ ଡଗ୍‌ସୋ ଆୟୋଜନ କରାଯାଇଥିଲା। ଏଥିରେ ଜର୍ମାନ୍‌ ସେଫର୍ଡ, ଲାବ୍ରାଡର, ପାମୋରିଆନ୍‌, ଗ୍ରେଟ୍‌ ଡେନ୍‌ ଆଦି ଉନ୍ନତ ପ୍ରଜାତିର ଶତାଧିକ କୁକୁର ପ୍ରଦର୍ଶିତ ହୋଇଥିଲା। ଏହାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଉଦ୍‌ଘାଟନ କରିଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪ ଉଦ୍‌ଘାଟିତ, ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଲେ ଏପରି କଥା

ଭୁବନେଶ୍ବର: ରାଜ୍ୟସ୍ତରରେ ଆୟୋଜିତ ତିନିଦିନିଆ ମତ୍ସ୍ୟ-ପ୍ରାଣୀ ସମାବେଶ ଆଜି ଅପରାହ୍ନରେ ଜନତା ମଇଦାନରେ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାରେ ପ୍ରଥମ ଥର ଏହି ସମାବେଶ ଆୟୋଜନ କରିଥିବାରୁ ମତ୍ସ୍ୟ ଓ ପ୍ରାଣିସଂପଦ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ସରକାର ରାଜ୍ୟର ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ନୂତନ ଭାବେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା କାର୍ଯକାରୀ କରିଛନ୍ତି। ଏଥିରେ ୧୧ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୫୦ ହଜାର ମତ୍ସ୍ୟଜୀବୀ ସିଧାସଳଖ ଉପକୃତ ହେବେ।

ରାଜ୍ୟର ପ୍ରାଣୀପାଳକମାନଙ୍କୁ ଉନ୍ନତ ମାନର ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୧୮୧ ନୂତନ ମୋବାଇଲ୍‌ ଭେଟେରିନାରୀ ୟୁନିଟ୍‌ ଭ୍ୟାନ୍‌ର ବ୍ୟବସ୍ଥା କରାଯାଇଛି ଏବଂ ଖୁବ ଶୀଘ୍ର ଆଉ ୧୩୧ ମୋବାଇଲ୍‌ ଭେଟେରିନାରୀ ୟୁନିଟ୍‌ ଭ୍ୟାନ୍‌ ରାଜ୍ୟରେ ସେବା ଯୋଗାଇଦେବ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ୫-‘ଟି’ କାର୍ଯକ୍ରମ ଅଧିନରେ ବୈଜ୍ଞାନିକ ପଦ୍ଧତିରେ ଫାର୍ମିଂ ପାଇଁ ନୂଆ ଜ୍ଞାନକୌଶଳର ବ୍ୟବହାର କରାଯାଉଛି । ବାୟୋ-ଫ୍ଲକ୍‌, କେଜ୍‌ କଲଚର ମାଛଚାଷ, ସେକ୍ସ ସର୍ଟେଡ୍‌ ସିମେନ୍‌ ପଦ୍ଧତି ପରି ନୂଆ ଜ୍ଞାନକୌଶଳ ବ୍ୟବହାର କରି ରାଜ୍ୟ ଚାଷୀମାନଙ୍କ ଆୟ ବହୁଗୁଣିତ କରିବା ଦିଗରେ ପଦକ୍ଷେପ ନିଆଯାଉଛି।

‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪’ ରେ ସାରା ରାଜ୍ୟରୁ ପ୍ରାୟ ୬୦୦୦ ଚାଷୀ ଭାଇ ଓ ଭଉଣୀମାନେ ଯୋଗ ଦେଉଛନ୍ତି। ଏଥିରେ ଚାଷୀ-ବୈଜ୍ଞାନିକ ଭାବବିନିମୟ, ଲାଇଭ୍‌ ଆନିମଲ ଓ ଫିସ୍‌ ଡେମୋନ୍‌ଷ୍ଟ୍ରେସନ୍‌, ଆଧୁନିକ ଫାର୍ମିଂ ପଦ୍ଧତିର ପ୍ରଦର୍ଶନୀ, ଶ୍ରେଷ୍ଠ ଚାଷୀଙ୍କୁ ସମ୍ବର୍ଦ୍ଧନା ଆଦି କାର୍ଯକ୍ରମ ରଖାଯାଇଛି ବୋଲି ଉଲ୍ଲେଖ କରିବା ସହ ମୁଖ୍ୟମନ୍ତ୍ରୀ ଏହି ସମାବେଶରେ ଯୋଗଦେଇ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟ ଓ ପ୍ରାଣିପାଳନ ବିଷୟରେ ଅବଗତ ହୋଇ ତା’ର ଉପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।

ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଲେ ଯେ, କୃଷି ଓ ଆନୁଷଂଗିକ କ୍ଷେତ୍ର, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶର ଉତ୍କର୍ଷ ଓ ଅଭିବୃଦ୍ଧି ସାଧନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୨୦୧୩-୧୪ରୁ ରାଜ୍ୟରେ ପ୍ରତି ବର୍ଷ ସ୍ୱତନ୍ତ୍ର କୃଷି ବଜେଟ୍‌ ପ୍ରସ୍ତୁତ କରାଯାଉଛି। ଗତ ୧୯୯୯-୨୦୦୦ରେ କୃଷି ବିଭାଗର ବଜେଟ ୨୭୮ କୋଟି ୫୮ ଲକ୍ଷ ଟଙ୍କା ଥିଲାବେଳେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ବଜେଟ ୧୨୧ କୋଟି ୪୭ ଲକ୍ଷ ଟଙ୍କା ଥିଲା। ୨୦୨୩-୨୪ରେ ଏହା ବୃଦ୍ଧିପାଇ କୃଷି ବିଭାଗର ବଜେଟ ୬୯୩୫ କୋଟି ୮୯ ଲକ୍ଷ ଟଙ୍କା ଥିଲାବେଳେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ବଜେଟ ୧୭୬୯ କୋଟି ୨୪ ଲକ୍ଷ ଟଙ୍କାରେ ପହଞ୍ଚିଥିଲା।

ଚଳିତ ୨୦୨୪-୨୫ ସମୁଦାୟ ବଜେଟ୍‌ରେ ଏହା ପୁଣି ବୃଦ୍ଧିପାଇ କୃଷି ବିଭାଗର ବଜେଟ ୭୯୨୩ କୋଟି ୮୭ ଲକ୍ଷ ଟଙ୍କା ଥିଲାବେଳେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ବଜେଟ ୧୯୩୭ କୋଟି ୬୫ ଲକ୍ଷ ଟଙ୍କାରେ ପହଞ୍ଚିଛି। ପ୍ରାଣୀସମ୍ପଦ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ୧୭୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ୨୦୧୮-୧୯ ରେ ମାଛ ଉତ୍ପାଦନ ୭ ଲକ୍ଷ ୫୯ ହଜାର ମେଟି୍ରକ୍‌ ଟନ୍‌ ଥିଲା। ଏହା ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ପାଇ ୨୦୨୨-୨୩ ରେ ୧୦ ଲକ୍ଷ ୫୨ ହଜାର ମେଟି୍ରକ୍‌ ଟନ୍‌ରେ ପହଞ୍ଚିଛି।

ମାଛ ବିହନ ଉପଲବ୍ଧ କରାଇବା ପାଇଁ ବର୍ଷାଋତୁ ପୂର୍ବରୁ ଆଗୁଆ ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। କୁକୁଡ଼ା ମାଂସ ଉତ୍ପାଦନରେ ଓଡିଶା ଆତ୍ମନିର୍ଭରଶୀଳ ହୋଇପାରିଛି। ମାଛ ଯାଆଁଳ ଉତ୍ପାଦନ ୧୯୪ ପ୍ରତିଶତ ବୃଦ୍ଧି ପାଇ ୨୦୧୯-୨୦ରେ ୯୪ କୋଟି ୭୨ ଲକ୍ଷରୁ ୨୦୨୨-୨୩ରେ ୨୭୮ କୋଟି ୬୩ ଲକ୍ଷରେ ପହଞ୍ଚିଛି। ସାମୁଦ୍ରିକ ଖାଦ୍ୟ ରପ୍ତାନି ଗତ ୪ ବର୍ଷ ମଧ୍ୟରେ ୫୩ ପ୍ରତିଶତ ବୃଦ୍ଧି ପାଇ ୨୦୧୮-୧୯ ରେ ୨୯୬୯ କୋଟି ଟଙ୍କାରୁ ୨୦୨୨-୨୩ ରେ ୪୮୦୭ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ସୂଚନା ଦେଇଥିଲେ ।

ଉଦ୍‌ଘାଟନୀ ଉତ୍ସବରେ ପୌରୋହିତ୍ୟ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚାଷୀମାନଙ୍କ ଆୟକୁ ବହୁଗୁଣିତ କରିବା ପ୍ରତିବଦ୍ଧତା ସ୍ୱରୂପ ଚାଷ କାର୍ଯ୍ୟ ସହିତ ବିଭାଗ ପକ୍ଷରୁ ମାଛଚାଷ ଓ ପ୍ରାଣିପାଳନକୁ ପ୍ରୋତ୍ସାହିତ କରାଯାଉଛି। ଗତ ୨୦ ବର୍ଷରେ ଚାଷୀମାନଙ୍କ ଆୟବୃଦ୍ଧି ହେବା ସହିତ ମାଛ, ମାସଂ, କୁକୁଡ଼ା ଓ ଦୁଗ୍ଧ ଉତ୍ପାଦନରେ ଉଲ୍ଲେଖନୀୟ ସଫଳତା ମିଳିଛି ।

ମାଛଚାଷ ଓ ପଶୁପାଳନ ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟ ସରକାର ଜେଣ୍ଡର ବଜେଟିଂ କାର୍ଯ୍ୟକାରୀ କରୁଛନ୍ତି। ଏହା ଅନ୍ତର୍ଗତ କିଛି କାର୍ଯ୍ୟକ୍ରମରେ ଶତପ୍ରତିଶତ ଏବଂ ଅନ୍ୟ କିଛି କାର୍ଯ୍ୟକ୍ରମରେ ଅତି କମ୍‌ରେ ୩୦ ପ୍ରତିଶତ କେବଳ ମହିଳାଙ୍କ ପାଇଁ ଖର୍ଚ୍ଚ କରାଯିବାର ବ୍ୟବସ୍ଥା ରହିଛି।

ମୁଖ୍ୟବକ୍ତା ଭାବେ ଯୋଗଦେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତି୍ରପାଠୀ କହିଲେ ଯେ ରାଜ୍ୟ ସରକାରଙ୍କ ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କ ଜୀବନଧାରଣରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିପାରିଛି। ମାଛଚାଷ ଓ ପ୍ରାଣୀପାଳନକୁ ଗ୍ରାମାଞ୍ଚଳରେ ବ୍ୟବସାୟିକ ଭିତ୍ତିରେ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସମ୍ମାନିତ ଅତିଥି ଭାବେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ କୃଷିଭିତ୍ତିକ ଅର୍ଥନୀତିରେ ଆୟବୃଦ୍ଧି ନିମନ୍ତେ ଫସଲ ଚାଷ ସହିତ ପ୍ରାଣିପାଳନ ଓ ମତ୍ସ୍ୟଚାଷ ଏକାନ୍ତ ଅପରିହାର୍ଯ୍ୟ। ସଂପ୍ରତି ଜଳବାୟୁ ପରିବର୍ତ୍ତନ ଦୃଷ୍ଟିରୁ ଜଳବାୟୁ ସହନଶୀଳ ପ୍ରାଣିପାଳନ ଓ ମାଛଚାଷକୁ ଆପଣାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଲେ ଯେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଦ୍ୟୋଗୀମାନେ ପ୍ରାଣିପାଳନ ଓ ମତ୍ସ୍ୟଚାଷକୁ ଅଧିକ ଗୁରୁତ୍ୱ ଦେବାର ଲକ୍ଷ୍ୟ କରାଯାଉଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ପ୍ରଜାତିର ପ୍ରାଣୀମାନଙ୍କ ସଂରକ୍ଷଣ ଓ ପଂଜିକରଣକୁ ଗୁରୁତ୍ୱ ଦିଆଯିବା ସହ ନୂତନ ପ୍ରଜାତି ସୃଷ୍ଟି ନିମନ୍ତେ ପଦକ୍ଷେପ
ନିଆଯାଉଛି।

ସମାବେଶରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ ଗିଫଫ ତିଲାପିଆ ଏବଂ କେଜ୍‌ କଲଚର ପଦ୍ଧତିରେ ମାଛଚାଷ କରିବାରେ ଏବଂ ଭେଟେରିନାରୀ ମୋବାଇଲ୍‌ ସେବା ଯୋଗାଇବା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ହୋଇପାରିଛି।

ସମାବେଶରେ ପଦ୍ମଶ୍ରୀ ବିଜେତା ମତ୍ସ୍ୟଚାଷୀ ଶ୍ରୀ ବଟକୃଷ୍ଣ ସାହୁଙ୍କ ସମେତ ମତ୍ସ୍ୟଚାଷ ଓ ପ୍ରାଣିପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତୀୟ ସ୍ତରରେ ସ୍ୱୀକୃତି ପାଇଥିବା ୫ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୩୦ଟି ଜିଲ୍ଲାର ଚମ୍ପିଅନ୍‌ ଚାଷୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏଥି ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ହିତାଧିକାରୀଙ୍କୁ ସ୍ଥାୟୀ ପୁଂଜିନିବେଶ ଉପରେ ସବ୍‌ସିଡି ରାଶିର ଚେକ୍‌ ପ୍ରଦାନ କରାଯାଇଥିଲା।

ସମାବେଶ ପ୍ରାରମ୍ଭରେ କଟକ ଜିଲ୍ଲାର ମହିଳା ଚାଷୀ ଶ୍ରୀମତୀ ନମିତା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ମହିଳା ଚାଷୀ ମମତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ। ସମାବେଶ ଅବସରରେ ଆଜି ସକାଳେ କଳିଙ୍ଗ ଷ୍ଟାଡିୟମ୍‌ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ଗଣଦୌଡ଼ର ଆୟୋଜନ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହି ଗଣଦୌଡ଼କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

 

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଫେବୃଆରୀ ୧୬ ରୁ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ, ବସିଲା ସମନ୍ୱୟ ବୈଠକ

ଭୁବନେଶ୍ୱର: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ଫେବୃଆରୀ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ ତିନିଦିନିଆ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ- ୨୦୨୪ର ଆୟୋଜନ ହେଉଛି। ଏହି ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀ ମଣ୍ଡପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ ଫ୍ଲାଗ୍‌ସିପ୍‌ ଯୋଜନା ସମେତ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଦର୍ଶନ କରାଯିବା ପାଇଁ ସ୍ଥିର କରାଯାଇଛି।

ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କୃଷି ଭବନଠାରେ ବିଭିନ୍ନ ବିଭାଗ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।

କୃଷି ଭବନଠାରେ ଆୟୋଜିତ ସମନ୍ୱୟ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ କହିଲେ ମତ୍ସ୍ୟ-ପ୍ରାଣୀ ସମାବେଶରେ ସାରା ରାଜ୍ୟରୁ ୬୦୦୦ରୁ ଉଦ୍ଧ୍ୱର୍ ମତ୍ସ୍ୟଚାଷୀ, ଗୋପାଳକ, ପ୍ରାଣୀପାଳକମାନେ ଯୋଗଦେବେ।

ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ସମେତ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ବ୍ୟାପକ ସଚେତନତା କରାଯିବା ନିମନ୍ତେ ଏହି ସମାବେଶର ଆୟୋଜନ କରାଯାଉଛି। ପ୍ରଦର୍ଶନୀରେ କୃଷି, ଉଦ୍ୟାନକୃଷି, ମୃତ୍ତିକା ସଂରକ୍ଷଣ, ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ, ଓରମାସ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଓୟୁଏଟି, ସମବାୟ, ମହିଳା ଓ ଶିଶୁ କଲ୍ୟାଣ, ସୂଚନା ଓ ଲୋକସମ୍ପର୍କ ଆଦି ବିଭାଗଗୁଡ଼ିକ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସେମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନ ସହିତ ବିକି୍ରବଟାର ବ୍ୟବସ୍ଥା ରହିଛି। ସମସ୍ତ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରିଏହି ତିନିଦିନିଆ ସମାବେଶକୁ ଆକର୍ଷଣୀୟ ଓ ସଫଳ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ, କୃଷି ଓ ଖାଦ୍ୟ ଉତ୍ପାଦକ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।