ଫେବୃଆରୀ ୧୬ ରୁ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ, ବସିଲା ସମନ୍ୱୟ ବୈଠକ

Published: Feb 7, 2024, 6:03 pm IST

ଭୁବନେଶ୍ୱର: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ଫେବୃଆରୀ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ ତିନିଦିନିଆ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ- ୨୦୨୪ର ଆୟୋଜନ ହେଉଛି। ଏହି ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀ ମଣ୍ଡପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ ଫ୍ଲାଗ୍‌ସିପ୍‌ ଯୋଜନା ସମେତ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଦର୍ଶନ କରାଯିବା ପାଇଁ ସ୍ଥିର କରାଯାଇଛି।

ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କୃଷି ଭବନଠାରେ ବିଭିନ୍ନ ବିଭାଗ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।

କୃଷି ଭବନଠାରେ ଆୟୋଜିତ ସମନ୍ୱୟ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ କହିଲେ ମତ୍ସ୍ୟ-ପ୍ରାଣୀ ସମାବେଶରେ ସାରା ରାଜ୍ୟରୁ ୬୦୦୦ରୁ ଉଦ୍ଧ୍ୱର୍ ମତ୍ସ୍ୟଚାଷୀ, ଗୋପାଳକ, ପ୍ରାଣୀପାଳକମାନେ ଯୋଗଦେବେ।

ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ସମେତ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ବ୍ୟାପକ ସଚେତନତା କରାଯିବା ନିମନ୍ତେ ଏହି ସମାବେଶର ଆୟୋଜନ କରାଯାଉଛି। ପ୍ରଦର୍ଶନୀରେ କୃଷି, ଉଦ୍ୟାନକୃଷି, ମୃତ୍ତିକା ସଂରକ୍ଷଣ, ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ, ଓରମାସ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଓୟୁଏଟି, ସମବାୟ, ମହିଳା ଓ ଶିଶୁ କଲ୍ୟାଣ, ସୂଚନା ଓ ଲୋକସମ୍ପର୍କ ଆଦି ବିଭାଗଗୁଡ଼ିକ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସେମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନ ସହିତ ବିକି୍ରବଟାର ବ୍ୟବସ୍ଥା ରହିଛି। ସମସ୍ତ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରିଏହି ତିନିଦିନିଆ ସମାବେଶକୁ ଆକର୍ଷଣୀୟ ଓ ସଫଳ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ, କୃଷି ଓ ଖାଦ୍ୟ ଉତ୍ପାଦକ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Related posts