Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪ ଉଦ୍‌ଘାଟିତ, ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଲେ ଏପରି କଥା

ଭୁବନେଶ୍ବର: ରାଜ୍ୟସ୍ତରରେ ଆୟୋଜିତ ତିନିଦିନିଆ ମତ୍ସ୍ୟ-ପ୍ରାଣୀ ସମାବେଶ ଆଜି ଅପରାହ୍ନରେ ଜନତା ମଇଦାନରେ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାରେ ପ୍ରଥମ ଥର ଏହି ସମାବେଶ ଆୟୋଜନ କରିଥିବାରୁ ମତ୍ସ୍ୟ ଓ ପ୍ରାଣିସଂପଦ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ସରକାର ରାଜ୍ୟର ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ନୂତନ ଭାବେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା କାର୍ଯକାରୀ କରିଛନ୍ତି। ଏଥିରେ ୧୧ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୫୦ ହଜାର ମତ୍ସ୍ୟଜୀବୀ ସିଧାସଳଖ ଉପକୃତ ହେବେ।

ରାଜ୍ୟର ପ୍ରାଣୀପାଳକମାନଙ୍କୁ ଉନ୍ନତ ମାନର ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୧୮୧ ନୂତନ ମୋବାଇଲ୍‌ ଭେଟେରିନାରୀ ୟୁନିଟ୍‌ ଭ୍ୟାନ୍‌ର ବ୍ୟବସ୍ଥା କରାଯାଇଛି ଏବଂ ଖୁବ ଶୀଘ୍ର ଆଉ ୧୩୧ ମୋବାଇଲ୍‌ ଭେଟେରିନାରୀ ୟୁନିଟ୍‌ ଭ୍ୟାନ୍‌ ରାଜ୍ୟରେ ସେବା ଯୋଗାଇଦେବ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ୫-‘ଟି’ କାର୍ଯକ୍ରମ ଅଧିନରେ ବୈଜ୍ଞାନିକ ପଦ୍ଧତିରେ ଫାର୍ମିଂ ପାଇଁ ନୂଆ ଜ୍ଞାନକୌଶଳର ବ୍ୟବହାର କରାଯାଉଛି । ବାୟୋ-ଫ୍ଲକ୍‌, କେଜ୍‌ କଲଚର ମାଛଚାଷ, ସେକ୍ସ ସର୍ଟେଡ୍‌ ସିମେନ୍‌ ପଦ୍ଧତି ପରି ନୂଆ ଜ୍ଞାନକୌଶଳ ବ୍ୟବହାର କରି ରାଜ୍ୟ ଚାଷୀମାନଙ୍କ ଆୟ ବହୁଗୁଣିତ କରିବା ଦିଗରେ ପଦକ୍ଷେପ ନିଆଯାଉଛି।

‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪’ ରେ ସାରା ରାଜ୍ୟରୁ ପ୍ରାୟ ୬୦୦୦ ଚାଷୀ ଭାଇ ଓ ଭଉଣୀମାନେ ଯୋଗ ଦେଉଛନ୍ତି। ଏଥିରେ ଚାଷୀ-ବୈଜ୍ଞାନିକ ଭାବବିନିମୟ, ଲାଇଭ୍‌ ଆନିମଲ ଓ ଫିସ୍‌ ଡେମୋନ୍‌ଷ୍ଟ୍ରେସନ୍‌, ଆଧୁନିକ ଫାର୍ମିଂ ପଦ୍ଧତିର ପ୍ରଦର୍ଶନୀ, ଶ୍ରେଷ୍ଠ ଚାଷୀଙ୍କୁ ସମ୍ବର୍ଦ୍ଧନା ଆଦି କାର୍ଯକ୍ରମ ରଖାଯାଇଛି ବୋଲି ଉଲ୍ଲେଖ କରିବା ସହ ମୁଖ୍ୟମନ୍ତ୍ରୀ ଏହି ସମାବେଶରେ ଯୋଗଦେଇ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟ ଓ ପ୍ରାଣିପାଳନ ବିଷୟରେ ଅବଗତ ହୋଇ ତା’ର ଉପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।

ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଲେ ଯେ, କୃଷି ଓ ଆନୁଷଂଗିକ କ୍ଷେତ୍ର, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶର ଉତ୍କର୍ଷ ଓ ଅଭିବୃଦ୍ଧି ସାଧନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୨୦୧୩-୧୪ରୁ ରାଜ୍ୟରେ ପ୍ରତି ବର୍ଷ ସ୍ୱତନ୍ତ୍ର କୃଷି ବଜେଟ୍‌ ପ୍ରସ୍ତୁତ କରାଯାଉଛି। ଗତ ୧୯୯୯-୨୦୦୦ରେ କୃଷି ବିଭାଗର ବଜେଟ ୨୭୮ କୋଟି ୫୮ ଲକ୍ଷ ଟଙ୍କା ଥିଲାବେଳେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ବଜେଟ ୧୨୧ କୋଟି ୪୭ ଲକ୍ଷ ଟଙ୍କା ଥିଲା। ୨୦୨୩-୨୪ରେ ଏହା ବୃଦ୍ଧିପାଇ କୃଷି ବିଭାଗର ବଜେଟ ୬୯୩୫ କୋଟି ୮୯ ଲକ୍ଷ ଟଙ୍କା ଥିଲାବେଳେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ବଜେଟ ୧୭୬୯ କୋଟି ୨୪ ଲକ୍ଷ ଟଙ୍କାରେ ପହଞ୍ଚିଥିଲା।

ଚଳିତ ୨୦୨୪-୨୫ ସମୁଦାୟ ବଜେଟ୍‌ରେ ଏହା ପୁଣି ବୃଦ୍ଧିପାଇ କୃଷି ବିଭାଗର ବଜେଟ ୭୯୨୩ କୋଟି ୮୭ ଲକ୍ଷ ଟଙ୍କା ଥିଲାବେଳେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ବଜେଟ ୧୯୩୭ କୋଟି ୬୫ ଲକ୍ଷ ଟଙ୍କାରେ ପହଞ୍ଚିଛି। ପ୍ରାଣୀସମ୍ପଦ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ୧୭୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ୨୦୧୮-୧୯ ରେ ମାଛ ଉତ୍ପାଦନ ୭ ଲକ୍ଷ ୫୯ ହଜାର ମେଟି୍ରକ୍‌ ଟନ୍‌ ଥିଲା। ଏହା ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ପାଇ ୨୦୨୨-୨୩ ରେ ୧୦ ଲକ୍ଷ ୫୨ ହଜାର ମେଟି୍ରକ୍‌ ଟନ୍‌ରେ ପହଞ୍ଚିଛି।

ମାଛ ବିହନ ଉପଲବ୍ଧ କରାଇବା ପାଇଁ ବର୍ଷାଋତୁ ପୂର୍ବରୁ ଆଗୁଆ ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। କୁକୁଡ଼ା ମାଂସ ଉତ୍ପାଦନରେ ଓଡିଶା ଆତ୍ମନିର୍ଭରଶୀଳ ହୋଇପାରିଛି। ମାଛ ଯାଆଁଳ ଉତ୍ପାଦନ ୧୯୪ ପ୍ରତିଶତ ବୃଦ୍ଧି ପାଇ ୨୦୧୯-୨୦ରେ ୯୪ କୋଟି ୭୨ ଲକ୍ଷରୁ ୨୦୨୨-୨୩ରେ ୨୭୮ କୋଟି ୬୩ ଲକ୍ଷରେ ପହଞ୍ଚିଛି। ସାମୁଦ୍ରିକ ଖାଦ୍ୟ ରପ୍ତାନି ଗତ ୪ ବର୍ଷ ମଧ୍ୟରେ ୫୩ ପ୍ରତିଶତ ବୃଦ୍ଧି ପାଇ ୨୦୧୮-୧୯ ରେ ୨୯୬୯ କୋଟି ଟଙ୍କାରୁ ୨୦୨୨-୨୩ ରେ ୪୮୦୭ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ସୂଚନା ଦେଇଥିଲେ ।

ଉଦ୍‌ଘାଟନୀ ଉତ୍ସବରେ ପୌରୋହିତ୍ୟ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚାଷୀମାନଙ୍କ ଆୟକୁ ବହୁଗୁଣିତ କରିବା ପ୍ରତିବଦ୍ଧତା ସ୍ୱରୂପ ଚାଷ କାର୍ଯ୍ୟ ସହିତ ବିଭାଗ ପକ୍ଷରୁ ମାଛଚାଷ ଓ ପ୍ରାଣିପାଳନକୁ ପ୍ରୋତ୍ସାହିତ କରାଯାଉଛି। ଗତ ୨୦ ବର୍ଷରେ ଚାଷୀମାନଙ୍କ ଆୟବୃଦ୍ଧି ହେବା ସହିତ ମାଛ, ମାସଂ, କୁକୁଡ଼ା ଓ ଦୁଗ୍ଧ ଉତ୍ପାଦନରେ ଉଲ୍ଲେଖନୀୟ ସଫଳତା ମିଳିଛି ।

ମାଛଚାଷ ଓ ପଶୁପାଳନ ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟ ସରକାର ଜେଣ୍ଡର ବଜେଟିଂ କାର୍ଯ୍ୟକାରୀ କରୁଛନ୍ତି। ଏହା ଅନ୍ତର୍ଗତ କିଛି କାର୍ଯ୍ୟକ୍ରମରେ ଶତପ୍ରତିଶତ ଏବଂ ଅନ୍ୟ କିଛି କାର୍ଯ୍ୟକ୍ରମରେ ଅତି କମ୍‌ରେ ୩୦ ପ୍ରତିଶତ କେବଳ ମହିଳାଙ୍କ ପାଇଁ ଖର୍ଚ୍ଚ କରାଯିବାର ବ୍ୟବସ୍ଥା ରହିଛି।

ମୁଖ୍ୟବକ୍ତା ଭାବେ ଯୋଗଦେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତି୍ରପାଠୀ କହିଲେ ଯେ ରାଜ୍ୟ ସରକାରଙ୍କ ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କ ଜୀବନଧାରଣରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିପାରିଛି। ମାଛଚାଷ ଓ ପ୍ରାଣୀପାଳନକୁ ଗ୍ରାମାଞ୍ଚଳରେ ବ୍ୟବସାୟିକ ଭିତ୍ତିରେ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସମ୍ମାନିତ ଅତିଥି ଭାବେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ କୃଷିଭିତ୍ତିକ ଅର୍ଥନୀତିରେ ଆୟବୃଦ୍ଧି ନିମନ୍ତେ ଫସଲ ଚାଷ ସହିତ ପ୍ରାଣିପାଳନ ଓ ମତ୍ସ୍ୟଚାଷ ଏକାନ୍ତ ଅପରିହାର୍ଯ୍ୟ। ସଂପ୍ରତି ଜଳବାୟୁ ପରିବର୍ତ୍ତନ ଦୃଷ୍ଟିରୁ ଜଳବାୟୁ ସହନଶୀଳ ପ୍ରାଣିପାଳନ ଓ ମାଛଚାଷକୁ ଆପଣାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଲେ ଯେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଦ୍ୟୋଗୀମାନେ ପ୍ରାଣିପାଳନ ଓ ମତ୍ସ୍ୟଚାଷକୁ ଅଧିକ ଗୁରୁତ୍ୱ ଦେବାର ଲକ୍ଷ୍ୟ କରାଯାଉଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ପ୍ରଜାତିର ପ୍ରାଣୀମାନଙ୍କ ସଂରକ୍ଷଣ ଓ ପଂଜିକରଣକୁ ଗୁରୁତ୍ୱ ଦିଆଯିବା ସହ ନୂତନ ପ୍ରଜାତି ସୃଷ୍ଟି ନିମନ୍ତେ ପଦକ୍ଷେପ
ନିଆଯାଉଛି।

ସମାବେଶରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ ଗିଫଫ ତିଲାପିଆ ଏବଂ କେଜ୍‌ କଲଚର ପଦ୍ଧତିରେ ମାଛଚାଷ କରିବାରେ ଏବଂ ଭେଟେରିନାରୀ ମୋବାଇଲ୍‌ ସେବା ଯୋଗାଇବା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ହୋଇପାରିଛି।

ସମାବେଶରେ ପଦ୍ମଶ୍ରୀ ବିଜେତା ମତ୍ସ୍ୟଚାଷୀ ଶ୍ରୀ ବଟକୃଷ୍ଣ ସାହୁଙ୍କ ସମେତ ମତ୍ସ୍ୟଚାଷ ଓ ପ୍ରାଣିପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତୀୟ ସ୍ତରରେ ସ୍ୱୀକୃତି ପାଇଥିବା ୫ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୩୦ଟି ଜିଲ୍ଲାର ଚମ୍ପିଅନ୍‌ ଚାଷୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏଥି ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ହିତାଧିକାରୀଙ୍କୁ ସ୍ଥାୟୀ ପୁଂଜିନିବେଶ ଉପରେ ସବ୍‌ସିଡି ରାଶିର ଚେକ୍‌ ପ୍ରଦାନ କରାଯାଇଥିଲା।

ସମାବେଶ ପ୍ରାରମ୍ଭରେ କଟକ ଜିଲ୍ଲାର ମହିଳା ଚାଷୀ ଶ୍ରୀମତୀ ନମିତା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ମହିଳା ଚାଷୀ ମମତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ। ସମାବେଶ ଅବସରରେ ଆଜି ସକାଳେ କଳିଙ୍ଗ ଷ୍ଟାଡିୟମ୍‌ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ଗଣଦୌଡ଼ର ଆୟୋଜନ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହି ଗଣଦୌଡ଼କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

 

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଫେବୃଆରୀ ୧୬ ରୁ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ, ବସିଲା ସମନ୍ୱୟ ବୈଠକ

ଭୁବନେଶ୍ୱର: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ଫେବୃଆରୀ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ ତିନିଦିନିଆ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ- ୨୦୨୪ର ଆୟୋଜନ ହେଉଛି। ଏହି ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀ ମଣ୍ଡପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ ଫ୍ଲାଗ୍‌ସିପ୍‌ ଯୋଜନା ସମେତ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଦର୍ଶନ କରାଯିବା ପାଇଁ ସ୍ଥିର କରାଯାଇଛି।

ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କୃଷି ଭବନଠାରେ ବିଭିନ୍ନ ବିଭାଗ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।

କୃଷି ଭବନଠାରେ ଆୟୋଜିତ ସମନ୍ୱୟ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ କହିଲେ ମତ୍ସ୍ୟ-ପ୍ରାଣୀ ସମାବେଶରେ ସାରା ରାଜ୍ୟରୁ ୬୦୦୦ରୁ ଉଦ୍ଧ୍ୱର୍ ମତ୍ସ୍ୟଚାଷୀ, ଗୋପାଳକ, ପ୍ରାଣୀପାଳକମାନେ ଯୋଗଦେବେ।

ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ସମେତ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ବ୍ୟାପକ ସଚେତନତା କରାଯିବା ନିମନ୍ତେ ଏହି ସମାବେଶର ଆୟୋଜନ କରାଯାଉଛି। ପ୍ରଦର୍ଶନୀରେ କୃଷି, ଉଦ୍ୟାନକୃଷି, ମୃତ୍ତିକା ସଂରକ୍ଷଣ, ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ, ଓରମାସ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଓୟୁଏଟି, ସମବାୟ, ମହିଳା ଓ ଶିଶୁ କଲ୍ୟାଣ, ସୂଚନା ଓ ଲୋକସମ୍ପର୍କ ଆଦି ବିଭାଗଗୁଡ଼ିକ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସେମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନ ସହିତ ବିକି୍ରବଟାର ବ୍ୟବସ୍ଥା ରହିଛି। ସମସ୍ତ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରିଏହି ତିନିଦିନିଆ ସମାବେଶକୁ ଆକର୍ଷଣୀୟ ଓ ସଫଳ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ, କୃଷି ଓ ଖାଦ୍ୟ ଉତ୍ପାଦକ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

‘ତୋଷାଳି’ ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ – ୩୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ଆକଳନ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ୧୮ତମ “ତୋଷାଳି” ଜାତୀୟ ହସ୍ତଶିଳ୍ପ ମେଳା ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଡିସେମ୍ବର ୧୫ରୁ ଆରମ୍ଭ ହୋଇଥିବା ଏହି ଜାତୀୟ ସ୍ତରୀୟ ମେଳାରେ ୩୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଆକଳନ କରାଯାଇଛି। ଶେଷ ଦିନରେ ମଧ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବଜାର ସହିତ ଫୁଡ୍ କୋର୍ଟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରତିବର୍ଷ ତୋଷାଳି ମେଳା ଆୟୋଜନ କରାଯାଉଛି। ଚଳିତବର୍ଷ ମେଳାରେ ଜିଆଇ ମାନ୍ୟତା ପାଇଥିବା ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ଜିନିଷ ସହିତ ଜନଜାତି କଳାକୃତି ପ୍ରମୁଖ ଆକର୍ଷଣ ପାଲଟିଥିଲା। ୧୨ ଦିନ ଧରି ଚାଲିଥିବା ଏହି ମେଳାକୁ ୨୫ ଲକ୍ଷରୁ ଅଧିକ ଲୋକ ଆସିଥିବା ଆକଳନ କରାଯାଇଛି।

ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ଭିତରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଏବଂ ତ୍ରିପୁରାର ପୂର୍ବତନ ମୁଖ୍ୟ ଶାସନ ସଚିବ ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

“ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତି କରିବାରେ ସାରା ଦେଶରେ ଓଡ଼ିଶାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହାର ଅଧିକ ପ୍ରସାର ପାଇଁ ତୋଷାଳି ମେଳା ବିଶେଷ ସହାୟକ ହେଉଛିୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରି ପାଇଁ ତୋଷାଳି ମେଳା ଗୋଟିଏ ବଡ଼ ବଜାର ସାଜିଥିବାରୁ ଆଜି ଏହା ସାରା ଦେଶର ଲୋକମାନଙ୍କ ପାଇଁ ଆକର୍ଷଣ ପାଲଟିଛି। ଆଗାମୀ ଦିନରେ ଏହାକୁ ଅନ୍ତର୍ଜାତୀୟ ସ୍ତରର କରିବା ଲାଗି ଲକ୍ଷ୍ୟ ରଖାଯାଇଛି”, କହିଛନ୍ତି ଡକ୍ଟର ଅରବିନ୍ଦ ପାଢ଼ୀ।

ଚଳିତବର୍ଷ ତୋଷାଳି ମେଳା ସଫଳତାର ସହ ଶେଷ ହୋଇଥିବାରୁ ଏହି ଅବସରରେ ଡକ୍ଟର ପାଢ଼ୀ ବିଭାଗ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ଶେଷ ସନ୍ଧ୍ୟାରେ “ତୋଷାଳି” ମଞ୍ଚରେ ଆକର୍ଷଣ ଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ସୋନାଲି ମହାପାତ୍ର। ତାଙ୍କ ନେତୃତ୍ୱରେ ସାଥୀ କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୁଗ୍ଧ କରିଥିଲେ। ସେହିପରି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ବିଭିନ୍ନ ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁଟର (ସିସିଆଇ) ପିଲାମାନେ ଏଠାରେ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାର ସିସିଆଇର ମୋଟ ୩୯ ଜଣ ଝିଅ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଅଧ୍ୟକ୍ଷ ପଦ୍ମବିଭୂଷଣ ଡକ୍ଟର ସୁଦର୍ଶନ ସାହୁ, ବିଭାଗୀୟ ସ୍ୱତନ୍ତ୍ର ସଚିବ ସରୋଜ ପଟେଲ, ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଶୋଭନକୃଷ୍ଣ ସାହୁ, ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ପ୍ରଣତି ଛୋଟରାୟ, ବିଭାଗୀୟ ଅତିରିକ୍ତ ସଚିବ ବିକ୍ରମାଦିତ୍ୟ ବାରିକ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ କଲ୍ୟାଣୀ ପଟ୍ଟନାୟକ, ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ତଥା ଏସଆଇଡିଏସିର ସଦସ୍ୟ ସଚିବ ଶିଶିର କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ।

ଚଳିତବର୍ଷ ତୋଷାଳି ମେଳାରେ ୬୦୦ରୁ ଅଧିକ ଷ୍ଟଲ ଖୋଲା ଯାଇଥିଲା। ଏଥିରେ ଓଡ଼ିଶା ତଥା ବିଭିନ୍ନ ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପ ଜିନିଷ ପ୍ରମୁଖ ଆକର୍ଷଣ ପାଲଟିଥିଲା। ସମ୍ବଲପୁରୀ ବାନ୍ଧ ଓ ଇକତ ଶାଢ଼ି ତଥା କପଡ଼ା, ଗୋପାଳପୁର ଟସର ଜିନିଷ ଓ କୋଟପାଡ଼ ଶାଢ଼ି ସହିତ ବେଙ୍ଗାଳୁରୁ ଓ ବନାରସର ସିଲ୍କ, ଆନ୍ଧ୍ରପ୍ରଦେଶର ପୋଚମପାଲି, ବେଙ୍ଗଲ ଟାଙ୍ଗାଇଲ୍ ଏବଂ କଶ୍ମୀରର ଉଲ୍ ଜିନିଷର ଭଲ ଚାହିଦା ରହିଥିଲା।

ସେହିପରି ପଥର ଓ କାଠ ଖୋଦେଇ ମୂର୍ତ୍ତି, ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ ସହିତ ଢୋକ୍ରା, ଟେରାକୋଟା, ଜନଜାତି କଳାକୃତି ଓ ଅଳଙ୍କାର ଏବଂ ସବାଇ ଘାସରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀକୁ ଲୋକେ ଆଗ୍ରହର ସହିତ କିଣିଥିଲେ।

“ତୋଷାଳି” ମେଳାରେ ଏଥର ପ୍ରମୁଖ ଆକର୍ଷଣ ଥିଲା “ଥିମ୍ ପାଭିଲିୟନ୍‌”। ଏଥିରେ ଓଡ଼ିଶାର ବିଭିନ୍ନ ଜନଜାତି କଳାକୃତି ସହିତ ଜିଆଇ ମାନ୍ୟତା ପାଇଥିବା ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା। ତା’ସହ ଅହିଂସା ଉପାୟରେ ଓଡ଼ିଶା ପ୍ରସ୍ତୁତ କରୁଥିବା କରୁଣା ସିଲ୍କର ଲାଇଭ୍ ଡେମୋ ଅନ୍ୟତମ ଆକର୍ଷଣ ପାଲଟିଥିଲା।

ତୋଷାଳି ମେଳାରେ ଓଡ଼ିଶାର ବିଭିନ୍ନ କଳା, କାରିଗରିର ଲାଇଭ୍ ଡେମୋ ପ୍ରଦର୍ଶନ କରାଯାଇଥିଲା। ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଡେଭଲପମେଣ୍ଟ ଅଫ୍ ଆର୍ଟ୍ସ ଆଣ୍ଡ କ୍ରାଫ୍ଟସର (ଏସଆଇଡିଏସି) ପ୍ରଶିକ୍ଷାର୍ଥୀମାନେ ମେଳାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

ଚଳିତବର୍ଷ ତୋଷାଳି ମେଳାକୁ ଆସୁଥିବା ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ବିଭାଗ ପକ୍ଷରୁ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଥିଲା।

ସେହିପରି ତୋଷାଳି ମେଳା ବୁଲିବାକୁ ଆସୁଥିବା ଲୋକଙ୍କ ପାଇଁ ଖୋଲିଥିଲା ସ୍ୱତନ୍ତ୍ର ଫୁଡ୍ କୋର୍ଟ। ଏଠାରେ ୨୫ଟି ଷ୍ଟଲରେ ଓଡ଼ିଶା ସହିତ ବିଭିନ୍ନ ରାଜ୍ୟର ପାରମ୍ପରିକ ଓ ଆଧୁନିକ ଖାଦ୍ୟର ପସରା ଖୋଲିଥିଲା।

 

Categories
ଆଜିର ଖବର ରାଜ୍ୟ ଖବର

ମେକ୍ ଇନ୍ ଓଡିଶା କନ୍‌କ୍ଳେଭ୍‌ରେ ସୋଆର ଷ୍ଟଲ ଉଦ୍‌ଘାଟିତ

ଭୁବନେଶ୍ୱର: ନିବେଶକ ମହାକୁମ୍ଭ ମେକ୍ ଇନ୍ ଓଡିଶା ନଭେମ୍ବର ୩୦ ବୁଧବାର ଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିବା ଏହି ଶିଳ୍ପ ମହାକୁମ୍ଭରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ମଧ୍ୟ ଷ୍ଟଲ ଖୋଲା ଯାଇଛି। ସୋଆର ଏହି ଷ୍ଟଲ୍ କୁ ଉଦ୍‌ଘାଟନ କରିଛନ୍ତି ଆଇଟି ସଚିବ ମନୋଜ ମିଶ୍ର। କୃଷି ଓ ପଶୁ ସଂପଦ, ଦନ୍ତ ଚିକିତ୍ସା ଓ ଡାକ୍ତରୀ ଚିକିତ୍ସା କ୍ଷେତ୍ରକୁ ନେଇ ଏହି ଷ୍ଟଲ ପ୍ରଦର୍ଶିତ ହୋଇଥିଲା।

ଏଥିସହିତ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜ୍‌ମେଂଟ ପକ୍ଷରୁ ମଧ୍ୟ ଏକ ଖାଦ୍ୟ ଷ୍ଟଲ୍ ଖୋଲା ଯାଇଥିଲା। ଏହି ଷ୍ଟଲକୁ ଏସଟିପିଆଇର ନିର୍ଦ୍ଦେଶକ ମାନସ ପଣ୍ଡା ଉଦଘାଟନ କରିଥିଲେ। ଏହି ଫୁଡ୍ ଷ୍ଟଲରେ ଆମିଷ ଓ ନିରାମିଷ ଖାଦ୍ୟ ସହିତ ଓଡିଶାର ପାରମ୍ପାରିକ ଓଡିଆ ଖାଦ୍ୟ ମଧ୍ୟ ପରିବେଷଣ କରାଯାଇଥିଲା।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ସୋଆର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ପ୍ରୋଚାନସେଲର ପ୍ରଫେସର ଅମିତ୍ ବାନାର୍ଜୀ, ପ୍ରଫେସର ରେଣୁ ଶର୍ମା, ଜଏଂଟ ରେଜିଷ୍ଟ୍ରାର ପ୍ରଫେସର ଶଶାଙ୍କ ମିଶ୍ର, ପ୍ରମେୟ ଓ ନ୍ୟୁଜ ସେଭେନର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ନ୍ୟୁଜ ସେଭେନର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ ଓ ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଓ ଦିଲ୍ଲୀରେ ଅବସ୍ଥାପିତ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସଡି ପ୍ରୀତମ୍ ନାୟକ ଓ ନିର୍ଦ୍ଦେଶକ ଲଜିଷ୍ଟିକ ଦେବବ୍ରତ ଦାଶ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଦରକାର ଡବଲ ଇଞ୍ଜିନ ସରକାର, ବର୍ତ୍ତମାନ ସରକାରଙ୍କୁ ଉପାଡି ଫୋପାଡି ଦିଅ; ଜେପି ନଡ୍ଡା

ଭୁବନେଶ୍ବର: ଆଜି ଭୁବନେଶ୍ବରର ଜନତା ମଇଦାନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓଡିଶା ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଦଳୀୟ ନେତାଙ୍କୁ ସମ୍ବୋଧୀତ କରି ନଡ୍ଡା କହିଛନ୍ତି ଯେ, ଓଡିଶା ସରକାର ବର୍ତ୍ତମାନ ଦୁର୍ନିତିରେ ବୁଡି ରହିଛି। କୌଣସି ଉନ୍ନତି ମୂଳକ କାମ ହୋଇପାରୁ ନାହିଁ। ଏପରି ସରକାର ରହି ନ  ରହିବା ପରି। ଏହାକୁ ଉପାଡି ଫୋପାଡି ଦିଅ ବୋଲି ନଡ୍ଡା କହିଛନ୍ତି।

କେବଳ ସେତିକି ନୁହେଁ ନେତାମାନଙ୍କୁ ଉତ୍ସାହିତ କରିବା ପାଇଁ ନଡ୍ଡା କହିଛନ୍ତି ଯେ, ଓଡିଶାରେ ଡବଲ ଇଂଜିନି ସରକାର ଦରକାର। ଉପରେ ପଦ୍ମ ଏବଂ ତଳେ ପଦ୍ମ ରହିବା ଆବଶ୍ୟକ। ତେବେ ଯାଇ ରାଜ୍ୟର ଉନ୍ନତି ତୀବ୍ର ବେଗରେ ଗତି କରିବ ବୋଲି ନଡ୍ଡା କହିଥିଲେ। ସେଥିପାଇଁ ଓଡିଶାର ବିଜେପି କିପରି ସରକାରକୁ ଆସିବ ସେ ନେଇ ଆପଣମାନେେ କାମ ଆରମ୍ଭ କରନ୍ତୁ ବୋଲି ନଡ୍ଡା ନେତାଙ୍କୁ ଆହ୍ବାନ ଦେଇଥିଲେ।

ଓଡିଶାର ସରକାର ଏକ ଷ୍ଟାମ୍ପ ମରା ସରକାର ବୋଲି ନଡ୍ଡା ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଆବାସ ଯୋଜନା କଲେ। ଯାହାର ନାମ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଏହି ଯୋଜନାକୁ ଓଡିଶା ସରକାର ଲାଗୁ କରି ତା ଉପରେ ବିଜୁ ପକ୍କା ଘର ଯୋଜନା ଷ୍ଟାମ୍ପ ମାରି ବାହାବା ନେଉଛନ୍ତି। ଏହା ଆଉ ବେଶୀଦିନ ଚାଲିବ ନାହିଁ ବୋଲି ନଡ୍ଡା କହିଥିଲେ।

ସେହିପରି ଓଡିଶା ଲୋକେ ବର୍ତ୍ତମାନ ସୁଦ୍ଧା ଆୟୁଶ୍ମାନ ଭାରତ ଯୋଜନାରୁ ବଞ୍ଚିତ ହେଉଛନ୍ତି। ସାରା ଭାରତରେ ଏହି ଯୋଜନା ଲାଗୁ କରାଯାଇଥିବା ବେଳେ ଓଡିଶା ସରକାର କିନ୍ତୁ ଏହାକୁ ଲାଗୁ କରୁ ନାହାଁନ୍ତି। ଫଳରେ କେନ୍ଦ୍ରର ଏହି ସଫଳ ଯୋଜନାରୁ ଓଡିଶାର ଲକ୍ଷଲକ୍ଷ ଲୋକେ ବଞ୍ଚିତ ହେଇଛନ୍ତି ବୋଲି ନଡ୍ଡା ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ବିଜେଡି ସରକାରରେ ତିନିଜଣ ମନ୍ତ୍ରୀଙ୍କ ନାମ କୁଆଡେ ହତ୍ୟାକାଣ୍ଡରେ ଜଡିତ ବୋଲି ଆସୁଛି। ଯଦି ରକ୍ଷକ ଭକ୍ଷକ ସାଜିବ ତେବେ ସେ ସରକାର କି ସରକାର ବୋଲି ନଡ୍ଡା ପ୍ରଶ୍ନ କରିଥିଲେ। ଏପରି ସରକାର ରହିବା ଉଚିତ କି ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ। ନଡ୍ଡାଙ୍କ ଏପରି ଭାଷଣରେ ନେତାମାନେ ବେଶ ଉତ୍ସାହିତ ହୋଇପଡିଥିଲେ।

ତେବେ ଭାଷଣ ଆରମ୍ଭରୁ ନଡ୍ଡା ଓଡିଶାରେ କେନ୍ଦ୍ର ସରକାର କଣ ସବୁ ଯୋଜନା କରିଛନ୍ତି ତାହାର ଏକ ହିସାବ ପ୍ରଦାନ କରିଥିଲେ। ବିଗତ ବର୍ଷରେ ରାଜ୍ୟକୁ କେତୋଟି ଶିକ୍ଷାନୁଷ୍ଠାନ, କେତେ ଯୋଜନା ଏବଂ ରେଳପଥ ବିକାଶ ଉପରେ ଆଲୋକପାତ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଓଡିଶାର ଉନ୍ନତି ପାଇଁ ପ୍ରଦାନ କରିଛନ୍ତି। ତେବେ ରାଜ୍ୟରେ ଡବଲ ଇଂଜିନି ସରକାର ଆସିଲେ ଏହା ଆହୁରି ତୀବ୍ର ହେବ ବୋଲି ନଡ୍ଡା ଏହି ସଭାରେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅମିତ ଶାହଙ୍କ ଓଡିଶା ଗସ୍ତ ପୂର୍ବରୁ ଜନତା ମଇଦାନରେ ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୁଇଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମର ଦିନକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦଳର ନେତାମାନଙ୍କ ସହ ସ୍ଥାନୀୟ ଜନତା ମଇଦାନକୁ ଯାଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଆସନ୍ତା ଶୁକ୍ରବାର ଦିନ ଜନତା ମଇଦାନ ଠାରେ ବିଜେପି ପକ୍ଷରୁ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗଦେଇ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଜନତା ମଇଦାନରେ ସ୍ଥିତି ଅନୁଧ୍ୟାନ କରିବା ସହ ଦଳର ସଦସ୍ୟମାନଙ୍କୁ ପ୍ରସ୍ତୁତି କାର୍ଯ୍ୟ ସମ୍ବନ୍ଧରେ ପଚାରି ବୁଝିଛନ୍ତି।ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବିଜେପି କର୍ମୀ ଓ ସାଧାରଣ ଜନତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।