ଓଡିଶାରେ ଦରକାର ଡବଲ ଇଞ୍ଜିନ ସରକାର, ବର୍ତ୍ତମାନ ସରକାରଙ୍କୁ ଉପାଡି ଫୋପାଡି ଦିଅ; ଜେପି ନଡ୍ଡା

Published: Sep 29, 2022, 5:15 pm IST

ଭୁବନେଶ୍ବର: ଆଜି ଭୁବନେଶ୍ବରର ଜନତା ମଇଦାନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓଡିଶା ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଦଳୀୟ ନେତାଙ୍କୁ ସମ୍ବୋଧୀତ କରି ନଡ୍ଡା କହିଛନ୍ତି ଯେ, ଓଡିଶା ସରକାର ବର୍ତ୍ତମାନ ଦୁର୍ନିତିରେ ବୁଡି ରହିଛି। କୌଣସି ଉନ୍ନତି ମୂଳକ କାମ ହୋଇପାରୁ ନାହିଁ। ଏପରି ସରକାର ରହି ନ  ରହିବା ପରି। ଏହାକୁ ଉପାଡି ଫୋପାଡି ଦିଅ ବୋଲି ନଡ୍ଡା କହିଛନ୍ତି।

କେବଳ ସେତିକି ନୁହେଁ ନେତାମାନଙ୍କୁ ଉତ୍ସାହିତ କରିବା ପାଇଁ ନଡ୍ଡା କହିଛନ୍ତି ଯେ, ଓଡିଶାରେ ଡବଲ ଇଂଜିନି ସରକାର ଦରକାର। ଉପରେ ପଦ୍ମ ଏବଂ ତଳେ ପଦ୍ମ ରହିବା ଆବଶ୍ୟକ। ତେବେ ଯାଇ ରାଜ୍ୟର ଉନ୍ନତି ତୀବ୍ର ବେଗରେ ଗତି କରିବ ବୋଲି ନଡ୍ଡା କହିଥିଲେ। ସେଥିପାଇଁ ଓଡିଶାର ବିଜେପି କିପରି ସରକାରକୁ ଆସିବ ସେ ନେଇ ଆପଣମାନେେ କାମ ଆରମ୍ଭ କରନ୍ତୁ ବୋଲି ନଡ୍ଡା ନେତାଙ୍କୁ ଆହ୍ବାନ ଦେଇଥିଲେ।

ଓଡିଶାର ସରକାର ଏକ ଷ୍ଟାମ୍ପ ମରା ସରକାର ବୋଲି ନଡ୍ଡା ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଆବାସ ଯୋଜନା କଲେ। ଯାହାର ନାମ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଏହି ଯୋଜନାକୁ ଓଡିଶା ସରକାର ଲାଗୁ କରି ତା ଉପରେ ବିଜୁ ପକ୍କା ଘର ଯୋଜନା ଷ୍ଟାମ୍ପ ମାରି ବାହାବା ନେଉଛନ୍ତି। ଏହା ଆଉ ବେଶୀଦିନ ଚାଲିବ ନାହିଁ ବୋଲି ନଡ୍ଡା କହିଥିଲେ।

ସେହିପରି ଓଡିଶା ଲୋକେ ବର୍ତ୍ତମାନ ସୁଦ୍ଧା ଆୟୁଶ୍ମାନ ଭାରତ ଯୋଜନାରୁ ବଞ୍ଚିତ ହେଉଛନ୍ତି। ସାରା ଭାରତରେ ଏହି ଯୋଜନା ଲାଗୁ କରାଯାଇଥିବା ବେଳେ ଓଡିଶା ସରକାର କିନ୍ତୁ ଏହାକୁ ଲାଗୁ କରୁ ନାହାଁନ୍ତି। ଫଳରେ କେନ୍ଦ୍ରର ଏହି ସଫଳ ଯୋଜନାରୁ ଓଡିଶାର ଲକ୍ଷଲକ୍ଷ ଲୋକେ ବଞ୍ଚିତ ହେଇଛନ୍ତି ବୋଲି ନଡ୍ଡା ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ବିଜେଡି ସରକାରରେ ତିନିଜଣ ମନ୍ତ୍ରୀଙ୍କ ନାମ କୁଆଡେ ହତ୍ୟାକାଣ୍ଡରେ ଜଡିତ ବୋଲି ଆସୁଛି। ଯଦି ରକ୍ଷକ ଭକ୍ଷକ ସାଜିବ ତେବେ ସେ ସରକାର କି ସରକାର ବୋଲି ନଡ୍ଡା ପ୍ରଶ୍ନ କରିଥିଲେ। ଏପରି ସରକାର ରହିବା ଉଚିତ କି ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ। ନଡ୍ଡାଙ୍କ ଏପରି ଭାଷଣରେ ନେତାମାନେ ବେଶ ଉତ୍ସାହିତ ହୋଇପଡିଥିଲେ।

ତେବେ ଭାଷଣ ଆରମ୍ଭରୁ ନଡ୍ଡା ଓଡିଶାରେ କେନ୍ଦ୍ର ସରକାର କଣ ସବୁ ଯୋଜନା କରିଛନ୍ତି ତାହାର ଏକ ହିସାବ ପ୍ରଦାନ କରିଥିଲେ। ବିଗତ ବର୍ଷରେ ରାଜ୍ୟକୁ କେତୋଟି ଶିକ୍ଷାନୁଷ୍ଠାନ, କେତେ ଯୋଜନା ଏବଂ ରେଳପଥ ବିକାଶ ଉପରେ ଆଲୋକପାତ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଓଡିଶାର ଉନ୍ନତି ପାଇଁ ପ୍ରଦାନ କରିଛନ୍ତି। ତେବେ ରାଜ୍ୟରେ ଡବଲ ଇଂଜିନି ସରକାର ଆସିଲେ ଏହା ଆହୁରି ତୀବ୍ର ହେବ ବୋଲି ନଡ୍ଡା ଏହି ସଭାରେ କହିଛନ୍ତି।

Related posts