ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟର ୭ଟିସ୍ତାନରେ ଇକୋ ରିଟ୍ରିଟ ଆୟୋଜନ କରାଯାଇଛି । ଏହାର ପରିଚାଳନା ଦାୟିତ୍ୱରେ ଦୁଇଟି ସଂସ୍ଥା ରହିଛନ୍ତି। ବିଧାନସଭାରେ ପର୍ଯ୍ୟଟନମନ୍ତ୍ରୀ ପ୍ରଭାତି ପରିଡା ଦେଇଥିବା ସୂଚନାରୁ ଏହା ଜଣାଯାଇଛି ।
ଇକୋ ରିଟ୍ରିଟ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଚଳିତବର୍ଷ ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ୍ ଆୟୋଜନ କରାଯାଇଛି । ଏହିସବୁସ୍ଥାନଗୁଡିକ ହେଲା କୋଣାର୍କର ରାମଚଣ୍ଡି, ଭିତରକନିକାର ପେଣ୍ଠ, ସାତକୋଶିଆର ବାଲିପୁଟ, ସମ୍ବଲପୁରର ହୀରାକୁଦ, କନ୍ଧମାଳର ଦାରିଙ୍ଗିବାଡି, କୋରାପୁଟର ପୁଟସିଲ ଓ ଗଞ୍ଜାମର ସୋନାପୁର ବେଳାଭୂମି ।
ଏହି ସମସ୍ତ ଇକୋ ରିଟ୍ରିଟର ଆୟୋଜନ କରିଛନ୍ତି ଇ-ଫ୍ୟାକ୍ଟର ଏକ୍ସପେରିଏନ୍ସ ଲିମିଟେଡ ଓ ୟାଲା ଇକୋ ରିଟ୍ରିଟ୍ ପ୍ରାଇଭେଟ ଲିମିଟେଡ । ଚଳିତବର୍ଷର ଆୟୋଜନ ପାଇଁ ରାମଚଣ୍ଡି ଇକୋ ରିଟ୍ରିଟ ଲାଗି ଇ-ଫ୍ୟାକ୍ଟର ସର୍ବାଧିକ ୨୪ କୋଟି ୬୪ଲକ୍ଷ ଟଙ୍କା ନେବାକୁ ଥିବାବେଳେ କନ୍ଧମାଳର ଦାରିଙ୍ଗିବାଡି ଇକୋ ରିଟ୍ରିଟ ପାଇଁ ୟାଲା ଇକୋ ରିଟ୍ରିଟ ସବୁଠାରୁ କମ୍ ୬ କୋଟି ୯ଲକ୍ଷ ଟଙ୍କା ପାଇବ । ଚଳିତବର୍ଷର ଦେୟ ଗତବର୍ଷ ତୁଳନାରେ ଅଧିକ ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।


