ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଆଜି ନୂଆଦିଲ୍ଲୀଠାରେ ଅର୍ବାନ ଚ୍ୟାଲେଞ୍ଜ୍ ଫଣ୍ଡ (ୟୁସିଏଫ)ର କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଓ ଋଣ ପରିଶୋଧ ଜ୍ଞାରେଣ୍ଟି ସବ୍-ସ୍କିମ୍ (ସିଆରଜିଏସଏସ)ର ଶୁଭାରମ୍ଭ କରିଛନ୍ତି। ଏହି ଅର୍ବାନ ଚ୍ୟାଲେଞ୍ଜ୍ ଫଣ୍ଡ ୨୦୨୫-୨୬ ଆର୍ଥକ ବର୍ଷରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ। ଏହାର ଲକ୍ଷ୍ୟ ହେଉଛି ସହରଗୁଡ଼ିକୁ ଅଭିବୃଦ୍ଧିର କେନ୍ଦ୍ରରେ ପରିଣତ କରିବା ସହ ଭାରତର ସହରୀ ଭବିଷ୍ୟତକୁ ଆଗକୁ ନେବା। ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ, ଗୁଜରାଟ, ଓଡ଼ିଶା ଆଦି ବିଭିନ୍ନ ରାଜ୍ୟର ପ୍ରତିନିଧିମାନେ ଯୋଗଦେଇଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଭିଡିଓ ବାର୍ତ୍ତା ମାଧ୍ୟମରେ ଉଦବୋଧନ ଦେଇଥିଲେ।
ନିଜର ସମ୍ବୋଧନରେ ଶ୍ରୀ ମନୋହର ଲାଲ କହିଥିଲେ ଯେ ଅର୍ବାନ ଚ୍ୟାଲେଞ୍ଜ୍ ଫଣ୍ଡ ସହରାଞ୍ଚଳ ବିକାଶ କ୍ଷେତ୍ରରେ ଭାରତର ପରିବର୍ତ୍ତିତ ଆଭିମୁଖ୍ୟକୁ ଦର୍ଶାଉଛି। ସେ କହିଥିଲେ ଯେ ଏହି ପାଣ୍ଠି କେବଳ ଅନୁଦାନ ଦେବା ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ବଡ଼ ନିବେଶଗୁଡ଼ିକୁ ତ୍ୱରାନ୍ୱିତ କରିବା ଦିଗରେ ସାର୍ବଜନୀନ ପାଣ୍ଠିର ବ୍ୟବହାର ଏବଂ ସହରଗୁଡ଼ିକୁ ଆର୍ଥିକ ଦୃଷ୍ଟିକୋଣରୁ ସୁଦୃଢ ଓ ନିବେଶ ଅନୁକୂଳ କରିବା ଉପରେ ବି ଗୁରୁତ୍ବ ଦିଏ।
ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ସହରଗୁଡ଼ିକ ଅର୍ଥନୈତିକ ଅଭିବୃଦ୍ଧି, ନବସୃଜନ ଏବଂ ନିଯୁକ୍ତି ସୃଷ୍ଟିର ଇଞ୍ଜିନ ଭାବରେ ଉଭା ହେଉଛି। ସହରଗୁଡ଼ିକୁ କେତେ ପ୍ରଭାବଶାଳୀ ଭାବରେ ଯୋଜନା, ଆର୍ଥିକ ସହାୟତା ଏବଂ ପରିଚାଳନା କରାଯିବ ତାହା ଉପରେ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ବପ୍ନ ସାକାର ନିର୍ଭର କରିବ। ଅମୃତ, ସ୍ୱଚ୍ଛ ଭାରତ ମିଶନ ଏବଂ ସ୍ମାର୍ଟ ସିଟି ମିଶନ ଭଳି ପଦକ୍ଷେପଗୁଡ଼ିକ ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିଥିବା ବେଳେ, ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ସହରଗୁଡ଼ିକ ନିବେଶ ପାଇଁ ପ୍ରସ୍ତୁତ ଏବଂ ଆର୍ଥିକ ଦୃଷ୍ଟିରୁ ସୁଦୃଢ ହେବା ଜରୁରୀ ବୋଲି ସେ ଉଲ୍ଲେଖ କରିଥିଲେ।
କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଏହି ଅର୍ବାନ ଚ୍ୟାଲେଞ୍ଜ୍ ଫଣ୍ଡରେ ମୋଟ ୧ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ରାଶି ଅନ୍ତର୍ଭୁକ୍ତ ରହିଛି। ଏହାକୁ ବଜାର-ଭିତ୍ତିକ ଆର୍ଥିକ ସହାୟତା ମାଧ୍ୟମରେ ପ୍ରାୟ ଚାରି ଗୁଣ ଅଧିକ ନିବେଶ ସଂଗ୍ରହ କରିବା ପାଇଁ ଏକ ପ୍ରେତ୍ସାହକ ଉପକରଣ ଭାବରେ ଡିଜାଇନ୍ କରାଯାଇଛି। ସେ ସୂଚନା ଦେଇଥିଲେ ଯେ ଏଥିରେ କେନ୍ଦ୍ରୀୟ ସହାୟତା ପ୍ରକଳ୍ପ ମୂଲ୍ୟର ୨୫ ପ୍ରତିଶତ ପର୍ଯ୍ୟନ୍ତ ସୀମିତ ରହିବ, ଯେତେବେଳେ କି ଅନ୍ୟୁନ ୫୦ ପ୍ରତିଶତ ପାଣ୍ଠି ପୌର ବଣ୍ଡ, ବ୍ୟାଙ୍କ ଋଣ ଏବଂ ସରକାରୀ-ବେସରକାରୀ ସହଭାଗୀତା ମାଧ୍ୟମରେ ସଂଗ୍ରହ କରାଯିବ – ଯାହା ଦ୍ଵାରା ଆର୍ଥିକ ଶୃଙ୍ଖଳା ସୁନିଶ୍ଚିତ ହେବ ଏବଂ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରାଯିବ।
ସେ କହିଥିଲେ ଯେ ମୋଟ ବ୍ୟବସ୍ଥା ମଧ୍ୟରୁ, ପ୍ରକଳ୍ପ ପାଇଁ ୯୦,୦୦୦ କୋଟି ଟଙ୍କା, ପ୍ରକଳ୍ପ ପ୍ରସ୍ତୁତି ଏବଂ କ୍ଷମତା ନିର୍ମାଣ ପାଇଁ ୫,୦୦୦ କୋଟି ଟଙ୍କା ଏବଂ ଋଣପରିଶୋଧ ଜ୍ଞାରେଣ୍ଟି ସ୍କିମ ଲାଗି ୫,୦୦୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ସିଆରଜିଏସଏସ ବିଶେଷ ଭାବରେ ଛୋଟ ସହରଗୁଡ଼ିକୁ ଉପକୃତ କରିବ, ଯେଉଁଥିରେ ୨ୟ ଏବଂ ୩ୟ ଶ୍ରେଣୀ ସହରଗୁଡ଼ିକ ସହିତ ପାହାଡିଆ ଏବଂ ଉତ୍ତର-ପୂର୍ବ ଅଞ୍ଚଳର ସହରଗୁଡ଼ିକ ଅନ୍ତର୍ଭୁକ୍ତ ଅଛନ୍ତି। ଏହି ସ୍କିମ୍ ସେମାନଙ୍କୁ କ୍ରେଡିଟ୍ ଗ୍ୟାରେଣ୍ଟି ମାଧ୍ୟମରେ ବଜାର-ଭିତ୍ତିକ ଆର୍ଥିକ ସହାୟତା ପାଇବାକୁ ସକ୍ଷମ କରିବ।
କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ ଯେ ଏହି ପାଣ୍ଠି ବିଭିନ୍ନ ପରିବର୍ତ୍ତନମୂଳକ ପ୍ରକଳ୍ପ ଯେପରିକି ସହରର ପୁରୁଣା ଅଞ୍ଚଳ ଓ ବଜାରର ପୁନଃବିକାଶ, ସହରାଞ୍ଚଳ ଗତିଶୀଳତା ଓ ଶେଷ ଦୂରତ୍ବ ସଂଯୋଗ, ଅଣ-ମୋଟରଚାଳିତ ପରିବହନ, ଜଳ ଓ ପରିମଳ ଭିତ୍ତିଭୂମି, ଜଳବାୟୁ ସହନକ୍ଷମ ସହରୀ ବିକାଶ ଆଦିକୁ ସମର୍ଥନ କରିବ। ଦୀର୍ଘ ମିଆଦୀ ଆର୍ଥିକ ଓ ସାମାଜିକ ଉପଯୋଗିତା ପ୍ରଦାନ କରୁଥିବା ବିସ୍ତାରଯୋଗ୍ୟ, ପ୍ରଭାବୀ ଓ ଭରସାଯୋଗ୍ୟ ପ୍ରକଳ୍ପଗୁଡ଼ିକ ଉପରେ ଗୁରୁତ୍ବ ଦିଆଯିବ।
ପୌରସଂସ୍ଥାଗୁଡ଼ିକର ଭୂମିକା ଉପରେ ଆଲୋକପାତ କରି ମନ୍ତ୍ରୀ କହିଥିଲେ ଯେ ସହରଗୁଡ଼ିକୁ ସେମାନଙ୍କର ଆର୍ଥିକ କ୍ଷମତାକୁ ସୁଦୃଢ଼ କରିବା, ସଂସ୍କାର ଲାଗୁ କରିବା ଏବଂ ବଜାର-ଆଧାରିତ ଆର୍ଥିକ ବ୍ୟବସ୍ଥାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରାଯିବ। ସେ ରାଜ୍ୟ ଏବଂ ପୌରସଂସ୍ଥାଗୁଡ଼ିକୁ ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡକୁ କେବଳ ଏକ ଯୋଜନା ଭାବରେ ନୁହେଁ ବରଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ, ସ୍ଥିର ଏବଂ ନିବେଶ ପାଇଁ ପ୍ରସ୍ତୁତ ସହର ସୃଷ୍ଟି କରିବାର ଏକ ସୁଯୋଗ ଭାବରେ ଦେଖିବାକୁ ଅନୁରୋଧ କରିଥିଲେ।
ଏହି ଅବସରେ କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ସଚିବ ଶ୍ରୀ ଶ୍ରୀନିବାସ କାଟିକିଥଲା କହିଥିଲେ ଯେ, ଭାରତର ସହରୀକରଣ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରୁଛି। ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ଏକ ବଜାର-ସଂଯୁକ୍ତ, ସଂସ୍କାରମୁଖୀ ଏବଂ ଫଳାଫଳ-ଆଧାରିତ ଢାଞ୍ଚା ଉପସ୍ଥାପନ କରେ। ଏହି ପାଣ୍ଠି ପ୍ରକଳ୍ପର ଆର୍ଥିକ ବିଶ୍ବସନୀୟତା ଏବଂ ଆର୍ଥିକ ଶୃଙ୍ଖଳା ଉପରେ ଗୁରୁତ୍ବ ପ୍ରଦାନ ସହିତ ଭିତ୍ତିଭୂମି ସୃଷ୍ଟିକୁ ଆର୍ଥିକ ସ୍ଥିରତା ଏବଂ ସାଂସ୍ଥାଗତ ସୁଦୃଢ଼ୀକରଣ ସହିତ ସମନ୍ବିତ କରେ। ଏହି ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ର ସଫଳତା କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ସ୍ବାୟତ୍ତ ସଂସ୍ଥାମାନଙ୍କ ମଧ୍ୟରେ ନିରନ୍ତର ସହଯୋଗ ସହିତ ସଂସ୍କାର ଏବଂ କ୍ଷମତା ନିର୍ମାଣ ପରି ପଦକ୍ଷେପର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ନିର୍ଭର କରିବ ବୋଲି ସେ କହିଥିଲେ।
ଏହି ଅବସରରେ ସହରଗୁଡ଼ିକୁ ଆର୍ଥିକ ପ୍ରତିଷ୍ଠାନ, ବ୍ୟାଙ୍କ ଏବଂ କ୍ରେଡିଟ୍ ରେଟିଂ ଏଜେନ୍ସିଗୁଡ଼ିକ ସହିତ ସଂଯୋଗ କରୁଥିବା ଏକ ଇ-ଡାଇରେକ୍ଟରୀ ମଧ୍ୟ ଆରମ୍ଭ କରାଯାଇଥିଲା।
ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ର ପ୍ରଭାବୀ କାର୍ଯ୍ୟାନ୍ବୟନ ନିମନ୍ତେ ଏହି କାର୍ଯ୍ୟକ୍ରମରେ ଗୃହ ଏବଂ ସହରାଞ୍ଚଳ ମନ୍ତ୍ରଣାଳୟ ଓ ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଏହା ସହିତ ପ୍ରମୁଖ ଅଂଶୀଦାର ଯେପରିକି ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ଏବଂ କ୍ଷମତା ନିର୍ମାଣ କେନ୍ଦ୍ର ଭଳି ଜ୍ଞାନ ଅଂଶୀଦାର; ବ୍ୟାଙ୍କ, ଏନବିଏଫସି, ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନ, କ୍ରେଡିଟ୍ ରେଟିଂ ଏଜେନ୍ସି ଏବଂ ମର୍ଚ୍ଚାଣ୍ଟ ବ୍ୟାଙ୍କରମାନଙ୍କୁ ନେଇ ଗଠିତ ଆର୍ଥିକ ପ୍ରତିଷ୍ଠାନ; ଏବଂ ଘରୋଇ କ୍ଷେତ୍ରର ସଂସ୍ଥାମାନଙ୍କ ସହ ଏକ ଆଗ୍ରହପତ୍ର ସ୍ବାକ୍ଷରିତ ହୋଇଥିଲା। ସହରୀ ପରିବର୍ତ୍ତନକାରୀ ପ୍ରକଳ୍ପଗୁଡ଼ିକର ଆର୍ଥିକ, କ୍ଷମତା ନିର୍ମାଣ ଏବଂ କାର୍ଯ୍ୟାନ୍ୱୟନ ପାଇଁ ଏକ ବ୍ୟାପକ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।


