New Museum: ଭୁବନେଶ୍ବରରେ ନିର୍ମାଣ ହେବ ଏକ ବଡ ସଂଗ୍ରହାଳୟ। ଏଥିପାଇଁ ୮୦୦ କୋଟି ଟଙ୍କା ବ୍ୟୟ କରାଯିବ। ବର୍ତ୍ତମାନ ଥିବା ରାଜ୍ୟ ସଂଗ୍ରହାଳୟ ପଛ ପଟେ ଏହା କରାଯିବ ବୋଲି ସ୍ଥିର ହୋଇଛି। ଯାହା ଜଣାପଡୁଛି ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ସେଥିପାଇଁ ରାଜ୍ୟ ସଂସ୍କୃତି ବିଭାଗ ପଦକ୍ଷେପ ନେବା ଆରମ୍ଭ କରିଦେଇଛି।
ଏହି ସଂଗ୍ରହାଳୟର ରୂପରେଖ କିପରି ହେବ ସେ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ ଟିମ ବିହାର ଗସ୍ତ କରି ବିହାର ସଂଗ୍ରହାଳୟ ବୁଲି ଦେଖିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ବିହାରର ପାଟନାଠାରେ ଥିବା ବାପୁ ଟାୱାର ଏବଂ ବିହାର ସଂଗ୍ରହାଳୟ ପରିଦର୍ଶନ କରିବା ସହିତ ସେଠାକାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ସେହି ଅନୁସାରେ ସେମାନେ ଏକ ପ୍ରାରମ୍ଭିକ ରୂପରେଖ ପ୍ରସ୍ତୁତ କରିଛନ୍ତି।

ଏହି ନୂଆ ବଡ ସଂଗ୍ରହଳାୟରେ ଓଡିଶା ଇତିହାସର ଜୀବନ୍ତ ପ୍ରତିମୂର୍ତ୍ତି ସ୍ଥାପନା କରାଯିବ। ଯେପରକି ନଅଙ୍କ ଦୁଃର୍ଭିକ୍ଷ, ଓଡିଶା ସ୍ବତନ୍ତ୍ର ପ୍ରଦେଶ ଗଠନ, ପାଇକ ଆନ୍ଦୋଳନ, ସ୍ବାଧୀନତା ସଂଗ୍ରାମ ପ୍ରଭୃତିର ସଂଗ୍ରହ ଏଥିରେ ସ୍ଥାନ ପାଇବ। ମୁଖ୍ୟତଃ ଏହି ସଂଗ୍ରହାଳୟଟି ଅତ୍ୟାଧୁନିକ ରୂପରେ ସଜାଇ ଦିଆଯିବ। ଯାହା ଫଳରେ ଯୁବ ଗବେଷକ, ସାହିତ୍ୟିକ ତଥା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିପାରିବ।


