Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସଂଶୋଧିତ ଉଡାନ୍‌: ଆହୁରି ସୁଦୃଢ ହେବ ଦେଶର ଆଞ୍ଚଳିକ ବିମାନସେବା ନେଟଓ୍ବର୍କ
ଜାତୀୟ ଖବର

ସଂଶୋଧିତ ଉଡାନ୍‌: ଆହୁରି ସୁଦୃଢ ହେବ ଦେଶର ଆଞ୍ଚଳିକ ବିମାନସେବା ନେଟଓ୍ବର୍କ

July 19, 2026No Comments8 Mins Read
Share Facebook Twitter LinkedIn Email WhatsApp Copy Link
ବିମାନ ସେବା
ସଂଶୋଧିତ ଉଡାନ୍‌: ଆହୁରି ସୁଦୃଢ ହେବ ଦେଶର ଆଞ୍ଚଳିକ ବିମାନସେବା ନେଟଓ୍ବର୍କ

ନୂଆଦିଲ୍ଲୀ: ଆଞ୍ଚଳିକ ବିମାନ ସେବା ସଂଯୋଗର ସମ୍ପ୍ରସାରଣ ପାଇଁ ଆରମ୍ଭ କରାଯାଇଥିବା ‘ଉଡ଼ାନ୍’ ଯୋଜନା ସାରା ଦେଶରେ ବିମାନ ଯାତ୍ରା ସୁଯୋଗକୁ ଅଧିକ ସୁଦୃଢ କରିଛି। ବିଗତ ନଅ ବର୍ଷ ମଧ୍ୟରେ, ଏହି ଯୋଜନା ୯୫ଟି ବିମାନବନ୍ଦର, ହେଲିପୋର୍ଟ ଏବଂ ୱାଟର ଏରୋଡ୍ରୋମକୁ ଯୋଡ଼ୁଥିବା ୬୭୯ଟି ରୁଟ୍‌ରେ କାର୍ଯ୍ୟକ୍ଷମ କରାଯାଇଛି। ଏହି ଯୋଜନା ମାଧ୍ୟମରେ ୩.୫୮ ଲକ୍ଷରୁ ଅଧିକ ବିମାନ ଉଡ଼ାଣ ଦ୍ୱାରା ୧.୬୮ କୋଟିରୁ ଅଧିକ ଯାତ୍ରୀ ଉପକୃତ ହୋଇଛନ୍ତି। ୨୮,୮୪୦ କୋଟି ଟଙ୍କାର ବ୍ୟୟବରାଦ ସହିତ ସଂଶୋଧିତ ‘ଉଡ଼ାନ୍’ ଯୋଜନା ଆର୍ଥିକ ବର୍ଷ ୨୦୨୬-୨୭ରୁ ୨୦୩୫-୩୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ ୧୦୦ଟି ନୂଆ ବିମାନବନ୍ଦର ଏବଂ ୨୦୦ଟି ଆଧୁନିକ ହେଲିପ୍ୟାଡ୍ ନିର୍ମାଣର ପରିକଳ୍ପନା ମଧ୍ୟ କରାଯାଇଛି।

ଆଞ୍ଚଳିକ ସଂଯୋଗୀକରଣ ମାଧ୍ୟମରେ ଦୂରତାକୁ ହ୍ରାସ କରିବା

ଆର୍ଥିକ ପ୍ରଗତିର ମେରୁଦଣ୍ଡ ହେଉଛି ସଂଯୋଗୀକରଣ, ଯାହା ଉତ୍ପାଦନକୁ ବଜାର ସହିତ ଏବଂ ଲୋକଙ୍କୁ ସୁଯୋଗ ସହିତ ଯୋଡ଼ିଥାଏ। ଅଭିବୃଦ୍ଧିକୁ ବଜାୟ ରଖିବା ପାଇଁ ଦ୍ରୁତ ଏବଂ ଭରସାଯୋଗ୍ୟ ଯାତାୟାତ କରିବାର କ୍ଷମତା ଆଜି ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। କିନ୍ତୁ, ପୂର୍ବରୁ ଏହି ସୁବିଧା ସମସ୍ତଙ୍କ ପାଖରେ ସମାନ ଭାବେ ପହଞ୍ଚି ପାରି ନଥିଲା। ଭାରତରେ ବିମାନ ଯାତ୍ରା ମୁଖ୍ୟତଃ କିଛି ସୀମିତ ବଡ଼ ସହର ମଧ୍ୟରେ କେନ୍ଦ୍ରୀଭୂତ ଥିଲା। ଅନେକ ଛୋଟ ଛୋଟ ସହରରେ ନିୟମିତ ବିମାନ ସେବାର ଅଭାବ ଥିଲା। ଦେଶର ବିମାନ ଚଳାଚଳ ମାନଚିତ୍ରରେ ଆହୁରି ଅନେକ ଅଞ୍ଚଳକୁ ସାମିଲ କରିବାର ଆବଶ୍ୟକତା ଥିଲା।

ଏହି ସମାବେଶୀ ଓ ବ୍ୟାପକ ସଂଯୋଗୀକରଣର ଆବଶ୍ୟକତାକୁ ଅନୁଭବ କରି, ୨୦୧୬ ଅକ୍ଟୋବରରେ ଆଞ୍ଚଳିକ ସଂଯୋଗୀକରଣ ଯୋଜନା (ଆରସିଏସ) – ‘ଉଡ଼ାନ୍’ (ଉଡ଼େ ଦେଶ କା ଆମ୍ ନାଗରିକ୍) ଆରମ୍ଭ କରାଯାଇଥିଲା। ନାଗରିକମାନଙ୍କ ପାଇଁ ବିମାନ ଯାତ୍ରାକୁ ଅଧିକ ଶସ୍ତା ଏବଂ ସୁଗମ କରିବା ଦିଗରେ ଏହି ଯୋଜନା ଏକ ବଡ଼ ପଦକ୍ଷେପ। ଏହା ସହିତ ଏହା ଆଦୌ ସେବା ପାଉ ନଥିବା ଏବଂ କମ୍ ସେବା ପାଉଥିବା ଅଞ୍ଚଳଗୁଡ଼ିକୁ ସଂଯୋଗୀକରଣ ଯୋଗାଇଥାଏ। ବର୍ତ୍ତମାନ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଘରୋଇ ବିମାନ ଚଳାଚଳ ବଜାର ଭାବରେ ପରିଗଣିତ ହେଉଛି। ବିଗତ ଦଶନ୍ଧି ମଧ୍ୟରେ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। କାର୍ଯ୍ୟକ୍ଷମ ବିମାନବନ୍ଦର ସଂଖ୍ୟା ୨୦୧୪ରେ ୭୪ ଥିବାବେଳେ ୧୫ ଜୁଲାଇ ୨୦୨୬ ସୁଦ୍ଧା ଏହା ୧୬୫କୁ ବୃଦ୍ଧି ପାଇଛି। ନୂତନ ରୁଟ୍ ଗୁଡ଼ିକୁ କାର୍ଯ୍ୟକ୍ଷମ କରି ଏବଂ ଆଞ୍ଚଳିକ ବିମାନ ଚଳାଚଳ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଉଡ଼ାନ୍ ଯୋଜନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ସାରା ଦେଶରେ ଏକ ସନ୍ତୁଳିତ ବିମାନ ଚଳାଚଳ ନେଟୱର୍କ ସ୍ଥାପନକୁ ତ୍ବରାନ୍ବିତ କରିଛି।

୪ ଜୁଲାଇ ୨୦୨୬ରେ ଆରମ୍ଭ ହୋଇଥିବା ‘ସଂଶୋଧିତ ଉଡ଼ାନ୍ ଯୋଜନା’ ଭାରତର ବିମାନ ଚଳାଚଳ ଯାତ୍ରାରେ ଆଉ ଏକ ପରବର୍ତ୍ତନ ଆଣିଛି। ଏହି ଯୋଜନାଟି ଆର୍ଥିକ ବର୍ଷ ୨୦୨୬-୨୭ରୁ ୨୦୩୫-୩୬ ପର୍ଯ୍ୟନ୍ତ ୧୦ବର୍ଷର ଅବଧି ପାଇଁ କାର୍ଯ୍ୟକାରୀ କରାଯାଉଛି ଓ ଏଥିଲାଗି ମୋଟ ୨୮,୮୪୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ନୂତନ ପର୍ଯ୍ୟାୟରେ ବିମାନବନ୍ଦର ଭିତ୍ତିଭୂମିର ସମ୍ପ୍ରସାରଣ, କାର୍ଯ୍ୟକ୍ଷମ ସହାୟତାରେ ସୁଧାର ଏବଂ ଛୋଟ ବଜାରଗୁଡ଼ିକରେ ସେବା ଯୋଗାଉଥିବା ବିମାନ ସଂସ୍ଥାଗୁଡ଼ିକ ପାଇଁ ଏକ ବ୍ୟବହାରଯୋଗ୍ୟ ପରିବେଶ ସୃଷ୍ଟି କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହି ଯୋଜନା ପୂର୍ବରୁ ହାସଲ ହୋଇଥିବା ସଫଳତାକୁ ଜାରି ରଖିବା ସହ ଆଗାମୀ ଦିନର ଆବଶ୍ୟକତାଗୁଡ଼ିକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛି।

ଯୋଧପୁର ବିମାନବନ୍ଦରର ନୂତନ ଟର୍ମିନାଲ ବିଲ୍ଡିଂ: ବିମାନ ଚଳାଚଳ ଭିତ୍ତିଭୂମିର ବିକାଶ

ନିକଟରେ ଉଦ୍‌ଘାଟିତ ହୋଇଥିବା ଯୋଧପୁର ବିମାନବନ୍ଦରର ନୂତନ ଟର୍ମିନାଲ ବିଲ୍ଡିଂ  ବିଶ୍ୱସ୍ତରୀୟ ବିମାନ ଚଳାଚଳ ଭିତ୍ତିଭୂମି ବିକାଶ ପାଇଁ ଥିବା ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରୁଛି। ୨୩,୩୪୨ ବର୍ଗ ମିଟର ବିଶିଷ୍ଟ ଏହି ଟର୍ମିନାଲରେ ସବୁଠାରୁ ବ୍ୟସ୍ତବହୁଳ ସମୟରେ ୧,୫୦୦ ଯାତ୍ରୀ ଏବଂ ବାର୍ଷିକ ୨୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇଦେବାର କ୍ଷମତା ରହିଛି। ଯାତ୍ରୀମାନଙ୍କୁ ଏକ ସହଜ ଓ ବାଧାହୀନ ଯାତ୍ରା ଅନୁଭୂତି ପ୍ରଦାନ କରିବା ପାଇଁ ଏଥିରେ ୨୦ଟି ଚେକ୍-ଇନ୍ କାଉଣ୍ଟର, ଅତ୍ୟାଧୁନିକ ସୁରକ୍ଷା ଯାଞ୍ଚ ବ୍ୟବସ୍ଥା, ଆଧୁନିକ ବ୍ୟାଗେଜ୍ ହ୍ୟାଣ୍ଡଲିଙ୍ଗ୍ ସୁବିଧା ଏବଂ ଛଅଟି ଏରୋବ୍ରିଜର ବ୍ୟବସ୍ଥା କରାଯାଇଛି।

 ପରବର୍ତ୍ତୀ ପର୍ଯ୍ୟାୟ: ସଂଶୋଧିତ ଉଡ଼ାନ୍

ସଂଯୋଗୀକରଣର ସମ୍ପ୍ରସାରଣ ପାଇଁ କେବଳ ନୂଆ ରୁଟ୍‌ ଯଥେଷ୍ଟ ନୁହେଁ। ଏଥିପାଇଁ ଅଧିକ ସୁଦୃଢ଼ ଭିତ୍ତିଭୂମି ଏବଂ ଭରସାଯୋଗ୍ୟ ପରିଚାଳନା ବ୍ୟବସ୍ଥାର ମଧ୍ୟ ଆବଶ୍ୟକତା ରହିଛି। ଛୋଟ ଛୋଟ ବଜାରରେ କାର୍ଯ୍ୟ କରୁଥିବା ବିମାନ ସଂସ୍ଥାଗୁଡ଼ିକୁ ପର୍ଯ୍ୟାପ୍ତ ସହାୟତା ବ୍ୟବସ୍ଥା ଯୋଗାଇଦେବା ଜରୁରୀ। ସେମାନେ ଅନେକ ଅଞ୍ଚଳ ଜଟିଳ ଭୌଗୋଳିକ ପରିସ୍ଥିତିର ସାମ୍ନା କରିଥାନ୍ତି। ଏଭଳି ଅଞ୍ଚଳଗୁଡ଼ିକରେ ହେଲିପ୍ୟାଡ୍ ଏବଂ ବିଶେଷ ଧରଣର ବିମାନ ଜରୁରୀକାଳୀନ ସେବା ପହଞ୍ଚାଇବାରେ ସହାୟକ ହୋଇଥାଏ। ତେଣୁ, ଏହିସବୁ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଞ୍ଚଳିକ ସଂଯୋଗୀକରଣ ଯୋଜନା – ‘ସଂଶୋଧିତ ଉଡ଼ାନ୍’କୁ ଏକ ସୁଦୃଢ଼ ଏବଂ ଦୂରଦୃଷ୍ଟିସମ୍ପନ୍ନ ବ୍ୟବସ୍ଥା ଭାବରେ ପ୍ରସ୍ତୁତ କରାଯାଇଛି।

ସଂଶୋଧିତ ଉଡ଼ାନ୍ ଯୋଜନାର ବିଭିନ୍ନ ଉପାଦାନ

ସଂଶୋଧିତ ଉଡାନ୍ ଯୋଜନାରେ ଅନେକ ପ୍ରମୁଖ ଉପାଦାନ ସାମିଲ କରାଯାଇଛି, ଯାହାର ଲକ୍ଷ୍ୟ ହେଉଛି ଆଞ୍ଚଳିକ ବିମାନ ସଂଯୋଗର ଦୀର୍ଘକାଳୀନ ପ୍ରସାରଣ ଏବଂ ଯୋଜନାର ଆର୍ଥିକ ଏବଂ କାର୍ଯ୍ୟକ୍ଷମତାକୁ ସୁଦୃଢ଼ କରିବା।

(କ) ଏରୋଡ୍ରୋମଗୁଡ଼ିକର ବିକାଶ

ଏରୋଡ୍ରୋମ (ବିମାନବନ୍ଦର/ହେଲିପୋର୍ଟ) ଗୁଡ଼ିକର ବିକାଶ ହେଉଛି ସଂଶୋଧିତ ଉଡ଼ାନ୍ ଯୋଜନାର ଏକ ପ୍ରମୁଖ ସ୍ତମ୍ଭ। ଏହି ଉପାଦାନ ଅଧୀନରେ, ସାରା ଦେଶରେ ବିମାନ ଚଳାଚଳ ଭିତ୍ତିଭୂମିର ସମ୍ପ୍ରସାରଣ ପାଇଁ ବର୍ତ୍ତମାନ ବ୍ୟବହାର ହେଉ ନଥିବା ଏୟାରଷ୍ଟ୍ରିପ୍ ଗୁଡ଼ିକରୁ ୧୦୦ଟି ବିମାନବନ୍ଦର ବିକଶିତ କରାଯିବ। ଏହି ପଦକ୍ଷେପ ଛୋଟ ଛୋଟ ସହର ଏବଂ ଦୁର୍ଗମ ଅଞ୍ଚଳଗୁଡ଼ିକୁ ଜାତୀୟ ପରିବହନ ନେଟୱର୍କ ସହିତ ଅଧିକ ପ୍ରଭାବଶାଳୀ ଭାବରେ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ଏହା ଆଞ୍ଚଳିକ ଆର୍ଥିକ ବିକାଶକୁ ସହାୟତା କରିବା ସହ ଯାତ୍ରୀ ଏବଂ ସାମଗ୍ରୀର ଦ୍ରୁତ ପରିବହନକୁ ସକ୍ଷମ କରିବ। ଆଗାମୀ ଆଠ ବର୍ଷ ମଧ୍ୟରେ ଏହି ଏରୋଡ୍ରୋମଗୁଡ଼ିକର ବିକାଶ ପାଇଁ ମୋଟ ୧୨,୧୫୯ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି।

(ଖ) ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସହାୟତା

ଛୋଟ ଛୋଟ ଏରୋଡ୍ରୋମଗୁଡ଼ିକର ସ୍ଥାୟୀତ୍ୱ ନିରନ୍ତର ପରିଚାଳନା ଉପରେ ନିର୍ଭର କରେ। ତେଣୁ, ସଂଶୋଧିତ ଉଡ଼ାନ୍ ଯୋଜନା ଏକ ସୁସଂଗଠିତ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସହାୟତା ପ୍ରଦାନ କରିଥାଏ। ପୂର୍ବର ଆଞ୍ଚଳିକ ସଂଯୋଗୀକରଣ ଯୋଜନା ଅଧୀନରେ ଥିବା ଅନେକ ଏରୋଡ୍ରୋମ ସେମାନଙ୍କର ପ୍ରାରମ୍ଭିକ ପରିଚାଳନା ବର୍ଷଗୁଡ଼ିକରେ ସୀମିତ ରାଜସ୍ବ ସହିତ ଉଚ୍ଚ ପରିଚାଳନା ଖର୍ଚ୍ଚର ସାମ୍ନା କରିଥାନ୍ତି। ତେଣୁ ନିର୍ଭରଯୋଗ୍ୟ ସେବା ପାଇଁ ପରିଚାଳନାଗତ ସହାୟତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଆହ୍ୱାନର ସମାଧାନ ପାଇଁ, ଯୋଜନାରେ ତିନି ବର୍ଷ ଅବଧି ପାଇଁ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସହାୟତା ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ସହାୟତାର ସର୍ବାଧିକ ସୀମା ବିମାନବନ୍ଦର ପିଛା ବାର୍ଷିକ ୩.୦୬ କୋଟି ଟଙ୍କା ଏବଂ ହେଲିପୋର୍ଟ କିମ୍ବା ୱାଟର ଏରୋଡ୍ରୋମ ପିଛା ବାର୍ଷିକ ୦.୯୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଉପାଦାନ ପାଇଁ ଆନୁମାନିକ ୨,୫୭୭ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏହା ଦେଶର ପ୍ରାୟ ୪୪୧ଟି ଏରୋଡ୍ରୋମକୁ ସହାୟତା ପ୍ରଦାନ କରିବ ବୋଲି ଆଶା କରାଯାଉଛି।

(ଗ) ଆଧୁନିକ ହେଲିପ୍ୟାଡ୍‌ର ବିକାଶ

ଦେଶର ଅନେକ ଅଞ୍ଚଳରେ, ଭୌଗୋଳିକ ପ୍ରତିବନ୍ଧକ ହେତୁ ପାରମ୍ପରିକ ବିମାନବନ୍ଦର ଭିତ୍ତିଭୂମି ସବୁବେଳେ ସମ୍ଭବପର ହୋଇପାରେ ନାହିଁ। ଏଭଳି ଅଞ୍ଚଳଗୁଡ଼ିକରେ ଜରୁରୀକାଳୀନ ସେବାଗୁଡ଼ିକୁ ଠିକ୍ ସମୟରେ ପହଞ୍ଚାଇବା ଏବଂ ଶେଷ ସ୍ଥାନ ପର୍ଯ୍ୟନ୍ତ ସଂଯୋଗୀକରଣକୁ ସୁଦୃଢ଼ କରିବାରେ ହେଲିକପ୍ଟର ସେବା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସଂଶୋଧିତ ଉଡ଼ାନ୍ ଯୋଜନା ଅଧୀନରେ ୨୦୦ଟି ଆଧୁନିକ ହେଲିପ୍ୟାଡ୍ ବିକାଶ କରିବାକୁ ପ୍ରସ୍ତାବ ଦିଆଯାଇଛି, ଯାହା ମୁଖ୍ୟତଃ ସେହି ପ୍ରାଥମିକତା ପ୍ରାପ୍ତ ଅଞ୍ଚଳଗୁଡ଼ିକ ଉପରେ କେନ୍ଦ୍ରୀଭୂତ ହେବ ଯେଉଁଠାରେ ସଂଯୋଗୀକରଣର ବ୍ୟବଧାନ ଏବେ ମଧ୍ୟ ଅଧିକ ରହିଛି। ଏହି ସୁବିଧାଗୁଡ଼ିକ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଗମ କରିବ, ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କାର୍ଯ୍ୟକଳାପକୁ ସହାୟତା କରିବ ଏବଂ ପ୍ରଶାସନିକ ତଥା ଆର୍ଥିକ କାର୍ଯ୍ୟକଳାପକୁ ସହଜ କରିବ ବୋଲି ଆଶା କରାଯାଉଛି। ପ୍ରତ୍ୟେକ ହେଲିପ୍ୟାଡ୍ ନିର୍ମାଣ ପାଇଁ ଆନୁମାନିକ ୧୫ କୋଟି ଖର୍ଚ୍ଚ ହେବ। ଆଗାମୀ ଆଠ ବର୍ଷ ମଧ୍ୟରେ ଏଦିଗରେ ଆନୁମାନିକ ମୋଟ ୩,୬୬୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

(ଘ) ବିମାନ ସଂସ୍ଥାଗୁଡ଼ିକ ପାଇଁ ଆର୍ଥିକ ନିଅଣ୍ଟ ଭରଣା ପାଣ୍ଠି

ବିମାନସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ସହାୟତା ପ୍ରଦାନ କରିବା ଏବଂ ଛୋଟ ଛୋଟ ବଜାରଗୁଡ଼ିକରେ ନିରନ୍ତର ରୁଟ୍ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଯୋଜନାରେ ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍ / ଆର୍ଥିକ ନିଅଣ୍ଟ ଭରଣା ପାଣ୍ଠି)ର ବ୍ୟବସ୍ଥା ରଖାଯାଇଛି। କମ୍ ଯାତ୍ରୀ ସଂଖ୍ୟା ଏବଂ ଅଧିକ ପରିଚାଳନାଗତ ଖର୍ଚ୍ଚ ଯୋଗୁଁ ଆଞ୍ଚଳିକ ରୁଟ୍ ଗୁଡ଼ିକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟତଃ ଆର୍ଥିକ ସହାୟତାର ଆବଶ୍ୟକତା ପଡ଼ିଥାଏ। ଧୀରେ ଧୀରେ ଯାତ୍ରୀଙ୍କ ଚାହିଦା ବୃଦ୍ଧି ପାଉଥିବା ବେଳେ ଏହି ବିମାନ ସେବାଗୁଡ଼ିକୁ ସ୍ଥାୟୀ ଓ ସକ୍ରିୟ ରଖିବାରେ ଭିଜିଏଫ୍ ସାହାଯ୍ୟ କରିଥାଏ। ସଂଶୋଧିତ ଉଡ଼ାନ୍ ବ୍ୟବସ୍ଥା ଅଧୀନରେ, ୧୦ ବର୍ଷର ଅବଧି ମଧ୍ୟରେ ଭିଜିଏଫ୍ ବାବଦକୁ ମୋଟ ୧୦,୦୪୩ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ କରାଯାଇଛି। ବିମାନ ସଂସ୍ଥାଗୁଡ଼ିକୁ ସର୍ବାଧିକ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ। ତୃତୀୟ ବର୍ଷରୁ ଏହି ପାଣ୍ଠି ସହାୟତାକୁ କ୍ରମାଗତ ଭାବେ ହ୍ରାସ କରାଯିବା ବ୍ୟବସ୍ଥା ଆରମ୍ଭ ହେବ, ଏବଂ ରୁଟ୍ ଗୁଡ଼ିକ ଉପରେ ଏହି ସଂସ୍ଥାଗୁଡ଼ିକର ଏକଚାଟିଆ ଅଧିକାର କେବଳ ତିନି ବର୍ଷ ପର୍ଯ୍ୟନ୍ତ ସୀମିତ ରହିବ।

(ଙ) ଆତ୍ମନିର୍ଭର ଭାରତ ଏବଂ ସ୍ୱଦେଶୀ ବିମାନ ଚଳାଚଳ କ୍ଷମତା

ସଂଶୋଧିତ ଉଡ଼ାନ୍ ଯୋଜନାରେ ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ସ୍ୱଦେଶୀ ବିମାନ ଚଳାଚଳ କ୍ଷମତାକୁ ସୁଦୃଢ଼ କରିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ଦୁର୍ଗମ ଏବଂ ଜଟିଳ ଭୌଗୋଳିକ ଅଞ୍ଚଳରେ ପରିଚାଳନା ପାଇଁ ଉପଯୁକ୍ତ ଛୋଟ ଫିକ୍ସଡ୍-ୱିଙ୍ଗ୍ ବିମାନ ଏବଂ ହେଲିକପ୍ଟରର ସୀମିତ ଉପଲବ୍ଧତା ଏକ ପ୍ରମୁଖ ପରିଚାଳନାଗତ ଆହ୍ୱାନ ହୋଇ ରହିଆସିଛି। ଏହି ଆହ୍ୱାନକୁ ଦୂର କରିବା ପାଇଁ, ଯୋଜନାରେ ପବନ ହଂସ ପାଇଁ ଦୁଇଟି ‘ଏଚ୍‌ଏଏଲ୍ ଧ୍ରୁବ’ ହେଲିକପ୍ଟର ଏବଂ ଆଲାଇନ୍ସ ଏୟାର ପାଇଁ ଦୁଇଟି ‘ଏଚ୍‌ଏଏଲ୍ ଡର୍ନିଅର୍’ ବିମାନ ଯୋଗାଇଦେବାକୁ ପ୍ରସ୍ତାବ ଦିଆଯାଇଛି।

ଉଡ଼ାନ୍: ଏକ ସୁଦୃଢ ଭିତ୍ତିଭୂମି ନିର୍ମାଣ

ବିଗତ ନଅ ବର୍ଷର ସଫଳ କାର୍ଯ୍ୟକାରିତା ମଧ୍ୟରେ, ଉଡ଼ାନ୍ ଯୋଜନା ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

ପରିଚାଳନାଗତ ସଫଳତା

୧୫ ଜୁଲାଇ ୨୦୨୬ ସୁଦ୍ଧା, ସାରା ଦେଶରେ ୯୫ଟି ବିମାନବନ୍ଦର, ହେଲିପୋର୍ଟ ଏବଂ ୱାଟର ଏରୋଡ୍ରୋମକୁ ଯୋଡ଼ୁଥିବା ୬୭୯ଟି ରୁଟ୍ କାର୍ଯ୍ୟକ୍ଷମ ହୋଇସାରିଛି। ଏହି ଯୋଜନା ଆରମ୍ଭ ହେବା ଦିନଠାରୁ ୩.୫୮ ଲକ୍ଷରୁ ଅଧିକ ବିମାନ ଉଡ଼ାଣ ହୋଇଛି, ଯାହା ଦ୍ୱାରା ୧.୬୮ କୋଟିରୁ ଅଧିକ ଯାତ୍ରୀ ଉପକୃତ ହୋଇଛନ୍ତି। ଏହିସବୁ ସଫଳତା ଯାତାୟାତ ସୁଗମତା, ଆର୍ଥିକ କାର୍ଯ୍ୟକଳାପ ଏବଂ ସନ୍ତୁଳିତ ବିକାଶ କ୍ଷେତ୍ରରେ ‘ଉଡ଼ାନ୍’ ଯୋଜନାର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଦର୍ଶାଉଛି।

ସଂଯୋଗୀକରଣ ଏବଂ ସେବା ଉପରେ ପ୍ରଭାବ

ବିଭିନ୍ନ ଅଞ୍ଚଳରେ ଉଡ଼ାନ୍ ଯୋଜନାର ପ୍ରଭାବ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ବିଶେଷ କରି ତେଜପୁର, ପାସିଘାଟ, ଦିଉ, ପିଥୋରାଗଡ଼ ଏବଂ ରାଉରକେଲା ଭଳି ଅନେକ ଦୁର୍ଗମ, ପାର୍ବତ୍ୟ ଓ ଦ୍ୱୀପାଞ୍ଚଳରେ ଏହାର ସୁଫଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏହି ଯୋଜନା ପରିବହନ ସେବାକୁ ଅଧିକ ସୁଗମ କରିବା ସହ ଛୋଟ ଛୋଟ ସହର ଏବଂ ପ୍ରମୁଖ ସହରାଞ୍ଚଳ କେନ୍ଦ୍ରଗୁଡ଼ିକ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିଛି। ଏହା ବ୍ୟତୀତ, ଉଡ଼ାନ୍ ଯୋଜନା ପର୍ଯ୍ୟଟନର ବିକାଶରେ ସହାୟକ ହେବା ସହ ଅନେକ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଏବଂ ଜରୁରୀକାଳୀନ ସେବାର ଉପଲବ୍ଧତାକୁ ସୁଧାରିଛି। ଯାତ୍ରୀମାନଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ମଧ୍ୟ ସର୍ବଦା ଏକ ପ୍ରମୁଖ ପ୍ରାଥମିକତା ହୋଇ ରହିଆସିଛି।

ଦୈନନ୍ଦିନ ଯାତାୟାତକୁ ସହଜ କରୁଛି ‘ଉଡ଼ାନ୍‘

‘ଉଡ଼ାନ୍’ ଯୋଜନା ସହରଗୁଡ଼ିକ ମଧ୍ୟରେ ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିପାରିଛି। ବିଜୟୱାଡା ଏବଂ କଡପ୍ପାକୁ ସଂଯୋଗ କରୁଥିବା ବିମାନ ରୁଟ୍ ଏହାର ଏକ ପ୍ରକୃଷ୍ଟ ଉଦାହରଣ। ଦିନେ ଯେଉଁ ଯାତ୍ରା ଅତ୍ୟନ୍ତ ଦୀର୍ଘ ଓ ସମୟସାପେକ୍ଷ ଥିଲା, ତାହା ଏବେ ବିମାନ ଯାତ୍ରା ମାଧ୍ୟମରେ ପ୍ରାୟ ଏକ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ହୋଇପାରୁଛି। ଏହା ସଂଶୋଧିତ ଆଞ୍ଚଳିକ ସଂଯୋଗୀକରଣର ପ୍ରତ୍ୟକ୍ଷ ସୁଫଳକୁ ପ୍ରମାଣିତ କରୁଛି।

ଆର୍ଥିକ ବ୍ୟବସ୍ଥା ଏବଂ ଅନୁଷ୍ଠାନିକ ସହାୟତା

ଆମେରିକା, କାନାଡା, ବ୍ରାଜିଲ ଏବଂ ଅଷ୍ଟ୍ରେଲିଆ ଭଳି ଭୌଗୋଳିକ ଦୃଷ୍ଟିକୋଣରୁ ବୃହତ ଦେଶଗୁଡ଼ିକ ଆଞ୍ଚଳିକ ବିମାନ ସଂଯୋଗୀକରଣକୁ ବଜାୟ ରଖିବା ପାଇଁ ପ୍ରାୟତଃ ସରକାରୀ ପାଣ୍ଠି ଉପରେ ନିର୍ଭର କରିଥାନ୍ତି। ଭାରତ ଏହି କ୍ଷେତ୍ରରେ ଏକ ଅଭିନବ ତଥା ନିଜ ପ୍ରକାରର ପ୍ରଥମ ମଡେଲ୍‌ ଆରମ୍ଭ କରିଛି – ତାହା ହେଉଛି ‘ଉଡ଼ାନ୍’ ଯୋଜନା ଅଧୀନରେ ‘ଆର.ସି.ଏସ. ଲେଭି ବ୍ୟବସ୍ଥା’। ଏହି ମଡେଲ ଅନୁସାରେ ଏହି କ୍ଷେତ୍ର ମଧ୍ୟରୁ ହିଁ ପାଣ୍ଠି ସଂଗ୍ରହ କରିବାରେ ସକ୍ଷମ ହୋଇଥାଏ। ନିର୍ଦ୍ଦିଷ୍ଟ ବର୍ଗର ଘରୋଇ ବିମାନ ଉଡ଼ାଣ ଉପରେ ଏକ ସ୍ୱଳ୍ପ ଶୁଳ୍କ ଲାଗୁ କରି ଏହା କରାଯାଇଥାଏ। ଏଥିରେ ସରକାରଙ୍କ ଭାଗିଦାରୀ ଯୋଗୁଁ ସମନ୍ୱୟ ରକ୍ଷା କରିବା ଏବଂ ବିମାନବନ୍ଦର ସ୍ତରରେ ଦାୟିତ୍ୱବୋଧରେ ସୁଧାର ଆସିଛି। ଏହା ସହିତ, ଅଣ-ଆର୍ଥିକ ରିହାତି ଗୁଡ଼ିକ ସମଗ୍ର ବିମାନ ଚଳାଚଳ ବ୍ୟବସ୍ଥାରେ ପରିଚାଳନାଗତ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହୋଇଛି।

ଉଡ଼ାନ୍‌ରୁ ସଂଶୋଧିତ ଉଡ଼ାନ୍:  ଦେଶର ବିମାନସେବା ସଂକଳ୍ପର ସମ୍ପ୍ରସାରଣ

ଉଡ଼ାନ୍‌ରୁ ସଂଶୋଧିତ ଉଡ଼ାନ୍ ପର୍ଯ୍ୟନ୍ତ ଯାତ୍ରା, ଏକ ସମାବେଶୀ ଓ ସୁଦୃଢ଼ ବିମାନ ଚଳାଚଳ ନେଟୱର୍କ ଗଠନ ପାଇଁ ଭାରତର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଏହା ବିଭିନ୍ନ ଅଞ୍ଚଳକୁ ସଂଯୋଗ କରିବା ସହ ଆର୍ଥିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଛି ଏବଂ ନାଗରିକମାନଙ୍କର ଦୈନନ୍ଦିନ ଯାତାୟାତ ସୁଗମତାକୁ ସୁଧାରୁଛି। ବିଗତ ନଅ ବର୍ଷ ମଧ୍ୟରେ, ଉଡ଼ାନ୍ ଯୋଜନା ସାରା ଭାରତରେ ଆଞ୍ଚଳିକ ବିମାନ ଚଳାଚଳ କ୍ଷେତ୍ରରେ ବିପ୍ଲବ ଆଣିଛି। ସଂଶୋଧିତ ଉଡ଼ାନ୍ ଯୋଜନାର ଅନୁମୋଦନ ଏକ ଆଧୁନିକ, ସମାବେଶୀ ଓ ସ୍ଥାୟୀ ବେସାମରିକ ବିମାନ ଚଳାଚଳ ବ୍ୟବସ୍ଥା ଗଠନର ସଂକଳ୍ପକୁ ଆହୁରି ମଜବୁତ କରିଛି। ଏହା ସ୍ୱଳ୍ପ ଖର୍ଚ୍ଚରେ ଏବଂ ସହଜରେ ବିମାନ ଯାତ୍ରାର ସୁବିଧା ଦେଶର ପ୍ରତ୍ୟେକ ପ୍ରାନ୍ତରେ ପହଞ୍ଚାଇବା ନିଶ୍ଚିତ କରୁଛି।

ଉଡାନ୍‌ ବିମାନ ଯାତ୍ରା ବିମାନବନ୍ଦର ୱାଟର ଏରୋଡ୍ରୋମ ହେଲିପୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ନୀତି ଆୟୋଗ ମାନ୍ୟତା: ନିବେଶ ଅନୁକୂଳ ରାଜ୍ୟ ମଧ୍ୟରେ ଶ୍ରେଷ୍ଠ ପାଞ୍ଚରେ ଓଡ଼ିଶା

July 19, 2026

ରାମନଗର-ଡେରାଡୁନ ଏକ୍ସପ୍ରେସର ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

July 19, 2026

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘ଆର୍ଟିକାଲ ୩୭୦’ ଶ୍ରେଷ୍ଠ ଫିଚର ଫିଲ୍ମ, ୟମୀ ଗୌତମ ଶ୍ରେଷ୍ଠ ଅଭିନେତ୍ରୀ

July 19, 2026

ବିସ୍ତୃତ ରାଶିଫଳ: ଜୁଲାଇ ୧୯ ତାରିଖରେ ଆଠଟି ରାଶି ଉପରେ ସୂର୍ଯ୍ୟଦେବତାଙ୍କ ରହିଛି କୃପା

July 19, 2026
Latest News

ସଂଶୋଧିତ ଉଡାନ୍‌: ଆହୁରି ସୁଦୃଢ ହେବ ଦେଶର ଆଞ୍ଚଳିକ ବିମାନସେବା ନେଟଓ୍ବର୍କ

July 19, 2026

ନୀତି ଆୟୋଗ ମାନ୍ୟତା: ନିବେଶ ଅନୁକୂଳ ରାଜ୍ୟ ମଧ୍ୟରେ ଶ୍ରେଷ୍ଠ ପାଞ୍ଚରେ ଓଡ଼ିଶା

July 19, 2026

ରାମନଗର-ଡେରାଡୁନ ଏକ୍ସପ୍ରେସର ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

July 19, 2026

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘ଆର୍ଟିକାଲ ୩୭୦’ ଶ୍ରେଷ୍ଠ ଫିଚର ଫିଲ୍ମ, ୟମୀ ଗୌତମ ଶ୍ରେଷ୍ଠ ଅଭିନେତ୍ରୀ

July 19, 2026

ବିସ୍ତୃତ ରାଶିଫଳ: ଜୁଲାଇ ୧୯ ତାରିଖରେ ଆଠଟି ରାଶି ଉପରେ ସୂର୍ଯ୍ୟଦେବତାଙ୍କ ରହିଛି କୃପା

July 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.