ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ JEE ଏବଂ NEET ପାଇଁ ମାଗଣା ଆବାସିକ କୋଚିଂ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ସ୍କୁଲଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ପୁଣେସ୍ଥିତ ଏକ ସଂଗଠନ ଦକ୍ଷିଣା ଫାଉଣ୍ଡେସନ୍ ଦ୍ୱାରା ପ୍ରଦାନ କରାଯାଇଥିବା ବୃତ୍ତି ଅଧୀନରେ ଏହା ପରିଚାଳିତ ହେବ।
ଶିକ୍ଷା ନିର୍ଦ୍ଦେଶାଳୟ (DoE) ଏକ ସର୍କୁଲାର ଜାରି କରି ସ୍କୁଲଗୁଡ଼ିକୁ ଏହି କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଛି। ସେମାନଙ୍କୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ପ୍ରସାର କରିବାକୁ କୁହାଯାଇଛି। ଏହି ବୃତ୍ତି ଦ୍ୱାଦଶ ଶ୍ରେଣୀର ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ ଅଟେ। ବର୍ତ୍ତମାନ ଯେଉଁମାନେ ସରକାରୀ କିମ୍ବା ସରକାରୀ ସହାୟତା ପ୍ରାପ୍ତ ସ୍କୁଲରେ ପଢ଼ୁଛନ୍ତି ଏବଂ ସେମାନଙ୍କର ଏକ ଭଲ ଶିକ୍ଷାଗତ ରେକର୍ଡ ଅଛି ସେମାନଙ୍କୁ ଏଥିରେ ଯୋଗ୍ୟ ବିବେଚିତ କରାଯିବ।
ଏହି ମାଗଣା କୋର୍ସରେ ଯେଉଁ ଛାତ୍ରଛାତ୍ରୀମାନେ ପଢିବେ ସେମାନଙ୍କୁ ପ୍ରଥମେ ଦକ୍ଷିଣା ଚୟନ ପରୀକ୍ଷା (JSDT) 2027 ମାଧ୍ୟମରେ ଚୟନ କରାଯିବ। ଏହି ପରୀକ୍ଷା ଆସନ୍ତା ଡିସେମ୍ବର 2026 ରେ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନେ ମହାରାଷ୍ଟ୍ରର ପୁଣେ ନିକଟବର୍ତ୍ତୀ କଡୁସ୍ ଗାଁରେ ଅବସ୍ଥିତ ଫାଉଣ୍ଡେସନ୍ର କ୍ୟାମ୍ପସ୍ ଦକ୍ଷିଣା ଭ୍ୟାଲିରେ ଏକ ବର୍ଷର ସମ୍ପୂର୍ଣ୍ଣ ଆବାସିକ କୋଚିଂ ପ୍ରଦାନ କରାଯିବ।


