କାଠମାଣ୍ଡୁ: ନେପାଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନର ୧୧ ଦିନ ପରେ ବି ଦେଖିବାକୁ ମିଳିଛି ଅଲୌକିକ ଦୃଶ୍ୟ। ମୃତ୍ୟୁର ମୁଖରୁ ଜୀବନ୍ତ ଉଦ୍ଧାର ହୋଇଛନ୍ତି ଜଣେ ଚୀନ୍ ନାଗରିକ ଏବଂ ଜଣେ ୬୦ ବର୍ଷୀୟା ନେପାଳୀ ମହିଳା। ନେପାଳ ସେନା ଏବଂ ବିଦେଶୀ ବିଶେଷଜ୍ଞଙ୍କ ମିଳିତ ଉଦ୍ଧାରକାରୀ ଦଳ ଶନିବାର ଅପରାହ୍ନରେ ରସୁୱା ଜିଲ୍ଲାର ଅପର୍ ତ୍ରିଶୂଳୀ-୧ ଜଳବିଦ୍ୟୁତ ପ୍ରକଳ୍ପର ୨୨୫ ମିଟର ଲମ୍ବ ବିଶିଷ୍ଟ ୪ ନମ୍ବର ସୁଡ଼ଙ୍ଗରୁ ଚୀନ୍ ନାଗରିକ ଲୁହାଇତାଓଙ୍କୁ ସୁରକ୍ଷିତ ବାହାର କରିଛନ୍ତି।
ଗତ ଅଗଷ୍ଟ ୨୬ ତାରିଖ ସକାଳେ ଭୁତେ କୋଶୀ ନଦୀରେ ବନ୍ୟା ଆସି ପଥର, କାଦୁଅ ଓ ଆବର୍ଜନା ମାଡ଼ି ଆସିବା ଯୋଗୁଁ ଲୁହାଇତାଓ ସୁଡ଼ଙ୍ଗ ଭିତରେ ଫସି ରହିଥିଲେ। ଦୀର୍ଘ ୧୧ ଦିନ ଧରି ଅନ୍ଧକାର ଓ କାଦୁଅ ଭିତରେ ରହିବା ପରେ ସେ ଚାଲିବା ଶକ୍ତି ହରାଇ ବସିଥିଲେ। ଉଦ୍ଧାରକାରୀ ଦଳ ତାଙ୍କୁ କାନ୍ଧରେ ବସାଇ ବାହାରକୁ ଆଣିବା ପରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା ଏବଂ ପରେ ହେଲିକପ୍ଟର ଯୋଗେ କାଠମାଣ୍ଡୁର ସେନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ନେପାଳ ସେନାର ମୁଖପାତ୍ର ବ୍ରିଗେଡିୟର ଜେନେରାଲ ରାଜା ରାମ ବାସନେତଙ୍କ କହିବା ଅନୁଯାୟୀ, ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି।
ଅନ୍ୟପଟେ, ୧୧ ଦିନ ଧରି କାଦୁଅ ଓ ଆବର୍ଜନା ତଳେ ପୋତି ହୋଇ ରହିଥିବା ଜଣେ ୬୦ ବର୍ଷୀୟା ନେପାଳୀ ବୃଦ୍ଧାଙ୍କୁ ମଧ୍ୟ ଜୀବନ୍ତ ଉଦ୍ଧାର କରାଯାଇଛି। ତ୍ରିଶୂଳୀ ଓ ଚିଲିମେ ସୁଡ଼ଙ୍ଗରେ ଫସି ରହିଥିବା ଅନ୍ୟ ଶ୍ରମିକମାନଙ୍କୁ ଖୋଜିବା ପାଇଁ ଭାରତୀୟ ଓ ନେପାଳୀ ଉଦ୍ଧାରକାରୀ ଦଳ ମିଳିତ ଭାବେ କାଦୁଅ ଓ ଆବର୍ଜନା ସଫା କରିବା କାର୍ଯ୍ୟ ଜାରି ରଖିଛନ୍ତି।


