ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନାଗରିକତା ଓ ଭୋଟର ତାଲିକା ବିବାଦ ମାମଲାରେ ଏକ ନୂଆ ମୋଡ଼ ଆସିଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ବର୍ଷକ ତଳର ଆଦେଶକୁ ରଦ୍ଦ କରିଦେବା ସହ ଏହି ମାମଲାର ପୁନଃ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଡଭୋକେଟ୍ ବିକାଶ ତ୍ରିପାଠୀଙ୍କ ଆବେଦନ ଅନୁଯାୟୀ, ସୋନିଆ ଗାନ୍ଧୀ ୧୯୮୩ରେ ଭାରତୀୟ ନାଗରିକତା ହାସଲ କରିଥିଲେ। ମାତ୍ର ତାଙ୍କ ନାମ ୧୯୮୦ରେ ହିଁ ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ରର ଭୋଟର ତାଲିକାରେ ସାମିଲ କରାଯାଇଥିଲା। ୧୯୮୨ରେ ଏହାକୁ ହଟାଯାଇ ୩୦ ଏପ୍ରିଲ ୧୯୮୩ରେ ନାଗରିକତା ମିଳିବା ପୂର୍ବରୁ ପୁନର୍ବାର ଯୋଡ଼ାଯାଇଥିଲା। ଏହି ଠକେଇ ଓ ଜାଲିଆତି ଅଭିଯୋଗରେ ଏଫ୍ଆଇଆର୍ ରୁଜୁ କରିବା ପାଇଁ ହୋଇଥିବା ଆବେଦନକୁ ୨୦୨୫ ସେପ୍ଟେମ୍ବର ୧୧ରେ ମାଜିଷ୍ଟ୍ରେଟ୍ କୋର୍ଟ ପ୍ରମାଣ ଅଭାବ ଦର୍ଶାଇ ଖାରଜ କରିଦେଇଥିଲେ।
ରାଉଜ୍ ଆଭେନ୍ୟୁ କୋର୍ଟ ଏହି ମାମଲାକୁ ପୁନର୍ବାର ମାଜିଷ୍ଟ୍ରେଟ୍ଙ୍କ ନିକଟକୁ ପଠାଇ ଦେଇଛନ୍ତି। ମାଜିଷ୍ଟ୍ରେଟଙ୍କୁ ବିଏନ୍ଏସ୍ଏସ୍ର ଧାରା ୧୭୫(୩) ର ଆବଶ୍ୟକତା ଅନୁଯାୟୀ ଏକ ନୂଆ ଏବଂ ସମୁଚିତ ସ୍ପଷ୍ଟୀକରଣ ସହ ଆଦେଶ ଦେବାକୁ ହେବ ବୋଲି ରାଉଜ୍ ଆଭେନ୍ୟୁ କୋର୍ଟ ଉଲ୍ଳେଖ କରିଛନ୍ତି। ଏହାସହ, ଆବେଦନକାରୀଙ୍କ ଯୁକ୍ତି ଉପରେ ପୁନର୍ବାର ନୂଆ ଭାବେ ଶୁଣାଣି କରିବାକୁ ମଧ୍ୟ ଉପର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୯ରେ ହେବ ବୋଲି ସୂଚନା ମିଳିଛି।


