ତେଲଙ୍ଗାନା: ତେଲଙ୍ଗାନାର ଆଦିଲାବାଦ ସ୍ଥିତ ରାଜୀବ ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (RIMS) ସରକାରୀ ହସ୍ପିଟାଲରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ ରାତିରେ ହସ୍ପିଟାଲର ‘ସ୍ପେସାଲ ନିଓନେଟାଲ କେୟାର ୟୁନିଟ୍’ (ଏସଏନସିୟୁ) ରେ ଅଗ୍ନିକାଣ୍ଡ ଘଟି ୩ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି।
ସୂଚନାମୁତାବକ, ଏସଏନସିୟୁ ୱାର୍ଡରେ ଥିବା ଏକ ଏସି ବିସ୍ଫୋରଣ ହେବା ଫଳରେ ନିଆଁ ଲାଗିଯାଇଥିଲା। ସେହି ସମୟରେ ଇନକୁବେଟର ରେ ୨୭ ଜଣ ନବଜାତ ଶିଶୁ ଚିକିତ୍ସାଧୀନ ଥିଲେ। ମୁହୂର୍ତ୍ତକ ମଧ୍ୟରେ ସମ୍ପୂର୍ଣ୍ଣ ୱାର୍ଡ଼ ପ୍ରବଳ ଧୂଆଁରେ ଭରିଯାଇଥିବାରୁ ଶିଶୁମାନଙ୍କ ଶ୍ୱାସକ୍ରିୟାରେ ପ୍ରବଳ କଷ୍ଟ ହୋଇଥିଲା, ଯାହାଫଳରେ ରୋଗୀଙ୍କ ସମ୍ପର୍କୀୟ ଓ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଧୂଆଁମୟ ୱାର୍ଡରୁ ଶିଶୁମାନଙ୍କୁ ବାହାର କରିବା ପାଇଁ ହସ୍ପିଟାଲ କର୍ମଚାରୀ କାଚ ଭାଙ୍ଗି ଉଦ୍ଧାର କାର୍ଯ୍ୟ କରିଥିଲେ। ଘଟଣାସ୍ଥଳରେ ଇଚୋଡ଼ା ଅଞ୍ଚଳର ସଲିମ୍ଙ୍କ ୫ ଦିନର ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ଅନ୍ୟ ଶିଶୁମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ, ସେଠାରେ ସଙ୍କଟାପନ୍ନ ଥିବା ଅନ୍ୟ ଦୁଇଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି। ଅଧିକାରୀଙ୍କ ସୂଚନା ଅନୁସାରେ, ଅବଶିଷ୍ଟ ୨୫ ଜଣ ଶିଶୁ ବିପଦମୁକ୍ତ ଅଛନ୍ତି, ଯେଉଁ ମାନଙ୍କ ମଧ୍ୟରୁ ୩ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।


