ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଜଗତ ପାଇଁ ଏକ ବଡ଼ ଝଟ୍କା। ଡୋପିଂ ନିରୋଧୀ ନିୟମ ଭଙ୍ଗ କରିବା ଅଭିଯୋଗରେ ଦେଶର ଜଣାଶୁଣା ଟେନିସ୍ ଖେଳାଳି ପରୀକ୍ଷିତ ସୋମାନୀଙ୍କ ଉପରେ ୪ ବର୍ଷର କଠୋର ବ୍ୟାନ୍ ଲଗାଯାଇଛି। ଇଣ୍ଟରନ୍ୟାସନାଲ ଟେନିସ୍ ଇଣ୍ଟିଗ୍ରିଟି ଏଜେନ୍ସି (ଆଇଟିଆଇ)ର ଏକ ସ୍ଵତନ୍ତ୍ର ଟ୍ରିବ୍ୟୁନାଲ୍ ତାଙ୍କୁ ପ୍ରତିବନ୍ଧିତ ଔଷଧ ‘ଟ୍ରିମେଟାଜିଡାଇନ୍’ ସେବନ କରିଥିବା ନେଇ ଦୋଷୀ ସାବ୍ୟସ୍ତ କରିଛି।
ଖାଦ୍ୟ ଦୂଷିତ ହେବା ଯୋଗୁଁ ଏହା ଘଟିଥିବା ନେଇ ପରୀକ୍ଷିତ ଦେଇଥିବା ସଫେଇକୁ ଟ୍ରିବ୍ୟୁନାଲ୍ ଖାରଜ କରିଦେଇଛନ୍ତି। ୨୦୨୪ ଜୁଲାଇ ୩୧ ତାରିଖରେ କଜାକିସ୍ତାନର ଅସ୍ତାନାରେ ଅନୁଷ୍ଠିତ ଏଟିପି ଚ୍ୟାଲେଞ୍ଜର ଟୁର୍ଣ୍ଣାମେଣ୍ଟ ସମୟରେ ୨୬ ବର୍ଷୀୟ ପରୀକ୍ଷିତଙ୍କ ଡୋପ୍ ଟେଷ୍ଟ କରାଯାଇଥିଲା। ନମୁନାରେ ପ୍ରତିବନ୍ଧିତ ପଦାର୍ଥ ମିଳିବାରୁ ତାଙ୍କୁ ୨୦୨୪ ସେପ୍ଟେମ୍ବର ୨୩ରୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଥିଲା।
ପୂର୍ବରୁ ବିତାଇଥିବା ନିଲମ୍ବନ ସମୟକୁ ହିସାବକୁ ନିଆଯାଇଥିବାରୁ, ତାଙ୍କର ଏହି ୪ ବର୍ଷିଆ ବ୍ୟାନ୍ ଅବଧି ୨୦୨୮ ସେପ୍ଟେମ୍ବର ୨୨ରେ ଶେଷ ହେବ। ଏହି ସମୟ ମଧ୍ୟରେ ସେ କୌଣସି ପେସାଦାର ଟେନିସ୍ ମ୍ୟାଚ୍ ଖେଳିପାରିବେ ନାହିଁ କିମ୍ବା କୌଣସି ଖେଳାଳିଙ୍କୁ କୋଚିଂ ଦେଇପାରିବେ ନାହିଁ। ଏହାସହ ୱାର୍ଲ୍ଡ ଟେନିସ୍, ଡବ୍ଲ୍ୟୁଟିଏ, ଏଟିପି, ଗ୍ରାଣ୍ଡ ସ୍ଲାମ୍ କିମ୍ବା କୌଣସି ଜାତୀୟ ସଂଘ ଦ୍ଵାରା ଆୟୋଜିତ କିମ୍ବା ମାନ୍ୟତାପ୍ରାପ୍ତ ଇଭେଣ୍ଟରେ ସେ ଭାଗ ନେଇପାରିବେ ନାହିଁ।


