ନୂଆଦିଲ୍ଲୀ: ନିର୍ବାଚନ କମିଶନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣି ଥରେ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି। X ଉପରେ ଏକ ପୋଷ୍ଟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, “ପ୍ରଥମେ ଜ୍ଞାନେଶ କୁମାର, ଯିଏ ସେତେବେଳେ ଜଣେ କାର୍ଯ୍ୟରତ IAS ଅଧିକାରୀ ଥିଲେ, ତାଙ୍କୁ ବିଜେପି ପାଇଁ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବ୍ୟବହାର କରାଯାଇଥିଲା। ତା’ପରେ, ମୋଦି ଏବଂ ଶାହ ତାଙ୍କୁ ଅମ୍ପାୟାର କରିଥିଲେ ଏବଂ ଭାରତର ନିର୍ବାଚନରେ ମ୍ୟାଚ୍ ଫିକ୍ସିଂର ଦାୟିତ୍ୱ ଦେଇଥିଲେ।”
ରାହୁଲ ଗାନ୍ଧୀ କେରଳ କଂଗ୍ରେସ X ର ଏକ ପୋଷ୍ଟ ମଧ୍ୟ ସେୟାର କରି କହିଛନ୍ତି ଯେ, ଯେଉଁଥିରେ ପୂର୍ବତନ କେରଳ ମୁଖ୍ୟ ସଚିବ ଜିଜି ଥମସନ୍ ଦାବି କରିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତାଙ୍କୁ ବିଜେପି ଟିକେଟରେ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବାକୁ କହିଥିଲେ। ଥମସନଙ୍କ ଅନୁସାରେ, ଦିଲ୍ଲୀକୁ ଏକ ବିମାନ ଯାତ୍ରା ସମୟରେ ଜ୍ଞାନେଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ୨୦୧୯ରେ ପଥାନାମଥିଟ୍ଟା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାର ବିକଳ୍ପ ପ୍ରଦାନ କରିଥିଲେ।
ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟରେ ଦାବି କରାଯାଇଛି ଯେ, ଦୁଇ ନିର୍ବାଚନ କମିଶନର ୧୦ ମାସ ମଧ୍ୟରେ ୧୪ ଥର ଆନୁଷ୍ଠାନିକ ଭାବରେ କମିଶନଙ୍କ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଥିଲେ। ରିପୋର୍ଟ ଅନୁଯାୟୀ, ଏହି ଆପତ୍ତିଗୁଡ଼ିକ ବିଭିନ୍ନ ନିଷ୍ପତ୍ତି ଏବଂ ପ୍ରକ୍ରିୟା ସହିତ ଜଡିତ। ବିବାଦ ମଧ୍ୟରେ ନିର୍ବାଚନ କମିଶନ ଆଜି ଅପରାହ୍ନ ୩ଟାରେ ଦିଲ୍ଲୀର ନିର୍ବଚନ ସଦନରେ ବୈଠକ କରିଥିଲେ, ଯେଉଁଠାରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହିତ ଉଭୟ ନିର୍ବାଚନ କମିଶନର ଉପସ୍ଥିତ ଥିଲେ। ନିର୍ବାଚନ କମିଶନ ସ୍ପଷ୍ଟ କରିଥିଲେ ଯେ, ଗତ କିଛି ମାସ ମଧ୍ୟରେ ବିହାର, ବଙ୍ଗଳା ଏବଂ ଅନ୍ୟାନ୍ୟ ରାଜ୍ୟରେ SIR ସମ୍ପର୍କିତ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି।
ନିର୍ବାଚନ କମିଶନଙ୍କ ବୟାନ ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ବିଜେପି ପ୍ରତିଆକ୍ରମଣ କରିଥିଲା। ଦଳର ନେତା ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, “SIR ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ବିବୃତ୍ତି କଂଗ୍ରେସର ମୁଖା ଖୋଲିଛି। ରାହୁଲ ଗାନ୍ଧୀ ମିଛ କହୁଥିଲେ। ରାହୁଲ ଗାନ୍ଧୀ ଜଣେ ଗମ୍ଭୀର ନେତା ନୁହଁନ୍ତି। ତାଙ୍କର ମିଥ୍ୟା ପ୍ରଚାର ନିର୍ବାଚନ କମିଶନଙ୍କୁ SIR ଉପରେ ଏକ ବିସ୍ତୃତ ବିବୃତ୍ତି ଜାରି କରିବାକୁ ବାଧ୍ୟ କରିଥିଲା। ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ଭିତ୍ତିହୀନ ଅଭିଯୋଗ କରିବା ପରିବର୍ତ୍ତେ କଂଗ୍ରେସ ଏବଂ ଏହାର ସହଯୋଗୀମାନେ ନିର୍ବାଚନ ଜିତିବା ପାଇଁ କଠିନ ପରିଶ୍ରମ କରିବା ଉଚିତ।”


