ଦୁଇଟି ବ୍ୟାଙ୍କ ମିଶ୍ରଣ ହେବା ପରେ ପୂର୍ବ ବ୍ୟାଙ୍କ ଦ୍ୱାରା ଗ୍ରାହକଙ୍କୁ ଦିଆଯାଇଥିବା ଚେକ୍ ବୈଧ ରହେ କି ନାହିଁ—ଏହି ପ୍ରଶ୍ନ ପ୍ରାୟତଃ ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥାଏ। ଏହି ଆଇନଗତ ଓ ବ୍ୟାଙ୍କିଂ ଦ୍ୱନ୍ଦ୍ୱ ଉପରୁ ସମ୍ପ୍ରତି ପରଦା ହଟାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ, କେବଳ ଗୋଟିଏ ବ୍ୟାଙ୍କ ଅନ୍ୟ ଏକ ବ୍ୟାଙ୍କ ସହିତ ମିଶ୍ରିତ ହୋଇଯିବା କାରଣରୁ ପୂର୍ବ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ଚେକ୍ ଅବୈଧ ହୋଇଯାଏ ନାହିଁ। ମିଶ୍ରଣ ପରେ ପୁରୁଣା ବ୍ୟାଙ୍କର ସମସ୍ତ ସମ୍ପତ୍ତି, ଆର୍ଥିକ ଦାୟିତ୍ୱ ଏବଂ ଗ୍ରାହକଙ୍କ ଆକାଉଣ୍ଟ ସ୍ୱତଃପ୍ରବୃତ୍ତ ଭାବେ ନୂତନ ବ୍ୟାଙ୍କିଂ ସଂସ୍ଥାକୁ ସ୍ଥାନାନ୍ତରିତ ହୋଇଥାଏ।
ଏହି ସମଗ୍ର ମାମଲାଟି ୨୦୧୯ ମସିହାରେ ବିଜୟା ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦା ମଧ୍ୟରେ ହୋଇଥିବା ମିଶ୍ରଣ ସହିତ ଜଡ଼ିତ। ବିଜୟା ବ୍ୟାଙ୍କର ଜଣେ ମହିଳା ଗ୍ରାହକ ଅନ୍ୟ ଜଣେ ମହିଳାଙ୍କୁ ନିଜ ଆକାଉଣ୍ଟରୁ ଏକ ଚେକ୍ ଜାରି କରିଥିଲେ। ପରବର୍ତ୍ତୀ ସମୟରେ ଅଭିଯୋଗକାରୀ ମହିଳା ଜଣକ ସେହି ଚେକ୍କୁ ବ୍ୟାଙ୍କ ଅଫ୍ ବରୋଦାରେ ଜମା କରିଥିଲେ ହେଁ ତାହା ପେମେଣ୍ଟ ପାଇଁ ଗ୍ରହଣ କରାଯାଇ ନଥିଲା। ଚେକ୍ ବାଉନ୍ସ ହେବା ପରେ ଏବଂ ବ୍ୟାଙ୍କିଂ ପ୍ରକ୍ରିୟାରେ ସମସ୍ୟା ଦେଖାଦେବାରୁ ମାମଲାଟି କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ଶୁଣାଣି ସମୟରେ ଚେକ୍ ପ୍ରଦାନ କରିଥିବା ମହିଳା ଜଣକ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ ସେ ନିଜେ ଏହି ଚେକ୍ ଟି ଅଭିଯୋଗକାରୀଙ୍କୁ ଦେଇନାହାନ୍ତି, ବରଂ ତାଙ୍କର ଚେକ୍ ହଜିଯାଇଥିଲା ଏବଂ ଏହାର ଅପବ୍ୟବହାର କରାଯାଇଛି। ଏହା ସହିତ ସେ ଦାବି କରିଥିଲେ ଯେ ଯେହେତୁ ବିଜୟା ବ୍ୟାଙ୍କର ଅସ୍ତିତ୍ୱ ଆଉ ନାହିଁ ଏବଂ ତାହା ବ୍ୟାଙ୍କ ଅଫ୍ ବରୋଦା ସହ ମିଶିସାରିଛି, ତେଣୁ ବିଜୟା ବ୍ୟାଙ୍କ ନାମରେ ଥିବା ଚେକ୍ଟି ଆଇନଗତ ଭାବେ ବୈଧ ହେବା ଉଚିତ ନୁହେଁ।
ତେବେ ବିଚାରପତି ଗୋବିନ୍ଦରାଜଙ୍କ ପୀଠ ଏହି ଯୁକ୍ତିକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛନ୍ତି। କୋର୍ଟ ନିଜ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ଯେ ମହିଳାଙ୍କର ବିଜୟା ବ୍ୟାଙ୍କରେ ଏକ ବୈଧ ଆକାଉଣ୍ଟ ଥିଲା ଏବଂ ସମ୍ପୃକ୍ତ ଚେକ୍ଟି ସେହି ଆକାଉଣ୍ଟ ସହ ଲିଙ୍କ୍ ହୋଇ ରହିଛି। ବ୍ୟାଙ୍କ ମିଶ୍ରଣ ପ୍ରକ୍ରିୟା ପରେ ସେହି ଆକାଉଣ୍ଟର ସମସ୍ତ ଦାୟିତ୍ୱ ବ୍ୟାଙ୍କ ଅଫ୍ ବରୋଦା ଉପରକୁ ଆସିଯାଇଛି। ଚେକ୍ ଟି ପ୍ରକୃତରେ ମହିଳା ଜଣକ ନିଜେ ଜାରି କରିଥିଲେ କିମ୍ବା ତାହା ହଜିଯାଇ ଅପବ୍ୟବହାର ହୋଇଛି, ସେ ସମ୍ପର୍କରେ ଟ୍ରାଏଲ୍ କୋର୍ଟ ପ୍ରମାଣ ଆଧାରରେ ନିଷ୍ପତ୍ତି ନେବେ। ଏହି ଆଧାରରେ ହାଇକୋର୍ଟ ମହିଳାଙ୍କ ବିରୋଧରେ ଚାଲିଥିବା ଆଇନଗତ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବାକୁ ମନା କରିଦେଇଛନ୍ତି।
ବ୍ୟାଙ୍କ ମିଶ୍ରଣ ପରେ ବି ବୈଧ ପୁରୁଣା ଚେକ୍: କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
No Comments2 Mins Read


