ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଭାରତ ମାଟିରେ ଜନ୍ମିତ ମାଈ ଚିତା ‘କେଜିପି୨୧’ ୫ଟି ଶାବକଙ୍କୁ ଜନ୍ମ ଦେଇଛି। ସମସ୍ତ ନବଜାତ ଶାବକ ସୁସ୍ଥ ଅଛନ୍ତି। ଏହି ନୂଆ ଅତିଥିଙ୍କ ଆଗମନ ସହ ଭାରତରେ ମୋଟ ଚିତା ସଂଖ୍ୟା ୬୦କୁ ବୃଦ୍ଧି ପାଇଛି, ଯେଉଁଥିରେ ଭାରତ ମାଟିରେ ଜନ୍ମିତ ୪୧ଟି ଚିତା ଶାବକ ସାମିଲ ଅଛନ୍ତି। ଏ ନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ‘ଏକ୍ସ’ (X) ଆକାଉଣ୍ଟରେ ସୂଚନା ଦିଆଯାଇଛି।
କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ‘ଏକ୍ସ’ରେ ନବଜାତ ଶାବକଙ୍କ ଫଟୋ ସେୟାର କରି ଏହାକୁ ‘ପ୍ରୋଜେକ୍ଟ ଚିତା’ ପାଇଁ ଏକ ଐତିହାସିକ ଓ ଆନନ୍ଦଦାୟକ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ୩୨ ମାସର ଭାରତଜନ୍ମିତ ମାଈ ଚିତା ‘କେଜିପି୨୧’ର ଏହି ସଫଳତା ଭାରତରେ ପରବର୍ତ୍ତୀ ପିଢ଼ିର ଚିତା ବଂଶବୃଦ୍ଧି ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିଛି। ଏହା ପୂର୍ବରୁ ଭାରତଜନ୍ମିତ ଅନ୍ୟ ଦୁଇ ମାଈ ଚିତା ‘ମୁଖୀ’ ଏବଂ ‘କେଜିପି୧୨’ ମଧ୍ୟ ଶାବକ ଜନ୍ମ ଦେଇସାରିଛନ୍ତି।
ବିଶେଷ କଥା ହେଉଛି, ଏହି ଶାବକମାନଙ୍କର ପିତା ବୋତ୍ସୱାନାରୁ ଅଣାଯାଇଥିବା ଏକ ଅଣ୍ଡିରା ଚିତା ହୋଇଥିବାରୁ, ଭାରତରେ ଏହି ବଂଶର ଆରମ୍ଭ ହୋଇଛି। ଏହାଦ୍ୱାରା ଭାରତର ଚିତା ବଂଶାବଳୀରେ ଏକ ନୂତନ ଜେନେଟିକ (ଆନୁବଂଶିକ) ବିବିଧତା ଯୋଡ଼ି ହୋଇଛି, ଯାହା ଭବିଷ୍ୟତରେ ସେମାନଙ୍କ ବଂଶବୃଦ୍ଧି ପାଇଁ ଅତ୍ୟନ୍ତ ସହାୟକ ହେବ।


