ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ରାଜଧାନୀରେ ପାଳିତ ହେବାକୁ ଥିବା ରାମଲୀଳା ମହୋତ୍ସବରେ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିବ। ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦଙ୍କ ସହିତ ଏଥର ଏକ ୩୦ ଫୁଟ୍ ଉଚ୍ଚର ‘କକ୍ରୋଚ୍’ (ଅସରପା) କୁଶପୁତଳିକା ମଧ୍ୟ ଦହନ କରାଯିବ। ଦିଲ୍ଲୀର ପୀତାମ୍ପୁରା ଅଞ୍ଚଳରେ ରାମଲୀଳା ଆୟୋଜନ କରୁଥିବା ‘ଶ୍ରୀ କେଶବ ରାମଲୀଳା କମିଟି’ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। କମିଟିର ସୂଚନା ଅନୁସାରେ, ଅସରପା ହେଉଛି ଅପରିଚ୍ଛନ୍ନତା ଓ ଆବର୍ଜନାର ପ୍ରତୀକ, ଯାହାକୁ ପୋଡ଼ିବା ଦ୍ୱାରା ‘ସ୍ୱଚ୍ଛ ଭାରତ’ ଏବଂ ‘ସ୍ୱଚ୍ଛ ଦିଲ୍ଲୀ’ ଅଭିଯାନର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଯିବ।
କମିଟିର ସଭାପତି ତଥା ବିଜେପି ବିଧାୟକ ଅଶୋକ ଗୋୟଲ ସୂଚନା ଦେଇ ସ୍ପଷ୍ଟ କରିଛନ୍ତି ଯେ, ଏହି ନିଷ୍ପତ୍ତି ପଛରେ କୌଣସି ପ୍ରକାରର ରାଜନୈତିକ ଉଦ୍ଦେଶ୍ୟ ନାହିଁ। ଅସରପା କୁଶପୁତଳିକା ଦହନ କରିବାର ମୂଳ ଲକ୍ଷ୍ୟ ହେଉଛି ଅଧର୍ମ ଉପରେ ଧର୍ମର ବିଜୟ ଏବଂ ସମାଜରେ ପରିଚ୍ଛନ୍ନତାର ସଚେତନତା ସୃଷ୍ଟି କରିବା। ତେବେ ରାଜଧାନୀରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏବଂ ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ବିକ୍ଷୋଭ ପ୍ରଦର୍ଶନ ପୃଷ୍ଠଭୂମିରେ ଏହି ନିଷ୍ପତ୍ତିକୁ ନେଇ ଏବେ ସହରରେ ଚର୍ଚ୍ଚା ଓ ବିତର୍କ ଜୋର ଧରିଛି।


