ଗ୍ୱାଲିୟର: ନବରାତ୍ରି ପୂଜାର୍ଚ୍ଚନା ଚାଲିଥିବା ବେଳେ ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାରେ ଘଟିଯାଇଛି ଏକ ଅତ୍ୟନ୍ତ ମର୍ମନ୍ତୁଦ ଓ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ଚିନୋର ରୋଡ୍ସ୍ଥିତ ପ୍ରସିଦ୍ଧ ଶୀତଳା ମାତା ମନ୍ଦିର ବାହାରେ ରବିବାର ଭୋର୍ ପ୍ରାୟ ୧.୩୦ ମିନିଟ୍ ସମୟରେ ଏକ ଦ୍ରୁତଗାମୀ ବେପରୁଆ ଟ୍ରକ୍ ଶ୍ରଦ୍ଧାଳୁଙ୍କ ଉପରେ ଚଢ଼ିଯିବା ଫଳରେ କିଶୋରଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଶାରଦୀୟ ନବରାତ୍ରି ପାଳନ ପାଇଁ ଗଭୀର ରାତିରେ ମଧ୍ୟ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହି ସମୟରେ ପଞ୍ଜାବ ନମ୍ବର ବିଶିଷ୍ଟ ଏକ ଅନିୟନ୍ତ୍ରିତ ଟ୍ରକ୍ ପାହାଡ଼ ଗଡ଼ାଣି ରାସ୍ତାରେ ଦ୍ରୁତଗତିରେ ଆସି ଶ୍ରଦ୍ଧାଳୁ ଓ ରାସ୍ତାକଡ଼ର ଅସ୍ଥାୟୀ ଦୋକାନଗୁଡ଼ିକୁ ଚପାଇ ଦେବା ସହ ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାରରେ ପିଟି ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ମନ୍ଦିର ପ୍ରାଚୀରର ଏକ ଅଂଶ ଭାଙ୍ଗି ପଡ଼ିଥିଲା। ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫରାର ହୋଇଯାଇଥିବା ବେଳେ ପୁଲିସ ତାକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଆହତମାନଙ୍କୁ ସ୍ଥାନୀୟ ଗ୍ୱାଲିୟର ଟ୍ରମା ସେଣ୍ଟର ଓ ଜୟ ଆରୋଗ୍ୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାବେଳେ କାର୍ଯ୍ୟରତ ୨ ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତଙ୍କ ମଧ୍ୟରେ ସାମିଲ ଅଛନ୍ତି। ମୃତକଙ୍କ ବୟସ ୧୫ ରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କାର ଆର୍ôଥକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।


