ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂତନ ମୁଖ୍ୟ ଭାବେ ଏୟାର ଚିଫ୍ ମାର୍ଶାଲ୍ ଆଶୁତୋଷ ଦୀକ୍ଷିତ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଏୟାର ଚିଫ୍ ମାର୍ଶାଲ୍ ଅମର ପ୍ରୀତ୍ ସିଂହଙ୍କ ସ୍ଥାନ ନେଇଛନ୍ତି, ଯିଏକି ବାୟୁସେନାର ମୁଖ୍ୟ ଭାବେ ୨୫ ମାସର କାର୍ଯ୍ୟକାଳ ପୂରଣ କରିବା ପରେ ଶନିବାର ଅବସର ଗ୍ରହଣ କରିଛନ୍ତି। ଡିସେମ୍ବର ୧୯୮୬ରେ ବାୟୁସେନାର ଫାଇଟର ଷ୍ଟ୍ରିମ୍ରେ ସାମିଲ ହୋଇଥିବା ଏୟାର ଚିଫ୍ ମାର୍ଶାଲ୍ ଦୀକ୍ଷିତ ପ୍ରାୟ ଚାରି ଦଶନ୍ଧିର ଉଲ୍ଲେଖନୀୟ ସେବା ପ୍ରଦାନ କରିବା ପରେ ଏହି ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି।
ଜଣେ ଦକ୍ଷ ପରୀକ୍ଷାମୂଳକ ଟେଷ୍ଟ ପାଇଲଟ୍ ଏବଂ ଯୋଗ୍ୟ ଫ୍ଲାଇଂ ଇନ୍ସଟ୍ରକ୍ଟର ଭାବେ ତାଙ୍କ ପାଖରେ ମିରାଜ୍ ୨୦୦୦, ମିଗ୍ର ବିଭିନ୍ନ ଭାରିଆଣ୍ଟ, ଜାଗୁଆର, ହକ୍, ଆଇଏଲ୍-୭୮ଏବଂ ସ୍ୱଦେଶୀ ଏଲ୍ସିଏ ତେଜସ୍ ସହିତ ବିଭିନ୍ନ ବିମାନରେ ୩,୫୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଭରିବାର ଅନୁଭବ ରହିଛି। ସେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ‘ଅପରେସନ୍ ସଫେଦ ସାଗର’, ‘ଅପରେସନ୍ ରକ୍ଷକ’ ଏବଂ ‘ଅପରେସନ୍ ସିନ୍ଦୂର’ ଭଳି ପ୍ରମୁଖ ଅପରେସନ୍ ଏବଂ ସାମରିକ ଅଭ୍ୟାସରେ ସକ୍ରିୟ ଭାବେ ଭାଗ ନେଇଥିଲେ। ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନର ଦୃଢ଼ ସମର୍ଥକ ଭାବେ ବେଶ ଜଣାଶୁଣା ଏୟାର ଚିଫ୍ ମାର୍ଶାଲ୍ ଦୀକ୍ଷିତ ଉପ-ବାୟୁସେନା ମୁଖ୍ୟ ଥିବା ସମୟରେ ଏଲ୍ସିଏ ମାର୍କ-୧ଏ, ଏଲ୍ସିଏ ମାର୍କ-୨ ଏବଂ ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ ପ୍ରକଳ୍ପ ସମେତ ପ୍ରମୁଖ ଜାତୀୟ ଏରୋସ୍ପେସ୍ କାର୍ଯ୍ୟକ୍ରମଗୁଡ଼ିକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଏହି ନିଯୁକ୍ତି ପ୍ରତିରକ୍ଷା କ୍ଷେତ୍ରରେ ସରକାରଙ୍କ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଅଧିକ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି, ଯାହା ଦେଶୀୟ ଯୁଦ୍ଧବିମାନଗୁଡ଼ିକର ସାମିଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ, ସ୍କ୍ୱାଡ୍ରନ୍ ଶକ୍ତି ବୃଦ୍ଧି କରିବ।


