ପତିଆଲା: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦ୍ମୀ ପାର୍ଟି (ଆପ୍)କୁ ଲାଗିଛି ଏକ ବଡ଼ ସଙ୍କଟ। ଦଳ ପକ୍ଷରୁ ୪୦ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ହେବା କ୍ଷଣି ଦଳ ଭିତରେ ଗୋଷ୍ଠୀକନ୍ଦଳ ଓ ଅସନ୍ତୋଷ ସାମ୍ନାକୁ ଆସିଛି। ଏହି କ୍ରମରେ ଆପ୍ର ଦୁଇ ପ୍ରମୁଖ ବିଧାୟକ ଚେତନ ସିଂହ ଜୋଡ଼ାମାଜରା ଏବଂ ହରବିତ ସିଂହ ପଠାନମାଜରା ଦଳରୁ ଇସ୍ତଫା ଦେଇଛନ୍ତି।
ସମାନା ବିଧାନସଭା ଆସନର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚେତନ ସିଂହ ଜୋଡ଼ାମାଜରା ଏବଂ ସନୌର ବିଧାୟକ ହରବିତ ସିଂହ ପଠାନମାଜରା ଚଣ୍ଡୀଗଡ଼ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ଛାଡ଼ିବା କଥା ଘୋଷଣା କରିଛନ୍ତି। ଦୁଇ ନେତା ଅଭିଯୋଗ ଆଣିଛନ୍ତି ଯେ, ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ୍ ପଞ୍ଜାବରେ ନିଶା ନିବାରଣ, ଫସଲର ନ୍ୟୂନତମ ସହାୟକ ମୂଲ୍ୟ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବାକୁ ନେଇ ଯେଉଁ ସବୁ ଗ୍ୟାରେଣ୍ଟି ଦେଇଥିଲେ, ତାହା ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଦଳରୁ ଓହରିବା ପରେ ଏହି ଦୁଇ ବିଧାୟକ ଦିଲ୍ଲୀରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେବେ।
ଉଲ୍ଲେଖଯୋଗ୍ୟ ଯେ, ପ୍ରାର୍ଥୀ ତାଲିକାରେ ଏହି ଦୁଇ ବିଧାୟକଙ୍କ ଆସନରୁ କୌଣସି ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନଥିଲେ ସୁଦ୍ଧା ଦଳ ଭିତରେ ଅସନ୍ତୋଷ ତୀବ୍ର ହୋଇଥିଲା। କିଛି ଦିନ ପୂର୍ବରୁ ଆପ୍ ପ୍ରାକ୍ତନ ଅକାଳୀ ନେତା ସୁରଜିତ ସିଂହ ରଖଡ଼ାଙ୍କୁ ସମାନା ଆସନର ଇନ୍ଚାର୍ଜ ନିଯୁକ୍ତ କରିବା ପରଠାରୁ ଜୋଡ଼ାମାଜରା ଅସନ୍ତୁଷ୍ଟ ଥିଲେ। ଅନ୍ୟପଟେ, ସନୌର ବିଧାୟକ ହରବିତ ସିଂହ ପଠାନମାଜରାଙ୍କ ନାମରେ ଏକ ସଂଗୀନ ମାମଲା ରୁଜୁ ହେବା ପରେ ସେ ଅଷ୍ଟ୍ରେଲିଆ ଫେରାର୍ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତଦନ୍ତରେ ସାମିଲ ହେବା ପାଇଁ ସେ ଫେରିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା।


