ନୂଆଦିଲ୍ଲୀ: ଭାରତରେ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସ୍ୱଦେଶ ଫେରିବା ପାଇଁ ନୂତନ ପାସପୋର୍ଟ ଓ ଜାତୀୟ ପରିଚୟପତ୍ର ଆବେଦନ କରିଛନ୍ତି। ଆସନ୍ତା ଡିସେମ୍ବର ମାସ ସୁଦ୍ଧା ବାଂଲାଦେଶ ଫେରି ଅଦାଲତରେ ଆତ୍ମସମର୍ପଣ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତରେ ନିଜ ନିର୍ବାସନ ଶେଷ କରି ସ୍ୱଦେଶ ଫେରିବା ପାଇଁ ଏକ ନୂତନ ପାସପୋର୍ଟ ଏବଂ ଜାତୀୟ ପରିଚୟପତ୍ର ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ହସିନା ନିଜର ବାଂଲାଦେଶୀ ନାଗରିକତା ଆଧାରରେ ଏହି ଆବେଦନ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏହି ଆବେଦନଟି ସବୁଠାରୁ ସ୍ପଷ୍ଟ ସଙ୍କେତ ଯେ, ଗତ ଦୁଇ ବର୍ଷ ଧରି ଭାରତରେ ଆଶ୍ରୟ ନେଇଥିବା ହସିନା ଡିସେମ୍ବର ସୁଦ୍ଧା ବାଂଲାଦେଶ ଫେରିବା ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯୋଜନା କରୁଛନ୍ତି।
ରିପୋର୍ଟ ଅନୁସାରେ ହସିନା ଜଣାଇଛନ୍ତି ଯେ ସେ ବାଂଲାଦେଶର ଏକ ଅଦାଲତରେ ଆତ୍ମସମର୍ପଣ କରିବାକୁ ଇଚ୍ଛୁକ। ଅନ୍ୟପକ୍ଷେ ହସିନାଙ୍କ ଫେରିବା ସମ୍ପର୍କୀତ ସମସ୍ତ ଆନୁଷ୍ଠାନିକ କାର୍ଯ୍ୟ ସମାପ୍ତ ହେବା ପରେ ଏହାର ତାରିଖ ଘୋଷଣା କରାଯିବ ବୋଲି ତାଙ୍କ ସହଯୋଗୀମାନେ ପ୍ରକାଶ କରିଛନ୍ତି। ୨୦୨୪ ମସିହାରେ ଦେଶବ୍ୟାପୀ ହୋଇଥିବା ଛାତ୍ର ଆନ୍ଦୋଳନକୁ ଦମନ କରିବା ପାଇଁ ଘାତକ ଆଦେଶ ଦେବା ଅଭିଯୋଗରେ ବାଂଲାଦେଶର ଯୁଦ୍ଧ ଅପରାଧ ଟ୍ରିବ୍ୟୁନାଲ୍ ଗତ ବର୍ଷ ନଭେମ୍ବରରେ ହସିନାଙ୍କ ଅନୁପସ୍ଥିତିରେ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ଜାତିସଂଘର ଆକଳନ ଅନୁଯାୟୀ, ସେହି ହିଂସାରେ ପ୍ରାୟ ୧,୪୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ରଏଟର୍ସ ଅନୁସାରେ, ଢାକାସ୍ଥିତ ଗୃହମନ୍ତ୍ରୀ ସଲାହୁଦ୍ଦିନ ଅହମ୍ମଦ କହିଛନ୍ତି ଯେ ବୈଦେଶିକ ଏବଂ ଆଇନ ମନ୍ତ୍ରଣାଳୟ ଏହି ବିଷୟ ତଦାରଖ କରୁଛନ୍ତି, ଯେଉଁଥିରେ ଆବେଦନର କୌଣସି ଆଇନଗତ ଆଧାର ଅଛି କି ନାହିଁ ଏବଂ ହସିନା ଆଇନଗତ ଭାବେ ଏହି ଦଲିଲ ପାଇବାକୁ ଯୋଗ୍ୟ କି ନୁହଁନ୍ତି ତାହା ଯାଞ୍ଚ କରାଯାଉଛି।


