ଚେନ୍ନାଇ: ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ସି.ଏସ୍. କର୍ଣ୍ଣନ (୭୧) ଅସୁସ୍ଥତା କାରଣରୁ ଚେନ୍ନାଇର ଏକ ହସ୍ପିଟାଲରେ ପରଲୋକ ହୋଇଛି। ତାଙ୍କ ବିୟୋଗରେ ଆଇନ ଓନ୍ୟାୟିକ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଅନ୍ତିମ ସଂସ୍କାର ଜନ୍ମମାଟି କୁଦ୍ଦାମର କରୁନ୍ଥାମ ଗ୍ରାମରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଜଷ୍ଟିସ୍ କର୍ଣ୍ଣନ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ବିବାଦ ଏବଂ ଅଦାଲତଙ୍କ ସହ ମତଭେଦ କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥିଲେ। ୧୯୫୫ ମସିହାରେ କୁଦ୍ଦାମ ଜିଲ୍ଲାର କରୁନ୍ଥାମ ଗ୍ରାମରେ ଜନ୍ମଗ୍ରହଣ କରିଥିବା କର୍ଣ୍ଣନ ମାଡ୍ରାସ ଲ କଲେଜରୁ ୧୯୮୩ରେ ଆଇନ ଡିଗ୍ରୀ ହାସଲ କରିଥିଲେ। ପରେ ୨୦୦୯ ମସିହାରେ ସେ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିବା ବେଳେ ମାତ୍ର ଦୁଇ ବର୍ଷ ପରେ ସ୍ଥାୟୀ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ।
ତେବେ ତାଙ୍କର ପୂରା କାର୍ଯ୍ୟକାଳ ଅତ୍ୟନ୍ତ ବିବାଦୀୟ ରହିଥିଲା। ବିଚାରପତିମାନଙ୍କ ବିରୁଦ୍ଧରେ ବିଭିନ୍ନ ସମୟରେ ଅରୁଚିକର ଏବଂ କଟୁ ମନ୍ତବ୍ୟ ଦେବା ସହ ବ୍ୟକ୍ତିଗତ ଆକ୍ରମଣ କରି ସେ ସୁପ୍ରିମକୋର୍ଟଙ୍କ ଅବମାନନା (Contempt of Court) ମାମଲାରେ ସମ୍ମୁଖୀନ ହୋଇଥିଲେ। ଭାରତୀୟନ୍ୟାୟିକ ଇତିହାସରେ ସେ ପ୍ରଥମ ହାଇକୋର୍ଟ ବିଚାରପତି ଥିଲେ, ଯାହାଙ୍କୁ ସୁପ୍ରିମକୋର୍ଟଙ୍କ ସାତ ଜଣିଆ ବେଞ୍ଚ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରି ୨୦୧୭ ମସିହାରେ ୬ ମାସ ପାଇଁ କାରାଦଣ୍ଡାଦେଶ ଶୁଣାଇଥିଲେ।
୨୦୧୭ ଫେବୃଆରୀ ୮ରେ ସୁପ୍ରିମକୋର୍ଟ ତାଙ୍କର ସମସ୍ତ ବିଚାରକ ଓ ପ୍ରଶାସନିକ କାର୍ଯ୍ୟ ପ୍ରତ୍ୟାହାର କରିବା ସହ ନୋଟିସ୍ ଜାରି କରିଥିଲେ। ଏହାପରେ ସେ କିଛି ଦିନ ଫେରାର ରହିଥିବା ବେଳେ ୨୦୧୭ ଜୁନ୍ ମାସରେ କୋଏମ୍ବାଟୁରରୁ ପୁଲିସ ତାଙ୍କୁ ଗିରଫ କରିଥିଲା ଏବଂ ସେ ନିଜର ୬ ମାସର ଜେଲ୍ ଦଣ୍ଡ କାଟିଥିଲେ। ଶେଷରେ ଅସୁସ୍ଥତା କାରଣରୁ ତାଙ୍କୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।


