ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ଓ ତାଙ୍କ ପରିବାର ସଦସ୍ୟଙ୍କ ହତ୍ୟା ମାମଲାରେ ସର୍ବୋଚ୍ଚ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୁଇ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜାମିନ ପାଇଥିବା ଦୁଇ ଦୋଷୀ ହେଉଛନ୍ତି ବିପିନଚାନ୍ଦ ଯୋଶୀ ଏବଂ ପ୍ରଦୀପ ମୋଧିୟା।
ବିଚାରପତି ଏମ୍.ଏମ୍. ସୁନ୍ଦ୍ରେଶ ଏବଂ ବିଚାରପତି ପ୍ରସନ୍ନ ବି. ଭାରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଜାମିନ ମଞ୍ଜୁର କରିଛନ୍ତି। ଉଭୟ ଦୋଷୀ ଇତିମଧ୍ୟରେ ୧୭ ବର୍ଷରୁ ଅଧିକ ସମୟ କାରାବାସ ଭୋଗି ସାରିଥିବାରୁ ଏବଂ ଜଣଙ୍କ ଗୁରୁତର ଶାରୀରିକ ଅସୁସ୍ଥତାକୁ ଦୃଷ୍ଟିରେ ରଖି ଅଦାଲତ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ମାନ୍ୟବର ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଦୋଷୀ ସାବ୍ୟସ୍ତ ହେବା ବିରୋଧରେ ସେମାନେ କରିଥିବା ମୂଳ ଆବେଦନର ଅନ୍ତିମ ଶୁଣାଣି ପର୍ଯ୍ୟନ୍ତ କେବଳ ସେମାନଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖାଯାଇଛି। ନିମ୍ନ ଅଦାଲତଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସର୍ତ୍ତାବଳୀ ଅନୁଯାୟୀ ସେମାନଙ୍କୁ କାରାଗାରରୁ ମୁକ୍ତି ମିଳିବ।
ସୂଚନାଯୋଗ୍ୟ, ୨୦୦୨ ମସିହାର ଗୁଜରାଟ ଦଙ୍ଗା ସମୟରେ ପାଞ୍ଚ ମାସର ଗର୍ଭବତୀ ଥିବା ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରାଯିବା ସହ ତାଙ୍କର ତିନି ବର୍ଷର ଶିଶୁକନ୍ୟା ସମେତ ପରିବାରର ୧୪ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ୨୦୦୮ ମସିହାରେ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ପରବର୍ତ୍ତୀ ସମୟରେ ୨୦୧୭ ମସିହା ମେ ମାସରେ ବମ୍ବେ ଉଚ୍ଚ ନ୍ୟାୟାଳୟ ମଧ୍ୟ ନିମ୍ନ ଅଦାଲତଙ୍କ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ଉକ୍ତ ରାୟକୁ ଚାଲେଞ୍ଜ କରି ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ବିପିନଚାନ୍ଦ ଯୋଶୀ ଓ ପ୍ରଦୀପ ମୋଧିୟା ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।


